ବଡ ଖବର ଓଡ଼ିଶା ମନୋରଞ୍ଜନ ଖେଳ ଖବର ଦେଶ- ବିଦେଶ ଜୀବନଚର୍ଯ୍ୟା ରାଶିଫଳ ବାଣିଜ୍ୟ ଫଟୋ ଗ୍ୟାଲେରୀ ଅପରାଧ ଟେକ୍ନୋଲୋଜି ବିଶେଷ ରାଜନୀତି ସ୍ଵାସ୍ଥ୍ୟ

୪ର୍ଥ ଟି-୨୦ : ଇଂଲଣ୍ଡକୁ ୧୮୬ ରନ୍‌ର ବିଜୟ ଲକ୍ଷ୍ୟ ଦେଲା ବିରାଟ ବାହିନୀ

ଅହମ୍ମଦାବାଦ : ନରେନ୍ଦ୍ର ମୋଦୀ ଷ୍ଟାଡିୟମରେ ଖେଳାଯାଉଥିବା ଭାରତ ଓ ଇଂଲଣ୍ଡ ମଧ୍ୟରେ ପାଞ୍ଚ ମ୍ୟାଚ୍ ବିଶିଷ୍ଟ ଟି-୨୦ ସିରିଜ୍‌ର ଚତୁର୍ଥ ମୁକାବିଲାରେ  ପ୍ରଥମେ ବ୍ୟାଟିଂ କରୁଥିବା ଭାରତ ଇଂଲଣ୍ଡକୁ ୧୮୬  ରନ୍‌ର ବିଜୟ ଲକ୍ଷ୍ୟ ଦେଇଛି।  ସୂର୍ଯ୍ୟ କୁମାର ଯାଦବ ଓ ଶ୍ରେୟସ ଆୟରଙ୍କ ବିସ୍ଫୋରକ ବ୍ୟାଟିଂ ବଳରେ ଭାରତ୨୦ ଓଭରରେ ୮ ୱିକେଟ୍ ହରାଇ ୧୮୫ ରନ୍ କରିଛି। ଭାରତ ପକ୍ଷରୁ ସୂର୍ଯ୍ୟକୁମାର ଜବରଦସ୍ତ ବ୍ୟାଟିଂ କରି ୫୭ (୩୧ ବଲ୍, ୬ ଚୌକା ଓ ୩ ଛକା) ରନ୍ ଓ ଆୟର୍ ୧୮ ବଲରେ ୩୭ ରନର ଇନିଂସ୍ ଖେଳିଛନ୍ତି।

ଚତୁର୍ଥ ଟି-୨୦ ମ୍ୟାଚ୍‌ରେ ଇଂଲଣ୍ଡ ଟସ୍‌ ଜିତି ପ୍ରଥମେ ବୋଲିଂ କରିବାକୁ ନିଷ୍ପତ୍ତି ନେଇଥିଲା। ଯାହା ଫଳରେ ଭାରତ ପ୍ରଥମେ ବ୍ୟାଟିଂ କରିଥିଲା। ପ୍ରଥମେ ବ୍ୟାଟିଂ କରିଥିବା ଭାରତ ପକ୍ଷରୁ ରୋହିତ୍ ଶର୍ମାଙ୍କ ସହ ଲୋକେଶ ରାହୁଲ ଓପନ୍ କରିବାକୁ ଆସିଥିଲେ।  ରୋହିତ୍ ମ୍ୟାଚର ପ୍ରଥମ ବଲରେ ଛକା ମାରି ଜବରଦସ୍ତ ଶୁଭାରମ୍ଭ କରିଥିଲେ। କିନ୍ତୁ ରୋହିତ୍ ଏହି ଲୟକୁ ବଜାୟ ରଖିପାରିନଥିଲେ। ରୋହିତ୍ ୧୨ ରନ୍ କରିଥିବା ବେଳେ ଜୋଫ୍ରା ଆର୍ଚରଙ୍କ ବଲରେ କଟ୍ ଆଣ୍ଡ ବୋଲ୍ଡ ହୋଇଥିଲେ।

