ବଡ ଖବର ଓଡ଼ିଶା ମନୋରଞ୍ଜନ ଖେଳ ଖବର ଦେଶ- ବିଦେଶ ଜୀବନଚର୍ଯ୍ୟା ରାଶିଫଳ ବାଣିଜ୍ୟ ଫଟୋ ଗ୍ୟାଲେରୀ ଅପରାଧ ଟେକ୍ନୋଲୋଜି ବିଶେଷ ରାଜନୀତି ସ୍ଵାସ୍ଥ୍ୟ

ଗଛ ଲଗାଇବା ପାଇଁ ବଢୁଛି ଆଗ୍ରହ: ନର୍ସରୀରେ ମିଳୁଛି ଡେକୋରେଟିଭ୍‌ ପ୍ଲାଣ୍ଟଠୁ ଆରମ୍ଭ କରି ମଲ୍‌ଟି ଭିଟାମିନ୍‌ ଓ ଇନ୍‌ସୁଲିନ୍‌ ଗଛ

ଭୁବନେଶ୍ବର ( ପ୍ରଦୀପ ): ବୃକ୍ଷ ହିଁ ଜୀବନ । ବୃକ୍ଷ ଦ୍ୱାରା ଏକ ସୁନ୍ଦର ପୃଥିବୀ ଗଢ଼ାଯାଇ ପାରିବ। ଏହି କଥାକୁ ମର୍ମେ ମର୍ମେ ଅନୁଭବ କରି ସମସ୍ତେ ନିଜ ଚାରି ପାଖରେ ଗଛ ଲଗାଇ ପରିବେଶକୁ ସବୁଜ ସୁନ୍ଦର କରିବା ଦିଗରେ ଆଗ୍ରହ ଦେଖାଉଛନ୍ତି। ଲୋକଙ୍କର ଘରର ଆଖପାଖରେ ସବୁଜବନାନୀ ସୃଷ୍ଟି କରିବା ଆଗ୍ରହ ଦେଖି ରାଜଧାନୀ ଭୁବନେଶ୍ବରରେ ଗଢିଉଠିଛି ଅନେକ ବ୍ୟବସାୟିକ ନର୍ସରୀ । କେଉଁଠି ଛୋଟ ଛୋଟ ଗଛରେ ଫଳିଛି ଲେମ୍ବୁ, କମଳା ଓ ପିଜୁଳି ତ ଆଉ କେଉଁଠି ହାତ ବଢ଼ାଇ ତୋଳି ହେଉଛି ଆମ୍ବ । ଗେଣ୍ଡୁ, ଗୋଲାପ, ଆନ୍ଥୁରିୟମ, ଅର୍କିଡ୍‌ ଆଦି ଭଳିକି ଭଳି ଫୁଲ । ମନି ପ୍ଲାଣ୍ଟରୁ ବୋନସାଇ । ଫୁଲ, ଫଳ ଓ ବିଭିନ୍ନ ଔଷଧୀୟ ଗଛରେ ସଜେଇ ହୋଇଛି ପୂରା ପରିବେଶ । ଆଉ ରାସ୍ତାରେ ଯାଉଥିବା ଲୋକେ ଘଡ଼ିଏ ଅଟକି ଯାଇ ଏହାର ସୌନ୍ଦର୍ଯ୍ୟକୁ ମନଖୋଲି ଉପଭୋଗ କରୁଛନ୍ତି। ସତେ ଯେମିତି ବଗିଚା କିମ୍ବା ଛୋଟ ପାର୍କର ଅନୁଭୂତି ମିଳୁଛି ଏଠାରେ। କେଉଁଟି ବଗିଚାରେ ଲଗାଇବା ପାଇଁ ତ ଆଉ କେଉଁଟି ଘର ଭିତରେ ଲଗାଇବା ପାଇଁ ଉଦ୍ଦିଷ୍ଟ । କେଉଁ ଫଲ ଋତୁକାଳୀନ ତ ଆଉ କେଉଁଟି ବାରମାସୀ । ଫୁୁଲ, ଫଳ, ପନିପରିବା