ବଡ ଖବର ଓଡ଼ିଶା ମନୋରଞ୍ଜନ ଖେଳ ଖବର ଦେଶ- ବିଦେଶ ଜୀବନଚର୍ଯ୍ୟା ରାଶିଫଳ ବାଣିଜ୍ୟ ଫଟୋ ଗ୍ୟାଲେରୀ ଅପରାଧ ଟେକ୍ନୋଲୋଜି ବିଶେଷ ରାଜନୀତି ସ୍ଵାସ୍ଥ୍ୟ

ସାଧନା ପ୍ରତିଫଳନ, ଦାଶିଆ ଅଜା ପାଠାଗାର

ନୟାଗଡ଼: ଓଡ଼ିଶା ପାଠାଗାର ଆନ୍ଦୋଳନର ପ୍ରବାଦ ପୁରୁଷ ଦାଶରଥି ପଟ୍ଟନାୟକଙ୍କର ଅସାଧାରଣ ପରିକଳ୍ପନା, ଜୀବନବ୍ୟାପୀ ସାଧନାର ପ୍ରତିଫଳନ ନୟାଗଡ଼ ଜିଲ୍ଲା ଉଦୟପୁରଠାରେ ପ୍ରତିଷ୍ଠିତ ପାଠାଗାର, ସଂଗ୍ରହାଳୟ, ସାହିତ୍ୟ ସଂସଦ ଓ ଗବେଷଣାଗାର ଦେଶର ଏକ ମହାନ ସାଂସ୍କୃତିକ ସମ୍ଭାର ରୂପେ ପରିଚିତି ପାଇପାରିଛି। ଦାଶରଥି ପଟ୍ଟନାୟକଙ୍କୁ ସମେସ୍ତ ଦାଶିଆ ଅଜା ଭାବେ ଜାଣନ୍ତି। ଦାଶରଥି ପଟ୍ଟନାୟଙ୍କ ଜନ୍ମ, ଜୀବନ ଓ ମୃତ୍ୟୁ ରହସ୍ୟ ଏବେ ବି ଓଡ଼ିଶାର ଜନମାନସରେ ଆନ୍ଦୋଳିତ କରୁଛି।

ରାଇପୁରରେ ଜନ୍ମ ଉଦୟପୁରରେ କର୍ମ
୧୯୦୭ ମସିହା ଜୁଲାଇ ୧୨ ତାରିଖରେ ନୟାଗଡ଼ ନିକଟସ୍ଥ ଚାହାଳୀ ପଞ୍ଚାୟତ ରାଇପୁର ଗ୍ରାମରେ ବାଞ୍ଛାନିଧି ପଟ୍ଟନାୟକ ଓ ପାର୍ବତୀ ଦେବୀଙ୍କ ପୁତ୍ର ଭାବେ ଜନ୍ମ ଗ୍ରହଣ କରିଥିଲେ ଦାଶରଥି। ୧୯୨୨ରେ ରାଇପୁରରୁ ଉଦୟପୁରକୁ ଆସିଥିଲେ। ପରବର୍ତ୍ତୀ ସମୟରେ ନୂଆଗାଁ ନିକଟସ୍ଥ ଉଦୟପୁର ଗ୍ରାମ ଦାଶରଥିଙ୍କ କର୍ମଭୂମି ରୂପେ ପରିଚିତ ହୋଇଥିଲା। ତାଙ୍କର ୪ ଭାଇ, ୩ ଭଉଣୀ, ୨ଟି ପୁଅ ଓ ଗୋଟିଏ ଝିଅ। ଦାଶରଥିଙ୍କ ବିବାହ ୧୯୪୦ ମସିହାରେ ଖାଲମଡ଼ା ଗ୍ରାମରେ ହୋଇଥିଲା। ଏହି ମହାନ କାର୍ଯ୍ୟରେ ନିଜ ସ୍ତ୍ରୀ ପୌଷମାସୀ ଦେବୀ ନିଜ ଦାମ୍ପତ୍ୟ ଜୀବନର ସମସ୍ତ ସୁଖ ସ୍ୱାଚ୍ଛନ୍ଦ୍ୟକୁ ତ୍ୟାଗକରି ନିଜକୁ ସମର୍ପି ଦେଇଥିଲେ ଦାଶରଥିଙ୍କ ସୁଦୀର୍ଘ ସଂସ୍କୃତି ଯାତ୍ରାରେ। ନୟାଗଡ଼ ଓ ଦଶପଲ୍ଲା ମଧ୍ୟରେ ଯାଇଥିବା ୫୭ନମ୍ବର ଜାତୀୟ ରାଜପଥ ନୂଆଗାଁଠାରୁ ୪ କିଲୋମିଟର ରାସ୍ତା ଅତିକ୍ରମ କଲେ ଉଦୟପୁର ଗ୍ରାମ ପଡ଼ିଥାଏ। ଉଦୟପୁର ଗାଁ ଆଜି ଓଡ଼ିଆ ଭାଷା, କଳା, ସାହିତ୍ୟ, ସଂସ୍କୃତିର ପ୍ରାଣପୀଠ ଭାବେ ପରିଚୟ ପାଇଛି। ଯେଉଁ ଉଦୟପୁର ଗଁା ଆଜି ପାଲଟିଛି ଦେଶ ବିଦେଶର ପାଠକ, ଗବେଷକ, ଦର୍ଶକ, ପର୍ଯ୍ୟଟକ, ବୁଦ୍ଧିଜୀବୀ, ଐତିହାସିକ, ଦାର୍ଶନିକ, କବି, ଲେଖକ, ସାହିତ୍ୟିକ, ଛାତ୍ର, ସାମ୍ବାଦିକଙ୍କ ପାଇଁ ଗବେଷଣାର ଏକ ସ୍ୱତନ୍ତ୍ର ପୀଠ।

