ଓଡ଼ିଶାରେ ଆଦର୍ଶ କାରାଗାର ସଂସ୍କାର
କାରାଗାରରେ କଏଦୀଙ୍କ ଭିଡ଼ ହ୍ରାସ କରିବା ସହିତ ଏହାର ଅନ୍ତେବାସୀଙ୍କୁ ମାନୁଷିକ ପରିବେଶ ଯୋଗାଇବା କାରା ସଂସ୍କାରର ଏକ ଅଂଶ। ତାହାକୁ ଦୃଷ୍ଟିରେ ରଖି ଓଡ଼ିଶା ସରକାର ବିଭିନ୍ନ ଯୋଜନା କାର୍ଯ୍ୟକାରୀ କରୁଛନ୍ତି। ମଙ୍ଗଳବାର ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ରାଜଧାନୀ ଉପକଣ୍ଠ ଜାମୁଝରୀଠାରେ ରାଜ୍ୟର ପ୍ରଥମ ସବୁଠୁ ବଡ଼ ତଥା ଆଦର୍ଶ (ମଡେଲ) କାରାଗାର ନିର୍ମାଣର ଶୁଭ ଦେଇଛନ୍ତି। ଏକଦା ମୁକ୍ତାକାଶ କାରାଗାର ଥିବା ଜାମୁଝରୀ ବନ୍ଦୀମାନଙ୍କୁ ସଂସ୍କାରିତ କରିବା କାମରେ ନିୟୋଜିତ ହେଉଥିଲା। ଏବେ ଏହା ରାଜ୍ୟର ସବୁଠୁ ବଡ଼ ଆଦର୍ଶ କାରାଗାରରେ ପରିଣତ ହେବା ସହିତ ରାଜଧାନୀ ଭିତରେ ସଂକୀର୍ଣ୍ଣ ପରିସରରେ ଥିବା ଝାରପଡ଼ା ଜେଲ୍କୁ ସେଠାକୁ ସ୍ଥାନାନ୍ତରିତ କରାଯିବ। କଟକ ସେଣ୍ଟ୍ରାଲ ଜେଲ୍ ଚୌଦ୍ୱାରକୁ ସ୍ଥାନାନ୍ତର ହେବା ପରେ ଝାରପଡ଼ା ହେବ ରାଜ୍ୟର ଦ୍ୱିତୀୟ ଜନାକୀର୍ଣ୍ଣ କାରାଗାର, ଯାହା ଏକ ପ୍ରଶସ୍ତ କ୍ଷେତ୍ରକୁ ଓ ନୂଆ ଯାଗାକୁ ଯିବ। ଏହା ନିଶ୍ଚୟ ଏକ ସ୍ୱାଗତଯୋଗ୍ୟ ନିଷ୍ପତ୍ତି।
ଏହି କାର୍ଯ୍ୟକ୍ରମରେ ମୁଖ୍ୟମନ୍ତ୍ରୀ କହିଛନ୍ତି ଯେ ରାଜ୍ୟର କାରାଗାରଗୁଡ଼ିକୁ ଗହଳି ମୁକ୍ତ କରି କଏଦୀମାନଙ୍କୁ ମୌଳିକ ସୁବିଧା ଯୋଗାଇ ଦେବାକୁ ସରକାର ଯେଉଁ ନିଷ୍ପତ୍ତି ନେଇଥିଲେ ତାହା ଯୁଦ୍ଧକାଳୀନ ଭିତ୍ତିରେ ଚାଲିଛି। ସେ ଆହୁରି ମଧ୍ୟ କହିଛନ୍ତି ଯେ ଆଦର୍ଶ ଜେଲ୍ ନିର୍ମାଣ ଦ୍ୱାରା କାରାଗାର ପ୍ରଶାସନରେ ଏକ ନୂଆ ଅଧ୍ୟାୟ ଆରମ୍ଭ କରିଛି। ଏହାଫଳରେ କାରା ସଂସ୍କାର ପାଇଁ ଅଧିକ ଭଲ ମୌଳିକ ସୁବିଧା ସୁଯୋଗ ମିଳିବ। ଅପରାଧ ବିରୋଧରେ ସଂଗ୍ରାମକୁ ସଫଳ ଓ ପ୍ରଭାବଶାଳୀ କରିବାକୁ ହେଲେ କାରାଗାର ସଂସ୍କାର ଓ ବନ୍ଦୀଙ୍କ ଉତ୍ତମ ଥଇଥାନକୁ ଅଗ୍ରାଧିକାର ଦେବାକୁ ପଡ଼ିବ। ଆଦର୍ଶ ଜେଲ୍ କଏଦୀଙ୍କୁ ସଂସ୍କାର ପାଇଁ ଉପଯୁକ୍ତ ସୁଯୋଗ ଓ ସୁବିଧା ଯୋଗାଇବ। ମୁଖ୍ୟମନ୍ତ୍ରୀଙ୍କ ଏହି ଉକ୍ତି ଯଥାର୍ଥ ଏବଂ ଏହାର ବ୍ୟାଖ୍ୟା ଅନାବଶ୍ୟକ। ଦୁଇବର୍ଷ ମଧ୍ୟରେ ଜାମୁଝରୀ ଆଦର୍ଶ କାରାଗାର ନିର୍ମାଣ କାର୍ଯ୍ୟ ଶେଷ ହେବ ଏବଂ ଏଥିରେ ପ୍ରଥମ ପର୍ଯ୍ୟାୟରେ ୨୫୦୦ ବନ୍ଦୀ ରହିପାରିବେ। ଆବଶ୍ୟକତା ଅନୁସାରେ ଏହାର ସମ୍ପ୍ରସାରଣ ବ୍ୟବସ୍ଥା ମଧ୍ୟ କରାଯିବ। ଚୌଦ୍ୱାର ମଣ୍ଡଳ କାରାଗାର ଏବେ ରାଜ୍ୟର ସବୁଠୁ ବଡ଼ ଜେଲ୍ ଏବଂ ଏଥିରେ ୧୧୫୬ ବନ୍ଦୀ ରହିବାର ସୁବିଧା ଅଛି। ଦେଶର ବଡ଼ ବଡ଼ ଆଦର୍ଶ କାରାଗାରର ନିର୍ମାଣ ଶୈଳୀ ଓ ବ୍ୟବସ୍ଥା ଅନୁଧ୍ୟାନ କରି ଜାମୁଝରୀ ଆଦର୍ଶ ଜେଲ୍ ନିର୍ମିତ ହେବ। ଏହି ଢାଞ୍ଚାରେ ଅନ୍ୟାନ୍ୟ ବଡ଼ ବଡ଼ ଜେଲ୍ର ସମ୍ପ୍ରସାରଣ ଓ ବିକାଶ କରାଯିବ।
ଏଠାରେ ସୂଚନାଯୋଗ୍ୟ ଯେ ଓଡ଼ିଶାର କାରାଗାରଗୁଡ଼ିକରେ ଧାର୍ଯ୍ୟ କ୍ଷମତାଠାରୁ ଅଧିକ ବନ୍ଦୀ ରହୁଥିବାରୁ ନିକଟରେ ଓଡ଼ିଶା ହାଇକୋର୍ଟ ଉଦ୍ବେଗ ପ୍ରକାଶ କରିବା ସହ ଆବଶ୍ୟକ ପଦକ୍ଷେପ ନେବାକୁ ରାଜ୍ୟ ସରକାରଙ୍କୁ ନିର୍ଦ୍ଦେଶ ଦେଇଥିଲେ। ତେବେ ବାସ୍ତବତା ହେଲା ଅପରାଧ ବଢ଼଼ିଲେ ଏବଂ ମାମଲାର ବିଚାର ବିଳମ୍ବିତ ହେଲେ ବିଚାରାଧୀନ କଏଦୀଙ୍କ ସଂଖ୍ୟା ବଢ଼଼ିବ। ତେଣୁ ସେମାନଙ୍କ ପାଇଁ ଯେତେ ଅଧିକ କାରଗାର ନିର୍ମାଣ କରାଗଲେ ବି ସ୍ଥାନାଭାବ ସମସ୍ୟା ଦୂର ହେବ ନାହିଁ। ତେଣୁ ଅଭିଯୁକ୍ତ ବା ବିଚାରାଧୀନ ବନ୍ଦୀଙ୍କୁ ଜେଲ୍ରେ ଅଧିକ ଦିନ ରଖିଲେ ସମସ୍ୟା ବଢ଼଼ିବା ସ୍ୱାଭାବିକ। ସେ ଦୃଷ୍ଟିରୁ ରାଜ୍ୟର ସବୁ ଜେଲ୍ରେ ଧାର୍ଯ୍ୟ କ୍ଷମତାଠାରୁ ଅଧିକ କଏଦୀ ରହୁଛନ୍ତି। ଗୋଟିଏ ଜେଲ୍ରେ ତାହାର ଧାର୍ଯ୍ୟ କ୍ଷମତାଠାରୁ ଆଉ ୨୦ ଶତାଂଶ ଅଧିକ କଏଦୀଙ୍କୁ କିଛି କାଳ ରଖିହେବ। ତେବେ ଏହା ଯେତେବେଳେ ୫୦ ଶତାଂଶରେ ପହଞ୍ଚିବ, ସେତେବେଳେ ପରିସ୍ଥିତି ଅସମ୍ଭାଳ ହେବା ନିଶ୍ଚିତ। ଆମ ରାଜ୍ୟର ଅଧିକାଂଶ ଜେଲ୍ରେ ଧାର୍ଯ୍ୟ କ୍ଷମତାଠାରୁ ବହୁ ଅଧିକ କଏଦୀ ରହୁଛନ୍ତି। ଓଡ଼ିଶା ସରକାର ହାଇକୋର୍ଟଙ୍କୁ ଜଣାଇଥିଲେ ଯେ ୨୦୨୦-୨୧ ଓ ୨୦୨୧-୨୨ କ୍ରିୟାନୁଷ୍ଠାନ ଯୋଜନା ଅନୁସାରେ ରାଜ୍ୟର ବିଭିନ୍ନ ଜେଲ୍ରେ ଅତିରିକ୍ତ ୱାର୍ଡ ନିର୍ମାଣ କରାଯାଇ ୨୯୯୪ କଏଦୀଙ୍କ ପାଇଁ ବ୍ୟବସ୍ଥା କରାଯିବ ଏବଂ ସେ କାମ ଆରମ୍ଭ ହୋଇଛି। କେବଳ ସେତିକି ନୁହେଁ, ଏହାସହିତ ଜେଲ୍ଗୁଡ଼ିକୁ ଆଦର୍ଶ କାରାଗାରରେ ପରିଣତ କରିବାକୁ ମଧ୍ୟ କାରା ପ୍ରଶାସନ ପକ୍ଷରୁ ଉଦ୍ୟମ ଜାରି ରହିଛି।
ଏହି ପ୍ରସଙ୍ଗଟି ସହିତ ବିଭିନ୍ନ କଥା ଜଡ଼ିତ। ଅପରାଧ ବୃଦ୍ଧି, ବିଚାରାଧୀନ ବନ୍ଦୀଙ୍କୁ କାରାଗାରରେ ରଖିବା, ସେମାନଙ୍କ ବିଚାର ବିଳମ୍ବ ଆଦି ଅନେକ କଥା ଏହାସହିତ ସମ୍ପୃକ୍ତ। ସେଥିପ୍ରତି ଗୁରୁତ୍ୱ ନ ଦେଲେ କାରାଗାରରେ ସ୍ଥାନ ଯେତେ ବଢ଼଼ାଇଲେ ମଧ୍ୟ ତାହା ନିଅଣ୍ଟ ପଡ଼ିବ ଓ ସଂସ୍କାର ବ୍ୟବସ୍ଥା ପ୍ରଭାବିତ ହେବ।
ତେବେ ସେ ଯା’ହେଉ କାରାଗାର ଅପରାଧିକ ନ୍ୟାୟ ବ୍ୟବସ୍ଥାରେ ଏକ ଅତି ଗୁରୁତ୍ୱପୂର୍ଣ୍ଣ ଭୂମିକା ନିର୍ବାହ କରେ। ଏହା କେବଳ ଅପରାଧୀଙ୍କ ଦଣ୍ଡଭୋଗ ସ୍ଥଳ ନୁହେଁ, ସେମାନଙ୍କ ଚରିତ୍ରକୁ ବଦଳାଇ ସଂସ୍କାରିତ କରିବାର ଏକ ପ୍ରକୃଷ୍ଟ ସ୍ଥାନ। ଜଣେ ଅପରାଧୀ କାରାଗାରରେ ରହି ଶିଖିବା, ଅନୁତାପ କରିବା, ନିଜକୁ ବଦଳାଇ ମୁଖ୍ୟସ୍ରୋତକୁ ପୁନର୍ବାର ଫେରି ସ୍ୱାଭାବିକ ଜୀବନଯାପନ କରିବା ସଂସ୍କାରର ସବୁଠୁ ବଡ଼ ଲକ୍ଷ୍ୟ। ତେବେ କାରାଗାରରେ ସ୍ଥାନାଭାବ ଓ ଗହଳି ଯୋଗୁଁ ଏହି କାମଟି ଠିକ୍ ଭାବେ ହୋଇପାରୁ ନଥିଲା। ଏବେ ନୂଆ ପ୍ରୟାସ ଦ୍ୱରା କାରା ସଂସ୍କାର ପ୍ରକ୍ରିୟା ଯେ ତ୍ୱରାନ୍ୱିତ ହେବ, ସେ ସମ୍ଭାବନା ଅଧିକ। ଏ କାମ ଯେତେ ଶୀଘ୍ର ଆରମ୍ଭ ହେବ, ସେତେ ଭଲ।