ବଡ ଖବର ଓଡ଼ିଶା ମନୋରଞ୍ଜନ ଖେଳ ଖବର ଦେଶ- ବିଦେଶ ଜୀବନଚର୍ଯ୍ୟା ରାଶିଫଳ ବାଣିଜ୍ୟ ଫଟୋ ଗ୍ୟାଲେରୀ ଅପରାଧ ଟେକ୍ନୋଲୋଜି ବିଶେଷ ରାଜନୀତି ସ୍ଵାସ୍ଥ୍ୟ

ଅର୍ଥନୀତିକୁ ୫ ଟ୍ରିଲିଅନ ଡଲାରରେ ପହଞ୍ଚାଇବାକୁ କେନ୍ଦ୍ର ସରକାରଙ୍କ ଯୋଜନା, ଏପଟେ ମହଙ୍ଗା ମାଡ଼ରେ ଜନତା ଆକ୍ତାମାକ୍ତା

ଭୁବନେଶ୍ୱର : ଅନିୟନ୍ତ୍ରିତ ଦରଦାମ୍‌ ଓ ମୁଦ୍ରାସ୍ଫୀତି ହାର ଆର୍ଥିକ ବଜାରକୁ ଅସ୍ଥିର କରିଛି। ଗତ ଦୁଇ ବର୍ଷ ମଧ୍ୟରେ ତୈଳ ଦର ଠାରୁ ଆରମ୍ଭ କରି ଖାଦ୍ୟ ଓ ନିତ୍ୟ ବ୍ୟବହାର୍ଯ୍ୟ ସାମଗ୍ରୀର ଦରବୃଦ୍ଧି ସାଧାରଣ ଜନତାଙ୍କ ପାଇଁ ପୀଡ଼ାଦାୟକ ହୋଇଛି। ଏଥିଯୋଗୁଁ ସେମାନଙ୍କ ଆର୍ଥିକ ସ୍ଥିତି ଚାପଗ୍ରସ୍ତ ହୋଇଛି। ଖାଦ୍ୟ ସାମଗ୍ରୀଠାରୁ ଆରମ୍ଭ କରି ତେଲ ସାବୁନ, ପେଟ୍ରୋଲିୟମ ସାମଗ୍ରୀ, ଔଷଧ, ଗୃହ ନିର୍ମାଣ ଉପକରଣ, ପନିପରିବା, କପଡ଼ା, ପୋଷାକ ସବୁର ମୂଲ୍ୟ ବୃଦ୍ଧି ଘଟିଛି। ଏଥି ସହିତ ପୁଣି ଜିଏସ୍‍ଟି ଛାଟ। ଗାଡ଼ିମୋଟର ବୀମା, ଜୀବନ ବୀମା ଏପରିକି ବରିଷ୍ଠ ନାଗରିକଙ୍କ ସ୍ୱାସ୍ଥ୍ୟ ବୀମା ଉପରେ ୧୮% ଜିଏସ୍‌ଟି ଦେୟ, ଯାହା ସାଧାରଣ ଲୋକଙ୍କ ଜୀବନଯାତ୍ରାକୁ ଅତ୍ୟନ୍ତ ଦୁର୍ବିସହ କରିଦେଇଛି।

