ବଡ ଖବର ଓଡ଼ିଶା ମନୋରଞ୍ଜନ ଖେଳ ଖବର ଦେଶ- ବିଦେଶ ଜୀବନଚର୍ଯ୍ୟା ରାଶିଫଳ ବାଣିଜ୍ୟ ଫଟୋ ଗ୍ୟାଲେରୀ ଅପରାଧ ଟେକ୍ନୋଲୋଜି ବିଶେଷ ରାଜନୀତି ସ୍ଵାସ୍ଥ୍ୟ

ନୂଆ ମେଡିକାଲ କଲେଜ ଦକ୍ଷତା ବୃଦ୍ଧି: ଲକ୍ଷ୍ୟ ସୁସ୍ଥ ଓଡ଼ିଶା

ଭୁବନେଶ୍ୱର: ରାଜ୍ୟ ସରକାରଙ୍କର ସୁସ୍ଥ ଓଡ଼ିଶା ଅଭିଯାନରେ ଗୋଟିଏ ପରେ ଗୋଟିଏ ଫର୍ଦ୍ଦ ଯୋଡ଼ି ହେବାରେ ଲାଗିଛି। ଅନେକ ପ୍ରକାର ସ୍ୱାସ୍ଥ୍ୟ କାର୍ଯ୍ୟକ୍ରମ ସହିତ ମେଡିକାଲ କଲେଜର ଚିକିତ୍ସା ଦକ୍ଷତା ବୃଦ୍ଧି ଉପରେ ରାଜ୍ୟ ସରକାର ଗୁରୁତ୍ୱ ପ୍ରଦାନ କରୁଛନ୍ତି। ଏହି ମର୍ମରେ ନବ ନିର୍ମିତ କେନ୍ଦୁଝର ଓ ସୁନ୍ଦରଗଡ଼଼ ମେଡିକାଲ କଲେଜରେ ବିଶେଷଜ୍ଞଙ୍କ ନିଯୁକ୍ତି ପ୍ରକ୍ରିୟା ଆରମ୍ଭ ହୋଇଛି। ଏହି ମେଡ଼ିକାଲ କଲେଜରେ ୧୨ ଜଣ ଆସୋସିଏଟ୍‍ ପ୍ରଫେସରଙ୍କୁ ନିଯୁକ୍ତି ଦିଆଯାଇଛି। ଏହି ଡାକ୍ତରମାନଙ୍କ ମଧ୍ୟରେ ମେଡିସିନ୍‍, ଆନାଟୋମି, ଫାର୍ମାକଲୋଜି, ମାଇକ୍ରୋବାୟୋଲୋଜି, ଚର୍ମ ରୋଗ, ସର୍ଜରୀ, ଅସ୍ଥିଶଲ୍ୟ, ସ୍ତ୍ରୀ ଓ ପ୍ରସୂତି ଆଦି ବିଭାଗର ବିଶେଷଜ୍ଞ ଅଛନ୍ତି।

କେବଳ ଜିଲ୍ଲା ମୁଖ୍ୟାଳୟ କିମ୍ବା ମେଡିକାଲ କଲେଜରେ ନୁହେଁ; ସମସ୍ତଙ୍କ ନିକଟରେ ଉତ୍ତମ ସ୍ୱାସ୍ଥ୍ୟ ସେବା ପହଞ୍ଚାଇବା ଲକ୍ଷ୍ୟରେ ମୁଖ୍ୟମନ୍ତ୍ରୀ ବାୟୁ ସ୍ୱାସ୍ଥ୍ୟ ସେବା କାର୍ଯ୍ୟକ୍ରମ ଆରମ୍ଭ ହୋଇଛି। ଉପାନ୍ତ ଅଞ୍ଚଳର ଲୋକଙ୍କୁ ସୁପର ସ୍ପେଶାଲିଟି ଚିକିତ୍ସା ସୁବିଧା ପ୍ରଦାନ ଉଦ୍ଦେଶ୍ୟ ନେଇ ଆରମ୍ଭ ହୋଇଥିବା ଏହି ଅଭିନବ କାର୍ଯ୍ୟକ୍ରମ ଇତିମଧ୍ୟରେ କଳାହାଣ୍ଡି, ନୂଆପଡ଼ା ଓ ମାଲକାନଗିରିରେ ମୁଖ୍ୟମନ୍ତ୍ରୀ ବାୟୁ ସ୍ୱାସ୍ଥ୍ୟ ସେବା ପହଞ୍ଚିଥିବା ବେଳେ ଖୁବ୍‍ଶୀଘ୍ର ନବରଙ୍ଗପୁର ଜିଲ୍ଲାରେ ଆରମ୍ଭ ହେବାକୁ ଯାଉଛି। ୟୁରୋସର୍ଜରୀ, କାର୍ଡିଓଲୋଜି, ନ୍ୟୁରୋଲୋଜି, ନେଫ୍ରୋଲୋଜି, ଗ୍ୟାଷ୍ଟ୍ରୋଏଣ୍ଟେରୋଲୋଜି ଭଳି ସୁପରସ୍ପେଶାଲିଟି ବିଭାଗର ଡାକ୍ତରମାନେ ବିମାନ ଓ ହେଲିକପ୍ଟର ଯୋଗେ ଉପାନ୍ତ ଜିଲ୍ଲାରେ ପହଞ୍ଚି ସ୍ୱାସ୍ଥ୍ୟ ସେବା ଯୋଗାଉଛନ୍ତି।