ଓ ଔଷଧୀୟ ବୃକ୍ଷକୁ ମିଶାଇ ରାଜଧାନୀର ବିଭିନ୍ନ ନର୍ସରୀରେ ପ୍ରାୟ ୫ ହଜାରରୁ ଅଧିକ ପ୍ରକାର ଚାରା ମିଳୁଛି। ଯୁବ ପିଢ଼ିଙ୍କଠୁ ଆରମ୍ଭ କରି ବରିଷ୍ଠ ନାଗରିକମାନେ ଏବେ ବଗିଚା ପ୍ରସ୍ତୁତି କରିବା ପାଇଁ ଆଗ୍ରହ ପ୍ରକାଶ କରୁଛନ୍ତି । ବଜାରରୁ ପରିବା କିଣିବା ପରିବର୍ତ୍ତେ ଲୋକେ କିଚେନ ଗାର୍ଡେନରୁ ତଟକା ପରିବା ପାଇବାକୁ ଚାରା କିଣୁଛନ୍ତି । ଘର ସାଜସଜ୍ଜା ପାଇଁ ଇନ୍‌ଡୋର୍‌ ପ୍ଲାଣ୍ଟେସନ ଏବେ ନୂଆ ଟ୍ରେଣ୍ଡ୍‌ ପାଲଟିଛି । ସବୁଠୁ ବଡ଼କଥା ହେଲା ଏବେ ଗ୍ରହଦୋଷ ଦୂର କରିବା ପାଇଁ ଲୋକେ ନର୍ସରୀରୁ ବିଭିନ୍ନ ପ୍ରକାର ଗଛ ଅର୍ଡର କରି ନେଉଛନ୍ତି। ଏହି ସମସ୍ତ ପ୍ରକାର ଗଛ ପାଇଁ ଲୋକେ ନର୍ସରୀମୁହାଁ ହେଉଛନ୍ତି । ରାଜଧାନୀରେ ଏବେ ନର୍ସରୀ ସଂଖ୍ୟା ମଧ୍ୟ ବଢ଼ିବାରେ ଲାଗିଛି । ଏହାବାଦ୍‌ ନର୍ସରୀ ଯୋଗୁଁ ଅନେକଙ୍କୁ ରୋଜଗାରର ଅବସର ମଧ୍ୟ ମିଳିଛି। ଓଡ଼ିଶାରେ ଚାରା ଗଛ ସୃଷ୍ଟି ପାଇଁ ଉପଯୁକ୍ତ ପରିବେଶ ଥିଲେ ମଧ୍ୟ ପଡ଼ୋଶୀ ରାଜ୍ୟ ଆନ୍ଧ୍ରପଦେଶ ଓ ପଶ୍ଚିମବଙ୍ଗ ଉପରେ ନିର୍ଭର କରିବାକୁ ପଡ଼ୁଛି। ସ୍ଥାନୀୟ ଚାଷୀମାନେ ମଧ୍ୟ ନର୍ସରୀ ପାଇଁ ଆଗ୍ରହ ଦେଖାଉ ନାହାନ୍ତି। ଚାରା ସୃଷ୍ଟି ପାଇଁ ଓଡ଼ିଶାରେ ଉପଯୁକ୍ତ ପରିବେଶ ସୃଷ୍ଟି କରାଗଲେ ଅନ୍ୟ ରାଜ୍ୟ ଉପରେ ନିର୍ଭର କରିବାକୁ ପଡ଼ନ୍ତା ନାହିଁ କି ଅଯଥା ପରିବହନ ଖର୍ଚ୍ଚ ହୁଅନ୍ତା ନାହିଁ ବୋଲି ଉଦ୍ଭିଦବିତ୍‌ମାନେ ମତ ଦିଅନ୍ତି। ରାଜଧାାନୀରେ କିପିରି ରହିଛି ନର୍ସରୀର ଚାହିଦା ତାକୁ ନେଇ ଆମର ଏଇ ସ୍ବତନ୍ତ୍ର ଉପସ୍ଥାପନା।

