ବଡ ଖବର ଓଡ଼ିଶା ମନୋରଞ୍ଜନ ଖେଳ ଖବର ଦେଶ- ବିଦେଶ ଜୀବନଚର୍ଯ୍ୟା ରାଶିଫଳ ବାଣିଜ୍ୟ ଫଟୋ ଗ୍ୟାଲେରୀ ଅପରାଧ ଟେକ୍ନୋଲୋଜି ବିଶେଷ ରାଜନୀତି ସ୍ଵାସ୍ଥ୍ୟ
BJD 166×600

ନାହିଁ ନାହିଁରେ ଚାଲିଛି ଓଡ଼ିଶାର ଏକମାତ୍ର କେନ୍ଦ୍ରୀୟ ବିଶ୍ବବିଦ୍ୟାଳୟ, ଶିକ୍ଷକ ପଦ ପୂରଣ ଲାଗି ପ୍ରତିଶ୍ରୁତି ଦେଇ ଭୁଲିଗଲେ ଧର୍ମେନ୍ଦ୍ର ପ୍ରଧାନ

ଅନୁମୋଦିତ ମୋଟ ୧୫୩ ଶିକ୍ଷକ ପଦରୁ ୯୯ ଖାଲି

କୋରାପୁଟ : ବାରମ୍ବାର ଦାବି ସତ୍ତ୍ବେ ପୂରଣ ହେଉନି ଓଡ଼ିଶା କେନ୍ଦ୍ରୀୟ ବିଶ୍ୱବିଦ୍ୟାଳୟର ଶିକ୍ଷକ ଓ କର୍ମଚାରୀ ପଦ। ଦୀର୍ଘ ଦିନର ବ୍ୟବଧାନ ପରେ ସ୍ଥାୟୀ କୁଳପତି ନିଯୁକ୍ତି ଦିଆଯାଇଛି; ମାତ୍ର ଶିକ୍ଷକ ଓ ଅଣଶିକ୍ଷକ ନିଯୁକ୍ତି ପ୍ରକ୍ରିୟା ଆଗକୁ ବଢ଼ୁନି। କେନ୍ଦ୍ର ଶିକ୍ଷା ମନ୍ତ୍ରଣାଳୟ ୨୦୨୧ ମସିହାରୁ କେନ୍ଦ୍ରୀୟ ବିଶ୍ୱବିଦ୍ୟାଳୟ ପାଇଁ ନିଯୁକ୍ତି ପ୍ରକ୍ରିୟା ତ୍ୱରାନ୍ୱିତ କରିଥିବା କହି ଆସୁଛି, ମାତ୍ର ଏଥିରେ କୋରାପୁଟ ସ୍ଥିତ ଓଡ଼ିଶା କେନ୍ଦ୍ରୀୟ ବିଶ୍ୱବିଦ୍ୟାଳୟ(ସିୟୁଓ)କୁ ଗୁରୁତ୍ୱ ଦିଆଯାଉ ନାହିଁ। ଗତବର୍ଷ ଏପ୍ରିଲ ପହିଲାରେ କେନ୍ଦ୍ର ଶିକ୍ଷାମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ବିଶ୍ୱବିଦ୍ୟାଳୟ ଗସ୍ତରେ ଆସିଥିବାବେଳେ ଛଅମାସରେ ସବୁ ପଦ ପୂରଣ ହେବ ବୋଲି ପ୍ରତିଶ୍ରୁତି ଦେଇଥିଲେ। ମାତ୍ର ଇତିମଧ୍ୟରେ ବର୍ଷେ ବିତିଗଲାଣି, ୧୬ ବର୍ଷର ଏହି କେନ୍ଦ୍ରୀୟ ପ୍ରତିଷ୍ଠାନରେ ଶିକ୍ଷକ ପଦ ପୂରଣ ହୋଇ ପାରିଲା ନାହିଁ।

ଆଦିବାସୀ ବହୁଳ ଅବିଭକ୍ତ କୋରାପୁଟ-କଳାହାଣ୍ଡି ଜିଲ୍ଲାର ଛାତ୍ରଛାତ୍ରୀ ଉଚ୍ଚଶିକ୍ଷା ଲାଭ ନିମନ୍ତେ ଜିଲ୍ଲା ବାହାର କିମ୍ୱା ରାଜ୍ୟ ବାହାରକୁ ଯାଇ ପଢ଼ିବା ସମ୍ଭବପର ନ ଥିବାରୁ ଅନେକ ବର୍ଷର ଦାବି ପରେ ୨୦୦୯ରେ ତକ୍ରାଳୀନ କେନ୍ଦ୍ରର ଉପା ସରକାର କୋରାପୁଟରେ କେନ୍ଦ୍ରୀୟ ବିଶ୍ୱବିଦ୍ୟାଳୟ ସ୍ଥାପନ କରିଥିଲେ। ରାଜ୍ୟ ସରକାର କେନ୍ଦ୍ରୀୟ ବିଶ୍ୱବିଦ୍ୟାଳୟ ନିମନ୍ତେ ୪୦୦ରୁ ଊର୍ଦ୍ଧ୍ୱ ଏକର ସରକାରୀ ଜମି ବିନା ମୂଲ୍ୟରେ ଦେବା ସହ ଅନ୍ୟାନ୍ୟ ଆନୁସଙ୍ଗିକ ବ୍ୟବସ୍ଥା ଯୋଗାଇ ଦେଇଛନ୍ତି। ହେଲେ ବିଶ୍ୱବିଦ୍ୟାଳୟ ପ୍ରତିଷ୍ଠା ହେବାର ପ୍ରାୟ ୧୬ବର୍ଷ ହେଲାଣି ସେହି ଅନୁପାତରେ ଯେତେ ବିକଶିତ ହେବା କଥା ତାହା ହୋଇ ପାରି ନାହିଁ। ବିଶ୍ୱବିଦ୍ୟାଳୟ ପ୍ରତିଷ୍ଠା ହେବାର ୫ରୁ ୭ବର୍ଷ ମଧ୍ୟରେ ଯେତିକି ସଂଖ୍ୟକ ଅଧ୍ୟାପକ ନିଯୁକ୍ତ ହୋଇଥିଲେ ବର୍ତ୍ତମାନ ସେତିକିରେ ଅଟକି ରହିଛି।

ଗତ ୫ ବର୍ଷ ମଧ୍ୟରେ କୌଣସି ଶିକ୍ଷକ ପଦ ପୂରଣ ହୋଇ ନଥିବା ବେଳେ ବିଶ୍ୱବିଦ୍ୟାଳୟରେ ଥିବା ୧୮ଟି ବିଭାଗରେ ୯୯ରୁ ଊର୍ଦ୍ଧ୍ୱ ଶିକ୍ଷକ ପଦ ଖାଲି ରହିଛି। ଅତିଥି ଅଧ୍ୟାପକ ଏବଂ ଠିକା ଅଧ୍ୟାପକଙ୍କୁ ନେଇ ଚାଲିଛି ଏହି କେନ୍ଦ୍ରୀୟ ବିଶ୍ୱ ବିଦ୍ୟାଳୟ। ସୂଚନା ଅନୁସାରେ ଏଠାରେ ୧୮ଟି ବିଭାଗ ନିମନ୍ତେ ମୋଟ ୧୫୩ଟି ଅନୁମୋଦନ ପ୍ରାପ୍ତ ଶିକ୍ଷକ ପଦ ରହିଛି। ମାତ୍ର ବିଡ଼ମ୍ବନା ହେଉଛି ଗତ ୧୬ ବର୍ଷ ମଧ୍ୟରେ ନିଯୁକ୍ତି ପାଇଛନ୍ତି ମାତ୍ର ୫୩ ଜଣ ଅଧ୍ୟାପକ ଓ ସହକାରୀ ଅଧ୍ୟାପକ। ବିଶ୍ୱବିଦ୍ୟାଳୟର ୧୮ ଟି ବିଭାଗରେ ୧୮ ଜଣ ପ୍ରଫେସର୍‌, ୧୮ ଜଣ ସହକାରୀ ପ୍ରଫେସର୍‌ ଓ ୧୦ ଜଣ ଆସୋସିଏଟ୍‌ ପ୍ରଫେସର୍‌ ପଦ ସହ ପ୍ରାୟ ୯୯ ଟି ଅଧ୍ୟାପକ ପଦ ଖାଲି ପଡ଼ିଛିା ଶିକ୍ଷାଦାନକୁ ସ୍ୱାଭାବିକ କରିବା ନିମନ୍ତେ ୩୬ ଜଣ ଅତିଥି ବା ଠିକା ଅଧ୍ୟାପକଙ୍କୁ ନିଯୁକ୍ତି ଦିଆଯାଇଛି । ସେହିପରି ମଞ୍ଜୁରପ୍ରାପ୍ତ ୧୧୫ ଅଣ ଶିକ୍ଷକ ପଦରୁ ମାତ୍ର ୨୪ଟି ପୂରଣ କରାଯାଇଛି ଓ ଅବଶିଷ୍ଟ ୯୧ ପଦ ଖାଲି ପଡ଼ିଛି ।

Article Bottom (Mobile Only)

ବିଡ଼ମ୍ୱନା ହେଉଛି ଧର୍ମେନ୍ଦ୍ର ପ୍ରଧାନ କେନ୍ଦ୍ର ଶିକ୍ଷାମନ୍ତ୍ରୀ ହେବା ପରେ ଓଡ଼ିଶା କେନ୍ଦ୍ରୀୟ ବିଶ୍ୱବିଦ୍ୟାଳୟର ଭାଗ୍ୟରେ ଅନେକ ପରିବର୍ତ୍ତନ ହେବ ବୋଲି ଓଡ଼ିଶାବାସୀ ଆଶା ବାନ୍ଧିଥିଲେ। ମାତ୍ର ଦୁର୍ଭାଗ୍ୟଜନକ ବିଷୟ ହେଉଛି ୨୦୨୧ରୁ ଶ୍ରୀ ପ୍ରଧାନ କେନ୍ଦ୍ର ଶିକ୍ଷାମନ୍ତ୍ରୀ ଦାୟିତ୍ୱ ନେବା ପରେ କେନ୍ଦ୍ରୀୟ ବିଶ୍ୱବିଦ୍ୟାଳୟରେ ନିଯୁକ୍ତି ନେଇ ସେପରି କୌଣସି ଉଲ୍ଲେଖନୀୟ ଅଗ୍ରଗତି ଦେଖିବାକୁ ମିଳିନାହିଁ। ୨୦୨୩ ଏପ୍ରିଲ ପହିଲାରେ କେନ୍ଦ୍ର ଶିକ୍ଷାମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ବିଶ୍ୱବିଦ୍ୟାଳୟ ଗସ୍ତରେ ଆସି ଅନେକ ପ୍ରତିଶ୍ରୁତି ଦେଇଥିଲେ। ପ୍ରତିଶ୍ରୁତି ମଧ୍ୟରେ ବିଶ୍ୱବିଦ୍ୟାଳୟରେ ଖାଲିଥିବା ଶିକ୍ଷକ ପଦ ୬ ମାସ ମଧ୍ୟରେ ପୂରଣ କରିବାକୁ ପ୍ରତିଶ୍ରୁତି ଦେଇଥିଲେ। ମାତ୍ର ଏହା କେବଳ ପ୍ରତିଶ୍ରୁତିରେ ହିଁ ସୀମିତ ରହିଛି। ସେହିପରି ବିଶ୍ୱବିଦ୍ୟାଳୟରେ ବିଇଡି ପାଠ୍ୟକ୍ରମର ସିଟ୍‌ ସଂଖ୍ୟା କୌଣସି କାରଣ ନଥାଇ ହ୍ରାସ କରାଯାଇଛି।

ପୂର୍ବରୁ ଏଠାରେ ୨୦୦ ବିଏଡ଼୍‌ ଆସନ ଥିବାବେଳେ ତାହା ୧୦୦କୁ ହ୍ରାସ କରାଯିବାର ରହସ୍ୟ ସମ୍ପର୍କରେ କେହି କିଛି କହିପାରୁ ନାହାନ୍ତି। ଏନ୍‌ସିଇଟିର ଅନୁମୋଦନ ପରେ ଏଠାରେ ୨୦୧୩ ରେ ବିଇଡି ପାଠ୍ୟକ୍ରମ ଖୋଲା ଯାଇଥିଲା। ପ୍ରତିବର୍ଷ ବିଜ୍ଞାନ ସ୍ନାତକର ୧୦୦ ଓ କଳା ସ୍ନାତକର ୧୦୦ ମୋଟ ୨୦୦ ଛାତ୍ରଛାତ୍ରୀ ବିଇଡି ପାଠ୍ୟକ୍ରମରେ ନାମ ଲେଖାଇବାର ବ୍ୟବସ୍ଥା କରାଗଲା। ଏହା ବ୍ୟତୀତ ଆର୍ଥିକ ଅନଗ୍ରସରଙ୍କ ପାଇଁ ୧୦ ପ୍ରତିଶତ, ଦିବ୍ୟାଙ୍ଗଙ୍କ ପାଇଁ ୨ ପ୍ରତିଶତ ଅତିରିକ୍ତ ସିଟ୍‌ ବ୍ୟବସ୍ଥା କରାଯାଇଥିଲା। କିନ୍ତୁ କୌଣସି କାରଣ ନଥାଇ ବିଶ୍ୱବିଦ୍ୟାଳୟ କର୍ତ୍ତୃପକ୍ଷ ବିଇଡି ସିଟ୍‌ ସଂଖ୍ୟା ୨୦୦ରୁ ୧୦୦କୁ ଖସାଇ ଦେଇଥିବା ଅଭିଯୋଗ ହୋଇଛି ।

ଅନ୍ୟପକ୍ଷରେ ଶିକ୍ଷକ ପଦ ଅପୂରଣୀୟ ରହିବା କାରଣ ସମ୍ପର୍କରେ କୁଳପତି ପ୍ରଫେସର ଚକ୍ରଧର ତ୍ରିପାଠୀ ଭିନ୍ନମତ ପୋଷଣ କରିଛନ୍ତି । ଯୋଗ୍ୟତା ସମ୍ପନ୍ନ ପ୍ରାର୍ଥୀ ମିଳୁ ନ ଥିବା ଯୋଗୁଁ ପଦ ପୂରଣ ହୋଇପାରୁ ନାହିଁ ବୋଲି ପ୍ରଫେସର ତ୍ରିପାଠୀ କହିଛନ୍ତି। ସେହିପରି ଉଚ୍ଚ ନ୍ୟାୟାଳୟର ସ୍ଥଗିତାଦେଶ ଯୋଗୁଁ ୧୦ଟି ପଦ ପୂରଣ ହୋଇ ପାରିନାହିଁ ବୋଲି ସେ ପ୍ରକାଶ କରିଛନ୍ତି ।

Leave A Reply

Your email address will not be published.