ବଡ ଖବର ଓଡ଼ିଶା ମନୋରଞ୍ଜନ ଖେଳ ଖବର ଦେଶ- ବିଦେଶ ଜୀବନଚର୍ଯ୍ୟା ରାଶିଫଳ ବାଣିଜ୍ୟ ଫଟୋ ଗ୍ୟାଲେରୀ ଅପରାଧ ଟେକ୍ନୋଲୋଜି ବିଶେଷ ରାଜନୀତି ସ୍ଵାସ୍ଥ୍ୟ

ଓଡ଼ିଶାର ବୌଦ୍ଧତନ୍ତ୍ର ପରମ୍ପରା

ବୌଦ୍ଧଧର୍ମର ହୀନଯାନ ପନ୍ଥାଧାରୀ ମାନେ ଗୌତମ ବୁଦ୍ଧଙ୍କ ମୂଳ ନୀତି, ବାଣୀ ଓ ଆଦର୍ଶର ମାର୍ଗ କଡାକଡି ଭାବେ ଅବଲମ୍ବନ କରୁଥିବାରୁ, ଏହି ରକ୍ଷଣଶୀଳତାରୁ ବୌଦ୍ଧଧର୍ମକୁ ମୁକ୍ତ କରି ଅଧିକ ଲୋକଙ୍କୁ ଏହି ଧର୍ମପ୍ରତି ଆକର୍ଷିତ କରିବା ପାଇଁ ମହାଯାନୀ ଗୁରୁମାନେ ଉଦ୍ୟମ କଲେ। ଏମାନଙ୍କର କୋହଳ ପନ୍ଥା ଯୋଗୁଁ ସମାଜର ଭିନ୍ନ ଭିନ୍ନ ବର୍ଗର ବହୁ ପ୍ରକାରର ଲୋକ ବୌଦ୍ଧଧର୍ମର ପରିସରକୁ ଆସିଗଲେ। ସେତେବେଳେ ସାଧାରଣ ଭାରତୀୟ ଲୋକଙ୍କ ଦୃଷ୍ଟିରେ ‘ଧର୍ମ’ର ଅର୍ଥ ଥିଲା ବହୁ ଦେବାଦେବୀଙ୍କ ଉପରେ ବିଶ୍ୱାସ, ବିଭିନ୍ନ ପର୍ବପର୍ବାଣୀ ଓ ରୀତିନୀତି ପାଳନ, ବିଭିନ୍ନ ମନ୍ତ୍ରପାଠ ଆଦି। ମହାଯାନରେ ବହୁଳଭାବେ ଏସବୁ ପରମ୍ପରା ଓ ରୀତିନୀତିକୁ ସ୍ଥାନ ଦିଆଯିବା ପରେ ଏହା ସାଧାରଣ ଲୋକଙ୍କ ପାଇଁ ଅଧିକ ଆକର୍ଷକ ମନେହେଲା।

