ବାଣପୁର ହତ୍ୟାକାଣ୍ଡ ଘଟଣାରେ ପୋଲିସକୁ ମିଳିଲା ମୋବାଇଲ, ରିମାଣ୍ଡ ଶେଷ

ଖୋର୍ଦ୍ଧା : ବାଣପୁର ହତ୍ୟାକାଣ୍ଡରେ ଅଭିଯୁକ୍ତ ଆଶୀର୍ବାଦ ପ୍ରଧାନ ଓରଫ କାହ୍ନାଙ୍କୁ ପୋଲିସ ଦୁଇ ଦିନିଆ ରିମାଣ୍ଡରେ ଆଣିଥିବା ବେଳେ କାଲି ପ୍ରଥମ ଦିନରେ ତଦନ୍ତ ଶେଷକରି ରିମାଣ୍ଡ ଅବଧି ସରିବା ପୁର୍ବରୁ କୋର୍ଟରେ ହାଜର କରିଥିବାର ଜଣାପଡିଛି। ଗତକାଲି ପୂର୍ବାହ୍ନରେ ବାଲୁଗାଁ ଏସଡ଼ିପିଓ, ବାଣପୁର ଆଇଆଇସି ଓ ଟିମ ଅଭିଯୁକ୍ତ କାହ୍ନାକୁ କ୍ରାଇମ ସିନ ରିକ୍ରିଏସନ ପାଇଁ ତାଙ୍କ ବଡ଼ହନ୍ତୁଆଡ଼ ସ୍ଥିତ ଭଡ଼ା ଘରକୁ ନେଇଥିଲେ। ସେଠାରେ ଅଭିଯୁକ୍ତ ଡେମୋ ଦେଖାଇବା ସହ ମୃତ ଆଶୁତୋଷଙ୍କ ମୋବାଇଲ ଫୋନ ନିଜ ଭଡ଼ା ଘର ବାରିପଟ କୂଅରେ ପକାଇଥିବାର କହିଥିଲା।
ସଙ୍ଗେସଙ୍ଗେ ଅଗ୍ନିଶମ ବାହିନୀ ଉକ୍ତ ସ୍ଥାନରେ ପହଞ୍ଚି କୂଅକୁ ଶୁଖାଇଥିଲେ ଏବଂ ତନ୍ମଧ୍ୟରୁ ଏକ OPPO ମୋବାଇଲ ମିଳିଥିଲା ଯାହାକି ମୃତ ଆଶୁତୋଷଙ୍କ ମୋବାଇଲ ବୋଲି ଅଭିଯୁକ୍ତ ଆଶୀର୍ବାଦ ପ୍ରଧାନ ଓରଫ କାହ୍ନା ମୋବାଇଲକୁ ଚିହ୍ନଟ କରିଥିଲା ।

ମୋବାଇଲ ପୋଲିସ ଜବତ କରିବା ସହ ମୋବାଇଲକୁ ଫରେନନେସିକ ଲ୍ୟାବକୁ ପଠାଯିବ ବୋଲି ବାଲୁଗାଁ ଏସ୍ଡିପିଓ କହିଛନ୍ତି । ଅଭିଯୁକ୍ତ କାହ୍ନା ଆଶୁତୋଷକୁ ମାରି ପ୍ରମାଣ ନଷ୍ଟ କରିବା ଉଦ୍ଦେଶ୍ୟରେ ତାଙ୍କ ମୋବଇଲକୁ କୂପରେ ଫୋପାଡିଦେଇଥିବା କହିଥିଲେ। ତେବେ ପାଣି ମଧ୍ୟରେ ୩ ଦିନ ଧରି ଫୋନଟି ଥିବାରୁ ଏହା ସୁଇଚ ଅନ ହୋଇ ପାରିନାହିଁ। ଏଥି ନିମନ୍ତେ ଉକ୍ତ ମୋବାଇଲରୁ ତଥ୍ୟ ସଂଗ୍ରହ ପାଇଁ ରାଜ୍ୟ ଫରେନସିକ ଲ୍ୟାବକୁ ପଠାଯାଇଛି। ଖୋର୍ଦ୍ଧା ଏସପିଙ୍କ ଉକ୍ତ ଘଟଣା ଉପରେ ତୀକ୍ଷ୍ଣ ନଜର ଥିବା ବାଲୁଗାଁ ଏସଡ଼ିପିଓ ମାନସ ରଞ୍ଜନ ବାରିକ କହିଛନ୍ତି।

ରିପୋର୍ଟ କିପରି ଜଲଦି ଆସିବ ସେନେଇ ଏସପି ଫରେନସିକ ଲ୍ୟାବକୁ ଆଉ ଏକ ତ୍ୱରିତ ଚିଠି କରିଥିବାର କହିଛନ୍ତି ଶ୍ରୀ ବାରିକ। ତେବେ ଉକ୍ତ ହତ୍ୟାକାଣ୍ଡ ର ମୁଖ୍ୟ ପ୍ରମାଣ ଉକ୍ତ ମୋବାଇଲ ଫୋନ ହୋଇଥିବାରୁ ଏହାକୁ ଗୁରୁତ୍ୱ ଦେଇଛି ପୋଲିସ। ଅଭିଯୁକ୍ତ କାହ୍ନାଙ୍କ କଥାବାର୍ତ୍ତା ଓ ସମୟରେ ତାଳମେଳ ରହୁନଥିବାରୁ ମୋବାଇଲ ମଧ୍ୟରୁ ଡାଟା ରିକଭରି ହେଲେ ପୋଲିସ କ୍ଷିପ୍ର ଗତିରେ ତଦନ୍ତକୁ ଆଗକୁ ନେବ। ଯେହେତୁ ମୋବଇଲ ଉପରେ ବର୍ତ୍ତମାନ ଅଧିକ ତଦନ୍ତ ନିର୍ଭର କରୁଛି, ସେଥିଲାଗି ମୋବାଇଲ ମିଳିଗଲା ପରେ ପୋଲିସ ରିମାଣ୍ଡ ଅବଧି ଶେଷ ହେବା ପୁର୍ବରୁ ଅଭିଯୁକ୍ତ କାହ୍ନାଙ୍କୁ କୋର୍ଟରେ ହାଜର କରାଯାଇ ଜେଲ ପଠାଇ ଦିଆଯାଇଛି

Leave a comment