ବଡ ଖବର ଓଡ଼ିଶା ମନୋରଞ୍ଜନ ଖେଳ ଖବର ଦେଶ- ବିଦେଶ ଜୀବନଚର୍ଯ୍ୟା ରାଶିଫଳ ବାଣିଜ୍ୟ ଫଟୋ ଗ୍ୟାଲେରୀ ଅପରାଧ ଟେକ୍ନୋଲୋଜି ବିଶେଷ ରାଜନୀତି ସ୍ଵାସ୍ଥ୍ୟ

ଛତିଶଗଡ଼ ଧାନ ଫସଲରୁ ଓଡିଶାକୁ ବ୍ୟାପୁଛି ‘ଅଦୃଶ୍ୟ ସ୍ପାଇଡର୍‌’

ବରଗଡ଼: ବରଗଡ଼, ନୂଆପଡ଼ା, ଝାରସୁଗୁଡ଼ା ଆଦି ଛତିଶଗଡ଼ ସୀମାବର୍ତ୍ତୀ ଜିଲ୍ଲାଗୁଡ଼ିକର ଧାନ ଫସଲରେ ଏକପ୍ରକାର ଅଦୃଶ୍ୟ ସ୍ପାଇଡର୍ (ବୁଢ଼ିଆଣୀ) ଆକ୍ରମଣ କରିଛି। ମୁଖ୍ୟତଃ ଏହି ଅଦୃଶ୍ୟ ସ୍ପାଇଡ଼ର ଦ୍ୱାରା ଛତିଶଗଡ଼ ଅଞ୍ଚଳର ଧାନ ଫସଲ ବିଶେଷ ରୂପେ କ୍ଷତିଗ୍ରସ୍ତ ହୋଇଛି। ଯାହା ଓଡ଼ିଶାର ସୀମାନ୍ତବର୍ତ୍ତୀ ଅଞ୍ଚଳକୁ ବ୍ୟାପି ସାରିଛି। ମାତ୍ର ଅଧିକାଂଶ କ୍ଷେତ୍ରରେ ଓଡ଼ିଶାର ଚାଷୀମାନେ ତଥା କୃଷି ବିଭାଗ ଏନେଇ ସଚେତନ ନଥିବା ଜଣାପଡ଼ିଛି। ଏହି ସ୍ୱଚ୍ଛ ସୂକ୍ଷ୍ମ ସ୍ପାଇଡ଼ରର ବୈଜ୍ଞାନିକ ନାମ ହେଉଛି ‘ପାନିକଲ୍‌‌ ମାଇଟ୍‌‌; ଯାହା ଧାନଫୁଲରେ ରହୁଛି। କୃଷକମାନେ ହଠାତ ତାହାକୁ ଜାଣନ୍ତି ନାହିଁ। ଯେତେବେଳେ ବିଲରେ ଛିଡା ହୋଇଥିବା ଫସଲ କଳା-ବାଦାମୀ ରଙ୍ଗରେ ପରିଣତ ହୁଏ ସେତେବେଳେ ଚାଷୀ ପୋକ ଲାଗିଥିବା ସମ୍ପର୍କରେ ଜାଣିଥାନ୍ତି। ଛତିଶଗଡ଼ରେ ସମ୍ପ୍ରତି ଏହି ‘ପାନିକଲ୍‌‌ ମାଇଟ’ର ପ୍ରାଦୁର୍ଭାବ ବଢ଼଼ି ଚାଲିଛି।

ଛତିଶଗଡ଼ର କୃଷି ବୈଜ୍ଞାନିକମାନେ ଆକଳନ କରିଛନ୍ତି ଯେ ଗୋଟିଏ ଏକରରେ ହାରାହାରି ୨୫ କ୍ୱିଣ୍ଟାଲ ଧାନ ଉତ୍ପାଦନ କରାଯାଉଛି। ପ୍ରଭାବିତ ଜିଲ୍ଲାରେ ଏହି ଅଦୃଶ୍ୟ ସ୍ପାଇଡର ୨ରୁ ୫ କ୍ୱିଣ୍ଟାଲ ଧାନ ନଷ୍ଟ କରୁଛି। ଏହି ସ୍ପାଇଡରର ସର୍ବାଧିକ ବିସ୍ଫୋରଣ ଛତିଶଗଡ଼ ରାଜ୍ୟର ଧମତରୀ, ମହାସମୁନ୍ଦ, ରାୟପୁର, ଜାଜଙ୍ଗିର, ରାୟଗଡ଼, ସାରଙ୍ଗଗଡ଼ ବିଲେଇଗଡ଼ ଏବଂ ଗୋରିଆବନ୍ଦ ଜିଲ୍ଲାରେ ରହିଛି। ଛତିଶଗଡ଼ ରାଜ୍ୟର ଏହି ଜିଲ୍ଲାଗୁଡ଼ିକ ଓଡ଼ିଶାର ଝାରସୁଗୁଡ଼ା, ବରଗଡ଼,ନୂଆପଡ଼ା ଆଦି ଜିଲ୍ଲା ସଂଲଗ୍ନ ଅଟେ। ଏଣୁ ଏହି ସୀମାନ୍ତ ଜିଲ୍ଲା ଗୁଡ଼ିକରେ ‘ପାନିକଲ୍‌‌ ମାଇଟ’ ଯୋଗୁଁ ଧାନ ଫସଳ ନଷ୍ଟ ହେବାର ଆରମ୍ଭ ହେଲାଣି। ଏହା ଅନ୍ୟ ଅଞ୍ଚଳକୁ ବ୍ୟାପିବା ପୂର୍ବରୁ ରାଜ୍ୟ କୃଷିବିଭାଗ ସତର୍କତା ଅବଳମ୍ବନ କରି ‘ପାନିକଲ୍‌‌ ମାଇଟ’କୁ ଦମନ କରିବାର ପ୍ରୟାସ ଆରମ୍ଭ କରିବା ଆବଶ୍ୟକ।

