ବଡ ଖବର ଓଡ଼ିଶା ମନୋରଞ୍ଜନ ଖେଳ ଖବର ଦେଶ- ବିଦେଶ ଜୀବନଚର୍ଯ୍ୟା ରାଶିଫଳ ବାଣିଜ୍ୟ ଫଟୋ ଗ୍ୟାଲେରୀ ଅପରାଧ ଟେକ୍ନୋଲୋଜି ବିଶେଷ ରାଜନୀତି ସ୍ଵାସ୍ଥ୍ୟ

ମା’ ଦକ୍ଷିଣକାଳୀଙ୍କଠାରେ ଲାଗି ହେଲା ୧୪ ଥାଳି ଭୋଗ, ସବୁଦିନ ଲାଗିହୁଏ ଆମିଷ ଭୋଗ

ଆରମ୍ଭ ହୋଇଛି ପହିଲି ଭୋଗ ନୀତି

ନୟାଗଡ଼ : ଶନିବାର ପବିତ୍ର ଧନୁ ସଂକ୍ରାନ୍ତିଠାରୁ ନୟାଗଡ଼ ପୁରୁଣାସହରରେ ଅଧିଷ୍ଠାତ୍ରୀ ଦେବୀ ମା ଦକ୍ଷିଣକାଳୀଙ୍କଠାରେ ପହିଲି ଭୋଗ ନୀତି ଆରମ୍ଭ ହୋଇଛି । ଏହା ମକର ସଂକ୍ରାନ୍ତି ପର୍ଯ୍ୟନ୍ତ ଚାଲିଥାଏ । ପ୍ରତ୍ୟେକ ଦିନ ମା’ଙ୍କ ପାଖରେ ୧୪ ଥାଳି ଭୋଗ ଲାଗି ହୁଏ । ଏଥିରେ ୧୧ ଥାଳି କାନିକା ଭୋଗ ଏବଂ ୩ ଥାଳି ଖେଚେଡ଼ି ଭୋଗ ଲାଗି କରାଯାଇଥାଏ । ଖେଚେଡ଼ି ଭୋଗରେ ପ୍ରତ୍ୟେକ ଦିନ ଆମିଷ ପୂଜା ହୋଇଥାଏ । ଭକ୍ତଙ୍କ ଆଗ୍ରହକୁ ଦୃଷ୍ଟିରେ ରଖି ଭୋଗ ଥାଳି ସଂଖ୍ୟା ବୃଦ୍ଧି କରାଯାଇଥାଏ । ଏପରିକି ବେଳେ ବେଳେ ୪୦ରୁ ୫୦ ଥାଳି ଭୋଗ ଲାଗି ହୁଏ ବୋଲି ଭୋଗ ବଣ୍ଟନ ଦାୟିତ୍ୱରେ ଥିବା ବରିଷ୍ଠ ସାମ୍ବାଦିକ ଦୀନମଣି ମହାନ୍ତି ସୂଚନା ଦେଇଛନ୍ତି ।

ଓଡ଼ିଶାରେ ଯେଉଁ କେତୋଟି ପ୍ରସିଦ୍ଧ ଦେବୀ ପୀଠ ରହିଛି ସେଥିମଧ୍ୟରୁ ନୟାଗଡ଼ ସଦରମହକୁମାରେ ଅବସ୍ଥିତ ମା’ ଦକ୍ଷିଣକାଳୀ ପୀଠ ହେଉଛି ଅନ୍ୟତମ । ନୟାଗଡ଼ ପୁରୁଣାସହରରେ ଅବସ୍ଥିତ ଏହି ପୀଠରେ ବାରମାସରେ ତେର ପର୍ବ ପାଳନ କରାଯାଇଥାଏ । ଦକ୍ଷିଣକାଳୀଙ୍କ ମନ୍ଦିରଟି ବଳରାମ ପାହାଡ଼ ପାଦଦେଶରେ ଅବସ୍ଥିତ ହୋଇଥିବାରୁ ଏଠାରେ ଏକ ସୁନ୍ଦର ପରିବେଶ ପର୍ଯ୍ୟଟକଙ୍କୁ ଆକୃଷ୍ଠ କରେ । ମାଆଙ୍କ ପୂଜା ବିଧି କାହିଁ କେଉଁ ଅମଳରୁ ପ୍ରଚଳିର ବୋଲି ମୁଖ୍ୟ ପୂଜାରି କହିଛନ୍ତି । ମାଆଙ୍କ ପାଖରେ କେଉଁ ଦିନ ବଡ଼ ମାଛ ଭଜା ହୁଏ ତ ପୁଣି କେଉଦିନ ଚିଙ୍ଗୁଡ଼ି ପୂଜା କରାଯାଏ । ମାଙ୍କ ପୀଠରେ ଥରେ ଜଣେ ପୂଜକ ସକାଳୁ ପୂଜା କରିବାକୁ ଆସିବା ବେଳକୁ ସେଠାରେ ମାଛ କଣ୍ଟା ପଡ଼ିଥିବା ଦେଖା ଯାଇଥିଲା । ସେ ଏହାକୁ ସଫା କରିଥିଲେ । ବାରମ୍ବାର ଏଭଳି ଘଟଣା ଦେଖା ଯିବା ପରେ ମାଙ୍କ ପାଖରେ ଆମିଷ ପୂଜା ପରମ୍ପରା ଜନଶୃତିରୁ ଜଣାଯାଏ ।

ଆମିଷ ପୂଜା ଏବଂ ବଳିପ୍ରଥା ଏଠାରେ ବହୁ ପୁରାତନ ପରମ୍ପରା ଥିଲା । ଏବେ ବଳିପ୍ରଥା ବନ୍ଦ ହୋଇଥିବା ବେଳେ ମାଆଙ୍କ ପାଖରେ ମାନସିକ ରଖିଥିବା ବ୍ୟକ୍ତି କୁକୁଡ଼ା ଆଣି ମାଆଙ୍କ ପୀଠରେ ଛାଡ଼ି ଯାଉଥିବା ଦେଖାଯାଏ । ଅନ୍ୟପକ୍ଷେ, ମାଆଙ୍କ ପାଖକୁ ଆସୁଥିବା ଭକ୍ତଙ୍କ ପାଇଁ ଏଠାରେ ସ୍ୱତନ୍ତ୍ର ଭୋଗ ଦୋକାନ ବ୍ୟବସ୍ଥା ହୋଇଛି । ଏହି ଭୋଗ ଦୋକାନ ବହୁ ପୁରାତନ ଏବଂ ଏହା ମନ୍ଦିର ପରିଚାଳନା କମିଟି ଦ୍ୱାରା ନିଲାମ ଦିଆଯାଏ । ସେହି ଦୋକାନରେ ପ୍ରସ୍ତୁତ ହେଉଥିବା କାକରା ପୀଠାକୁ ଭକ୍ତମାନେ ମାଆଙ୍କ ପାଖରେ ଲାଗି କରିଥାନ୍ତି । ଦକ୍ଷିଣକାଳୀଙ୍କର ଏହା ଅନ୍ୟ ଏକ ସ୍ୱତନ୍ତ୍ରତା ବୋଲି ଧରାଯାଏ ।

Leave A Reply

Your email address will not be published.