ଖଣ୍ଡଗିରି ରାସ୍ତାକଡ଼ରେ ୧୫ ନର୍ସରୀ


ରାଜଧାନୀର ଖଣ୍ଡଗିରିରେ ପାଖାପାଖି ୧୫ ଟି ନର୍ସରୀ ରହିଛି । ଏହି ନର୍ସରୀଗୁଡ଼ିକ ବରମୁଣ୍ଡାରୁ ଖଣ୍ଡଗିରି ଛକ ଜାତୀୟ ରାଜପଥକୁ ଲାଗି ରହିଛି । ଗୋଟିଏ ସ୍ଥାନରେ ଏତେ ସଂଖ୍ୟକ ନର୍ସରୀ ଥିବାରୁ ଅଧିକାଂଶ ଗ୍ରାହକ ଚାରା କିଣିବାକୁ ଚାହିଲେ ପ୍ରଥମେ ଖଣ୍ଡଗିରିକୁ ହିଁ ପସନ୍ଦ କରୁଛନ୍ତି । ଏଠାରେ ସମସ୍ତ ପ୍ରକାର ଫୁଲ, ଫଳ ଓ ଘରସଜ୍ଜା ଗଛର ଚାରା ଉପଲବ୍ଧ ହେଉଛି। ଖଣ୍ଡଗିରି ସମେତ ପାତ୍ରପଡ଼ା, ଜୟଦେବ ବିହାର, ୟୁନିଟ୍‌-୧, ୟୁନିଟ-୨, ହଂସପାଳ, ପାହଳ ଆଦିକୁ ମିଶାଇ ରାଜଧାନୀରେ ପ୍ରାୟ ୧୦୦ରୁ ଊର୍ଦ୍ଧ୍ବ ନର୍ସରୀ ରହିଛି ।

ମେଦିନାପୁର ଓ ରାଜମହେନ୍ଦ୍ରୀରୁ ଚାରା ଆମଦାନୀ

ରାଜଧାନୀର ଅଧିକାଂଶ ନର୍ସରୀକୁ ପଶ୍ଚିମବଙ୍ଗର ମେଦିନାପୁରରୁ ଚାରା ଆସୁଛି । ମେଦିନାପୁର ଜିଲ୍ଲାର କାନ୍ଥୀଠାରେ ଉଭୟ ପୁରୁଷ ମହିଳାମାନେ ଚାରା ପ୍ରସ୍ତୁତି କରିଥାନ୍ତି । ଯେଉଁମାନେ ଚାରା ଆବଶ୍ୟକତା କରନ୍ତି, ସେମାନେ କାନ୍ଥୀକୁ ଯାଇ ଚାରା ଆଣୁଛନ୍ତି । ଓଡ଼ିଶା ପାଇଁ ଏହି ସ୍ଥାନଟି ଏକ ବଡ଼ ବଜାର ହୋଇଥିବା ବେଳେ ସେଠାରୁ ଓଡ଼ିଶାକୁ ଟ୍ରକ୍‌ ଟ୍ରକ୍‌ ଚାରା ଆସୁଛି । ମେଦିନାପୁର ସହିତ ଆନ୍ଧ୍ର ପ୍ରଦେଶର ରାଜମହେନ୍ଦ୍ରୀରୁ ମଧ୍ୟ ଓଡ଼ିଶା ନର୍ସରୀକୁ ଚାରା ଆସୁଛି । ପଶ୍ଚିମବଙ୍ଗରୁ ଆସୁଥିବା ଚାରା ଅପେକ୍ଷା ରାଜମହେନ୍ଦ୍ରୀ ଚାରା ଉତ୍ତମ ଗୁଣ ମାନର ବୋଲି ନର୍ସରୀ ମାଲିକମାନେ କୁହନ୍ତି। ମୁଖ୍ୟତଃ ଆନ୍ଧ୍ରରୁ ଆସୁଥିବା ଆମ୍ବ ଗଛର ଅଧିକ ଚାହିଦା ରହୁଛି । ଯେହେତୁ ପଶ୍ଚିମବଙ୍ଗ ଅପେକ୍ଷା ଆନ୍ଧ୍ରପ୍ରଦେଶରୁ ଚାରା ଆଣିବା ପାଇଁ ଖର୍ଚ୍ଚ ଅଧିକ ହେଉଛି, ତେଣୁ ଅଧିକାଂଶ ବ୍ୟବସାୟୀ ପଶ୍ଚିମବଙ୍ଗର ମେଦିନାପୁରରୁ ଚାରା ଆଣୁଛନ୍ତି ।