ଦେଶର ଅର୍ଥ ବ୍ୟବସ୍ଥାର ଆକାରକୁ ୫ ଲକ୍ଷ କୋଟି ଡଲାର (୫ ଟ୍ରିଲିଅନ ଡଲାର)ରେ ପହଞ୍ଚାଇବାକୁ କେନ୍ଦ୍ର ସରକାର ଯୋଜନା କରିଛନ୍ତି। ୨୦୨୫ ମସିହା ସୁଦ୍ଧା ଏହି ଲକ୍ଷ୍ୟ ପୂରଣ ହେବ ବୋଲି ଦୁଇ ବର୍ଷ ତଳେ କେନ୍ଦ୍ର ବଜେଟ୍‍ ଅଧିବେଶନରେ ତତ୍‍କାଳୀନ ଅର୍ଥମନ୍ତ୍ରୀ ଘୋଷଣା କରିଛନ୍ତି। ମାତ୍ର ସାଧାରଣ ଲୋକର ତେଲଲୁଣ ସଂସାର ମଧ୍ୟରେ ଅର୍ଥନୀତି ଏକ ଅବୋଧ୍ୟ ଶବ୍ଦ ଏ କଥାକୁ କେନ୍ଦ୍ର ସରକାର ବୋଧେ ଉପଲବ୍ଧି କରିପାରି ନାହାନ୍ତି। ଲେମ୍ବୁ ଗୋଟାକ ୧୦ ଟଙ୍କା, ପିଆଜ କିଲୋ ୩୦ ଟଙ୍କା, ଟମାଟୋ କିଲୋ ୮୦ ଟଙ୍କା, ପେଟ୍ରୋଲ ଲିଟର ୧୧୨ ଟଙ୍କା, ରନ୍ଧନ ଗ୍ୟାସ ସିଲିଣ୍ଡରକୁ ହଜାରେ ଟଙ୍କାରେ କିଣି ଦର ବୃଦ୍ଧି ଚାପରେ ଆକ୍ତାମାକ୍ତା ସାଧାରଣ ଲୋକଟି ପାଇଁ ଅର୍ଥନୀତି ଶବ୍ଦ ଓ ଏହାର ସଂଜ୍ଞା ଯେ ମୂଲ୍ୟହୀନ ଏ କଥା ବୋଧହୁଏ କେନ୍ଦ୍ର ସରକାର ବୁଝି ପାରିନାହାନ୍ତି। ଏପରି ସ୍ଥିତିରେ ୨୦୨୧ରେ ଦେଶର ଜିଡ଼ିପି ହାର ୪୧ ବର୍ଷର ରେକର୍ଡ଼ ଭାଙ୍ଗି ବିଯୁକ୍ତ ୭.୩%ରେ ପହଞ୍ଚିଛି। ଦେଶର ଋଣ ପରିମାଣ ୧୫୨ ଲକ୍ଷ କୋଟି ଟଙ୍କା ଅତିକ୍ରମ କରିଛି। ଏହାମଧ୍ୟରେ ଭାରତ ସରକାରଙ୍କ ଋଣ ପରିମାଣ ପ୍ରାୟ ୧୦୦ ଲକ୍ଷ କୋଟି ଓ ରାଜ୍ୟମାନଙ୍କର ଋଣ ୫୨ ହଜାର କୋଟିରୁ ଅଧିକ। ଜିଡ଼ିପିର ୬୦% ଋଣକୁ ପୋଷଣୀୟ ସ୍ଥିତି ବୋଲି କୁହାଯାଉଥିବାବେଳେ ଦେଶର ଋଣ ଏବେ ଜିଡ଼ିପିର ୮୭%ରେ ପହଞ୍ଚି ସାରିଛି। ଏହି ସ୍ଥିତିରେ ନିଯୁକ୍ତି ସୁଯୋଗର ସଙ୍କୋଚନ ଗୁରୁତର ସ୍ଥିତି ସୃଷ୍ଟି କରିଛି। ଦେଶର ବେକାରୀ ହାର ଦିନକୁ ଦିନ ବୃଦ୍ଧି ପାଉଛି।

ଆନ୍ତର୍ଜାତିକ ବଜାରରେ କଞ୍ଚା ତେଲ ମୂଲ୍ୟ ପୂର୍ବାପେକ୍ଷା ହ୍ରାସ ପାଇଥିଲେ ହେଁ ଦେଶରେ ପେଟ୍ରୋଲିୟମ ସାମଗ୍ରୀ ମୂଲ୍ୟ ବଢ଼଼ିବଢ଼଼ି ଚାଲିଛି। ସାରା ଦେଶରେ ପର୍ଯ୍ୟାପ୍ତ କୋଇଲା ଗଚ୍ଛିତ ଥିଲେ ମଧ୍ୟ ଉତ୍ତୋଳନ କ୍ଷେତ୍ରରେ ରହିଥିବା ତ୍ରୁଟିପୂର୍ଣ୍ଣ ବ୍ୟବସ୍ଥା ଯୋଗୁଁ ରାଜ୍ୟ ତଥା ଦେଶର ତାପଜ ବିଦ୍ୟୁତ୍‍ କେନ୍ଦ୍ରଗୁଡ଼ିକୁ ଆବଶ୍ୟକ କୋଇଲା ମିଳୁନାହିଁ। ପରିଣତିସ୍ୱରୂପ ଦେଶର ୧୨ଟି ରାଜ୍ୟରେ ବିଜୁଳି ସଙ୍କଟ ଦେଖା ଦେଇଛି। ଖୁଚୁରା ମୁଦ୍ରାସ୍ଫୀତି ପରିମାଣ ପ୍ରତିମାସରେ ବଢ଼଼ିବଢ଼଼ି ଚାଲିଛି। ପରିଣତିସ୍ୱରୂପ ଲୋକଙ୍କ ଘରୋଇ ବ୍ୟୟ ୩୦% ପର୍ଯ୍ୟନ୍ତ ବୃଦ୍ଧି ପାଇଛି। ପରିବାରର ବଜେଟ ବିଗିଡ଼ିଛି। ଡ଼ାଲି, ତେଲଠାରୁ ଆରମ୍ଭ କରି ପନିପରିବା, ଔଷଧ, ନିତ୍ୟ ବ୍ୟବହାର୍ଯ୍ୟ ସାମଗ୍ରୀ ମୂଲ୍ୟ ଅଣାୟତ୍ତ ହୋଇଛି। ରନ୍ଧନ ଗ୍ୟାସ ସିଲିଣ୍ଡର ମୂଲ୍ୟ ୨ ବର୍ଷରେ ଦେଢ଼ଗୁଣ ବୃଦ୍ଧି ପାଇ ୧ହଜାରରେ ପହଞ୍ଚିଛି। ସେହିପରି ବାଣିଜ୍ୟିକ ସିଲିଣ୍ଡର ମୂଲ୍ୟ ପ୍ରାୟ ୨୫୦୦ ଟଙ୍କା ଛୁଇଁବା ସ୍ଥିତିରେ।

