ଭୁଲ୍ ତଥ୍ୟ ଦେଇ ସମଗ୍ର ଓଡ଼ିଶାବାସୀଙ୍କୁ ମତିଭ୍ରମ କରିବା ପାଇଁ ଅପଚେଷ୍ଟା କରୁଛନ୍ତି ଲେଖାଶ୍ରୀ ସାମନ୍ତସିଂହାର

ଭୁବନେଶ୍ୱର : ଶ୍ରୀଜଗନ୍ନାଥଙ୍କ ଜମି ପ୍ରସଙ୍ଗକୁ ନେଇ ଆଜି ବିଜେପି ରାଜ୍ୟ ସାଧାରଣ ସମ୍ପାଦିକା ଲେଖାଶ୍ରୀ ସାମନ୍ତସିଂହାରଙ୍କର  ବକ୍ତବ୍ୟକୁ ସମସ୍ତ ଜଗନ୍ନାଥପ୍ରେମୀ ନିନ୍ଦା କରିଛନ୍ତି। ନିଜର ରାଜନୈତିକ ଅଭିସନ୍ଧି ରଖି ପିପିଲି ନିର୍ବାଚନ ମଣ୍ଡଳୀର ବିଜେପି ଟିକେଟ୍ ପାଇଁ ଆଜି ଲେଖାଶ୍ରୀ ସାମନ୍ତସିଂହାର ଭୁଲ୍ ତଥ୍ୟ ଦେଇ ସମଗ୍ର ଓଡ଼ିଶାବାସୀଙ୍କୁ ମତିଭ୍ରମ କରିବା ପାଇଁ ଅପଚେଷ୍ଟା କରୁଛନ୍ତି। ପ୍ରକୃତ କ୍ଷେତ୍ରରେ ପ୍ରଭୁ ଶ୍ରୀଜଗନ୍ନାଥଙ୍କର କୌଣସି ଜମି ବିକ୍ରି କରିବାର ଯୋଜନା ନାହିଁ ବୋଲି ବିଜେଡି ପ୍ରବକ୍ତା ଇପ୍ସିତା ସାହୁ କହିଛନ୍ତି।

ସୁଶ୍ରୀ ସାହୁ କହିଛନ୍ତି ଯେ, ଲେଖାଶ୍ରୀ ବାରମ୍ବାର ଜଗନ୍ନାଥ ସଂସ୍କୃତିକୁ ନେଇ ଏଭଳି ଭିତ୍ତିହୀନ ମନ୍ତବ୍ୟ ଓ ଚତୁର୍ଦ୍ଧା ମୂର୍ତ୍ତିଙ୍କୁ ଅପମାନ କଲା ଭଳି କୁତ୍ସିତ ମନ୍ତବ୍ୟ ଦେଇଆସୁଛନ୍ତି। ଯଦି ସେ ଏସବୁ ପିପିଲି ଉପନିର୍ବାଚନରେ ନିର୍ବାଚନ ଟିକେଟ୍ ଆଶାରେ କହୁଥାନ୍ତି, ତା’ହେଲେ ସେ ଜାଣିରଖିବା ଉଚିତ୍ ଯେ, ପିପିଲିର ଜନତା କେବେ ବି ଶ୍ରୀଜଗନ୍ନାଥଙ୍କ ଅପମାନ ଗ୍ରହଣ କରିବେ ନାହିଁ। ଲେଖାଶ୍ରୀ ବୁଝିବା ଦରକାର ଯେ, ୨୦୦୧ରୁ ୨୦୧୦ ଭିତରେ ୨୯୧ ଏକର ଜମି ଦିଆଯାଇଥିଲା। ଯେଉଁ ସମୟରେ ଭାରତୀୟ ଜନତା ପାର୍ଟିର ନେତା ଶ୍ରୀ ବିଶ୍ୱଭୂଷଣ ହରିଚନ୍ଦନ ଆଇନ୍ ମନ୍ତ୍ରୀ ଥିଲେ। ଘରୋଇ ମାଲିକାନାରେ ଥିବା ପ୍ରଭୁଙ୍କର ଜମି ୨୦୦୩ ନୀତି ଅନୁସାରେ ସମାଧାନ ହେବ। ସର୍ବସାଧାରଣଙ୍କ ସୁବିଧା ପାଇଁ ସ୍କୁଲ, କଲେଜ ଓ ହସ୍ପିଟାଲ ପାଇଁ
ଜମି ବ୍ୟବସ୍ଥା କରାଯାଇଛି। ସର୍ବସାଧାରଣଙ୍କ କାର୍ଯ୍ୟରେ ଲାଗିବା ପାଇଁ ଜମି ନିଷ୍ପତ୍ତି ଶ୍ରୀଜଗନ୍ନାଥ ମନ୍ଦିର କମିଟି ନେଇଛି ବୋଲି ସୁଶ୍ରୀ ସାହୁ କହିଛନ୍ତି।

ସେଥିପାଇଁ ଲେଖାଶ୍ରୀ ଯେତେ ବିକୃତ ତଥ୍ୟ ଦେଲେ ବି ପିପିଲି ନିର୍ବାଚନ ମଣ୍ଡଳୀର ବିଜେପି ଦଳର ଟିକେଟ୍ କେବେ ହେଲେ ତାଙ୍କୁ ମିଳିବ ନାହିଁ। ଆଶା କରିବା ପ୍ରଭୁ ଶ୍ରୀଜଗନ୍ନାଥଙ୍କ ପାଖରେ ସେ କ୍ଷମା ପ୍ରାର୍ଥନା କରିବେ ଓ ମିଛ ତଥ୍ୟ ପାଇଁ ଅନୁତପ୍ତ ହେବେ ବୋଲି ସୁଶ୍ରୀ ସାହୁ କହିଛନ୍ତି।

Leave a comment