ମହାଯାନରେ ‘ପାରମିତାନୟ’ ଓ ‘ମନ୍ତନୟ’- ଏହିପରି ଦୁଇଟି ଶାଖା ଦେଖାଗଲା। ‘ମନ୍ତନୟ’ ହେଉଛି ତାନ୍ତ୍ରିକ ବୌଦ୍ଧଧର୍ମର ପ୍ରାରମ୍ଭିକ ସ୍ୱରୂପ। ଏଥିରୁ ହିଁ ତାନ୍ତ୍ରିକ ବୌଦ୍ଧଧର୍ମର ତିନୋଟି ଯାକ ଶାଖା ଉଦ୍ଭବ। ସେଗୁଡ଼ିକ ହେଲା ‘ବଜ୍ରଯାନ’, ‘ସହଜଯାନ’ ଓ ‘କାଳଚକ୍ରଯାନ’। ‘ପାରମିତାନୟ’ର ସମସ୍ତ ଶାସ୍ତ୍ର କେବଳ ସଂସ୍କୃତ ଭାଷାରେ ରଚିତ ହୋଇଥିବା ବେଳେ ‘ମନ୍ତନୟ’ ଶାସ୍ତ୍ର ସବୁ ସଂସ୍କୃତ ସହ ପ୍ରାକୃତ, ଅପଭ୍ରଂଶ ଓ ଶବର ଆଦି ଅନ୍ୟ ଅଣସଂସ୍କୃତ ଭାଷାରେ ଲିଖିତ ଓ ବର୍ଣ୍ଣିତ। ବୌଦ୍ଧଧର୍ମର ଶେଷ ପର୍ଯ୍ୟାୟରେ ଏହି ତାନ୍ତ୍ରିକ ବୌଦ୍ଧଧର୍ମର ପ୍ରଚଳନ ସବୁଠାରୁ ଅଧିକ ହେବା ସହ ଏହା ବହୁଳଭାବେ ପ୍ରଚାର ପ୍ରସାର ଲାଭ କରିଥିଲା। ଓଡ଼ିଶା ସହ ପୂର୍ବାଞ୍ଚଳ ଓ ଦେଶର ଅନ୍ୟ ଅଞ୍ଚଳ ସହ ବିଦେଶକୁ ମଧ୍ୟ ବ୍ୟାପି ଯାଇଥିଲା। ସବୁଠାରୁ ଗୁରୁତ୍ୱପୂର୍ଣ୍ଣ ବିଷୟ ହେଲା ‘ତନ୍ତ୍ରଯାନ’ର ସମସ୍ତ ତିନୋଟି ଯାକ ଶାଖା ଓଡ଼ିଶାରେ ଉଦ୍ଭବ ଓ ଏହାର ପ୍ରତିଷ୍ଠାତା ମଧ୍ୟ ଓଡ଼ିଶାର ତିନିଜଣ ଖ୍ୟାତନାମା ବୌଦ୍ଧଗୁରୁ ଓ ସିଦ୍ଧ।

‘ବଜ୍ରଯାନ’କୁ ବିଧିବଦ୍ଧଭାବେ ଏକ ବ୍ୟବସ୍ଥିତ ପନ୍ଥା ଆକାରରେ ଉପସ୍ଥାପନ କରିଥିଲେ ବୌଦ୍ଧଗୁରୁ ତଥା ରାଜା ଏବଂ ସିଦ୍ଧ ଇନ୍ଦ୍ରଭୂତି (ଖ୍ରୀଷ୍ଟୀୟ ୮ମ ଶତାବ୍ଦୀ)। ସେ ହେଉଛନ୍ତି ଓଡ଼ିଶାର ସମ୍ବଲପୁର ଅଞ୍ଚଳ (ସମ୍ଭଳ ରାଜ୍ୟ)ର ରାଜା। ‘ବଜ୍ରଯାନ’ ଓଡ଼ିଶା ସମେତ ଭାରତର ପୂର୍ବାଞ୍ଚଳରେ ବିଶେଷଭାବେ ପ୍ରସାରିତ ହୋଇଥିଲା। ଏହା ‘ମହାଯାନ’ ଶାଖାର ଏକ ପ୍ରଶାଖା ହେଲେ ମଧ୍ୟ ତୀଦ୍ଦତୀୟ ବୌଦ୍ଧଧର୍ମ ଭାବେ ଭାରତରେ ଓ ଭାରତ ବାହାରେ ବିଶେଷତଃ ହିମାଳୟ ଅଞ୍ଚଳରେ ତିବ୍ଦତ ସହ ଭୁଟାନ, ନେପାଳ, ସିକ୍କିମ, ମଧ୍ୟଏସିଆ, ଚୀନ୍, ମଙ୍ଗୋଲିଆ ଓ ମାଞ୍ଚୁରିଆ ଆଦି ଅନେକ ଦେଶରେ ପ୍ରସାରିତ ହୋଇଥିଲା। ଏବେ ମଧ୍ୟ ସେ ଅଞ୍ଚଳରେ ଏହା ଜୀବିତ ରହିଛି। ଇନ୍ଦ୍ରଭୂତିଙ୍କର ପ୍ରସିଦ୍ଧ ବଜ୍ରଯାନ ଗ୍ରନ୍ଥ ହେଲା ‘ଜ୍ଞାନସିଦ୍ଧି’।

