ନିଟ୍ ମେଡିକାଲ୍ ପ୍ରବେଶିକା ପରୀକ୍ଷା ବିବାଦ: ଆଇନ ଓ ପ୍ରଶାସନର ସୁଗମ ପ୍ରତିକାର
![sakala article](https://thesakala.in/wp-content/uploads/2023/02/Article-image.jpg)
ଅସୀମ ଅଫୁରନ୍ତ ଶକ୍ତିର ଉତ୍ସ ପରମାଣୁର ଭୟଙ୍କର ସ୍ୱରୂପ ବିଷୟରେ ପ୍ରଥମ ଥର ପାଇଁ ବିଶ୍ୱବାସୀ ଅବଗତ ହୋଇଥିଲେ ୧୯୪୫ ମସିହା ଅଗଷ୍ଟ ମାସ ୬ ଓ ୯ ତାରିଖରେ। ଏହି ଦୁଇ ଦିନରେ ‘ଲିଟିଲ୍ ବୟ’ ଓ ‘ଫ୍ୟାଟ୍ ମ୍ୟାନ୍’ ନାମକ ଦୁଇ ପରମାଣୁ ବୋମା ଜାପାନ୍ର ହିରୋସିମା ଓ ନାଗାସାକି ଉପରେ ଆମେରିକା ଦ୍ୱାରା ନିକ୍ଷେପ କରାଯିବା ପରେ ନିମିଷକେ ମଧ୍ୟରେ ସେଠାରେ ଯେଉଁ ଧ୍ୱସଂଲୀଳା ସୃଷ୍ଟି ହୋଇଥିଲା ତାହା ଥିଲା ଅଭୂତପୂର୍ବ ଓ ଅକଳ୍ପନୀୟ। ସେହି ପରମାଣୁ ବୋମାର ଭୟାବହତା ଓ ପ୍ରଭାବ ଆଜି ମଧ୍ୟ ଜାପାନବାସୀ ଅନୁଭବ କରୁଛନ୍ତି। ଅପରପକ୍ଷରେ ସେହି ପରମାଣୁକୁ ଶାନ୍ତିପୂର୍ଣ୍ଣ ଉପାୟରେ ବ୍ୟବହାର କରି ଜାପାନ୍ ଆଜି ବିଶ୍ୱର ସର୍ବବୃହତ୍ ଆଣବିକ ଶକ୍ତି ଉତ୍ପାଦକର ମର୍ଯ୍ୟାଦା ଲାଭ କରିପାରିଛି। ଏ ବିଷୟ ଏଠାରେ ଉଲ୍ଲେଖ କରିବାର ତାତ୍ପର୍ଯ୍ୟ ହେଉଛି ପରମାଣୁର ଶାନ୍ତ ଓ ବିଧ୍ୱଂସକ ଶକ୍ତି ସବୁବେଳେ ରହିଛି ଏବଂ କେତେବେଳେ କେଉଁ ସ୍ୱରୂପରେ ଆତ୍ମପ୍ରକାଶ କରୁଛି। ଏବେ ଭାରତରେ ମର୍ଯ୍ୟାଦାଜନକ ଡାକ୍ତରୀ ପାଠପଢ଼଼ା ପାଇଁ ଯୋଗ୍ୟତା ନିର୍ଦ୍ଧାରଣ କରୁଥିବା ତଥା ସର୍ବଭାରତୀୟସ୍ତରରେ ଅନୁଷ୍ଠିତ ହେଉଥିବା ନିଟ୍(ନ୍ୟାଶ୍ନାଲ୍ ଏଲିଜିବିଲିଟି କମ୍ ଏଣ୍ଟ୍ରାନ୍ସ ଟେଷ୍ଟ) ପରୀକ୍ଷାକୁ ନେଇ ଯେଉଁ ବିବାଦ ସୃଷ୍ଟି ହୋଇଛି ତାହାର ମୂଳରେ ମଧ୍ୟ ରହିଛି ଏହି ପରମାଣୁ ସମ୍ବନ୍ଧୀୟ ପ୍ରଶ୍ନ।
