ବଡ ଖବର ଓଡ଼ିଶା ମନୋରଞ୍ଜନ ଖେଳ ଖବର ଦେଶ- ବିଦେଶ ଜୀବନଚର୍ଯ୍ୟା ରାଶିଫଳ ବାଣିଜ୍ୟ ଫଟୋ ଗ୍ୟାଲେରୀ ଅପରାଧ ଟେକ୍ନୋଲୋଜି ବିଶେଷ ରାଜନୀତି ସ୍ଵାସ୍ଥ୍ୟ

ନବୀନଙ୍କ ‘ଶଙ୍ଖ’ ବ୍ୟୂହ: ଶେଷ ଦିନରେ ୪ ଲୋକସଭା, ୨୮ ବିଧାନସଭା ଆସନରେ ରଣନୀତି ପ୍ରସ୍ତୁତ

ଭୁବନେଶ୍ୱର: ୨୦୨୪ ମହାସମରରେ ବିଶାଳ ବିଜୟ ନିମନ୍ତେ ନକ୍ସା ଆଙ୍କିଛନ୍ତି ଦଳର ସଭାପତି ତଥା ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ। ନିର୍ବାଚନୀ କ୍ଷେତ୍ରରେ ଶଙ୍ଖ ବ୍ୟୂହ ସୃଷ୍ଟି କରି ବୃହତ୍‌ ବ୍ୟବଧାନରେ ଦଳୀୟ ପ୍ରାର୍ଥୀଙ୍କୁ ବିଜୟୀ କରିବାକୁ ଦେଇଛନ୍ତି ମନ୍ତ୍ର । ଆଜି ନବୀନ ନିବାସରେ ୪ ଲୋକସଭା ଓ ୨୮ ବିଧାନସଭା ଆସନର ନିର୍ବାଚନୀ ରଣନୀତି ସମୀକ୍ଷା ଅବସରରେ ଦଳର ସଭାପତି ଜଣଜଣ କରି ପ୍ରତ୍ୟେକ ନେତା ଓ ପର୍ଯ୍ୟବେକ୍ଷକଙ୍କ ସହ ନିର୍ବାଚନୀ ରଣନୀତି ଓ ପ୍ରସ୍ତୁତିର ସମୀକ୍ଷା କରିଛନ୍ତି । ଏହା ସହ କ୍ଷେତ୍ରରେ କାର୍ଯ୍ୟ ଆରମ୍ଭ କରିବାକୁ ମଧ୍ୟ ନିର୍ଦ୍ଦେଶ ଦେଇଛନ୍ତି ।

ଆଜି ମୁଖ୍ୟମନ୍ତ୍ରୀ ମୟୂରଭଞ୍ଜ, କେନ୍ଦୁଝର, ବାଲେଶ୍ୱର ଓ ଭଦ୍ରକ ସଂସଦୀୟ କ୍ଷେତ୍ର ଏବଂ ଏହା ଅନ୍ତର୍ଗତ ୨୮ଟି ନିର୍ବାଚନମଣ୍ଡଳୀର ସମୀକ୍ଷା କରିଛନ୍ତି। ଦଳର ନିର୍ବାଚନ ପ୍ରସ୍ତୁତି, ଲୋକଙ୍କ ସହ ନେତାଙ୍କ ଜନସମ୍ପର୍କ ଏବଂ ପ୍ର୍ରାର୍ଥିତ୍ୱ ସମ୍ପର୍କରେ ବୈଠକରେ ଗୋଟିଗୋଟି କରି ଆଲୋଚନା କରିଛନ୍ତି । ରାଜ୍ୟ ସରକାରଙ୍କ ବିକାଶ ବାର୍ତ୍ତାକୁ ଲୋକଙ୍କ ନିକଟରେ ଶତ ପ୍ରତିଶତ ଭାବେ ପହଞ୍ଚାଇବା ସହ ନିର୍ବାଚନମଣ୍ଡଳୀରେ ସମ୍ପୂର୍ଣ୍ଣ ପ୍ରତିବଦ୍ଧତାର ସହ ନିର୍ବାଚନୀ ପ୍ରସ୍ତୁତିରେ ଲାଗିପଡ଼ିବାକୁ ମୁଖ୍ୟମନ୍ତ୍ରୀ ପରାମର୍ଶ ଦେଇଛନ୍ତି। ବୈଠକରେ ୫-ଟି ଅଧ୍ୟକ୍ଷ କାର୍ତ୍ତିକ ପାଣ୍ଡିଆନ୍‌, ବିଜେଡି ସାଂଗଠନିକ ସମ୍ପାଦକ ପ୍ରଣବ ପ୍ରକାଶ ଦାସ ମଧ୍ୟ ନିର୍ବାଚନ ପରିଚାଳନା ସମ୍ପର୍କରେ ବିସ୍ତୃତ ଆଲୋଚନା କରିଛନ୍ତି ।