କଲମୀ ଚାରାର ପେଣ୍ଠ ପାଞ୍ଚକୁଡ଼ା


ସାଧାରଣତଃ ଫଳ ଥିବା ଗଛ କ୍ରୟ କରିବା ପାଇଁ ଅଧିକାଂଶ ଲୋକ ଚାହିଥାନ୍ତି। ଏଥିପାଇଁ କଲମୀକରଣ ଗଛର ଚାହିଦା ବୃଦ୍ଧି ପାଇଛି । ରାଜଧାନୀରେ ଥିବା ଅଧିକାଂଶ ନର୍ସରୀରେ କଲମୀ ଗଛ ରହୁଛି । ଏହି କଲମୀକରଣ ଗଛଗୁଡ଼ିକୁ ପଶ୍ଚିମବଙ୍ଗର ପାଞ୍ଚକୁଡ଼ାରୁ ଅଣାଯାଉଛି । ମେଦିନାପୁରଠାରୁ ୫୦ କିଲୋମିଟର ଦୂରରେ ଥିବା ପାଞ୍ଚକୁଡ଼ାରେ କେବଳ କଲମୀ ଗଛ ପ୍ରସ୍ତୁତ କରାଯାଉଛି । ଏହିଠାରୁ ଆସୁଥିବା ଛୋଟ ଛୋଟ ଗଛରେ ଫଳ ହେଉଛି ।

ଓଡ଼ିଶା ଯୋଗାଉଛି ସଜନା, ଅମୃତ ଭଣ୍ଡା, ତୁଳସୀ

ନର୍ସରୀ କରିଥିବା ମାଲିକମାନେ ବିଭିନ୍ନ ଗଛ ବାହାରୁ ଉତ୍ପାଦନ କରୁଥିବା ବେଳେ କିଛି ଗଛ ଓଡ଼ିଶାରେ ହିଁ ପ୍ରସ୍ତୁତ କରୁଛନ୍ତି । ମୁଖ୍ୟତଃ ସଜନା ଛୁଇଁ, ଅମୃତ ଭଣ୍ଡା ଓଡ଼ିଶାରେ ପ୍ରଚୁର ମାତ୍ରାରେ ଫଳୁଥିବାରୁ ଏହି ଗଛ ନର୍ସରୀଗୁଡ଼ିକରେ ସହଜରେ ଉପଲବ୍ଧ ହେଉଛି। ଏହାଛଡ଼ା ତୁଳସୀ ଗଛ ମଧ୍ୟ ଓଡ଼ିଶାରେ ପର୍ଯ୍ୟାପ୍ତ ରହିଛି। ଏମିତି କି ଓଡ଼ିଶାରୁ ଏହି ୩ ପ୍ରଜାତିର ଗଛ ବାହାରକୁ ମଧ୍ୟ ଯାଉଥିବା ଜଣାପଡ଼ିଛି । ଓଡ଼ିଆ ଲୋକ ଅମୃତ ଭଣ୍ଡା ଓ ସଜନା ଶାଗ ଏବଂ ଛୁଇଁ ଖାଇବାକୁ ପସନ୍ଦ କରୁଥିବାରୁ ଏହି ଗଛ ପ୍ରତି ସମସ୍ତଙ୍କର ଆଗ୍ରହ ରହୁଛି ।