ରୋଷେୟାରୁ ସଂଗ୍ରାହକ
ନିଜର ପାରିବାରିକ ଆର୍ଥିକ ବିଡ଼ମ୍ବନା ପରିସ୍ଥିତି ଦୃଷ୍ଟିରୁ ଚାଟଶାଳୀରେ ମାତ୍ର ୪ର୍ଥ ଶ୍ରେଣୀ ପର୍ଯ୍ୟନ୍ତ ପାଠ ପଢ଼ିଥିଲେ ଦାଶରଥି। ଦାଶିଆ ଅଜାଙ୍କ ନିଜସ୍ୱ ଲେଖାରୁ ଯାହା ଜଣାପଡ଼େ, ଥରେ ଗାଁ ଉଦୟପୁରକୁ ବିପ୍ର ଚରଣ ମହାନ୍ତି ଆସିଥାନ୍ତ। ବାପାଙ୍କ ସହ କଥାବାର୍ତ୍ତା କରି ତାଙ୍କୁ ରୋଷାୟା କରିବା ପାଇଁ ନେଇଗଲେ। ବାପାଙ୍କୁ ସେ ୨ଟଙ୍କା ଦେଲେ। ମନ ବିରକ୍ତ ହେଲା ମାମୁଘର ଶିଙ୍ଗାରପଲ୍ଲୀ ଆସି ସେଠାରୁ ମହିପୁରରେ ଆସି ରହିଲି। ତାଙ୍କ ପଢ଼ାସାଥୀ ବିନାୟକ ମିଶ୍ର ଏଏସ୍‌ଆଇ ଥାଆନ୍ତି। ଥରେ ସେ ଦାଶରଥିଙ୍କୁ ନୟାଗଡ଼ ରିଜର୍ଭ ପୁଲିସରେ କାମ କରୁଥିବା ବୈଦ୍ୟନାଥ ପଟ୍ଟନାୟକଙ୍କୁ ଦେଖାକରିବାକୁ କହିଲେ। ତାଙ୍କ ମାଧ୍ୟମରେ ଚାକିରି ପାଇଁ ମୋତେ ମନୋନୀତ ହେଲେ ଦାଶରଥÒ। ମାସକୁ ଦରମା ୭ଟଙ୍କା। ତାପରେ ୧୯୩୩ରୁ ୧୯୩୭ ଯାଏଁ ଧୂଳିଆପଦାରେ ପ୍ରାଥମିକ ବିଦ୍ୟାଳୟରେ ଶିକ୍ଷକତା କରିଥିଲେ। ମାସକୁ ଦରମା ୮ ଟଙ୍କା, ୪/୫ ବର୍ଷ ରହିଲା ପରେ ସେଠାରେ ରହିବାକୁ ତାଙ୍କର ମନ ଲାଗିଲାନି। ମଜାରନି ନାମକ ଫରେଷ୍ଟ ଗାର୍ଡ଼ଙ୍କ ସହିତ ଦେଖାହେଲା। ସେ କହିଲେ କାହିଁକି ଟଙ୍କା ୮ଟାରେ ବୌଦ୍ଧରେ ପଡ଼ିଛୁ ଦରଖାସ୍ତ କର ସୁପରିନ୍‌ଟେଣ୍ଡେଣ୍ଟଙ୍କ ପାଖକୁ। ସୁପରିନ୍‌ଟେଣ୍ଡେଣ୍ଟ ଥାଆନ୍ତି ଅବଦୁଲ ସତାର ଖାଁ। ଦାଶରଥି ମହିପୁରରେ ଥିଲାବେଳେ ସତାର ଖାଁଙ୍କ ପାଖକୁ ଅନେକ ବାର କମଳା, କଦଳୀ ନେଇ ଯାଇଛନ୍ତି। ସେ ଡିଏଫଓଙ୍କୁ ଲେଖିଲେ ମେଣ୍ଢାଶାଳ ଫରେଷ୍ଟ ଗାର୍ଡ଼ ଟ୍ରେନିଂ ପାଇଁ। ପାଖରେ ପଇସା ପତ୍ର ନ ଥାଏ। ବୋଉର ଫୁଲଗୁଣା, ନାକଚଣା, ଆଈର ନୋଳିକୁ ତାଙ୍କ ବାପା ନେଇ ଇଟାମାଟିରେ ରଖି ୨ ଟଙ୍କା ଆଣିଲେ। ଟ୍ରେନିଂ ପରେ ରଣପୁରରେ ୧୯୩୮ ରେ ଫରେଷ୍ଟର ଚାକିରିରେ ଯୋଗଦେଲେ। ଦରମା ମାସକୁ ୧୨ଟଙ୍କା। ୧୯୪୬ ଯାଏଁ ସେଠାରେ ରହିଲେ।ପରବର୍ତ୍ତୀ ସମୟରେ ରେଞ୍ଜର ସହିତ ତାଙ୍କର ନ ପଡ଼ିବାର ଚାକିରି ଛାଡ଼ି ପଳାଇଆସିଲେ।