‘ସହଜଯାନ’କୁ ଇନ୍ଦ୍ରଭୂତିଙ୍କ ଭଉଣୀ ତଥା ସୋନପୁରର ରାଣୀ ବୌଦ୍ଧଗୁରୁ ତଥା ସିଦ୍ଧ ଲକ୍ଷ୍ମୀଙ୍କରା ଏକ ସଂସ୍କାରଧର୍ମୀ ଧର୍ମରୂପେ ଉପସ୍ଥାପନ କରିଥିଲେ। ସେତେବେଳେ ୮୪ ସିଦ୍ଧ ବଜ୍ରଯାନ ସହ ଏହି ଧର୍ମର ବିଶେଷ ପ୍ରଚାର ପ୍ରସାର ଘଟାଇ ଏହାକୁ ଲୋକପ୍ରିୟ କରାଇଥିଲେ। ଲକ୍ଷ୍ମୀଙ୍କରାଙ୍କର ପ୍ରସିଦ୍ଧ ଗ୍ରନ୍ଥ ହେଉଛି ‘ଅଦ୍ୱୟସିଦ୍ଧି’। ‘ସହଜଯାନ’ର ଉଦ୍ଭବକାଳ ମଧ୍ୟ ସେହି ୮ମ / ୯ମ ଶତାବ୍ଦୀ। ୧୦ମ ଶତାବ୍ଦୀରେ ଆଚାର୍ଯ୍ୟ ପିତୋପାଦ ‘ତନ୍ତ୍ରଯାନ’ର ତୃତୀୟ ପ୍ରଶାଖା ‘କାଳଚକ୍ରଯାନ’କୁ ସମ୍ଭଳରୁ ଆଣି ରତ୍ନଗିରିଠାରେ ପ୍ରକାଶିତ କରିଥିଲେ। ଏହା ମଧ୍ୟ କ୍ରମେ ଦେଶବିଦେଶକୁ ବ୍ୟାପୀ ଯାଇଥିଲା।

ଓଡ଼ିଶାରେ ଭୌମକରମାନଙ୍କର ଶାସନ କାଳ ପ୍ରାୟ ଦୁଇଶହ ବର୍ଷ (ଖ୍ରୀଷ୍ଟାବ୍ଦ ୭୩୯-୯୪୦)। ସେମାନେ ଆସାମର ପ୍ରାଚୀନ ନରକାସୁର ଭଗଦତ୍ତଙ୍କ ବଂଶଧର। ସେମାନଙ୍କ ଶାସନକାଳରେ ‘ବଜ୍ରଯାନ’ ବୌଦ୍ଧଧର୍ମ ରାଜକୀୟ ସମର୍ଥନ ଓ ସହାୟତା ହାସଲ କରିବା ସହ ପ୍ରଭାବଶାଳୀ ଲୋକଧର୍ମରେ ପରିଣତ ହେଲା ଏବଂ ଉନ୍ନତିର ଚରମସୀମାରେ ପହଞ୍ଚିଥିଲା। ସେମାନଙ୍କର ରାଜଧାନୀ ଯାଜପୁର ଥିଲା ଓ କ୍ଷେମେଙ୍କରଦେବ ସେହି ବଂଶର ପ୍ରଥମ ରାଜା ଥିଲେ। ଯାଜପୁର ଅଞ୍ଚଳର ରତ୍ନଗିରି, ଉଦୟଗିରି, ଲଳିତଗିରି ଏବଂ ଏହା ଚାରିପାଖରେ ଥିବା ଅସଂଖ୍ୟ ପ୍ରତ୍ନତାତ୍ତ୍ୱିକ ଧ୍ୱଂସାବଶେଷ ସମୂହରୁ ସେମାନଙ୍କ ସମୟର ଓ ସେମାନଙ୍କ ଦ୍ୱାରା ନିର୍ମିତ କୀର୍ତ୍ତିରାଜି ସବୁରୁ ବୌଦ୍ଧଧର୍ମ ସେତେବେଳେ କିପରି ସମୃଦ୍ଧିଶାଳୀ ଓ ବ୍ୟାପକ ଥିଲା ତାହା ସହଜରେ ଅନୁମେୟ। ସେ ସମୟରେ ରତ୍ନଗିରି, ଉଦୟଗିରି ଓ ଲଳିତଗିରି ପ୍ରତିଷ୍ଠିତ ବୌଦ୍ଧକେନ୍ଦ୍ର ସହ ପ୍ରତିଷ୍ଠିତ ବୌଦ୍ଧ ବିଶ୍ୱବିଦ୍ୟାଳୟ ରୂପେ ଦେଶବିଦେଶରେ ପ୍ରସିଦ୍ଧି ଲାଭ କରିଥିଲା।