ସୁନ୍ଦରଗଡ଼଼ ଜିଲ୍ଲାରେ ଭିତ୍ତିଭୂମି ନିର୍ମାଣ ହେବା ସତ୍ତ୍ବେ କେନ୍ଦ୍ର ସରକାର ଏମ୍ସର ଦ୍ୱିତୀୟ କ୍ୟାମ୍ପସ୍‍ ପାଇଁ ଅନୁମତି ଦେଉ ନାହାନ୍ତି। ଏପରି ସ୍ଥଳେ ରାଜ୍ୟ ସରକାର ସୁନ୍ଦରଗଡ଼଼ ମେଡିକାଲ କଲେଜର ବିକାଶ ଉପରେ ଗୁରୁତ୍ୱ ପ୍ରଦାନ କରୁଛନ୍ତି। ଏହି ପରିପ୍ରେକ୍ଷୀରେ ୬ ଜଣ ଆସୋସିଏଟ୍‍ ପ୍ରଫେସରଙ୍କୁ ସେଠାରେ ନିୟୋଜିତ କରାଯାଇଛି। ଖୁବ୍‍ଶୀଘ୍ର କେନ୍ଦୁଝର ଓ ସୁନ୍ଦରଗଡ଼଼ରେ ନୂଆ ଡାକ୍ତରଙ୍କୁ ନିଯୁକ୍ତି ମିଳିବ ବୋଲି ସୂଚନା ମିଳିଛି। ଅପରପକ୍ଷେ ଝାରସୁଗୁଡ଼ା ଜିଲ୍ଲାରେ କର୍କଟ ଯତ୍ନ କେନ୍ଦ୍ର ନିର୍ମାଣ ଜାରି ରହିଥିବା ବେଳେ ସେଠାରେ ଏକ ୧୦୦ ଶଯ୍ୟା ବିଶିଷ୍ଟ ହୃଦ୍‍ ଚିକିତ୍ସା କେନ୍ଦ୍ର ନିର୍ମାଣ କାର୍ଯ୍ୟ ଚୂଡ଼ାନ୍ତ ପର୍ଯ୍ୟାୟରେ ପହଞ୍ଚିଛି। ୫ ଏକରରୁ ଊର୍ଦ୍ଧ୍ବ ଜମିରେ କାର୍ଡିଆକ କେୟାର ହସ୍ପିଟାଲ ନିର୍ମାଣ ପାଇଁ ୧୦୯ କୋଟି ଟଙ୍କା ବ୍ୟୟ କରାଯାଇଛି। ଚଳିତ ମାସ ଏହାର ନିର୍ମାଣ ଶେଷ ହେବ। ଅପରପକ୍ଷେ ଜିଲ୍ଲା ଖଣିଜ ପାଣ୍ଠିରୁ ଦିଆଯାଇଥିବା ୧୬୯ କୋଟି ଟଙ୍କା ବ୍ୟୟରେ ୧୨୦ ଶଯ୍ୟା ବିଶିଷ୍ଟ କର୍କଟ ଅବା କ୍ୟାନସର୍‍ କେୟାର ହସ୍ପିଟାଲର ନିର୍ମାଣ ମଧ୍ୟ ଶେଷ ପର୍ଯ୍ୟାୟରେ ପହଞ୍ଚିଛି। କଟକ ସ୍ଥିତ ଆଚାର୍ଯ୍ୟ ହରିହର କର୍କଟ ଗବେଷଣା କେନ୍ଦ୍ର ପରେ ଏହା ରାଜ୍ୟର ଦ୍ୱିତୀୟ କର୍କଟ ଡାକ୍ତରଖାନା ହେବ। ଅପରପକ୍ଷେ ବରଗଡ଼଼ ଠାରେ ମଧ୍ୟ ଏକ କର୍କଟ ଡାକ୍ତରଖାନା ପ୍ରତିଷ୍ଠା ପାଇଁ ସ୍ୱାସ୍ଥ୍ୟ ବିଭାଗ ପ୍ରକ୍ରିୟା ଆରମ୍ଭ କରିଛି।

