ବଡ ଖବର ଓଡ଼ିଶା ମନୋରଞ୍ଜନ ଖେଳ ଖବର ଦେଶ- ବିଦେଶ ଜୀବନଚର୍ଯ୍ୟା ରାଶିଫଳ ବାଣିଜ୍ୟ ଫଟୋ ଗ୍ୟାଲେରୀ ଅପରାଧ ଟେକ୍ନୋଲୋଜି ବିଶେଷ ରାଜନୀତି ସ୍ଵାସ୍ଥ୍ୟ

ସଂକ୍ରମଣ ବୃଦ୍ଧି ଆଶଙ୍କା ବଢ଼ାଉଛନ୍ତି ବିଦେଶଫେରନ୍ତା, ଚୀନ୍‌ ସମେତ ୬ଟି ଦେଶରୁ ଆସୁଥିବା ଯାତ୍ରୀଙ୍କ ପାଇଁ କଡା କଟକଣା

ନୂଆଦିଲ୍ଲୀ : ଚୀନ୍‌ ସମେତ ଅନେକ ପାଶ୍ଚାତ୍ୟ ରାଷ୍ଟ୍ର ଏବଂ ଦକ୍ଷିଣ କୋରିଆ ଓ ଜାପାନ ଭଳି ଏସୀୟ ରାଷ୍ଟ୍ରମାନଙ୍କରେ ଏବେ କରୋନା ସଂକ୍ରମଣ ବୃଦ୍ଧି ପାଇବା ଭାରତ ପାଇଁ ବିପଦର ଆଶଙ୍କା ବଢାଇଛି। ଭାରତରେ ପ୍ରଥମ ଏବଂ ଦ୍ବିତୀୟ ଲହର ବେଳେ ବିଦେଶ ଫେରନ୍ତା ଯାତ୍ରୀମାନଙ୍କ ଦ୍ବାରା ସଂକ୍ରମଣ ଯେଭଳି ବୃଦ୍ଧି ପାଇଥିଲା ତାହାକୁ ଦୃଷ୍ଟିରେ ରଖି ବିଶେଷଜ୍ଞମାନେ ଏବେ ଠାରୁ ସତର୍କ ହେବା ଆରମ୍ଭ କରିଛନ୍ତି। ବିଶେଷକରି ଚୀନ୍‌ରୁ ଆସୁଥିବା ଯାତ୍ରୀମାନେ ସାଂପ୍ରତିକ ସ୍ଥିତିରେ ବିପଦର କାରଣ ହୋଇପାରନ୍ତି ବୋଲି ବିଚାର କରାଯାଉଛି।

କିଛି ଦିନ ତଳେ ଚୀନ୍‌ରୁ ଫେରିଥିବା ଦୁଇ ଯାତ୍ରୀଙ୍କ ପଜିଟିଭ୍‌ ମଧ୍ୟ ଚିହ୍ନଟ କରାଯାଇସାରିଛି। ଏହାବ୍ୟତୀତ ବର୍ତ୍ତମାନ ସୁଦ୍ଧା ମୋଟ ୪୩ ଜଣ ବିଦେଶ ଫେରନ୍ତାଙ୍କ ନମୁନା ପଜିଟିଭ୍‌ ଆସିଛି। ଏହାକୁ ଦୃଷ୍ଟିରେ ରଖି ଚୀନ୍‌ ସମେତ ୬ଟି ଦେଶରୁ ଆସୁଥିବା ଯାତ୍ରୀଙ୍କ ଆରଟି-ପିସିଆର ପରୀକ୍ଷା ବାଧ୍ୟତାମୂଳକ କରିବାକୁ ନିଷ୍ପତ୍ତି ହୋଇଛି। ଚୀନ୍‌, ଜାପାନ, ହଂକଂ,ଥାଇଲାଣ୍ଡ, ଦକ୍ଷିଣ କୋରିଆ ଏବଂ ସିଙ୍ଗାପୁରରୁ ଆସୁଥିବା ଯାତ୍ରୀମାନଙ୍କୁ ବିମାନ ବନ୍ଦରରେ ଠାରେ ଯାଞ୍ଚ କରାଯିବା ସହିତ ସେମାନଙ୍କ ଆରଟି-ପିସିଆର ପରୀକ୍ଷା ବାଧ୍ୟତାମୂଳକ କରିବାକୁ କେନ୍ଦ୍ର ସରକାର ଗୁରୁବାର ନିଷ୍ପତ୍ତି ନେଇଛନ୍ତି। ଏହି ବ୍ୟବସ୍ଥା ଆସନ୍ତା ଜାନୁଆରୀ ପହିଲାରୁ ଲାଗୁ ହେବ ବୋଲି କେନ୍ଦ୍ର ସ୍ବାସ୍ଥ୍ୟ ମନ୍ତ୍ରୀ ମନସୁଖ ମାଣ୍ଡଭିୟ ଟ୍ବିଟ୍‌ କରି ସୂଚନା ଦେଇଛନ୍ତି।