ଆର୍‌ପିଆର୍‌ସିରେ ୩୦୦ ପ୍ରକାରର ଅର୍କିଡ୍‌


ରାଜ୍ୟରେ ଅର୍କିଡ୍‌ ଚାଷକୁ ପ୍ରୋତ୍ସାହିତ କରାଯିବା ପାଇଁ ବିଭିନ୍ନ ବିଦେଶୀ କିସମ ସହିତ ଓଡ଼ିଶା ଜଳବାୟୁକୁ ଲକ୍ଷ୍ୟ କରି ଅର୍କିଡ୍‌ ଚାରା ପ୍ରସ୍ତୁତି କରାଯାଉଛି। ଭୁବନେଶ୍ୱର ସ୍ଥିତ ଆଞ୍ଚଳିକ ଉଦ୍ଭିଦ ସମ୍ପଦ କେନ୍ଦ୍ର (ଆରପିଆରସି)ରେ ଅର୍କିଡ୍‌ କଲ୍‌ଟିଭେସନ୍‌ ଓ ବ୍ରିଡିଂ ସେଣ୍ଟରରେ ଏହି ପଦକ୍ଷେପ ଗ୍ରହଣ କରାଯାଇଛି । ଏଠାରେ ଅର୍କିଡ୍‌ ଚାଷ ଓ ବ୍ରିଡିଂ ପ୍ରକ୍ରିୟା ଉପରେ ବ୍ୟାପକ ପଦକ୍ଷେପ ନିଆଯାଉଛି । ବର୍ତ୍ତମାନ ଏହି କେନ୍ଦ୍ରରେ ବଜାରରେ ଚାହିଦା ଥିବା ଦୁଇପ୍ରକାର ଅର୍କିଡ୍‌ ଫୁଲର ଚାଷ ପ୍ରଣାଳୀ ଉପରେ କାମ ଆରମ୍ଭ ହୋଇଛି। ସେହିପରି ରାଜ୍ୟର ଜଳବାୟୁକୁ ଲକ୍ଷ୍ୟକରି ନୂଆ ଚାରା ଊଦ୍ଭାବନ ପାଇଁ ଅର୍କିଡ୍‌ ବ୍ରିଡିଂ କେନ୍ଦ୍ରର ପ୍ରାୟ ୩୦୦ ପ୍ରକାରର ଅର୍କିଡ ସଂଗ୍ରହ କରାଯାଇ ଏଥିରୁ ନୂଆ କିସମର ଅର୍କିଡ୍‌ ଉଦ୍ଭାବନ କରିବାକୁ ପଦକ୍ଷେପ ନିଆଯାଇଛି ।