ପରିସ୍ଥିତିକୁ ନିୟନ୍ତ୍ରଣ କରିବା ପାଇଁ ରିଜର୍ଭ ବ୍ୟାଙ୍କ ୨ ବର୍ଷ ପରେ ଜରୁରୀ ବୈଠକ ଡ଼ାକି ରେପୋ ରେଟ୍‍ ୪୦ ବେସିକ୍‍ ପଏଣ୍ଟ ବୃଦ୍ଧି କରିଛି। ପରିଣତିସ୍ୱରୂପ ୠଣ ଉପରେ ସୁଧ ବୃଦ୍ଧି ପାଇବା ନିଶ୍ଚିତ ହୋଇଛି ଏବଂ ବିଶେଷ ଭାବରେ ଟିକସ ଦେଉଥିବା ମଧ୍ୟବିତ୍ତ ବର୍ଗ ଉପରେ ଏହାର ଗୁରୁତର ପ୍ରଭାବ ପଡ଼ିବା ଆଶଙ୍କା କରାଯାଉଛି। ୨୦୦୭ ମସିହାରେ ଦେଶର ଅର୍ଥନୀତି ୧ ଲକ୍ଷ କୋଟି ଡ଼ଲାର ଅର୍ଥାତ୍‍ ୧ ଟ୍ରିଲିୟନ ଡ଼ଲାର ଥିଲା। ଏହାକୁ ୨ ଟ୍ରିଲିଅନ ଡ଼ଲାର ଅର୍ଥ ବ୍ୟବସ୍ଥାରେ ପରିଣତ କରିବାକୁ ଦେଶକୁ ପ୍ରାୟ ୧୦ ବର୍ଷ ଲାଗିଗଲା। ତେଣୁ ୫ ଟ୍ରିଲିଅନ ଡ଼ଲାର ଅର୍ଥ ବ୍ୟବସ୍ଥା ସ୍ୱପ୍ନ ସତରେ ଯେ ୨୦୨୫ ସୁଦ୍ଧା ବାସ୍ତବିକ ରୂପ ପରିଗ୍ରହ କରିବ ତାହାକୁ ନେଇ ଏକପକ୍ଷରେ ସଂଶୟ ସୃଷ୍ଟି ହୋଇଥିବାବେଳେ ଅନ୍ୟପକ୍ଷରେ ମୂଲ୍ୟ ବୃଦ୍ଧି ଚାପରେ ପେଶି ହୋଇ ସାଧାରଣ ଖାଉଟି ଜୀବନ ଦୁର୍ବିସହ ହେବାରେ ଲାଗିଛି। ଏଠାରେ ସୂଚନା ଯୋଗ୍ୟ ଯେ, ଏକ ଦଶନ୍ଧି ତଳେ ପିଆଜ ମୂଲ୍ୟ ବୃଦ୍ଧି ଦିଲ୍ଲୀରେ ଶିଲା ଦୀକ୍ଷିତ ସରକାରକୁ ବିଦାୟ ରାସ୍ତା ଦେଖାଇ ଦେଇଥିଲା। ୨୦୧୪ ମସିହାରେ ସାଧାରଣ ନିର୍ବାଚନରେ ବଡ଼ ପ୍ରସଙ୍ଗ ଥିଲା ‘ମୂଲ୍ୟ ବୃଦ୍ଧି’। ପେଟ୍ରୋଲ-ଡ଼ିଜେଲ, ରନ୍ଧନ ଗ୍ୟାସକୁ ନେଇ ରାଜରାସ୍ତାରେ ବିରୋଧୀ ରାଜନୈତିକ ଦଳର ଗର୍ଜନ ଓ କ୍ଷମତାକୁ ଆସିବା ପରେ ମହଙ୍ଗା ମାଡ଼ରୁ ସାଧାରଣ ଲୋକଙ୍କୁ ମୁକ୍ତି ଆଶ୍ୱାସନା କେନ୍ଦ୍ରରେ ସରକାର ପରିବର୍ତ୍ତନ କରି ଦେଇଥିଲା।

Leave A Reply

Your email address will not be published.