ସେହିପରି ବିଦେଶ ଫେରନ୍ତା ଯାତ୍ରୀଙ୍କ ପାଇଁ ‘ଏୟାର ସୁବିଧା’ ଫର୍ମ ଦାଖଲ କରିବା ମଧ୍ୟ ବାଧ୍ୟତାମୂଳକ ହେବ ବୋଲି ସେ କହିଛନ୍ତି। ଯେଉଁମାନେ ବିଦେଶରୁ ଆସିବେ ସେମାନେ ଭାରତରେ ପହଞ୍ଚିବା ପୂର୍ବରୁ ସେମାନଙ୍କ କରୋନା ସମ୍ପର୍କିିତ ରିପୋର୍ଟ ‘ଏୟାର ସୁବିଧା’ ପୋର୍ଟାଲରେ ଅପଲୋଡ୍‌ କରିବେ ବୋଲି କୁହାଯାଇଛି। ଉଲ୍ଲେଖଯୋଗ୍ୟ ଯେ, ଚୀନ୍‌ରେ ସଂକ୍ରମଣ ଅତି ଦ୍ରୁତ ଗତିରେ ମାଡି ଚାଲିବା ପରେ ଭାରତ ପକ୍ଷରୁ ବିଦେଶୀ ଯାତ୍ରୀଙ୍କ ପ୍ରତି ନଜର ରଖିବାକୁ ପଦକ୍ଷେପ ନିଆଯାଇଥିଲା। ତେବେ ପ୍ରଥମେ ଗୋଟିଏ ଦିନରେ ଯେତିକି ବିଦେଶୀ ଯାତ୍ରୀ ଭାରତରେ ପହଞ୍ଚୁଛନ୍ତି ସେମାନଙ୍କ ମଧ୍ୟରୁ କେବଳ ୨ ପ୍ରତିଶତ ଯାତ୍ରୀଙ୍କ କରୋନା ପରୀକ୍ଷା କରିବାକୁ କୁହାଯାଇଥÒଲା। କିନ୍ତୁ ଦିନକୁ ଦିନ ବିଦେଶ ଫେରନ୍ତା ଯାତ୍ରୀ ଅଧÒକ ସଂଖ୍ୟାରେ ପଜିଟିଭ୍‌ ରହିଥିବା ଜଣାପଡ଼ିବା ପରେ ବର୍ତ୍ତମାନ ଏହି ନିମୟରେ ପରିବର୍ତ୍ତନ କରାଯାଇଛି।