ଖୁଣ୍ଟ ତଡ଼ା ରଜା
ଚଳିବାକୁ ଜମି ନ ଥିଲା ୬/୭ ଏକର ଜଙ୍ଗଲରୁ ଖୁଣ୍ଟ ତାଡ଼ି ଜମି କଲେ। ୧୯୪୯ରୁ ୧୯୫୯ ପର୍ଯ୍ୟନ୍ତ ନିଜେ ଖୁଣ୍ଟ ତାଡ଼ି, ମୁଣ୍ଡରେ ମାଟି ବୋହି ବୋହି ଆଖି ଖରାପ ହୋଇଗଲା । ଆଖିକୁ ଭଲ କରିବା ପାଇଁ ଆକୁ ତାକୁ ହାତ ପତେଇ ଭିକ୍ଷା ମାଗିଲେ । ହେଲେ ଆଖିକୁ ଦିଶିଲା ନାହିଁ । ନିଜର ପ୍ରାରମ୍ଭିକ ଜୀବନରେ ହଳିଆ, ରାନ୍ଧୁଣିଆ, ବୋଲକରା, ଚପରାଶି, ପୁଲିସ ଏବଂ ଜଙ୍ଗଲ ଓ ଶିକ୍ଷା ବିଭାଗର କର୍ମଚାରୀ, ସର୍ବରାକାର, ଭୂଦାନକର୍ମୀ, ସର୍ଭେ ଟ୍ରେନିଙ୍ଗ କେନ୍ଦ୍ରର ପରିଚାଳକ, ଚାଷ ଜମି ପ୍ରସ୍ତୁତ କରି ଚାଷୀ ଏବଂ ସ୍ୱାଧୀନତା ସଂଗ୍ରାମରେ ଯୋଗଦେଇ ସ୍ୱାଧୀନତା ସଂଗ୍ରାମୀ ଭାବରେ ସରକାରଙ୍କଠାରୁ କୌଣସି ଭତ୍ତା ଗ୍ରହଣ କରି ନ ଥିବା ଦାଶରଥି ନିଜ ଜୀବନ ଅପରାହ୍ଣରେ ପହଞ୍ଚିଥିଲେ।