ଗତ ମେ’ ୫ ତାରିଖରେ ଅନୁଷ୍ଠିତ ହୋଇଥିବା ଚଳିତ ବର୍ଷର ନିଟ୍ ପରୀକ୍ଷାରେ ଦେଶର ୫୭୧ଟି ସହରର ୪୭୫୦ଟି ପରୀକ୍ଷା କେନ୍ଦ୍ର ଓ ବିଦେଶରେ ୧୪ଟି କେନ୍ଦ୍ରରେ ପ୍ରାୟ ୨୪ ଲକ୍ଷ ଛାତ୍ରଛାତ୍ରୀ ଅଂଶଗ୍ରହଣ କରିଥିଲେ। ପରୀକ୍ଷା ଫଳ ଜୁନ୍ ୧୪ ତାରିଖରେ ତାରିଖରେ ପ୍ରକାଶ ପାଇବ ବୋଲି ହୋଇଥିବା ପୂର୍ବଘୋଷଣାର ବହୁପୂର୍ବରୁ ଜୁନ୍ ୪ତାରିଖରେ ଘୋଷଣା ହୋଇଥିଲା। ପରୀକ୍ଷା ଫଳ ପ୍ରକାଶ ପାଇବା ମାତ୍ରେ ହିଁ ତାହା ବିବାଦ ଘେରକୁ ଚାଲିଯାଇଥିଲା। ଏହାର ମୂଳ ଆଧାର ଥିଲା ପଦାର୍ଥ ବିଜ୍ଞାନ ବିଷୟ ଅନ୍ତର୍ଗତ ପରମାଣୁ ସମ୍ବନ୍ଧୀୟ ଏକ ପ୍ରଶ୍ନ। ଉକ୍ତ ପ୍ରଶ୍ନ ପାଇଁ ଉଦ୍ଦିଷ୍ଟ ଚାରିଟି ବିକଳ୍ପ ଉତ୍ତର ମଧ୍ୟରୁ ମେ’ ୨୯ ତାରିଖରେ ନିଟ୍ ୱେବ୍ସାଇଟ୍ରେ ପ୍ରକାଶିତ ଉତ୍ତର ତାଲିକାରେ ପ୍ରଥମ ବିକଳ୍ପ ଉତ୍ତର ହିଁ ଠିକ ବୋଲି ଦର୍ଶାଯାଇଛି। ଅର୍ଥାତ୍ ଯେଉଁ ପରୀକ୍ଷାର୍ଥୀମାନେ ‘ଏ’ ବା ପ୍ରଥମ ଉତ୍ତର ଉପରେ ଠିକ୍ ଚିହ୍ନ ଦେଇଛନ୍ତି ସେମାନଙ୍କୁ ଠିକ୍ ନମ୍ବର ମିଳିବ। କିନ୍ତୁ ଏନ୍ସିଇଆରଟିର ପୂର୍ବ ପ୍ରକାଶିତ ପାଠ୍ୟ ପୁସ୍ତକରେ ତୃତୀୟ ବିଳଳ୍ପ ଉତ୍ତର ଠିକ୍ ବୋଲି ପ୍ରମାଣିତ ହେଉଛି। ତେଣୁ ଯେଉଁମାନେ ‘ସି’ ବା ତୃତୀୟ ବିକଳ୍ପ ଉପରେ ଠିକ୍ ଚିହ୍ନ ଦେଇଛନ୍ତି ସେମାନଙ୍କୁ ଏନ୍ଟିଏ ପକ୍ଷରୁ ଗ୍ରେସ୍ ମାର୍କ ବା ଅନୁକମ୍ପାମୂଳକ ଅତିରିକ୍ତ ନମ୍ବର ଦିଆଯାଇଛି। ଆଳୁ ଖୋଳୁ ଖୋଲୁ ମହାଦେବ ବାହାରିବା ପରି ଏହି ମୂଳ ବିବାଦୀୟ ପ୍ରସଙ୍ଗରୁ ଖୋଳତାଡ଼ ପରେ ଜଣାପଡ଼ିଲା ଯେ କେବଳ ଉକ୍ତ ପ୍ରଶ୍ନର ‘ସି’ ଉତ୍ତର ଲେଖିଥିବା ପରୀକ୍ଷାର୍ଥୀଙ୍କୁ ନୁହେଁ, ବରଂ ଆହୁରି ୧୫୬୩ ଜଣଙ୍କୁ ଗ୍ରେସ୍ ମାର୍କ ଦିଆଯାଇଛି। ଏଥିସହିତ ଛଅଟି ପରୀକ୍ଷା କେନ୍ଦ୍ରରେ ବିଳମ୍ବରେ ପରୀକ୍ଷା ଆରମ୍ଭ ହୋଇଥିବାରୁ ପରୀକ୍ଷାର୍ଥୀମାନଙ୍କର ଯେଉଁ ମୂଲ୍ୟବାନ ସମୟ ଅପଚୟ ହୋଇଥିଲା ତା’ର ଭରଣା ସ୍ୱରୂପ ମଧ୍ୟ ଗ୍ରେସ୍ ମାର୍କ ଦିଆଯାଇଛି। ଛତିଶଗଡ଼଼ର ଦୁଇଟି ସମେତ ମେଘାଳୟ, ସୁରଟ୍, ହରିଆଣାର ବାହାଦୂରଗଡ଼଼ ଓ ଚଣ୍ଡିଗଡ଼଼ର ଗୋଟିଏ ଲେଖାଏଁ କେନ୍ଦ୍ରରେ ପରୀକ୍ଷାର୍ଥୀମାନେ ୪୦ ମିନିଟ୍ ଲେଖାଏଁ ହରାଇଛନ୍ତି। ତେଣୁ ୨୦୧୮ରେ ସୁପ୍ରିମକୋର୍ଟଙ୍କ ରାୟ ଆଧାରରେ ସେହି କେନ୍ଦ୍ରର ପରୀକ୍ଷାର୍ଥୀମାନଙ୍କୁ ଗ୍ରେସ୍ ମାର୍କ ଦିଆଯାଇଛି ବୋଲି ନିଟ୍ ପରୀକ୍ଷା ପରିଚାଳନା ଦାୟିତ୍ୱରେ ଥିବା ନ୍ୟାଶ୍ନାଲ୍ ଟେଷ୍ଟିଂ ଏଜେନ୍ସି(ଏନ୍ଟିଏ) ପକ୍ଷରୁ କୁହାଯାଇଛି।
ଏଥିସହିତ ଆଉ ଏକ କୌତୁହଳପ୍ରଦ ଓ ଆଶ୍ଚର୍ଯ୍ୟଚକିତ କରିଦେବା ଭଳି ଅବିଶ୍ୱସନୀୟ ତଥ୍ୟ ସାମ୍ନାକୁ ଆସିଲା ଯାହା ଚଳିତ ବର୍ଷର ନିଟ୍ ପରୀକ୍ଷା ଫଳକୁ ଆହୁରି ବିବାଦୀୟ କରିଦେଲା। ୨୦୨୦ରେ ମାତ୍ର ଜଣେ, ୨୦୨୧ରେ ଦୁଇଜଣ, ୨୦୨୨ରେ ତିନିଜଣ, ୨୦୨୩ରେ ଦୁଇଜଣ ପରୀକ୍ଷାର୍ଥୀ ଶତପ୍ରତିଶତ(୭୨୦) ନମ୍ବର ରଖିଥିବା ବେଳେ ଚଳିତ ବର୍ଷ ୬୭ଜଣ ଶତପ୍ରତିଶତ ନମ୍ବର ରଖିଛନ୍ତି। ସେମାନଙ୍କ ମଧ୍ୟରୁ ଛଅଜଣ ହରିଆଣାର ଗୋଟିଏ କେନ୍ଦ୍ରରେ ପରୀକ୍ଷା ଦେଇଛନ୍ତି। ସେମାନଙ୍କ ମଧ୍ୟରୁ ୪୪ ଜଣଙ୍କୁ ପଦାର୍ଥ ବିଜ୍ଞାନର ସେହି ବିବାଦୀୟ ପ୍ରଶ୍ନ ପାଇଁ ଗ୍ରେସ୍ ମାର୍କ ମିଳିଛି। ଏଭଳି ଅବିଶ୍ୱସନୀୟ ଫଳକୁ ପରୀକ୍ଷାର୍ଥୀ ଓ ଅଭିଭାବକମାନେ ସହଜରେ ଗ୍ରହଣ କରିପାରିଲେ ନାହିଁ। ପ୍ରଶ୍ନ ପତ୍ର ପ୍ରଘଟ ବିନା ଯେ ଏହା ସମ୍ଭବ ତାହା ମଧ୍ୟ ସହଜରେ ବିଶ୍ୱାସ କରି ହେଲା ନାହିଁ। ତେଣୁ ପରୀକ୍ଷା ପରିଚାଳନାରେ ଘୋର ବିଭ୍ରାଟ ଓ ଅନିୟମିତତା ହୋଇଥିବା ଅଭିଯୋଗ ହେଲା ଏବଂ ସେହି ଅଭିଯୋଗ ଆଧାରରେ ପ୍ରତିବାଦର ସ୍ୱର ତୀବ୍ର ହୋଇ ମାମଲା ଶେଷରେ ସୁପ୍ରିମକୋର୍ଟରେ ପହଞ୍ଚିଲା।
ଆବେଦନକାରୀଙ୍କ ମଧ୍ୟରେ ଫିଜିକ୍ ୱାଲାର ସିଇଓ ଅଲଖ୍ ପାଣ୍ଡେ, ଷ୍ଟୁଡେଣ୍ଟସ୍ ଇସ୍ଲାମିକ୍ ଅର୍ଗାନାଇଜେସନ୍ର ସଦସ୍ୟ ଅବଦୁଲ୍ଲା ମହମ୍ମଦ ଫୈଜ୍, ଡ. ସୈକ୍ ରୋସନ୍ ମୋହିଦ୍ଦିନ୍ ଏବଂ ନିଟ୍ ପରୀକ୍ଷାର୍ଥୀ ଜରିପିତି କାର୍ତ୍ତିକ ରହିଛନ୍ତି। ଆବେଦନକାରୀମାନେ ଦର୍ଶାଇଛନ୍ତି ଯେ ୭୦ ରୁ ୮୦ ନମ୍ବର ଗ୍ରେସ୍ ମାର୍କ ଭାବରେ ଦିଆଯାଇଛି ଯାହା ଅନୈତିକ। ତେଣୁ ଚଳିତ ବର୍ଷର ନିଟ୍ ପରୀକ୍ଷା ସମ୍ପୂର୍ଣ୍ଣ ବାତିଲ୍ କରି ପୁନର୍ବାର ପରୀକ୍ଷା କରାଯାଉ ଏବଂ ଆସନ୍ତା ଜୁଲାଇ ୬ ତାରିଖରୁ ଆରମ୍ଭ ହେବାକୁ ଥିବା କାଉନ୍ସେଲିଂ ପ୍ରକ୍ରିୟାକୁ ସ୍ଥଗିତ ରଖାଯାଉ। କିନ୍ତୁ ବିକ୍ରମ ନାଥ ଓ ଅସାନୁଦ୍ଦିନ ଅମ୍ମାନୁଲ୍ଲାଙ୍କୁ ନେଇ ଗଠିତ ସୁପ୍ରିମକୋର୍ଟଙ୍କ ଖଣ୍ଡପୀଠ ପୁନଃ ପରୀକ୍ଷା ଆବେଦନକୁ ଖାରଜ କରି କାଉନସେଲିଂ ପ୍ରକ୍ରିୟାରେ ସ୍ଥଗିତା ଦେଶ ଜାରି କରିବା ପାଇଁ ମନା କରିଦେଇଛନ୍ତି ଏବଂ ଏହା ଯଥାରୀତି କାର୍ଯ୍ୟକାରୀ କରିବା ପାଇଁ କେନ୍ଦ୍ର ସରକାର ଓ ଏନ୍ଟିଏକୁ ନିର୍ଦ୍ଦେଶ ଦେଇଛନ୍ତି। ଆହୁରି ମଧ୍ୟ ପ୍ରଶ୍ନପତ୍ର ପ୍ରଘଟ ଅଭିଯୋଗର ସିବିଆଇ ତଦନ୍ତ ଏବଂ ବିହାର ପୁଲିସ ଦ୍ୱାରା ଷ୍ଟାଟସ୍ ରିପୋର୍ଟ ଦାଖଲ ପାଇଁ ସୁପ୍ରିମକୋର୍ଟ ନିର୍ଦ୍ଦେଶ ଦେଉ ବୋଲି ଯେଉଁ ଆବେଦନ ହୋଇଥିଲା ତାହାକୁ ମଧ୍ୟ ଖଣ୍ଡପୀଠ ଖାରଜ କରିଦେଇଛନ୍ତି। ଏଥିସହିତ ଯଦି ଆବଶ୍ୟକ ପଡ଼େ ତେବେ ଏ ସମ୍ପର୍କିତ ଅଧିକ ଶୁଣାଣି ଓ ବିଚାର ପରେ କାଉନ୍ସେଲିଂ ପ୍ରକ୍ରିୟା ରଦ୍ଦ ଉପରେ ବିଚାର କରାଯାଇପାରେ ବୋଲି ଖଣ୍ଡପୀଠ ଆବେଦନକାରୀଙ୍କୁ ଆଶ୍ୱାସନା ଦେଇଛନ୍ତି। ଏଥିସହିତ ଆବେଦନକାରୀଙ୍କ ଗୁରୁତର ଅଭିଯୋଗକୁ ଗ୍ରହଣ କରି ଗ୍ରେସ୍ ମାର୍କ ସମ୍ବନ୍ଧରେ ସ୍ପଷ୍ଟୀକରଣ ଦେବା ପାଇଁ କେନ୍ଦ୍ର ସରକାରଙ୍କୁ ସୁପ୍ରିମକୋର୍ଟ ନିର୍ଦ୍ଦେଶ ଦେଇଛନ୍ତି। ଏହାପୂର୍ବରୁ ପ୍ରଶ୍ନ ପତ୍ର ପ୍ରଘଟ ସମ୍ପର୍କିତ ଏକ ଆବେଦନ ଗତ ମେ’ ୧୭ ତାରିଖରେ ସୁପ୍ରିମକୋର୍ଟରେ ଦାଖଲ ହୋଇଥିଲା। ଏହାକୁ ଗ୍ରହଣ କରି ସୁପ୍ରିମକୋର୍ଟର ପ୍ରଧାନ ବିଚାରପତି ଡି ୱାଇ ଚନ୍ଦ୍ରଚୂଡ଼ ଶୁଣାଣି ପାଇଁ ଆସନ୍ତା ଜୁଲାଇ ୮ତାରିଖ ଧାର୍ଯ୍ୟ କରିଛନ୍ତି। ତେଣୁ ଦୁଇଟିଯାକ ମାମଲାର ଶୁଣାଣି ଜୁଲାଇ ୮ ତାରିଖରେ ହେବ ବୋଲି ସୁପ୍ରିମକୋର୍ଟଙ୍କ ବିକ୍ରମ ନାଥ ଓ ଅସାନୁଦ୍ଦିନ ଅମ୍ମାନୁଲ୍ଲା ଖଣ୍ଡପୀଠ ନିଷ୍ପତ୍ତି ନେଇଛନ୍ତି।