ଡେକୋରେଟିଭ୍‌ ପ୍ଲାଣ୍ଟ୍‌ର ଚାହିଦା ବୃଦ୍ଧି

ପୂର୍ବରୁ ନର୍ସରୀ କହିଲେ କେବଳ ଆମ୍ବ, ପଣସ, ଫୁଲ ଏବଂ ଔଷଧୀୟ ଗଛରେ ସୀମିତ ଥିଲା । କିନ୍ତୁ ଏବେ ଏହାର ପରିଭାଷା ବଦଳିବା ସହ ଲୋକଙ୍କ ଚାହିଦା ଅନୁଯାୟୀ, ବିଭିନ୍ନ ପ୍ରକାରର ଡେକୋରେଟିଭ୍‌ ଗଛର ଚାହିଦା ବୃଦ୍ଧି ହୋଇଛି । ନିଜକୁ ସବୁଜ ବଳୟ ମଧ୍ୟରେ ରଖିବା ପାଇଁ ସହରୀ ଲୋକେ ପସନ୍ଦ କରୁଛନ୍ତି । ନିଜ ଘରର ବାଲ୍‌କୋନୀ, ପୋଟିକ, ଡ୍ରଇଂରୁମ୍‌ ଓ ବେଡ୍‌ରୁମ୍‌ରେ ପାତ୍ର ମାଧ୍ୟମରେ ଗଛ ରଖୁଛନ୍ତି । ଭଳିକି ଭଳି ଗଛ ଘର ଭିତରେ ଡେକୋରେସନ୍‌ ପାଇଁ ମିଳୁଛି। ଏହି ଗଛଗୁଡ଼ିକ ଘରର ବାୟୁ ବିଶୁଦ୍ଧିକରଣ କରିବାରେ ସହାୟକ ହେବା ସହ ଅମ୍ଳଜାନ ପ୍ରଦାନ କରୁଛନ୍ତି ବୋଲି ନର୍ସରୀ ମାଲିକମାନେ କୁହନ୍ତି । ଏହିସବୁ ଗଛଗୁଡ଼ିକ ମଧ୍ୟରୁ ଅଧିକାଂଶ ଗଛ ବାହାର ରାଜ୍ୟ ତଥା ବିଦେଶରୁ ଆମଦାନୀ ହେଉଛି । ଆଲ୍‌ଗୋନାମା, ଜିଜି, ସିଲଙ୍ଗ, ଜେନାଡା, ହାଇଡ୍ରେଞ୍ଜା, ପାନ୍ଥୋରିୟମ୍‌, ସ୍ନେକ୍‌ ପ୍ଲାଣ୍ଟ୍‌, ବଟରଫ୍ଲାଏ, ଆଲକୋସିଆ, ସିମ୍ବୋନିୟମ୍‌, ଫିସ୍‌ ଲିଲି, ରେନ୍‌ ଫ୍ଲାୱାର, ମିରିଣ୍ଡା, ହୋୟା ଆଦି ଭଳି ୫ଶହରୁ ଊର୍ଦ୍ଧ୍ବ କିସମର ଗଛ ଏବେ ନର୍ସରୀମାନଙ୍କରେ ବିକ୍ରି କରାଯାଉଛି । ଏହି ଗଛଗୁଡ଼ିକର ମୂଲ୍ୟ ୪୦ଟଙ୍କାରୁ ଆରମ୍ଭ କରି ୨ ହଜାର ଟଙ୍କା ପର୍ଯ୍ୟନ୍ତ ରହିଛି। ଏହିସବୁ ଗଛଗୁଡ଼ିକ ମୁଖ୍ୟତଃ ଥାଇଲାଣ୍ଡ, ପୁଣେ, ବେଙ୍ଗାଲୁରୁ, ଦିଲ୍ଲୀ, ଛତିଶଗଡ଼ ଏବଂ କୋଲକାତାରୁ ଆମଦାନୀ କରାଯାଇଥାଏ।

ଉତ୍ପାଦନ ବଦଳରେ କେବଳ ଟ୍ରେଡିଂ ହେଉଛି

ଭୁବନେଶ୍ୱରରେ ଥିବା ଅଧିକାଂଶ ନର୍ସରୀ ଚାରା ଉତ୍ପାଦନ କରିବା ବଦଳରେ କେବଳ ଟ୍ରେଡିଂ କରୁଛନ୍ତି। ଅର୍ଥାତ୍‌ ଅନ୍ୟସ୍ଥାନରୁ ଚାରା ଆଣି ବ୍ୟବସାୟ କରୁଛନ୍ତି। ଦୀର୍ଘଦିନ ଧରି ରାଜଧାନୀରେ ଚାରା ବ୍ୟବସାୟ ଚାଲିଥିଲେ ମଧ୍ୟ ବର୍ତ୍ତମାନ ପର୍ଯ୍ୟନ୍ତ ବ୍ୟାପକ ଭାବେ ଚାରା ଏଠାରେ ଉତ୍ପାଦନ ହେବାରେ ସଫଳତା ମିଳିନାହିଁ। ନିଜ ନର୍ସରୀରେ ଅଳ୍ପ କିଛି ଦେଶୀ ଚାରା ଛାଡ଼ି ଦେଲେ ନର୍ସରୀ ମାଲିକମାନେ ପ୍ରାୟତଃ ପଶ୍ଚିମବଙ୍ଗ ଓ ଆନ୍ଧ୍ର ପ୍ରଦେଶର ରାଜମହେନ୍ଦ୍ରୀରୁ ଚାରା ଆଣୁଛନ୍ତି। ନିୟମିତ ବ୍ୟବଧାନରେ ଟ୍ରକ ଟ୍ରକ୍ ଚାରା ଓଡ଼ିଶାକୁ ପଡ଼ୋଶୀ ରାଜ୍ୟରୁ ଆସୁଛି। ଏଥିପାଇଁ ବ୍ୟବସାୟୀମାନଙ୍କୁ ଲକ୍ଷାଧିକ ଟଙ୍କା କେବଳ ପରିବହନ ଖର୍ଚ୍ଚ ବାବଦକୁ ଗଣିବାକୁ ପଡ଼ୁଛି। ହେଲେ ଓଡ଼ିଶାରେ ଚାରା ଉତ୍ପାଦନ କରି ଏହାକୁ ବ୍ୟବସାୟ କରିବାରେ ବର୍ତ୍ତମାନ ପର୍ଯ୍ୟନ୍ତ ରାଜ୍ୟର ନର୍ସରୀ ମାଲିକମାନେ ସଫଳତା ପାଇପାରି ନାହାନ୍ତି।

