ବଡ ଖବର ଓଡ଼ିଶା ମନୋରଞ୍ଜନ ଖେଳ ଖବର ଦେଶ- ବିଦେଶ ଜୀବନଚର୍ଯ୍ୟା ରାଶିଫଳ ବାଣିଜ୍ୟ ଫଟୋ ଗ୍ୟାଲେରୀ ଅପରାଧ ଟେକ୍ନୋଲୋଜି ବିଶେଷ ରାଜନୀତି ସ୍ଵାସ୍ଥ୍ୟ

ଦେଶରେ ଦାନା ବାନ୍ଧୁଛି ଅଣବିଜେପି ମେଣ୍ଟ, ନବୀନଙ୍କୁ ନିଜ ପକ୍ଷକୁ ନେବାକୁ ବିଭିନ୍ନ ଦଳର ଉଦ୍ୟମ

ଭୁବନେଶ୍ୱର: ପୁଣିଥରେ ଦେଶରେ ଦାନା ବାନ୍ଧୁଛି ଅଣ ବିଜେପି ମେଣ୍ଟ। ୨୦୨୪ ସାଧାରଣ ନିର୍ବାଚନ ପୂର୍ବରୁ ଏହି ମେଣ୍ଟ ଗଠନ ପାଇଁ ପ୍ରକ୍ରିୟା ଢ଼େର ଦିନରୁ ଆରମ୍ଭ ହୋଇଛି। ତେଲଙ୍ଗାନା, ମହାରାଷ୍ଟ୍ର, ତାମିଲନାଡ଼ୁ, ପଶ୍ଚିମବଙ୍ଗ, ବିହାର, ଝାଡ଼ଖଣ୍ଡ ଆଦି ରାଜ୍ୟରେ ଶାସନ କରୁଥିବା ଆଞ୍ଚଳିକ ଦଳଗୁଡ଼ିକ ନିଜନିଜସ୍ତରରେ ଏଥିପାଇଁ ଉଦ୍ୟମ ଆରମ୍ଭ କରିଛନ୍ତି। ଏହି ପ୍ରୟାସରେ ମେଣ୍ଟ ଦଳଗୁଡ଼ିକ ନବୀନଙ୍କ ଭୂମିକାକୁ ଗୁରୁତ୍ବ ଦେଇଛନ୍ତି। ବିଭିନ୍ନ ସମୟରେ ବିଭିନ୍ନ ରାଜନୈତିକ ଦଳର ମୁଖ୍ୟମାନେ କେନ୍ଦ୍ର ବିରୋଧୀ ସମାବେଶରେ ଯୋଗ ଦେବାକୁ ବିଜେଡି ସଭାପତି ନବୀନ ପଟ୍ଟନାୟକଙ୍କୁ ନିମନ୍ତ୍ରଣ କରିଛନ୍ତି। ମାତ୍ର ନବୀନ ଏଥିପ୍ରତି କୌଣସି ସକାରାତ୍ମକ ମନୋଭାବ ପ୍ରଦର୍ଶନ କରିନାହାନ୍ତି; ବରଂ ସବୁବେଳେ ସବୁ ପରିସ୍ଥିତିରେ ସେ ‘ସମ ଦୂରତ୍ୱ’ ନୀତି ଅବଲମ୍ବନ କରିଛନ୍ତି। ରାଜ୍ୟ ସ୍ୱାର୍ଥ ଓ ଦେଶର ଜନସାଧାରଣଙ୍କ ହିତ ଭିନ୍ନ କୌଣସି ପ୍ରସଙ୍ଗରେ ସେ ରୁଚି ରଖିବାକୁ ପସନ୍ଦ କରି ନାହାନ୍ତି। ଏହି ପରିପ୍ରେକ୍ଷୀରେ ଜେଡି (ୟୁ) ନେତା କେ.ସି.ତ୍ୟାଗୀ ସମ୍ଭାବ୍ୟ ବିଜେପି ବିରୋଧୀ ମେଣ୍ଟରେ ସାମିଲ ହେବା ପାଇଁ ବିଜେଡି ସଭାପତି ତଥା ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କୁ ନିମନ୍ତ୍ରଣ କରିବା ଭିନ୍ନ ବାର୍ତ୍ତା ଦେଇଛି।