ଜନସାଧାରଣଙ୍କୁ ବିନା ମୂଲ୍ୟରେ ଉନ୍ନତ ସ୍ୱାସ୍ଥ୍ୟ ସେବା ଯୋଗାଇ ଦେବା ଲକ୍ଷ୍ୟରେ ଆରମ୍ଭ ହୋଇଥିବା ବିଜୁ ସ୍ୱାସ୍ଥ୍ୟ କଲ୍ୟାଣ ଯୋଜନା (ବିଏସ୍‍କେୱାଇ)ରେ ଆଉ ଏକ ସଫଳତା ଯୋଡ଼ି ହୋଇଛି। ରାଜ୍ୟ ବାହାରର ଆଉ ୫୦ଟି ଘରୋଇ ଡାକ୍ତରଖାନାକୁ ବିଏସ୍‍କେୱାଇରେ ସାମିଲ କରାଯାଇଛି। ପୂର୍ବରୁ ରାଜ୍ୟ ବାହାରର ୨୦୦ରୁ ଅଧିକ ବୃହତ ଘରୋଇ ଡାକ୍ତରଖାନା ଏଥିରେ ସାମିଲ ହୋଇଥିଲା। କୋଭିଡ୍‍ ସମୟରେ ସବୁଠାରୁ ଅଧିକ ଆବଶ୍ୟକ ହୋଇଥିବା ମେଡିକାଲ ଅମ୍ଳଜାନ୍‍ ଉତ୍ପାଦନ କ୍ଷେତ୍ରରେ ମଧ୍ୟ ଓଡ଼ିଶା ଆତ୍ମନିର୍ଭରଶୀଳ ହୋଇଛି। ରାଜ୍ୟ ସରକାର ଇତିମଧ୍ୟରେ ୨୦ଟି ଜିଲ୍ଲା ମୁଖ୍ୟ ଡାକ୍ତରଖାନାରେ ଅମ୍ଳଜାନ ପ୍ଲାଣ୍ଟର ନିର୍ମାଣ କାର୍ଯ୍ୟ ଶେଷ କରିଛନ୍ତି।

