ବଡ ଖବର ଓଡ଼ିଶା ମନୋରଞ୍ଜନ ଖେଳ ଖବର ଦେଶ- ବିଦେଶ ଜୀବନଚର୍ଯ୍ୟା ରାଶିଫଳ ବାଣିଜ୍ୟ ଫଟୋ ଗ୍ୟାଲେରୀ ଅପରାଧ ଟେକ୍ନୋଲୋଜି ବିଶେଷ ରାଜନୀତି ସ୍ଵାସ୍ଥ୍ୟ

ଆଜି ବାତ୍ୟାର ରୂପ ନେବ ଅବପାତ: ରାଜ୍ୟର ୪ ଜିଲ୍ଲା‌ରେ ପ୍ରବଳ ବର୍ଷା ସମ୍ଭାବନା

ଭୁବନେଶ୍ୱର: ବଙ୍ଗୋପସାଗରରେ ସୃଷ୍ଟି ହୋଇଥିବା ଲଘୁଚାପ ଅବପାତରେ ପରିଣତ ହୋଇଛି। ଏହା ଅଧିକ ଶକ୍ତିଶାଳୀ ହୋଇ ୨୫ ତାରିଖ ସକାଳ ସୁଦ୍ଧା ବାତ୍ୟାରେ ପରିଣତ ହେବାର ସମ୍ଭାବନା ରହିଛି। ୨୫ ତାରିଖ ରାତି ସୁଦ୍ଧା ଏହା ଭୀଷଣ ରୂପ ନେଇ ଉତ୍ତର ଦିଗକୁ ଗତି କରିବ। ୨୬ ତାରିଖ ମଧ୍ୟରାତିରେ ବାତ୍ୟା ‘ରେମଲ୍‌’ ସାଗର ଦ୍ବୀପ ଓ ଖେପୁପରା ମଝିରେ ବାଂଲାଦେଶ ଏବଂ ପଶ୍ଚିମବଙ୍ଗ ସୀମା ଦେଇ ସ୍ଥଳଭାଗ ଅତିକ୍ରମ କରିବ। ବାତ୍ୟାର ସିଧାସଳଖ ପ୍ରଭାବ ଓଡ଼ିଶା ଉପରେ ନ ପଡ଼ିଲେ ହେଁ ଉତ୍ତର ଓଡ଼ିଶାର କିଛି ଜିଲ୍ଲାରେ ପ୍ରବଳରୁ ଅତି ପ୍ରବଳ ବର୍ଷା ହେବ ବୋଲି ପାଣିପାଗ କେନ୍ଦ୍ର ଆକଳନ କରିଛି।

ପାଣିପାଗ କେନ୍ଦ୍ର କହିଛି ଯେ, ୨୫ ତାରିଖରେ ବାଲେଶ୍ୱର, ଭଦ୍ରକ, କେନ୍ଦ୍ରାପଡ଼ା ଜିଲ୍ଲାରେ ଗୋଟିଏରୁ ଦୁଇଟି ସ୍ଥାନରେ ପ୍ରବଳ ବର୍ଷା ହେବ। ଏଥିସହ ଘଣ୍ଟା ପ୍ରତି ୪୦ରୁ ୫୦ କିମି ବେଗରେ ପବନ ମଧ୍ୟ ବହିପାରେ। ସେହିପରି ୨୬ ତାରିଖ ସକାଳଠାରୁ ବାଲେଶ୍ୱର ଓ ଭଦ୍ରକ ଜିଲ୍ଲାରେ ଗୋଟିଏରୁ ଦୁଇଟି ସ୍ଥାନରେ ପ୍ରବଳରୁ ଅତି ପ୍ରବଳ ବର୍ଷା ହେବାର ସମ୍ଭାବନା ଥିବା ବେଳେ କେନ୍ଦ୍ରାପଡ଼ା ଓ ମୟୂରଭଞ୍ଜ ଜିଲ୍ଲାରେ ପ୍ରବଳ ବର୍ଷା ହେବ। ଏହି ସମୟରେ ସମୁଦ୍ର ଅଶାନ୍ତ ରହିବ। ତେଣୁ ମତ୍ସ୍ୟଜୀବୀମାନଙ୍କୁ ସମୁଦ୍ର ମଧ୍ୟକୁ ନ ଯିବା ପାଇଁ ପରାମର୍ଶ ଦିଆଯାଇଛି। ପାଣିପାଗ କେନ୍ଦ୍ରର ସୂଚନାକୁ ଆଧାର କରି ରାଜ୍ୟ ସ୍ୱତନ୍ତ୍ର ରିଲିଫ କମିସନର ସତର୍କ ସୂଚନା ଜାରି କରିଛନ୍ତି। ମୁଖ୍ୟତଃ ବାତ୍ୟା ଯୋଗୁଁ ପ୍ରଭାବିତ ହେବାକୁ ଥିବା ଓଡ଼ିଶାର ୪ ଜିଲ୍ଲାର ଜିଲ୍ଲାପାଳଙ୍କୁ ସତର୍କ କରାଯାଇଛି।

ଅପରପକ୍ଷେ, ପାଣିପାଗ ବିଶେଷଜ୍ଞ ପ୍ରଫେସର ସୁରେନ୍ଦ୍ରନାଥ ପଶୁପାଳକ କହିଛନ୍ତି ଯେ, ଶୁକ୍ରବାର ସନ୍ଧ୍ୟା ସୁଦ୍ଧା ଲଘୁଚାପ କେନ୍ଦ୍ରୀୟ ବଙ୍ଗୋପସାଗରରେ ବଳ ଗୋଟାଉଥିବା ବେଳେ ଶନିବାର ଏହା ବାତ୍ୟା ରୂପ ନେବ ଏବଂ ୨୬ ତାରିଖରେ ଭୀଷଣ ବାତ୍ୟାରେ ପରିଣତ ହୋଇ ବାଂଲାଦେଶ ଏବଂ ପଶ୍ଚିମବଙ୍ଗ ସୀମା ଦେଇ ସ୍ଥଳଭାଗ ଛୁଇଁବ। ବାତ୍ୟା ପ୍ରଭାବରେ ୨୫ ତାରିଖ ରାତିରେ କେତେକ ସ୍ଥାନରେ ହାଲୁକା ବର୍ଷା ହୋଇପାରେ। ୨୬ରେ ଖୋର୍ଦ୍ଧା, ଢେଙ୍କାନାଳ, କଟକ, ଜଗତସିଂହପୁର, ଯାଜପୁର ଓ କେନ୍ଦୁଝରର କେତେକ ସ୍ଥାନରେ ସ୍ୱଳ୍ପରୁ ମଧ୍ୟମ ବର୍ଷା ହେବ। ୨୮ ତାରିଖରୁ ସାରା ରାଜ୍ୟରେ ତାପମାତ୍ରା ପୁଣି ବଢ଼ିବ। ପଶ୍ଚିମ ଓ ଆଭ୍ୟନ୍ତରୀଣ ଦକ୍ଷିଣରେ ତାପମାତ୍ରା ୪୪ ଡିଗ୍ରୀରୁ ଅଧିକ ରହିବାର ଥିବାବେଳେ ଭୁବନେଶ୍ୱରରେ ତାପମାତ୍ରା ୪୨ ଡିଗ୍ରୀ ଛୁଇଁପାରେ।

Leave A Reply

Your email address will not be published.