ଛତିଶଗଡ଼ର ଏଣ୍ଟିମୋଲୋଜିଷ୍ଟ ଡକ୍ଟର ଶକ୍ତି ସିିିଂହଙ୍କ ଅନୁସାରେ, ଜଳବାୟୁରେ ପରିବର୍ତ୍ତନ ଯୋଗୁଁ ‘ପାନିକଲ୍‌‌ ମାଇଟ’ ପରି ଜୈବିକ ଆତଙ୍କ ଦେଖାଦେଉଛି। ‘ପାନିକଲ୍‌‌ ମାଇଟ’ ଅତ୍ୟନ୍ତ ମାରାତ୍ମକ କୀଟ। ପାନିକଲ୍‌‌ ମାଇଟ୍‌‌ ଶସ୍ୟକକୁ କ୍ଷୀର ଭରିବା ସମୟରେ ଖଣ୍ଡ ଖଣ୍ଡ କରି ରସକୁ ଚୋବାଇଥାଏ। ଏହା ଫଳରେ ଧାନ ଗଛକୁ ଫଙ୍ଗସ୍‌‌ ଆକ୍ରମଣ କରିଥାଏ ଏବଂ ଧାନଫୁଲ ବେରଙ୍ଗ ହୋଇଯାଏ। ଏହି ମାଇଟ୍‌‌ ପାଇଁ ୭୦-୮୦ ଆର୍ଦ୍ରତା ଏବଂ ୨୦ରୁ ୩୫ ଡିଗ୍ରୀ ତାପମାତ୍ରା ପାଇଁ ଉପଯୁକ୍ତ। ସାଧାରଣତଃ ଧାନ ୧୨୦ରୁ ୧୪୦ ଦିନରେ ଫଳିଥାଏ। ମାତ୍ର ‘ପାନିକଲ୍‌‌ ମାଇଟ’ ୬୦ରୁ ୭୦ ଦିନ ମଧ୍ୟରେ ଆକ୍ରମଣ କରୁଥିବାରୁ ଧାନ ଉତ୍ପାଦନ ହ୍ରାସ ପାଇଥାଏ। ଯେଉଁ ଧାନ କ୍ଷେତ ‘ପାନିକଲ୍‌‌ ମାଇଟ’ ଦ୍ୱାରା ପ୍ରଭାବିତ ହୋଇଛି। ସେମାନେ ଡିଫେଣ୍ଟୁରନ୍‌‌ ୫୦-ଏସପି, ପରିମାଣ-ଏକର ପିଛା ୧୨୦ ଗ୍ରାମ। ପ୍ରୋପିକୋନାଜୋଲ ୨୦୦ ମିଲି ଏକର ଫସଲ ପାଇଁ ବ୍ୟବହାର କରିବାକୁ କୃଷି ବିଶେଷଜ୍ଞଙ୍କ ଦ୍ବାରା ପରାମର୍ଶ ଦିଆଯାଇଛି। ‘ପାନିକଲ୍‌‌ ମାଇଟ’ ଫସଳ ଅମଳ ପରେ ମଧ୍ୟ ଭୂଇଁରେ ଜୀବନ୍ତ ରହୁଥିବାରୁ ଚାଷୀମାନେ ‘ପାନିକଲ୍‌‌ ମାଇଟ’ ଲାଗିଥିବା କ୍ଷେତ୍ରରେ ଧାନ ଚାଷ ନକରି ଅନ୍ୟ ଫସଲ ଚାଷ କରିବାକୁ ଛତିଶଗଡ଼ର କୃଷି ବିଭାଗ ସେମାନଙ୍କ ଚାଷୀଙ୍କୁ ପରାମର୍ଶ ଦେଇଛି। ଏଣୁ ଓଡ଼ିଶାର କୃଷି ବିଭାଗ ମଧ୍ୟ ତତ୍ପରତା ପ୍ରକାଶ କରବା ଆବଶ୍ୟକ।

Leave A Reply

Your email address will not be published.