ଆଜି ନିର୍ଣ୍ଣାୟକ ଟି-୨୦ : ସିରିଜ ବିଜୟ ଲକ୍ଷ୍ୟରେ ଭାରତ

ଅହମ୍ମଦାବାଦ୍: ସ୍ଥାନୀୟ ନରେନ୍ଦ୍ର ମୋଦି ଷ୍ଟାଡିୟମରେ ଅାୟୋଜକ ଭାରତ ଓ ଭ୍ରମଣକାରୀ ନ୍ୟୁଜିଲାଣ୍ଡ ମଧ୍ୟରେ ବୁଧବାର ତୃତୀୟ ତଥା ଅନ୍ତିମ ଟି-୨୦ ମ୍ୟାଚ୍ ଖେଳାଯିବ। ସିରିଜ ୧-୧ ବରାବର ସ୍ଥିତିରେ ଥିବାରୁ ଉଭୟ ଦଳ ସିରିଜ ବିଜୟୀ ହେବାକୁ ପ୍ରୟାସ କରିବେ। ପ୍ରଥମ ମ୍ୟାଚ୍ରେ ନ୍ୟୁଜିଲାଣ୍ଡ ୨୧ ରନରେ ବିଜୟୀ ହୋଇଥିବା ବେଳେ ଦ୍ୱିତୀୟ ମ୍ୟାଚ୍କୁ ଭାରତ ୬ ୱିକେଟରେ ଜିତିନେଇଥିଲା।
ଏହି ନିର୍ଣ୍ଣାୟକ ମ୍ୟାଚ୍ରେ ବ୍ୟାଟର ପୃଥ୍ୱୀ ଶ ଖେଳିବାର ସମ୍ଭାବନା ରହିଛି। ରୋହିତ ଶର୍ମା, ବିରାଟ କୋହଲି, ଲୋକେଶ ରାହୁଲଙ୍କ ଅନୁପସ୍ଥିତିରେ ଶୁବମନ ଗିଲ, ଇଶାନ କିସାନ ଓ ରାହୁଲ ତ୍ରିପାଠୀ ଟପ୍ ଅର୍ଡରରେ ଫେଲ୍ ମାରିଛନ୍ତି। ତେଣୁ ପୃଥ୍ୱୀଙ୍କୁ ଅଧିନାୟକ ହାର୍ଦ୍ଦିକ ପାଣ୍ଡ୍ୟା ଖେଳାଇବାର ଯଥେଷ୍ଟ ସମ୍ଭାବନା ରହିଛି। ବାଂଲାଦେଶରେ ଦ୍ୱିଶତକ ହାସଲ କରିବା ପରେ ଇଶାନ ବ୍ୟାଟିଂରେ ଲୟ ପାଇବାକୁ ସଂଘର୍ଷ କରୁଛନ୍ତି। ସେହିପରି ଶୁବମାନ ଦିନିକିଆ ଫର୍ମକୁ ଟି-୨୦ରେ ବଜାୟ ରଖିବାରେ ସଫଳ ହୋଇନାହାନ୍ତି।
ଅନ୍ୟପଟେ ତ୍ରିପାଠୀ ମିଳିଥିବା ସୁଯୋଗର ସଦ୍ ବ୍ୟବହାର କରିପାରି ନାହାନ୍ତି। ତେଣୁ ଟପ୍ ଅର୍ଡର ବ୍ୟାଟରଙ୍କୁ ଭଲ ପ୍ରଦର୍ଶନ କରିବାକୁ ପଡ଼ିବ। ସୂର୍ଯ୍ୟକୁମାର ଯାଦବ ଓ ପାଣ୍ଡ୍ୟା ଲକ୍ଷ୍ନୌର ଖରାପ୍ ପିଚ୍ରେ ଲଢେଇ କରି ଭାରତକୁ ଜିତାଇବାରେ ସକ୍ଷମ ହୋଇଥିଲେ। ଦୁଇ ରିଷ୍ଟସ୍ପିନର ଯୁଜବେନ୍ଦ୍ର ଚହଲ ଓ କୁଲଦୀପ ଯାଦବ ଏକାଠି ଖେଳିବା ଦ୍ୱାରା ନ୍ୟୁଜିଲାଣ୍ଡ ଉପରେ ଚାପ ସୃଷ୍ଟି ହୋଇଛି। ଦ୍ୱିତୀୟ ମ୍ୟାଚ୍ରେ ସବୁ ଭାରତୀୟ ବୋଲର ଦମ୍ଦାର ପ୍ରଦର୍ଶନ କରି ନ୍ୟୁଜିଲାଣ୍ଡକୁ ୧୦୦ ରନରେ ସୀମିତ ରଖିବାରେ ସଫଳ ହୋଇଥିଲେ। ନୋ ବଲ ସହିତ ସଂଘର୍ଷ କରୁଥିବା ଯୁବ ଦ୍ରୁତ ବୋଲର ଅର୍ଶଦୀପ ସିଂ ଲୟକୁ ଫେରିଛନ୍ତି।