ଆଜି ପ୍ରଥମେ ନବୀନ ନିବାସରେ ମୟୂରଭଞ୍ଜ ଓ କେନ୍ଦୁଝର ସଂସଦୀୟ କ୍ଷେତ୍ର ପାଇଁ ସମୀକ୍ଷା କାର୍ଯ୍ୟକ୍ରମ ହୋଇଥିଲା। ବୈଠକରେ ଉଭୟ ଜିଲ୍ଲାର ପର୍ଯ୍ୟବେକ୍ଷକ ସଂସଦୀୟ କ୍ଷେତ୍ର ଅଧିନରେ ଆସୁଥିବା ୧୪ଟି ନିର୍ବାଚନମଣ୍ଡଳୀର ରିପୋର୍ଟ ଭିନ୍ନ ଭିନ୍ନ ଭାବେ ଉପସ୍ଥାପନ କରିଥିଲେ। ସେହିପରି ଉପସ୍ଥିତ ଥିବା ବିଧାୟକ ଏବଂ ନେତାମାନେ ମଧ୍ୟ ନିଜ ନିଜର ରିପୋର୍ଟ ଏବଂ ମତ ମୁଖ୍ୟମନ୍ତ୍ରୀଙ୍କ ଆଗରେ ଉପସ୍ଥାପନ କରିଥିଲେ। ମୟୂରଭଞ୍ଜ ସଂସଦୀୟ କ୍ଷେତ୍ର ଅଧିନରେ ୭ଟି ନିର୍ବାଚନମଣ୍ଡଳୀ ରହିଥିବା ବେଲେ ୨୦୧୯ ବିଧାନସଭା ନିର୍ବାଚନରେ ବିଜେପିକୁ ୫ଟି ଏବଂ ବିଜେଡିକୁ ୨ଟି ଆସନ ମିଳିଥିଲା। ସେହିପରି ଲୋକସଭା ଆସନ ବିଜେପିକୁ ଯାଇଥିଲା। ତେବେ ଏହାପରେ ବିଜେଡିର ସାଂଗଠନିକ କାର୍ଯ୍ୟକ୍ରମକୁ ବ୍ୟାପକ କରାଯିବା ପରେ ଅନୁଷ୍ଠିତ ପଞ୍ଚାୟତ ଓ ପୌର ନିର୍ବାଚନରେ ବିଜେପି ଚିତ୍‌ପଟ୍ଟାଙ୍ଗ ମାରିଥିଲା। କେନ୍ଦୁଝର ସଂସଦୀୟ କ୍ଷେତ୍ର ଅଧିନରେ ମୋଟ ୭ଟି ନିର୍ବାଚନମଣ୍ଡଳୀ ଆସୁଥିବା ବେଳେ ଗତ ନିର୍ବାଚନରେ ବିଜେଡି ୬ ଏବଂ ବିଜେପି ମାତ୍ର ୧ଟି ଆସନରେ ବିଜୟୀ ହୋଇଥିଲେ। କେନ୍ଦୁଝର ଲୋକସଭା ଆସନକୁ ବିଜେଡି ଜିଣିବାରେ ସକ୍ଷମ ହୋଇଥିଲା। ଅତଏବ ଉଭୟ ସଂସଦୀୟ କ୍ଷେତ୍ର ଏବଂ ଏହା ଅଧିନରେ ଆସୁଥିବା ସମସ୍ତ ବିଧାନସଭା ନିର୍ବାଚନ ମଣ୍ଡଳୀରେ ବିଜୟ ଯେପରି ସୁନିଶ୍ଚିତ ହେୀାଇପାରିବ ସେନଇ ମୁଖ୍ୟମନ୍ତ୍ରୀ ଗୁରୁମନ୍ତ୍ର ପ୍ରଦାନ କରିଥିଲେ। ବିଜେଡି ପ୍ରତି ଲୋକଙ୍କର ଆଶା ଆକାଂକ୍ଷା ଦିନକୁ ଦିନ ବଢ଼ିବାରେ ଲାଗିଛି। ସେହି ଅନୁଯାୟୀ ଆମକୁ ଅଧିକ ଯତ୍ନବାନ ହୋଇ ଜନସେବାରେ ବ୍ରତୀ ହେବାକୁ ପଡ଼ିବ ବୋଲି ମୁଖ୍ୟମନ୍ତ୍ରୀ ଉପସ୍ଥିତ ନେତାଙ୍କୁ ପରାମର୍ଶ ଦେଇଥିଲେ। ‘୫-ଟି’ ଅଧ୍ୟକ୍ଷ କାର୍ତ୍ତିକ ପାଣ୍ଡିଆନ ଦଳର ନେତାମାନଙ୍କୁ ତ୍ରୁଟିଶୂନ୍ୟ ନିର୍ବାଚନୀ ପରିଚାଳନା ଓ ନିଜନିଜ ମଧ୍ୟରେ ସମନ୍ୱୟ ରଖି କାର୍ଯ୍ୟ କରିବାକୁ ପରାମର୍ଶ ଦେଇଥିଲେ। ଏହି ଅବସରରେ ମନ୍ତ୍ରୀ ସୁଦାମ ମାର୍ଣ୍ଡି, ରାଜକିଶୋର ଦାସ, ରାଜ୍ୟସଭା ସାଂସଦ ମମତା ମହାନ୍ତ, ଭାଗିରଥି ସେଠୀ, ବଦ୍ରିନାରାୟଣ ପାତ୍ର, ମିନାକ୍ଷୀ ମହାନ୍ତ, ବାସନ୍ତୀ ହେମ୍ବ୍ରମ୍‌ ଏବଂ ଅନ୍ୟମାନେ ଉପସ୍ଥିତ ଥିଲେ।