ଅତୀତରେ ବିଜେପି ବିରୋଧୀ ମେଣ୍ଟ, ସମାବେଶ, ରାଜନୈତିକ ମଞ୍ଚରେ ଯୋଗ ଦେବାକୁ ବିଜେଡିକୁ ନିମନ୍ତ୍ରଣ ମିଳିଛି। ପୂର୍ବରୁ ତୃଣମୂଳ ମୁଖ୍ୟ ତଥା ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ କେନ୍ଦ୍ର ସରକାରଙ୍କ ବିରୋଧରେ ମହାମେଣ୍ଟ ଗଠନ ଆହ୍ୱାନ ଦେଇଥିଲେ ଓ ଏଥିରେ ସାମିଲ ହେବାକୁ ବିଜେଡିକୁ ନିମନ୍ତ୍ରଣ କରିଥିଲେ। ଅନୁରୂପ ଭାବରେ ନିକଟ ଅତୀତରେ କଂଗ୍ରେସ ଓ ଅନ୍ୟ ରାଜନୈତିକ ଦଳ ପକ୍ଷରୁ ଅନୁଷ୍ଠିତ ଏକ ସମାବେଶରେ ଯୋଗ ଦେବାକୁ ବିଜେଡିକୁ ନିମନ୍ତ୍ରଣ ମିଳିଥିଲା। ସେହିପରି ବିଜେପିର କଟୁ ସମାଲୋଚକ, ଟିଆରଏସ୍‍ ମୁଖ୍ୟ ତଥା ତେଲଙ୍ଗାନା ମୁଖ୍ୟମନ୍ତ୍ରୀ ଅନୁରୂପ ପ୍ରସଙ୍ଗରେ ନବୀନଙ୍କୁ ଭେଟିବା ପାଇଁ ଚିଠି ଲେଖିଛନ୍ତି। ଏଥିସହିତ ଓଡ଼ିଶା ଗସ୍ତରେ ଥିବା ଶ୍ରୀ ତ୍ୟାଗୀ ଆଜି କହିଛନ୍ତି ଯେ ବିହାର, ଓଡ଼ିଶା, ପଶ୍ଚିମବଙ୍ଗ ଓ ଝାଡ଼ଖଣ୍ଡ ଭଳି ପୂର୍ବାଞ୍ଚଳ ରାଜ୍ୟଗୁଡ଼ିକ ଯଦି ଏକତ୍ରିତ ହୁଅନ୍ତି, ତେବେ ଜାତୀୟ ରାଜନୀତିରେ ସମୀକରଣ ବଦଳାଇବାରେ ସାମର୍ଥ୍ୟ ରଖିବେ। ଉଭୟ ନୀତୀଶ ଓ ନବୀନ ପୂର୍ବର ଜନତା ଦଳରେ ଥିବା ନେତାମାନଙ୍କୁ ଏକାଠି କରିବାର ଦାୟିତ୍ବ ନିଅନ୍ତୁ ବୋଲି ଶ୍ରୀ ତ୍ୟାଗୀ କହିଛନ୍ତି। ଏହି ପରିପ୍ରେକ୍ଷୀରେ ବିଜେଡିର ସହଯୋଗ ପାଇଁ ଜେଡିୟୁ ନେତା ଶ୍ରୀ ତ୍ୟାଗୀଙ୍କ ନିମନ୍ତ୍ରଣ ଯଥେଷ୍ଟ ଗୁରୁତ୍ୱ ବହନ କରୁଛି। ଅନ୍ୟପକ୍ଷରେ ଜେଡି(ୟୁ)ର ସର୍ବମୟ କର୍ତ୍ତା ତଥା ବିହାର ମୁଖ୍ୟମନ୍ତ୍ରୀ ନୀତୀଶକୁମାର ଖୁବ୍‍ଶୀଘ୍ର ଏହି ପ୍ରସଙ୍ଗରେ ପ୍ରସ୍ତାବ ନେଇ ନବୀନଙ୍କୁ ଭେଟି ପାରନ୍ତି ବୋଲି ମଧ୍ୟ ଚର୍ଚ୍ଚା ଆରମ୍ଭ ହେଉଛି।

ଅନ୍ୟପକ୍ଷରେ ବିଜୁବାବୁଙ୍କୁ ଭାରତ ରତ୍ନ ସମ୍ମାନ ପ୍ରଦାନ ସଂକ୍ରାନ୍ତ ବିଜେଡିର ଦାବିକୁ ଜେଡି(ୟୁ) ସମର୍ଥନ କରିଛି। ବିଜୁ ପଟ୍ଟନାୟକଙ୍କ ରାଷ୍ଟ୍ରପ୍ରୀତିକୁ ଅନନ୍ୟ ବୋଲି ବର୍ଣ୍ଣନା କରି ଶ୍ରୀ ତ୍ୟାଗୀ କହିଛନ୍ତି, ବିଜୁବାବୁ ଯଦି ଉତ୍ତର ଭାରତରେ ଜନ୍ମ ନେଇଥାନ୍ତେ ତେବେ ସେ ପ୍ରଧାନମନ୍ତ୍ରୀ ପଦ ଅଳଙ୍କୃତ କରିପାରିଥା’ନ୍ତେ। ତେବେ ତ୍ୟାଗୀଙ୍କ ଏହି ବକ୍ତବ୍ୟକୁ ନେଇ ବିଜେଡି ପକ୍ଷରୁ କୌଣସି ପ୍ରତିକ୍ରିୟା ଦିଆଯାଇନାହିଁ।

Leave A Reply

Your email address will not be published.