ଝାରସୁଗୁଡ଼ା ଜିଲ୍ଲାରେ ୧୦୦ ଆସନ ବିଶିଷ୍ଟ ଶ୍ରୀ ଶ୍ରୀ ରବି ଶଙ୍କର ମେଡିକାଲ କଲେଜ ଓ ୱେଲନେସ୍‍ ସେଣ୍ଟର ପ୍ରତିଷ୍ଠା କରାଯିବ। ଗତ ମାସରେ ଏ ନେଇ ସ୍ୱାସ୍ଥ୍ୟ ମନ୍ତ୍ରୀ ନବ କିଶୋର ଦାସ ଏବଂ ଅତିରିକ୍ତ ମୁଖ୍ୟ ସଚିବ ଆରକେ ଶର୍ମାଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ବୈଠକରେ ସବିଶେଷ ଆଲୋଚନା ହୋଇଥିଲା। ସରକାରୀ ଓ ଘରୋଇ ଭାଗିଦାରୀ (ପିପିପି) ବ୍ୟବସ୍ଥାରେ କାର୍ଯ୍ୟକାରୀ ହେବାକୁ ଥିବା ଏହି ମେଡିକାଲ କଲେଜ ଓ ୱେଲନେସ୍‍ ସେଣ୍ଟର ପାଇଁ ଖୁବ୍‍ ଶୀଘ୍ର ଡିପିଆର ପ୍ରସ୍ତୁତ କରାଯିବ। ପ୍ରାୟ ୫୦ ଏକର ଜମିରେ ପ୍ରସ୍ତାବିତ ୱେଲନେସ୍‍ ସେଣ୍ଟର ମଧ୍ୟରେ ଆର୍ୟୁବେଦ, ନେଚୁରୋପାଥି, ଯୋଗ, ପଞ୍ଚକର୍ମ, ମାନସିକ ସ୍ୱାସ୍ଥ୍ୟ ଭଳି ବିଭିନ୍ନ ସୁବିଧା ରହିବ। ଏଠାରେ ଚିକିତ୍ସା ସହିତ ପ୍ରଶିକ୍ଷଣ ଏବଂ ଡାକ୍ତରୀ ପାଠ ପଢ଼଼ା ହେବ। ଅପରପକ୍ଷେ ରାଜ୍ୟ ସରକାର ଅଟିଜିମ୍‍ ଭଳି ରୋଗର ଉପଚାର ବ୍ୟବସ୍ଥା ତ୍ୱରାନ୍ୱିତ କରିଛନ୍ତି। ଭୁବନେଶ୍ୱର ଓ ସୁନ୍ଦରଗଡ଼଼ରେ ଗୋଟିଏ ଲେଖାଏଁ ଅଟିଜିମ୍‍ କେନ୍ଦ୍ର କାର୍ଯ୍ୟ କରୁଛି। ଅଟିଜିମ୍‍ ଗ୍ରସ୍ତ ଶିଶୁଙ୍କ ଚିହ୍ନଟ ଓ ଚିକିତ୍ସା ପାଇଁ ଆସନ୍ତା ମାସ ସୁଦ୍ଧା ଯାଜପୁର ଓ ବ୍ରହ୍ମପୁରରେ ଗୋଟିଏ ଲେଖାଏଁ କେନ୍ଦ୍ର ପ୍ରତିଷ୍ଠା ହେବ ବୋଲି ସୂଚନା ମିଳିଛି।

ଆଜି ପୁରୀ ମେଡିକାଲ କଲେଜ ଲୋକାର୍ପଣ

ପୁରୀରେ ମେଡିକାଲ କଲେଜ ପ୍ରତିଷ୍ଠା ନେଇ ଦୀର୍ଘ ପ୍ରତୀକ୍ଷାର ଅବସାନ ଘଟିଛି। ସୋମବାର ଶ୍ରୀଜଗନ୍ନାଥ ମେଡିକାଲ କଲେଜକୁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଲୋକାର୍ପଣ କରିବା ସ୍ଥିର ହୋଇଛି। ଏହି କାର୍ଯ୍ୟକ୍ରମରେ ଭର୍ଚୁଆଲରେ କେନ୍ଦ୍ର ସ୍ୱାସ୍ଥ୍ୟମନ୍ତ୍ରୀ ମନସୁଖ୍‍ ଏଲ୍‍. ମାଣ୍ଡଭୀୟ ମଧ୍ୟ ଯୋଗ ଦେବେ। ଗସ୍ତ ସୂଚୀ ଅନୁଯାୟୀ ଅପରାହ୍ନ ୫ଟା ୫ରେ ମୁଖ୍ୟମନ୍ତ୍ରୀ କଲେଜ ପରିସର ହେଲିପ୍ୟାଡ୍‍ରେ ଓହ୍ଲାଇବେ। ସେଠାରୁ ସିଧା ଲୋକାର୍ପଣ ଉତ୍ସବକୁ ଯିବେ। ମେଡିକାଲ କଲେଜର ବିଭିନ୍ନ ସେବା ଅନୁଧ୍ୟାନ କରିବେ। ଏଥିସହ ନୂତନ ବିଦ୍ୟାର୍ଥୀଙ୍କ ସହ ମୁଖ୍ୟମନ୍ତ୍ରୀ ଓ କେନ୍ଦ୍ର ସ୍ୱାସ୍ଥ୍ୟମନ୍ତ୍ରୀ ମତ ବିନିମୟ କରିବେ। ମୁଖ୍ୟମନ୍ତ୍ରୀଙ୍କ ଗସ୍ତକୁ ନେଇ ସମସ୍ତ ପ୍ରଶାସନିକ ପ୍ରସ୍ତୁତି ଶେଷ ହୋଇଛି। ରବିବାର ଅପରାହ୍ନରେ ଜିଲ୍ଲାପାଳ ସମର୍ଥ ବର୍ମା, ଏସ୍‍ପି ଡ. କନୱର ବିଶାଲ ସିଂ, ଅତିରିକ୍ତ ଜିଲ୍ଲାପାଳ ପ୍ରଦୀପ କୁମାର ସାହୁ, ଉପଜିଲ୍ଲାପାଳ ଭବତାରଣ ସାହୁ ପ୍ରମୁଖ ମେଡିକାଲ କଲେଜକୁ ଯାଇ ସମସ୍ତ ପ୍ରସ୍ତୁତିର ଅନୁଧ୍ୟାନ କରିଛନ୍ତି।