ସୁପ୍ରିମକୋର୍ଟ ଦୁଇଜଣିଆ ଖଣ୍ଠପୀଠଙ୍କ ସଦ୍ୟତମ ନିର୍ଦ୍ଦେଶ ସମ୍ପର୍କରେ ନିଜ ପକ୍ଷ ରଖି କେନ୍ଦ୍ର ସରକାର କହିଛନ୍ତି ଯେ ଜୁନ୍ ୪ ତାରିଖରେ ପ୍ରକାଶ ପାଇଥିବା ନିଟ୍ ୟୁଜିରେ ଗ୍ରେସ୍ ମାର୍କ ବା ଅନୁକମ୍ପା ନମ୍ବର ପାଇଥିବା ୧୫୬୩ ଜଣ ପ୍ରାର୍ଥୀଙ୍କ ପାଇଁ ଜୁନ୍ ୨୩ ତାରିଖରେ ପୁନର୍ବାର ପରୀକ୍ଷା କରିବା ପାଇଁ କେନ୍ଦ୍ର ସରକାର ନିଷ୍ପତ୍ତି ନେଇଛନ୍ତି। ଯଦି ସମ୍ପୃକ୍ତ ପ୍ରାର୍ଥୀ ପୁନଃ ପରୀକ୍ଷା ଦେବା ପାଇଁ ଅନିଚ୍ଛୁକ ହେବେ ତେବେ ତାଙ୍କର ପୂର୍ବ ନମ୍ବର(ଗ୍ରେସ୍ ମାର୍କବିନା)କୁ ଚୂଡ଼ାନ୍ତ ବୋଲି ଧରିନେଇ ତଦନୁସାରେ ର୍ୟାଙ୍କ ତାଲିକା ପ୍ରସ୍ତୁତ କରାଯିବ। ଏଥିସହିତ ପ୍ରଶ୍ନପତ୍ର ପ୍ରଘଟ ଅଭିଯୋଗକୁ ଭିତ୍ତିହୀନ ଓ କପୋଳକଳ୍ପିତ ବୋଲି କେନ୍ଦ୍ର ଶିକ୍ଷା ମନ୍ତ୍ରୀ ବର୍ଣ୍ଣନା କରିବା ସହିତ ଏହାକୁ ନେଇ ରାଜନୀତି କରିବା ଅନୁଚିତ ବୋଲି କହିଛନ୍ତି। ଏଥିସହିତ ମଧ୍ୟ ଗ୍ରେସ୍ ମାର୍କ ସମ୍ବନ୍ଧରେ ଅନୁସନ୍ଧାନ କରିବା ପାଇଁ ଏନ୍ଟିଏ ପକ୍ଷରୁ ଚାରିଜଣିଆ କମିଟି ଗଠନ କରାଯାଇଥିବା କେନ୍ଦ୍ର ଶିକ୍ଷା ମନ୍ତ୍ରୀ ସୂଚନା ଦେଇଛନ୍ତି।
୨୦୧୭-୧୮ ମସିହାରେ ଅଲ୍ଇଣ୍ଡିଆ ପ୍ରିମେଡିକାଲ୍ ଟେଷ୍ଟ(ଏଆଇପିଏମ୍ଟି)କୁ ଉଚ୍ଛେଦ କରି ନିଟ୍ ଲାଗୁ ହେବା ପରଠାରୁ ଏହାକୁ ନେଇ ବିଭିନ୍ନ ସମୟରେ ବିବାଦ ଉଠିଛି। ତାମିଲନାଡ଼ୁ ପରି କେତେକ ରାଜ୍ୟ ନିଟ୍ ଉଚ୍ଛେଦ ପାଇଁ ଦାବି କରୁଥିବା ବେଳେ ଆଉ କେତେକ ରାଜ୍ୟର ଦାବି ଅନୁଯାୟୀ ନିଟ୍କୁ ଆଞ୍ଚଳିକ ଭାଷାରେ କରାଯାଉଛି। ଏବେ ଇଂରାଜୀ ସମେତ ହିନ୍ଦୀ, ଅସମୀୟା, ବଙ୍ଗାଳୀ, ଗୁଜରାଟୀ, କନ୍ନଡ, ମାଲାୟାଲାମ୍, ମରାଠୀ, ଓଡ଼ିଆ, ପଞ୍ଜାବୀ, ତାମିଲ୍, ତେଲୁଗୁ ଓ ଉର୍ଦ୍ଦୁ ଭାଷାରେ ନିଟ୍ ପରୀକ୍ଷା ଅନୁଷ୍ଠିତ ହେଉଛି। ପୂର୍ବରୁ ନିଟ୍ ପରୀକ୍ଷା କେନ୍ଦ୍ରୀୟ ସ୍କୁଲ୍ ଶିକ୍ଷା ପରିଷଦ(ସିବିଏସ୍ସି) ଦ୍ୱାରା ପରିଚାଳିତ ହେଉଥିବା ବେଳେ ବର୍ତ୍ତମାନ ଏହାର ଦାୟିତ୍ୱ ନ୍ୟାଶ୍ନାଲ୍ ଟେଷ୍ଟିଂ ଏଜେନ୍ସି(ଏନ୍ଟିଏ) ଉପରେ ନ୍ୟସ୍ତ ଅଛି।
ନିଟ୍ ପରୀକ୍ଷାର ସଦ୍ୟତମ ବିବାଦ ପୃଷ୍ଠଭୂମିରେ ତାମିଲ୍ନାଡ଼ୁ ମୁଖ୍ୟମନ୍ତ୍ରୀ ଏମ୍ କେ ଷ୍ଟାଲିନ୍ ନିଟ୍ ପରୀକ୍ଷା ଉଚ୍ଛେଦ ପାଇଁ ତାଙ୍କର ପୁରୁଣା ଦାବିକୁ ଦୋହରାଇଛନ୍ତି। ନିଟ୍ ପରୀକ୍ଷା ଉଚ୍ଛେଦ ପାଇଁ ଜାତୀୟ ସ୍ତରରେ ଏକ ବଡ଼ ଧରଣର ଅଭିଯାନ ପାଇଁ ମଧ୍ୟ ସେ ଆହ୍ୱାନ ଦେଇଛନ୍ତି। ୨୦୨୧ ମସିହାରେ ତାମିଲନାଡ଼ୁର ମୁଖ୍ୟମନ୍ତ୍ରୀ ପଦ ସମ୍ଭାଳିବା ପରେ ନିଟ୍ ପରୀକ୍ଷା ସମ୍ପର୍କରେ ପୁଙ୍ଖାନୁପୁଙ୍ଖ ଅନୁଶୀଳନ କରିବା ପାଇଁ ବିଚାରପତି ଏ କେ ରାଜନ୍ଙ୍କ ଅଧ୍ୟକ୍ଷତାରେ ଷ୍ଟାଲିନ୍ ଏକ କମିଟି ଗଠନ କରିଥିଲେ। କମିଟି ସରକାରଙ୍କୁ ଯେଉଁ ରିପୋର୍ଟ ଦେଇଥିଲା ସେଥିରେ ନିଟ୍ ପରୀକ୍ଷା ଗରିବ ବିରୋଧୀ ଓ ଅସାମାଜିକ ସ୍ତରୀୟ ବୋଲି ଉଲ୍ଲେଖ ଥିଲା। ଏହି ସିଦ୍ଧାନ୍ତ ପାଇଁ କମିଟି ସହସ୍ରାଧିକ ପରୀକ୍ଷାର୍ଥୀ, ଅଭିଭାବକ, ଶିକ୍ଷକ ଓ ବୁଦ୍ଧିଜୀବୀଙ୍କ ମତାମତ ନେଇଥିବା ରିପୋର୍ଟରେ ଉଲ୍ଲେଖ ଥିଲା। କମିଟି ତା’ର ରିପୋର୍ଟରେ ଆହୁରି ମଧ୍ୟ ଦର୍ଶାଇଥିଲା ଯେ ନିଟ୍ ଲାଗୁ ହେବା ପରେ ତାମିଲ୍ ଭାଷାଭାଷୀ ଓ ଗରିବ ପରିବାରର ପିଲାମାନେ ଡାକ୍ତରୀ ପାଠପଢ଼଼ାରୁ ଅଧିକରୁ ଅଧିକ ବଞ୍ଚିତ ହୋଇଛନ୍ତି। ନିଟ୍ ପରୀକ୍ଷା ପାଇଁ ମଧ୍ୟ ଯୁକ୍ତ ଦୁଇ ପରୀକ୍ଷା ଫଳାଫଳ ଦୁର୍ବଳ ହେଉଥିବା କମିଟି ଦର୍ଶାଇଥିଲା। ଏଥିପାଇଁ ଗତ ପାଞ୍ଚ ବର୍ଷର ପରିସଂଖ୍ୟାନକୁ କମିଟି ଆଧାର ରୂପେ ନେଇଥିଲା। ତେଣୁ ନିଟ୍ ପରୀକ୍ଷା ଉଚ୍ଛେଦ ପାଇଁ ରାଜନ୍ କମିଟି ତାମିଲ୍ନାଡ଼ୁ ସରକାରଙ୍କୁ ସୁପାରିସ କରିଥିଲା। କମିଟି ସୁପାରିସ ଆଧାରରେ ନିଟ୍ ପରୀକ୍ଷା ରାଜ୍ୟରେ ଲାଗୁ ନ କରି ଯୁକ୍ତ ଦୁଇ ନମ୍ବର ଆଧାରରେ ଡାକ୍ତରୀ ପାଠପଢ଼଼ା ପାଇଁ ନାମ ତାଲିକା ପ୍ରସ୍ତୁତ କରିବା ପାଇଁ ତାମିଲ୍ନାଡ଼ୁ ବିଧାନସଭାରେ ଏକ ବିଲ୍ ପାରିତ ହୋଇସାରିଛି। କିନ୍ତୁ ରାଜ୍ୟପାଳ ଉକ୍ତ ବିଲ୍କୁ ଅନୁମତି ନ ଦେବାରୁ ରାଷ୍ଟ୍ରପତିଙ୍କ ମୋହର ଲାଗିପାରୁନାହିଁ।
ଚଳିତ ବର୍ଷ ନିଟ୍ ପରୀକ୍ଷା ଫଳ ଓ ପରୀକ୍ଷାର୍ଥୀଙ୍କ ଭାଗ୍ୟ ଓ ଭବିଷ୍ୟତ କ’ଣ ହେବ ତାହା ଆସନ୍ତା ଜୁଲାଇ ୮ ତାରିଖ ପରବର୍ତ୍ତୀ ଶୁଣାଣି ପରେ ଜଣାପଡ଼ିବ। ଏହି ପୃଷ୍ଠଭୂମିରେ କିନ୍ତୁ ଗୋଟିଏ କଥା ସତ ଯେ ନିଟ୍ ର ସମ୍ମୋହନ ଲକ୍ଷ ଲକ୍ଷ ପରୀକ୍ଷାର୍ଥୀ ଓ ସେମାନଙ୍କର ଅଭିଭାବକଙ୍କୁ ଉନ୍ମାଦ ଓ ଉତ୍କଣ୍ଠିତ କରି ରଖୁଛି। ଏହାର ଫାଇଦା କୋଚିଂ ଅନୁଷ୍ଠାନମାନେ ନେଉଥିବା ବେଳେ କୋମଳ କୈଶୋରର ସ୍ୱପ୍ନ ଧୂଳିସାତ ହେଉଛି ଏବଂ ଫୁଟିବା ପୂର୍ବରୁ ଫୁଲମାନେ ଝରିପଡ଼ୁଛନ୍ତି।
(ସକାଳ ମିଡିଆ ସର୍ଭିସ)