ନିଜେ ଚାରା ପ୍ରସ୍ତୁତ କରନ୍ତି ନର୍ସରୀ


ନର୍ସରୀ ସାଧାରଣତଃ ଦୁଇ ପ୍ରକାରର। ହୋଲସେଲ କିମ୍ୱା ଖୁଚୁରା ନର୍ସରୀ। ହୋଲସେଲ ନର୍ସରୀଗୁଡ଼ିକ ବହୁ ପରିମାଣରେ ଚାରା ଉତ୍ପାଦନ କରନ୍ତି। ଯାହାକୁ ସେମାନେ ଖୁଚୁରା ନର୍ସରୀ, ଲ୍ୟାଣ୍ଡସ୍କେପର୍, ବଗିଚା, ଏବଂ ଅନ୍ୟାନ୍ୟ ଖୁଚୁରା ଆଉଟଲେଟ୍‌କୁ ବିକ୍ରି କରନ୍ତି। ଏହାକୁ ପରବର୍ତ୍ତୀ ସମୟରେ ଆଉଟ୍‌ଲେଟ୍‌ଗୁଡ଼ିକ ଜନସାଧାରଣଙ୍କୁ ବିକ୍ରି କରିନ୍ତି। କିଛି ହୋଲସେଲ ନର୍ସରୀ ଏକ ନିର୍ଦ୍ଦିଷ୍ଟ ପ୍ରକାରର ଚାରା ଉତ୍ପାଦନ କରୁଥିବା ବେଳେ କିଛି ନର୍ସରୀ ଏକାଧିକ ପ୍ରକାର ଚାରା ଉତ୍ପାଦନ କରୁଛନ୍ତି। ଏଥିପାଇଁ ବଡ଼ ବଡ଼ ନର୍ସରୀଗୁଡ଼ିକ ମଞ୍ଜିରୁ ଚାରା ପ୍ରସ୍ତୁତ ସହିତ ଗଛର ମୂଳ, ପ୍ଲଗ୍ ବା ମୂଳ ଆଦିରୁ ଚାରା ବାହାର କରିଥାନ୍ତି। ଟିସୁ କଲଚର ମାଧ୍ୟମରେ ମଧ୍ୟ କିଛି ନର୍ସରୀ ଚାରା ପ୍ରସ୍ତୁତ କରନ୍ତି। ହୋଲସେଲ ନର୍ସରୀଗୁଡ଼ିକ ଅନେକ ବଡ଼ ବଡ଼ ସଂସ୍ଥା ସହିତ ଚୁକ୍ତି କରି ସେମାନଙ୍କୁ ଚାରା ଯୋଗାଇ ଥାନ୍ତି। ସେହିପରି ଖୁଚୁରା ନର୍ସରୀଗୁଡ଼ିକ ହୋଲସେଲ ନର୍ସରୀରୁ ଚାରା କ୍ରୟ କରି ଏହାକୁ ବିକ୍ରି କରନ୍ତି।