ଭାରତବର୍ଷରେ ବୌଦ୍ଧକଳା ହିଁ ହେଉଛି ସର୍ବପ୍ରାଚୀନ ଭାରତୀୟ କଳା। ଓଡ଼ିଶାର ସର୍ବପ୍ରାଚୀନ ବୌଦ୍ଧକଳା ଓ ସ୍ଥାପତ୍ୟ ହେଉଛି ଅଶୋକଙ୍କ କାଳର ଓ ତାଙ୍କର ଅବଦାନ। ଓଡ଼ିଶା ବିଜୟ ପରେ ଅଶୋକ ତୋଷାଳୀକୁ ଓଡ଼ିଶାର ରାଜଧାନୀ ଓ ଗଞ୍ଜାମର ଜଉଗଡ଼଼କୁ ଅତିରିକ୍ତ ବା ଦ୍ୱିତୀୟ ରାଜଧାନୀ ଭାବେ ଘୋଷଣା କରିଥିଲେ। ଉଭୟ ତୋଷାଳୀ (ଶିଶୁପାଳଗଡ଼଼) ଓ ଜଉଗଡ଼଼ର ପ୍ରତ୍ନତାତ୍ତ୍ୱିକ ଖନନରେ ଅଶୋକ ତଥା ତାଙ୍କ ପରବର୍ତ୍ତୀକାଳର ଅବଶେଷମାନ ମିଳିଛି। ହୁଏନସାଂ ଓଡ଼ିଶା (ତୋଷାଳୀ) ଆସିଥିବା ବେଳେ ବୌଦ୍ଧ ସ୍ତୂପ, ବିହାର, ଅଶୋକ ସ୍ତମ୍ଭ ଓ ବିଭିନ୍ନ କଳା ସ୍ଥାପତ୍ୟମାନଙ୍କର ଅବଶେଷ ଦେଖିଥିବାର ବର୍ଣ୍ଣନା କରିଛନ୍ତି।

ଭୁବନେଶ୍ୱର ଓ ତାହାର ପାର୍ଶ୍ବବର୍ତ୍ତୀ ଅଞ୍ଚଳ ରାଜଧାନୀ ସହର ସହ ଏକ ବିଶାଳ ବୌଦ୍ଧକେନ୍ଦ୍ର ଥିଲା। ଧଉଳି ଓ ଜଉଗଡ଼଼ରେ ଅଶୋକଙ୍କ ଶିଳାଲେଖମାନ ଓ ଧଉଳି ପାହାଡ଼ରେ ଖୋଦିତ ହାତୀର ଚିତ୍ର ଅଶୋକଙ୍କ କାଳ କଳାର ଦୃଷ୍ଟାନ୍ତ। ଧଉଳି ପାହାଡ଼ରେ ଦୁଇଟି ବିଶାଳ ସ୍ତୂପର ଅବଶେଷ ମଧ୍ୟ ସନ୍ଧାନ କରାଯାଇଛି- ଯାହା ମଧ୍ୟ ଅଶୋକଙ୍କ କାଳର। ଏହା ବ୍ୟତୀତ ଧ୍ୱଂସପ୍ରାପ୍ତ ଗୁମ୍ଫା, ସ୍ତୂପ, ଚୈତ୍ୟର ଧ୍ୱଂସାବଶେଷ ମଧ୍ୟ ସେଠାରେ ଦେଖା ଯାଇଛି। ଭୁବନେଶ୍ୱରଠାରେ ଅଶୋକ ସ୍ତମ୍ଭ ଓ ତା’ର ରେଲିଙ୍ଗ, ସିଂହ ଏବଂ ଅଶୋକ ସ୍ତମ୍ଭର ଅଗ୍ରଭାଗ ଆଦି ମଧ୍ୟ ମିଳିଛି।