ପୁରୀ-କୋଣାର୍କ ମେରାଇନ ଡ୍ରାଇଭ ରୋଡ ବାଲିଗୁଆଳିଠାରେ ପ୍ରାୟ ୨୫ ଏକର ଜମିରେ ୨୫୦ କୋଟି ଟଙ୍କା ବ୍ୟୟରେ ଶ୍ରୀଜଗନ୍ନାଥ ମେଡିକାଲ କଲେଜ ନିର୍ମାଣ କରାଯାଇଛି। ପାଞ୍ଚ ମହଲା ବିଶିଷ୍ଟ ଏହି କଲେଜରେ ସୋମବାରଠାରୁ ଶିକ୍ଷାବର୍ଷ ୨୦୨୨-୨୩ରେ ପାଠପଢ଼଼ା ଆରମ୍ଭ ହେବ। ଏଥିପାଇଁ ଏମ୍‍ବିବିଏସ୍‍ରେ ପ୍ରଥମ ବ୍ୟାଚ୍‍ରେ ୧୦୦ ବିଦ୍ୟାର୍ଥୀ ନାମ ଲେଖାଇଛନ୍ତି। ଏମାନଙ୍କ ମଧ୍ୟରେ ୭୦ ଜଣ ଛାତ୍ର ଏବଂ ୩୦ ଜଣ ଛାତ୍ରୀ ରହିଛି। କଲେଜରେ ୪ଟି ହଷ୍ଟେଲ ରହିଛି, ଏଠାରେ ୬୫୦ ଜଣଙ୍କ ରହିବା ସୁବିଧା ଅଛି। ଏଥିରେ ଛାତ୍ରଙ୍କ ପାଇଁ ୩୦୦, ଛାତ୍ରୀଙ୍କର ୧୫୦ ଓ ୧୦୦ ଜଣ ଇଣ୍ଟର୍ନ ହାଉସ୍‍ ସର୍ଜନ ଏବଂ ୧୦୦ ରେସିଡେଣ୍ଟ୍ସ ଡାକ୍ତରଙ୍କ ପାଇଁ ବ୍ୟବସ୍ଥା ରହିଛି। ମେଡିକାଲର ସମସ୍ତ ପାଠ୍ୟକ୍ରମ ତଥା ବିଭାଗରେ ପଢ଼ାଇବା ପାଇଁ ୧୫୦ ଜଣ ପ୍ରଫେସର, ବିଶେଷଜ୍ଞ ଓ ସହକାରୀ ପ୍ରଫେସର ଯୋଗଦେଇ ସାରିଛନ୍ତି। ଲୋକାର୍ପଣ ଉତ୍ସବ ପୂର୍ବରୁ ସୋମବାର ପୂର୍ବାହ୍ନ ୧୦ଟାରେ ଛାତ୍ରଛାତ୍ରୀଙ୍କ ସ୍ୱାଗତ ଉତ୍ସବ ଅନୁଷ୍ଠିତ ହେବ।

Leave A Reply

Your email address will not be published.