ସେହିପରି ଅପରାହ୍ନରେ ବାଲେଶ୍ୱର ଓ ଭଦ୍ରକ ସଂସଦୀୟ କ୍ଷେତ୍ର ଅନ୍ତର୍ଗତ ୧୪ ବିଧାନସଭା ଆସନକୁ ନେଇ ଦଳୀୟ ସ୍ଥିତିର ସମୀକ୍ଷା କରିଥିଲେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ। ଗତ ସାଧାରଣ ନିର୍ବାଚନରେ ବିଜେଡି ୧୪ ଆସନରୁ ୧୧ ଆସନ ଜିଣିବାରେ ସମର୍ଥ ହୋଇଥିଲା। ସେହିପରି ୨ ଲୋକସଭା ଆସନକୁ ଉଭୟ ବିଜେଡି-ବିଜେପି ଗୋଟିଏ ଲେଖାଏଁ ବାଣ୍ଟି ନେଇଥିଲେ। ତେବେ ଆସନ୍ତା ନିର୍ବାଚନରେ ଦଳ ସେଠାରେ ଯେପରି ଭଲ ପ୍ରଦର୍ଶନ କରିବ ସେନେଇ ଦଳୀୟ ନେତା ସମ୍ପୂର୍ଣ୍ଣ ପ୍ରତିବଦ୍ଧତାର ସହ କାମ କରିବାକୁ ମୁଖ୍ୟମନ୍ତ୍ରୀ ପରାମର୍ଶ ଦେଇଥିବା ଜଣାପଡ଼ିଛି। ବାଲେଶ୍ୱର ସଂସଦୀୟ କ୍ଷେତ୍ର ସମୀକ୍ଷା ବେଳେ ପର୍ଯ୍ୟବେକ୍ଷକ ପ୍ରତାପ ଦେବ ବରିଷ୍ଠ ନେତା ଅଶ୍ୱିନୀ ପାତ୍ର, ଅନନ୍ତ ଦାସ, ସ୍ୱରୂପ ଦାସ, ରବୀନ୍ଦ୍ର ଜେନା, ସୁବାସିନୀ ଜେନା ପ୍ରମୁଖ ଉପସ୍ଥିତ ଥିଲେ। ସେହିପରି ଭଦ୍ରକ ସଂସଦୀୟ କ୍ଷେତ୍ର ସମୀକ୍ଷା ବେଳେ ପର୍ଯ୍ୟବେକ୍ଷକ ସଞ୍ଜୟ ଦାସବର୍ମା, ବିଧାୟକ ବିଷ୍ଣୁବ୍ରତ ରାଉତରାୟ, ବ୍ୟୋମକେଶ ରାୟ, ସଞ୍ଜୀବ ମଲ୍ଲିକ, ସାଂସଦ ମଞ୍ଜୁଲତା ମଣ୍ଡଳ ପ୍ରମୁଖ ଉପସ୍ଥିତ ଥିଲେ। ବିଜେଡି ସଂଗଠନ କିପରି ଅଧିକରୁ ଅଧିକ ସୁଦୃଢ଼ ହେବ ସେନେଇ ବିଶେଷ ଆଲୋଚନା ହୋଇଛି। ସମସ୍ତେ ସମ୍ମିଳିତ ହୋଇ ଆଗାମୀ ନିର୍ବାଚନରେ ଦଳ ପାଇଁ କାମ କରିବାକୁ ମୁଖ୍ୟମନ୍ତ୍ରୀ ପରାମର୍ଶ ଦେଇଛନ୍ତି। ଆଗାମୀ ନିର୍ବାଚନରେ ଏହି ସଂସଦୀୟ କ୍ଷେତ୍ରରେ ଦଳ ଶ୍ରେଷ୍ଠ ପ୍ରଦର୍ଶନ କରିବ ବୋଲି ଉପସ୍ଥିତ ନେତାଏ ଦୃଢେ଼ାକ୍ତି ପ୍ରକାଶ କରିଛନ୍ତି।

 

Leave A Reply

Your email address will not be published.