ଅଶୋକ ନିଜ ପାଇଁ ଭୋଜକଗିରି ବୌଦ୍ଧବିହାର ନିର୍ମାଣ କରାଇଥିଲେ, ଯେଉଁଠି ତାଙ୍କ ଭାଇ ତିସ୍ସ ଜୀବନର ଶେଷକାଳ ଅତିବାହିତ କରିଥିଲେ। ଭୁବନେଶ୍ୱର ନିକଟସ୍ଥ ଆରାଗଡ଼଼ ପାହାଡ଼ ଶିଖରରେ ମଧ୍ୟ ବିଶାଳ ବୌଦ୍ଧ ଅନୁଷ୍ଠାନ ଗଢ଼ି ଉଠିଥିଲା। ଏଠାରେ ମଧ୍ୟ ବୌଦ୍ଧସ୍ତୂପ, ବିଭିନ୍ନ ବୌଦ୍ଧ ମୂର୍ତ୍ତିର ଅବଶେଷ ମିଳିଛି ଓ ଏଠାରେ ମଧ୍ୟ କେତେକ ଗୁମ୍ଫା ରହିଛି। ଧଉଳିଠାରୁ ଡେଲାଙ୍ଗ ପର୍ଯ୍ୟନ୍ତ ବିସ୍ତୀର୍ଣ୍ଣ ଅଞ୍ଚଳର ପାହାଡ଼ ସବୁରେ ପ୍ରାଚୀନ ତଥା ପ୍ରାରମ୍ଭିକ କାଳର ବୌଦ୍ଧ କୀର୍ତ୍ତିରାଜିର ଅବଶେଷ ଭରପୂର। ସେହିପରି ବରୁଣେଇରୁ ନରାଜ ପର୍ଯ୍ୟନ୍ତ ବିସ୍ତୀର୍ଣ୍ଣ ଅଞ୍ଚଳର ପାହାଡ଼ମାନଙ୍କରେ ବୌଦ୍ଧ ସନ୍ନ୍ୟାସୀମାନଙ୍କର ରହଣି ପାଇଁ କରାଯାଇଥିବା ଗୁମ୍ଫା ସବୁର ଅବଶେଷ ରହିଛି। ଏ ସବୁ ଅଶୋକଙ୍କ କାଳ ଓ ତା’ ପରବର୍ତ୍ତୀ କାଳର।

ଖ୍ରୀଷ୍ଟୀୟ ପ୍ରଥମ ଶତାବ୍ଦୀ ବେଳକୁ ‘ମହାଯାନ’ର ଉଦ୍ଭବ ସହ ସେଥିରେ ବୁଦ୍ଧଙ୍କଠାରେ ଦେବତ୍ୱ ଆରୋପ କରାଯାଇଥିବାରୁ ସ୍ୱାଭାବିକ ଭାବେ ତାଙ୍କର ପୂଜାର୍ଚ୍ଚନା ଆରମ୍ଭ ହୋଇଥିଲା ଓ ସେଥିପାଇଁ କଳାସ୍ଥାପତ୍ୟ ମଧ୍ୟ ବ୍ୟାପକଭାବେ ବିକଶିତ ହେଲା। ଓଡ଼ିଶାରେ ଗୁପ୍ତକାଳ (୪ର୍ଥ / ୫ମ ଶତାବ୍ଦୀ) ବେଳକୁ ବୌଦ୍ଧକଳା ଓ ସ୍ଥାପତ୍ୟ ବିକାଶ ଲାଭ କରିବାକୁ ଲାଗିଲା। ଏହି ଗୁପ୍ତକାଳରେ ହିଁ ‘ରତ୍ନଗିରି ବିହାର’ ନିର୍ମିତ ହେଲା। ଭୌମକର କାଳରେ ବୌଦ୍ଧକଳା ଓ ସ୍ଥାପତ୍ୟର ବହୁଳ ବିକାଶ ଘଟିବାକୁ ଲାଗିଲା। ଏହି କାଳରେ ତାନ୍ତ୍ରିକ ବୌଦ୍ଧଧର୍ମର ପ୍ରସାର ଘଟିବାରୁ ଓ ‘ବଜ୍ରଯାନ’ରେ ପଞ୍ଚଧ୍ୟାନୀ ବୁଦ୍ଧ ଓ ତାଙ୍କର ପରିବାର ତତ୍ତ୍ୱର ଉଦ୍ଭବ ହେତୁ ଶହ ଶହ ‘ବଜ୍ରଯାନୀ’ ଦେବଦେବୀଙ୍କର ଆବିର୍ଭାବ ଯୋଗୁଁ ବୌଦ୍ଧ କଳା ଓ ସ୍ଥାପତ୍ୟର ବିଶେଷ ଅଭିବୃଦ୍ଧି ଘଟିଥିଲା।