ଅପରପକ୍ଷରେ ନ୍ୟୁଜିଲାଣ୍ଡ ମଧ୍ୟକ୍ରମ ବ୍ୟାଟରମାନେ ଚମକ ଦେଖାଇବେ ବୋଲି ଆଶା କରାଯାଉଛି। ସିରିଜ ବିଜୟୀ ହେଲେ ନ୍ୟୁଜିଲାଣ୍ଡ ଏକ ବିରଳ ସଫଳତା ଅର୍ଜନ କରିବ। ଦଳରେ ସବୁ ଖେଳାଳି ପ୍ରାୟ ସମସ୍ତେ ଟି-୨୦ ସ୍ପେଶାଲିଷ୍ଟ। ଗ୍ଲେନ ଫିଲିପ୍ସ ଏପର୍ଯ୍ୟନ୍ତ ନିଜର ଶ୍ରେଷ୍ଠ ପ୍ରଦର୍ଶନ କରିନାହାନ୍ତି। ଦିନିକିଆରେ ଦମ୍ଦାର ପ୍ରଦର୍ଶନ କରିଥିବା ମାଇକେଲ ବ୍ରେସୱେଲ ମଧ୍ୟ ଚଳିତ ସିରିଜରେ ଦକ୍ଷତା ଅନୁରୂପ ବ୍ୟାଟିଂ କରିପାରି ନାହାନ୍ତି। ୩ ନମ୍ବର ବ୍ୟାଟର ମାର୍କ ଚାପମ୍ୟାନ ଭଲ ଖେଳିବେ ବୋଲି ଆଶା କରାଯାଉଛି। ଗତ ମ୍ୟାଚ୍ରେ ନ୍ୟୁଜିଲାଣ୍ଡ ପାଇଁ ୮ ଜଣ ବୋଲିଂ କରିଥିଲେ ଓ ୪ଜଣ ସ୍ପିନର ସମ୍ପୂର୍ଣ୍ଣ କୋଟା ବୋଲିଂ କରିଥିଲେ।
ପିଚ୍ ହେବ ହାଇସ୍କୋରିଂ
ଏହି ପିଚ୍ରେ ଏକ ହାଇସ୍କୋରିଂ ମ୍ୟାଚ୍ ଦେଖିବାକୁ ମିଳିବ। ଏଠାରେ ଖେଳାଯାଇଥିବା ଗତ କେତୋଟି ମ୍ୟାଚ୍ରେ ବହୁ ସଂଖ୍ୟକ ଚୌକା, ଛକା ଦେଖିବାକୁ ମିଳିଥିଲା। ଗତ ୫ଟିରୁ ୩ଟି ମ୍ୟାଚ୍ରେ ଉଭୟ ଇନିଂସରେ ୧୬୦ରୁ ଊର୍ଦ୍ଧ୍ବ ରନ ସଂଗୃହୀତ ହୋଇଥିଲା। ଏପରି ଗୋଟିଏ ଇନିଂସରେ ସ୍କୋର ୨୨୪/୨ ରହିଥିଲା। ଦୁଇ ଦଳରେ ସେଭଳି କୌଣସି ବଡ଼ ଧରଣର ପରିବର୍ତ୍ତନ ହେବ ନାହିଁ। ଚହଲଙ୍କ ସ୍ଥାନରେ ପେସ ସେନ୍ସେସନ ଉମ୍ରାନ ମଲିକ ଖେଳିବାର ସମ୍ଭାବନା ରହିଛି।
ଭାରତୀୟ ଦଳ
ହାର୍ଦ୍ଦିକ ପାଣ୍ଡ୍ୟା (ଅଧିନାୟକ), ସୂର୍ଯ୍ୟକୁମାର ଯାଦବ (ଉପ- ଅଧିନାୟକ), ଇଶାନ କିସାନ, ଶୁବମାନ ଗିଲ, ପୃଥ୍ୱୀ ଶ, ଦୀପକ ହୁଦା, ରାହୁଲ ତ୍ରିପାଠୀ, ଜିତେଶ ଶର୍ମା, ୱାସିଂଟନ ସୁନ୍ଦର, କୁଲଦୀପ ଯାଦବ, ୟୁଜବେନ୍ଦ୍ର ଚହଲ, ଅର୍ଶଦୀପ ସିଂ, ଉମ୍ରାନ ମଲିକ, ଶିବମ ମାଭି ଓ ମୁକେଶ କୁମାର।
ନ୍ୟୁଜିଲାଣ୍ଡ ଦଳ
ମିଚେଲ ସାଣ୍ଟନର (ଅଧିନାୟକ), ଫିନ୍ ଆଲେନ, ମାଇକେଲ ବ୍ରେସୱେଲ, ମାର୍କ ଚାପମ୍ୟାନ, ଡେଭନ କନୱେ, ଡେନ କ୍ଲେଭର, ଜ୍ୟାକବ ଡଫି, ଲକି ଫର୍ଗୁସନ, ବେଞ୍ଜାମିନ ଲିଷ୍ଟର, ଡାରିଲ ମିଚେଲ, ଗ୍ଲେନ ଫିଲିପ୍ସ, ମାଇକେଲ ରିପ୍ପନ, ହେନରି ସିପ୍ଲେ, ଇଶ ସୋଧୀ ଓ ବ୍ଲେୟର ଟିକନର।