୧୯୫୦ରୁ ଆରମ୍ଭ ହେଲା ସଂଗ୍ରାମ
୧୯୫୦ ମସିହାଠାରୁ ଦୀର୍ଘ ଅର୍ଦ୍ଧ ଶତାବ୍ଦୀ ଧରି ନିଜ ଶରୀରରୁ ରକ୍ତ ନିଗାଡ଼ି, ଖଣ୍ଡିଏ ଗାମୁଛା ପିନ୍ଧି ଓ ଖଣ୍ଡିଏ ଗାମୁଛା ମୁଣ୍ଡରେ ଠେକାବାନ୍ଧି କାନ୍ଧରେ ଏକ ଝୁଲାମୁଣି ଓହଳାଇ ସମଗ୍ର ଓଡ଼ିଶାର ଗାଁ ଗହଳିଠାରୁ ଆରମ୍ଭ କରି ସହର ବଜାର ଘରଦ୍ୱାର ବୁଲି ବୁଲି ପାଦରେ ତାଙ୍କର ସାଧାନା ଆରମ୍ଭ କରିଥିଲେ। ଚାଲି ଚାଲି ରାଜ୍ୟ ଓ ଦେଶବାସୀଙ୍କ କଲ୍ୟାଣ ସାଧନ ଉଦ୍ଦେଶ୍ୟରେ, ଗ୍ରାମାଞ୍ଚଳର ଜନସାଧାରଣଙ୍କୁ ପାଠାଗାର ସୁବିଧା ସୁଯୋଗ ଯୋଗାଇ ଦେବାପାଇଁ, ଦେଶ ବିଦେଶ ପାଠକ, ଗବେଷକମାନଙ୍କ ପାଇଁ ଗବେଷଣା ତଥ୍ୟ ଯୋଗାଇ ଦେବା ସହ ଓଡ଼ିଶାର ପ୍ରାଚୀନ ପରମ୍ପରା, ଐତିହ୍ୟ ଓ ସଂସ୍କୃତିର ପ୍ରଚାର, ପ୍ରସାର ଏବଂ ଓଡ଼ିଆ ସାହିତ୍ୟର ବିକାଶ ପାଇଁ ପାଇଁ କାର୍ଯ୍ୟ କରିଥିଲେ। ସାଧକ ଦାଶରଥି ନିଜର ସାଧନାରେ ୩ଟି ମହାନ ସଂସ୍ଥାନ ଗଢ଼ି ଉଠିଥିଲା। ୧୯୫୯ରେ ବାଞ୍ଛାନିଧି ପାଠାଗାର, ୧୯୭୩ରେ ଶ୍ରୀଅରବିନ୍ଦ ସଂଗ୍ରହାଳୟ ଓ ୧୯୭୫ରେ ଯଦୁମଣି ସାହିତ୍ୟ ସଂସଦ ସେ ଗଢ଼ିଥିଲେ। ପାଠାଗାରକୁ ୧୯୫୯ରେ ରମାଦେବୀ ଉଦ୍ଘାଟନ କରିଥିଲେ। ୧୯୯୫ରେ ଦାଶରଥି ପଟ୍ଟନାୟକ ଲାଇବ୍ରେରୀ ଟ୍ରଷ୍ଟ ଗଠିତ ହେଲା ।