ରତ୍ନଗିରି, ଉଦୟଗିରି, ଲଳିତଗିରି ଆଦି ପ୍ରାଚୀନ ବୌଦ୍ଧସ୍ଥଳଗୁଡ଼ିକର ପ୍ରତ୍ନତାତ୍ତ୍ୱିକ ଖନନରେ ଅତ୍ୟନ୍ତ ଆଶ୍ୱର୍ଯ୍ୟଜନକଭାବେ ବୌଦ୍ଧ କୀର୍ତ୍ତିରାଜି ଓ କଳାସ୍ଥାପତ୍ୟର ଅବଶେଷ ସବୁର ସନ୍ଧାନ ମିଳିପାରିଛି। ବିଶାଳ ବୌଦ୍ଧ ସ୍ତୂପ ଓ ବିହାରମାନଙ୍କର ଧ୍ୱଂସାବଶେଷ ସବୁ ଲୋକଲୋଚନକୁ ଆସିପାରିଛି। ଲଳିତଗିରିରୁ ସୁନା ଓ ରୁପା ଫରୁଆ ମଧ୍ୟରେ ବୁଦ୍ଧଙ୍କ ପବିତ୍ର ଅସ୍ଥି ଓ ଦେହାବଶେଷ ମଧ୍ୟ ମିଳିଛି। ଏହା ଏକ ଅତ୍ୟନ୍ତ ମହତ୍ତ୍ୱପୂର୍ଣ୍ଣ ଆବିଷ୍କାର। ଉଦୟଗିରିଠାରେ ଦୁଇଟି ମହାବିହାର- ମାଧବପୁର ଓ ସିଂହପ୍ରସ୍ତ ସହ ଲାଙ୍ଗୁଡ଼ି ପାହାଡ଼ରେ ପୃଥିବୀ ପ୍ରସିଦ୍ଧ ପୁଷ୍ପଗିରି ମହାବିହାରର ସନ୍ଧାନ ସହ ୧ମ-୨ୟ ଶତାବ୍ଦୀର ବ୍ରାହ୍ମୀ ଶିଳାଲେଖ ଉଦ୍ଧାର କରାଯାଇଛି।

ସମଗ୍ର ଓଡ଼ିଶାର ଅବିଭକ୍ତ ବାଲେଶ୍ୱର, କଟକ, ବଲାଙ୍ଗିର, ଢେଙ୍କାନାଳ, ଗଞ୍ଜାମ, କଳାହାଣ୍ଡି, କେନ୍ଦୁଝର, ମୟୁରଭଞ୍ଜ, ଫୁଲବାଣୀ, ପୁରୀ ଓ ସମ୍ବଲପୁର ଆଦି ଜିଲ୍ଲାମାନଙ୍କରେ ଶହ ଶହ ବୌଦ୍ଧସ୍ଥଳର ଚିହ୍ନଟ କରାଯାଇଛି ଓ ସବୁଠାରେ ପ୍ରଚୁର ପରିମାଣରେ ବୌଦ୍ଧକଳା ଓ ସ୍ଥାପତ୍ୟର ଅବଶେଷ ଉଦ୍ଧାର କରାଯାଇଛି। ସମଗ୍ର ଓଡ଼ିଶାରେ ଶହ ଶହ ବୌଦ୍ଧସ୍ଥଳ ଓ କୀର୍ତ୍ତିରାଜି ସହ ହଜାର ହଜାର ସଂଖ୍ୟାରେ ପଥର, ବ୍ରୋଞ୍ଜ, ବୌଦ୍ଧ ମୂର୍ତ୍ତିମାନ ମିଳିପାରିଛି। ଏଠାରେ ସେ ସବୁର ଅଧିକ ବର୍ଣ୍ଣନା ସମ୍ଭବ ନୁହେଁ। ବାଣପୁରରୁ ମିଳିଥିବା ପ୍ରଚୁର ପରିମାଣର ବଜ୍ରଯାନୀ ବ୍ରୋଞ୍ଜ ମୂର୍ତ୍ତିସବୁ ବୌଦ୍ଧ କଳା ଓ ସ୍ଥାପତ୍ୟକୁ ଓଡ଼ିଶାର ଏକ ମହତ୍ତ୍ୱପୂର୍ଣ୍ଣ ଅବଦାନ।

ଗୁରୁ ପଦ୍ମସମ୍ଭବ ହେଉଛନ୍ତି ‘ବଜ୍ରଯାନ’ର ପ୍ରତିଷ୍ଠାତା ସମ୍ଭଳ (ଆଧୁନିକ ସମ୍ବଲପୁର ଅଞ୍ଚଳ)ର ରାଜା ତଥା ସିଦ୍ଧ ଇନ୍ଦ୍ରଭୂତିଙ୍କ ପାଳିତ ପୁତ୍ର। ସେ ଅଷ୍ଟମ ଶତାବ୍ଦୀରେ ନାଳନ୍ଦାରେ ଅଧ୍ୟାପନା କରୁଥିବାବେଳେ ତିବ୍ଦତ ରାଜାଙ୍କ ଦ୍ୱାରା ନିମନ୍ତ୍ରଣକ୍ରମେ ସେଠାକୁ ଯାଇ ବୌଦ୍ଧଧର୍ମ (ବଜ୍ରଯାନ)ର ପ୍ରଚାର ପ୍ରସାର କରି ତିବ୍ଦତରେ ଧର୍ମ, ସଂସ୍କୃତି ଓ ସଭ୍ୟତାର ବିକାଶ କ୍ଷେତ୍ରରେ ଅସାଧାରଣ କାର୍ଯ୍ୟ କରି ତିବ୍ଦତୀୟ ବୌଦ୍ଧଧର୍ମର ପ୍ରଥମ ବୌଦ୍ଧଗୁରୁ ହୋଇ ତିବ୍ଦତ ସହ ତା’ ଚାରିପାଖେ ଥିବା ହିମାଳୟ ଅଞ୍ଚଳ ସିକ୍କିମ, ଭୁଟାନ, ଅରୁଣାଚଳ, ନେପାଳ, ଲଦାଖ, କେନ୍ଦ୍ର ଏସିଆ, ମଙ୍ଗୋଲିଆ, ମାଞ୍ଚୁରିଆ ଓ ଚୀନ୍ ଆଦି ଅଞ୍ଚଳରେ ଧର୍ମର ପ୍ରଚାର କରି ସର୍ବାଧିକ ପ୍ରଭାବଶାଳୀ ଧର୍ମଗୁରୁଭାବେ ପ୍ରତିଷ୍ଠା ଲାଭ କରିଥିଲେ। ସେ ସମଗ୍ର ପୃଥିବୀରେ ‘ଦ୍ୱିତୀୟ ବୁଦ୍ଧ’ ଭାବେ ପରିଚିତ। ଗୁରୁ ପଦ୍ମସମ୍ଭବ ହେଉଛନ୍ତି ବୌଦ୍ଧ ଜଗତକୁ ଓଡ଼ିଶାର ସର୍ବଶ୍ରେଷ୍ଠ ଅବଦାନ।