ନୂଆ ଲହରକୁ ନେଇ ଭୟଭୀତ ହେବା ଅନାବଶ୍ୟକ : ଆଇଆଇଟି ବିଶେଷଜ୍ଞ

ଚୀନ୍, ଜାପାନ, ଦକ୍ଷିଣ କୋରିଆ ଏବଂ ସିଙ୍ଗାପୁର ଭଳି ବହୁ ଏସୀୟ ରାଷ୍ଟ୍ରଙ୍କ ସମେତ ଆମେରିକା ଏବଂ ବ୍ରିଟେନ ଆଦି ୟୁରୋପୀୟ ରାଷ୍ଟ୍ରମାନଙ୍କରେ ଏବେ କରୋନା ସଂକ୍ରମଣ ବଢିବାରେ ଲାଗିଛି। ଏହିକ୍ରମରେ ବିଗତ କିଛି ଦିନ ମଧ୍ୟରେ ଭାରତରେ ମଧ୍ୟ ସଂକ୍ରମଣ ସଂଖ୍ୟା ସାମାନ୍ୟ ବୃଦ୍ଧି ପାଉଥିବା ଦେଖାଯାଉଛି। ସଂକ୍ରମଣ ଦୃଷ୍ଟିରୁ ଭାରତରେ ଆଗାମୀ ୪୦ ଦିନ ଗୁରୁତ୍ବପୂର୍ଣ୍ଣ ରହିବ ଏବଂ ଜାନୁଆରୀ ମାସରେ ସଂକ୍ରମଣ ବଢିବାର ଆଶଙ୍କା ଅଧିକ ରହିଛି ବୋଲି କେନ୍ଦ୍ର ସରକାରଙ୍କ ପକ୍ଷରୁ ମଧ୍ୟ ସତର୍କ କରିଦିଆଯାଇଛି। ଏଭଳି ସ୍ଥିତିରେ ଭାରତରେ ନୂଆ ଲହର ଆସିବାର ସମ୍ଭାବନାକୁ ମଧ୍ୟ ଏଡାଇ ଦିଆଯାଇ ପାରୁନାହିଁ।

ତେବେ ଭାରତରେ ନୂଆ ଲହରକୁ ନେଇ ଭୟଭୀତ ହେବାର କୌଣସି ଆବଶ୍ୟକତା ନାହିଁ ବୋଲି କରୋନା ମଡେଲ ସହ ସଂପୃକ୍ତ ରହିଥିବା ଆଇଆଇଟି ପ୍ରଫେସର ମଣିନ୍ଦ୍ର ଅଗ୍ରୱାଲ କହିଛନ୍ତି। ସେ କହିଛନ୍ତି ଯେ, ଚୀନରେ ଯେ ପର୍ଯ୍ୟନ୍ତ କରୋନା ମାମଲା ୯୦ ପ୍ରତିଶତ ଛୁଇଁ ନାହିଁ , ସେ ପର୍ଯ୍ୟନ୍ତ ସେଠାରେ କରୋନା ମାମଲା ବୃଦ୍ଧି ପାଇବାରେ ଲାଗିବ। ଯେତେବେଳେ ସେଠାକାର ଲୋକଙ୍କ ମଧ୍ୟରେ ପ୍ରାକୃତିକ ପ୍ରତିରୋଧକ ଶକ୍ତି ବିକଶିତ ହୋଇଯିବ ସେତେବେଳେ ପରିସ୍ଥିତି ସୁଧୁରିଯିବ। କିନ୍ତୁ ବିଗତ ଦିନରେ ଚୀନ୍‌ରେ ଟିକାକରଣ ବ୍ୟବସ୍ଥା ଯେଭଳି ରହିଛି ତାହାକୁ ବିଚାରକୁ ନେଲେ ଏହି ସ୍ଥିତି କେବେ ଆସିବ ତାହା କହିବା କଷ୍ଟକର ବୋଲି କୁହାଯାଉଛି।

କାରଣ ଗତ ଅକ୍ଟୋବର ମାସ ଶେଷ ବେଳକୁ ଚୀନର ମୋଟ ଜନସଂଖ୍ୟା ମଧ୍ୟରୁ ମାତ୍ର ୫ ପ୍ରତିଶତ ଲୋକଙ୍କ ମଧ୍ୟରେ ବି ପ୍ରାକୃତିକ ପ୍ରତିରୋଧକ ଶକ୍ତି ବିକଶିତ ହୋଇ ନଥିଲା। ଏହି କ୍ରମରେ ଦେଖିବାକୁ ଗଲେ ନଭେମ୍ବର ଶେଷ ବେଳକୁ ଏହି ଆକଳନ ୨୦ ପ୍ରତିଶତ କମ ରହିଥିଲା। ଏହି କାରଣରୁ ଚୀନରେ ସଂକ୍ରମଣ ଦ୍ରୁତ ଗତିରେ ମାଡ଼ିଯିବା ସହିତ ସ୍ଥିତି ଅତ୍ୟନ୍ତ ଗମ୍ଭୀର ହେବାକୁ ଲାଗିଥିଲା ବୋଲି ବିଶେଷଜ୍ଞମାନେ କହିଛନ୍ତି।

Leave A Reply

Your email address will not be published.