ସଂଗ୍ରହାଳୟରେ ଚନ୍ଦ୍ରପୃଷ୍ଠର ପଥର ଓ ୫୦ ହଜାର ପୁସ୍ତକ
୧୯୯୬ରେ ପ୍ରଫେସର ଡଃ. ବିକ୍ରମ ଦାଶ ଚନ୍ଦ୍ରମଣ୍ଡଳ ପଥର, ରୁପା ସୁନା ପଥର ଆମେରିକାରୁ ଆଣି ଦାଶରଥିଙ୍କୁ ଉପହାର ଦେଇଥିଲେ। ଚନ୍ଦ୍ରଯାନ ୩ର ସଫଳ ଉତ୍‌କ୍ଷେପଣ ପରେ ଦାଶିଆ ଅଜାଙ୍କ ସଂଗ୍ରହାଳୟରେ ରହିଥିବା ପଥର ଚର୍ଚ୍ଚାକୁ ଆସିଥିଲା। ପାଠାଗାରରେ ପୃଥିବୀର ବିଭିନ୍ନ ଭାଷାର ପୁରାତନ ଓ ଆଧୁନିକ ୫୦ ହଜାର ବିରଳ ପୁସ୍ତକ, ୩୮ଟି ଭାଷାର ଅଭିଧାନ ସମେତ ୧ ଲକ୍ଷ ୨୦ ହଜାର ହଜାର ପତ୍ର ପତ୍ରିକା ଏବଂ ବିଭିନ୍ନ ପ୍ରକାରର ପୁରାତନ ଏବଂ ଆଧୁନିକ ସମ୍ବାଦପତ୍ରମାନ ସଂଗୃହୀତ ହୋଇ ରହିଛି। ସଂଗ୍ରହାଳୟରେ ୩ ହଜାର ପୁରାତନ ତାଳପତ୍ର ପୋଥି ଏବଂ ଚିତ୍ରପୋଥି ରହିଛି। ଦାଶିଆ ଅଜାଙ୍କ ସଂଗ୍ରହାଳୟରେ ମାଟିଠାରୁ ଆକାଶ ଯାଏଁ ଅନେକ ଦ୍ରବ୍ୟ ସଂଗୃହିତ ହୋଇଛି। ଏହି ସଂଗ୍ରହାଳୟକୁ ଦେଖିଲେ ଦାଶିଆ ଅଜାଙ୍କ ସାଧାନା ପ୍ରତିଫଳିତ ହେଉଛି। ଆଦିମ ଯୁଗଠାରୁ ବର୍ତ୍ତମାନ ଯୁଗ ପର୍ଯ୍ୟନ୍ତ ଦେଶ ବିଦେଶର ବହୁ ପ୍ରାଚୀନ ସ୍ୱର୍ଣ୍ଣ, ରୌପ୍ୟ, ତାମ୍ରମୁଦ୍ରା, ପୁରାତନ ଯୁଗର ଅସ୍ତ୍ରଶସ୍ତ୍ର, ଦେଶ ବିଦେଶର ଖଣି ସମ୍ପଦର ଉପାଦାନ, ବିଭିନ୍ନ କାଠ ସାମଗ୍ରୀ ଚାରୁଶିଳ୍ପର ବହୁ ପୁରାତନ ଓ ନୂତନ ମୂର୍ତ୍ତି, ଚିତ୍ର, ପଟ୍ଟଚତ୍ର କାଠ, କାର୍ପାସ, କାଗଜ, ବାଉଁଶ ଓ ବିଭିନ୍ନ ଧାତୁର ଅନେକ ହସ୍ତଶିଳ୍ପ, ପ୍ରାଗ୍ ଐତିହାସିକ ପ୍ରସ୍ତର ଯୁଗର ବିଭିନ୍ନ ପ୍ରକାରର ମୃତ୍ତିକା ସିଲ୍, ଆଦିବାସୀ ସଭ୍ୟତାର ବେଶ ପୋଷାକ, ଅଳଙ୍କାର ତଥା ଅନ୍ୟାନ୍ୟ ଉପାଦାନ, ସଙ୍ଗୀତ ଯନ୍ତ୍ରପାତି, ଦେଶ ବିଦେଶର ଅନେକ ପ୍ରକାର ଡାକଟିକଟ, ମହାପୁରୁଷ ସାଧୁସନ୍ଥମାନଙ୍କର ଜନ୍ମାମାଟି, ପାଣି ଓ ସେମାନେ ବ୍ୟବହାର କରୁଥିବା ବିଭିନ୍ନ ପଦାର୍ଥ, ଅଗଣିତ ଫଟୋଚିତ୍ର, ବିଭିନ୍ନ ପ୍ରକାରର ଖାଦ୍ୟ ଶସ୍ୟ, ତୈଳବୀଜର ନମୁନା, ଅନେକ ଫଳଫୁଲର ପ୍ରାକୃତିକ ନମୁନା, ବିଭିନ୍ନ ଦେଶର ମାନଚିତ୍ର, ପୁରାତନ ଯୁଗର ମାପ ଓ ଓଜନର ଏକକମାନ, କମଣ୍ଡଳ ପଥର, ବିଭିନ୍ନ ପ୍ରକାରର ଦୀପ ଓ ମାଟିପାତ୍ର, ଚେରମୂଳ ତଥା ଲତା ଗୁଳ୍ମ, ରାଜା ରାଜୁଡ଼ା ଅମଳର ଦସ୍ତାବିଜ, ଅମୂଲ୍ୟ ଚିଠିପତ୍ର ଏପରିକି ଦୁର୍ମୂଲ୍ୟ ପଦାର୍ଥମାନ ସଂଗ୍ରହାଳୟରେ ସଂଗୃହିତ ହୋଇରହିଛି।