ରୋହିତଙ୍କ ସ୍ଥାନରେ ଆସିଥିବା ସୂର୍ଯ୍ୟକୁମାର ଯାଦବ ନିଜର ପ୍ରଥମ ବଲରେ ଆର୍ଚରଙ୍କୁ ଛକା ମାରି ଆରମ୍ଭ କରିଥିଲେ। ତେବେ ଲଗାତର ଖରାପ ଫର୍ମରେ ଥିବା ରାହୁଲ ମଧ୍ୟ କିଛି ଖାସ କରିପାରିନଥିଲେ। ରାହୁଲ ମାତ୍ର ୧୪ ରନ୍ କରି ବେନ୍ ଷ୍ଟୋକ୍ସଙ୍କ ଶିକାର ହୋଇଥିଲେ। କ୍ରଗାଗତ ଦୁଇଟି ମ୍ୟାଚରେ ଅପରାଜିତ ଥିବା କ୍ୟାପଟେନ୍ ବିରାଟ୍ କୋହଲି ନିରାଶ କରିଥିଲେ। କୋହଲି ୧ ରନ୍ କରି ରଶିଦଙ୍କ ବଲରେ ଷ୍ଟମ୍ପିଂ ଆଉଟ୍ ହୋଇଥିଲେ।

ତେବେ ପଦାର୍ପଣ ମ୍ୟାଚରେ ବ୍ୟାଟିଂ ସୁଯୋଗ ପାଇନଥିବା ସୂର୍ଯ୍ୟକୁମାର ନିଜର ଦ୍ୱିତୀୟ ମୁକାବିଲାରେ ଚମତ୍କାର ବ୍ୟାଟିଂ କରିଥିଲେ। ଆଇପିଏଲ୍ ଓ ଘରୋଇ କ୍ରିକେଟରେ ପ୍ରଚୁର ରନ୍ କରିଥିବା ସୂର୍ଯ୍ୟକୁମାର ମାତ୍ର ୨୮ ବଲରେ ଅର୍ଦ୍ଧଶତକ ପୂରଣ କରିଥିଲେ।  ଋଷଭ ପନ୍ତ ଓ  ସୂର୍ଯ୍ୟକୁମାର ଚତୁର୍ଥ ୱିକେଟ ପାଇଁ ୪୦ ରନ୍ ଯୋଡ଼ିଥିଲେ। ସାମ୍ କୁରାନଙ୍କ ଓଭରରେ କ୍ରମାଗତ ଦ୍ୱିତୀୟ ଛକା ମାରିବା ପ୍ରୟାସରେ ସୂର୍ଯ୍ୟକୁମାର ବାଉଣ୍ଡ୍ରୀରେ କ୍ୟାଚ୍‌ ହୋଇଥିଲେ। ପନ୍ତ ୨୩ ବଲରେ ୪ ଚୌକା ସହ ୩୦ ରନ୍ କରି ଆଉଟ୍ ହୋଇଥିଲେ। ଶ୍ରେୟସ ଆୟର୍ ଦ୍ରୁତ ରନ୍ କରିଥିଲେ ହେଁ ଅନ୍ତିମ ଓଭରରେ ତାଙ୍କୁ ଆର୍ଚର ଆଉଟ୍ କରି ଭାରତ ରନରେ ଅଙ୍କୁଶ ଲଗାଇଥିଲେ। ଆୟର୍ ୧୮ ବଲରେ ଦ୍ରୁତ ୩୭ (୫ ଚୌକା ଓ ୧ ଛକା) ରନ୍ କରିଥିଲେ।

ଇଂଲଣ୍ଡର ଜୋଫ୍ରା ଆର୍ଚର ୪ ଓଭରରେ ୩୩ ରନ ଦେଇ ସର୍ବାଧିକ ୪ଟି ଓ୍ବିକେଟ ହାସଲ କରିଛନ୍ତି । ମାର୍କ ଉଡ୍‌ ୪ ଓଭର ବୋଲିଂ କରି ୨୫ ରନ ଦେଇ ଗୋଟିଏ ଓ୍ବିକେଟ ହାସଲ କରିଛନ୍ତି । ସେହିଭଳି କ୍ରିସ୍‌ ଜୋର୍ଡନ ୪ ଓଭରରେ ୪୧ ରନ, ଆଦିଲ ରସିଦ ୪ ଓଭର ବୋଲିଂ କରି ୩୯ ରନ ଦେଇ ଗୋଟିଏ ଓ୍ବିକେଟ୍‌, ଷ୍ଟୋକସ୍‌ ୩ ଓଭରରେ ୨୬ ରନ୍ ଦେଇ ଗୋଟିଏ ଓ୍ବିକେଟ୍ ଏବଂ ସାମ କରନ୍‌ ଗୋଟିଏ ଓଭର ବୋଲିଂ କରି ୧୬ ରନ ଦେଇ ଗୋଟିଏ ଓ୍ବିକେଟ୍ ହାସଲ କରିଛନ୍ତି।

Leave A Reply

Your email address will not be published.