ତାନ୍ତ୍ରିକ ବୌଦ୍ଧଧର୍ମରେ ୮୪ ସିଦ୍ଧଙ୍କ ଭୂମିକା ଅତ୍ୟନ୍ତ ଗୁରୁତ୍ୱପୂର୍ଣ୍ଣ। ସେମାନଙ୍କ ମଧ୍ୟରୁ ଅନେକ ତନ୍ତ୍ରଶାସ୍ତ୍ରର ପ୍ରଣେତା ଓ ଅନେକ ମଧ୍ୟ ଉଭୟ ‘ବଜ୍ରଯାନ’ ଓ ‘ସହଜଯାନ’ର ତତ୍ତ୍ୱକୁ ସାଧାରଣ ଲୋକଙ୍କ ପାଖରେ ସେମାନେ ବୁଝିପାରିବା ଭଳି ଓଡ଼ିଆ ଭାଷାର ଆଦ୍ୟରୂପରେ ସାନ୍ଧ୍ୟଭାଷାରେ ଦୋହା ଓ ଚର୍ଯ୍ୟାପଦ ଆକାରରେ ପହଞ୍ଚାଇ ପାରିଥିଲେ। ଏମାନେ ହିଁ ଏହି ଦୁଇଟି ଯାକ ଧର୍ମପନ୍ଥାକୁ ଅତ୍ୟନ୍ତ ଲୋକପ୍ରିୟ କରାଇଥିଲେ। ଏମାନଙ୍କ ସଂଖ୍ୟା ମୋଟ ୮୪ ଯୋଗୁଁ ସେମାନଙ୍କୁ ‘୮୪ ସିଦ୍ଧ’ କୁହାଯାଏ। ଏମାନଙ୍କ ମଧ୍ୟରୁ ଯେଉଁମାନେ ଓଡ଼ିଶାର ତଥା ଓଡ଼ିଶା ସହ ନିବିଡ଼ ଭାବେ ସଂପୃକ୍ତ ସେମାନେ ହେଲେ- ସରହ, ନାଗାର୍ଜୁନ, ଶବରୀଦା, ଲୁଇପା, ବଜ୍ରଘଣ୍ଟ, କମ୍ବଳ, ପଦ୍ମବଜ୍ର, ଅନଙ୍ଗବଜ୍ର, ଇନ୍ଦ୍ରଭୂତି, ଲକ୍ଷ୍ମୀଙ୍କରା, ପଦ୍ମସମ୍ଭବ, ଜଳନ୍ଧରୀପା, ବିରୂପା, କାହ୍ନୁପା, ତିଲୋପା, ନାରୋପା, ଲୀଳାବଜ୍ର, ପିତୋପାଦ, ଅଭୟକରଗୁପ୍ତ, ମୋକ୍ଷକରଗୁପ୍ତ, ବିଭୂତିଚନ୍ଦ୍ର, ଦାନଶୀଳ, ଶୁଭାକର ଆଦି। ଏମାନେ ପ୍ରତ୍ୟେକେ ଜଣେ ଜଣେ ବିଖ୍ୟାତ ବୌଦ୍ଧ ଆଚାର୍ଯ୍ୟ ଓ ଦାର୍ଶନିକ। ଏମାନେ ପ୍ରାଚୀନ ଓଡ଼ିଶାର ପ୍ରସିଦ୍ଧିର ବାହକ ଥିଲେ ତଥା ଓଡ଼ିଶାକୁ ବୌଦ୍ଧଧର୍ମର ଏକ ଗୌରବାବହ କେନ୍ଦ୍ର ଭାବେ ବିଶ୍ୱରେ ପରିଚିତ କରାଇଥିଲେ।

ପ୍ରବୀର କୁମାର ପଟ୍ଟନାୟକ
ଭୁବନେଶ୍ୱର, ମୋ: ୭୨୦୫୦୨୨୭୯୦

Leave A Reply

Your email address will not be published.