ଶିହରଣ ସୃଷ୍ଟି କରୁଛି ପାଠାଗାର ପରିବେଶ
ଦାଶିଆ ଅଜାଙ୍କ ପାଠାଗାରରେ ଏକ ଭିନ୍ନ ଶିହରଣ ସୃଷ୍ଟି ହେଉଛି। ପ୍ରତ୍ୟେକ ସଂଗୃହିତ ଦ୍ରବ୍ୟ, ପୁସ୍ତକ, ପତ୍ରପତ୍ରିକାକୁ ଅତ୍ୟନ୍ତ ଜତ୍ନର ସହ ରଖାଯାଇଛି। ପାହାଡ଼ ଜଙ୍ଗଲ ଘେରା ଉଦୟପୁର ଗାଁରେ ଅବସ୍ଥିତ ଏହି ସ୍ଥାନର ଶାନ୍ତ ପରିବେଶ ପର୍ଯ୍ୟଟକ, ଗବେଷକଙ୍କୁ ଆକୃଷ୍ଟ କରୁଛି। ଦାଶରଥି ପଟ୍ଟନାୟକ ଟ୍ରଷ୍ଟ ଦ୍ୱାରା ଏହା ପରିଚାଳିତ ହେଉଥିବା ବେଳେ ସ୍ୱଚ୍ଛତାକୁ ପ୍ରାଧ୍ୟାନ୍ୟ ଦିଆଯାଉଛି।

ଦୁଃଖମୟ ଥିଲା ଶେଷ ଜୀବନ
ଏହି ମହାପୁରୁଷଙ୍କ ଶେଷ ଜୀବନ ଅତ୍ୟନ୍ତ ଦୁଃଖମୟଥିଲା। ଦିନେ ଦେଖିଲା ବେଳକୁ ହାତରେ ବାଡ଼ି ନ ଥିଲା। ଗାମୁଛାରେ ଖଣ୍ଡିଏ ଚିଠି ସହ ଲଙ୍ଗଳା ଦେହଟା କୁଅ ପାଣିରେ ଭାସୁଥିଲା। ୧୯୯୭ ମସିହା ସେପ୍ଟମ୍ବର ୧୨ ତାରିଖରେ ତାଙ୍କର ପରଲୋକ ହୋଇଥିଲା। କେହି ଦେଖିପାରିଲେ ନାହିଁ, କେହି ଜାଣିପାରିଲେନି ଲଙ୍ଗଳା ଫକୀର ପୁଙ୍ଗୁଳା କଥା। ଏହା ହତ୍ୟା ନା ଆତ୍ମହତ୍ୟା ତାକୁ ନେଇ ଆଜି ବି ଅନେକ ପ୍ରଶ୍ନ ଉଠୁଛି । ଦାଶରଥିଙ୍କ କବିତା ଆଜି ବି ଅନେକଙ୍କ ମନକୁ ଜର୍ଜରିତ କରୁଛି, “କେହି ନ ଜାଣିବେ କେହି ନ ଦେଖିବେ ନକାନ୍ଦିବେ ଥରେ କେହି ; ଚାଲିଯିବି ଏକା, ଏତିକି ମାଗୁଣି ତୁମ୍ଭନାମ ଗାଇ ଗାଇ।” ଦାଶିଆ ଅଜାଙ୍କ ସମାଧି ପୀଠ ପାଠାଗାର ମଝିରେ ରହିଛି। ପ୍ରତ୍ୟେକ ବର୍ଷ ଶ୍ରାଦ୍ଧା ବାର୍ଷିକ ଏବଂ ଜୟନ୍ତୀରେ ଏଠାରେ ଭଜନ କୀର୍ତ୍ତନ କରାଯିବା ସହ ଦାଶିଆ ଅଜାଙ୍କ ସ୍ମୃତିକୁ ମନେ ପକାଇବା ପାଇଁ ସ୍ୱତନ୍ତ୍ର କାର୍ଯ୍ୟକ୍ରମ ଆୟୋଜନ ହେଉଛି। ଗତବର୍ଷ ଜିଲ୍ଲାର ପ୍ରତ୍ୟେକ ବିଦ୍ୟାଳୟରେ ଦାଶିଆ ଅଜାଙ୍କ ଶ୍ରାଦ୍ଧ ବାର୍ଷିକ ପାଳନ କରିବା ପାଇଁ ଜିଲ୍ଲାପାଳ ନିର୍ଦ୍ଦେଶ ଦେଇଥିଲେ।

Leave A Reply

Your email address will not be published.