ବିନା ମାଟିରେ ବିଦେଶୀ ଗଛ


ବିଦେଶୀ ଗଛକୁ ମାଟି ପରିବର୍ତ୍ତେ ପୋଡ଼ା କୋଇଲାରୁ ବାହାରୁଥିବା ଗୁଣ୍ଡକୁ ବ୍ୟବହାର କରି ରୋପଣ କରାଯାଉଛି । ଫଳରେ ଖତ, ମାଟି ଏବଂ ସାରର ଆବଶ୍ୟକତା ପଡ଼ୁନାହିଁ । ବହୁ ସମୟ ଧରି ପାଣି ଦେବାର ଆବଶ୍ୟକତା ମଧ୍ୟ ପଡ଼ୁନାହିଁ । ଲୋକଙ୍କ ଚାହିଦାକୁ ଦେଖି ଓଡ଼ିଶାରେ ଆଲ୍‌ଗୋନାମା, ଜିଜି, ସିଲଙ୍ଗ, ଜେନାଡା, ହାଇଡ୍ରେଞ୍ଜା, ପାନ୍ଥୋରିୟମ୍‌, ସ୍ନେକ୍‌ ପ୍ଲାଣ୍ଟ୍‌, ବଟବଢ଼ୁଛି ବୋନ୍‌ସାଇ ଚାହିଦା

ବଢ଼ୁଛି ବୋନ୍‌ସାଇ ଚାହିଦା
ଏବେ ରାଜଧାନୀରେ ସବୁ ନର୍ସରୀରେ ବୋନ୍‌ସାଇ ଗଛ ବିକ୍ରି ହେଉଛି । ଏହି ସବୁ ଗଛ ମଧ୍ୟରୁ ଅଧିକାଂଶ ବାହାରୁ ଆମଦାନୀ ହେଉଛି । ଆମ୍ବ, ଡାଳିମ୍ବ, ଝାଉଁ, ଚମ୍ପା, ବର, ଓସ୍ତ, ଜାମୁ, ଲେମ୍ବୁ, କମଳା ଓ ପିଜୁଳି ଆଦି ଗଛରୁ ଅଧିକ ବୋନ୍‌ସାଇ ପ୍ରସ୍ତୁତ କରାଯାଉଛି । ପ୍ରାକୃତିକ ଭାବେ ଛୋଟରୁ ବଡ଼ ହେଉଥିବା ଗଛକୁ ମାଟିରୁ ଚେର ସହ ବାହାର କରି ବୋନ୍‌ସାଇ ଗଛ ତିଆରି କରାଯାଉଛି । ବିଶାଳ ଗଛକୁ ବୋନ୍‌ସାଇ ବା ବାମନ ଗଛ ରୂପ ଦିଆଯାଉଛି । ଆବଶ୍ୟକ ଯତ୍ନ ନେଲେ ବୋନ୍‌ସାଇ ଗଛ ୧୦ ବର୍ଷରୁ ଅଧିକ ସମୟ ବଞ୍ଚିବ ବୋଲି କୁହାଯାଉଛି । ବଜାରରେ ଏହାର ମୂଲ୍ୟ ୬୦୦ ଟଙ୍କାରୁ ଆରମ୍ଭ କରି ୧ ଲକ୍ଷ ଟଙ୍କା ପର୍ଯ୍ୟନ୍ତ ରହୁଛି । ବୋନ୍‌ସାଇ ଗଛଗୁଡ଼ିକ ଘର ସମେତ ବଡ଼ ବଡ଼ ହୋଟେଲରେ ଶୋଭା ପାଉଛି ।ରଫ୍ଲାଏ, ଆଲକୋସିଆ, ସିମ୍ବୋନିୟମ୍‌, ଫିସ୍‌ ଲିଲି, ରେନ୍‌ ଫ୍ଲାୱାର, ମିରିଣ୍ଡା ଭଳି ଗଛର ଉତ୍ପାଦନ କରାଯାଉଛି । କମ୍‌ ଖରା, କମ୍‌ ମାଟି କିମ୍ବା ବିନା ମାଟିରେ ଏବଂ କମ୍‌ ପାଣିରେ ଏହି ଇନ୍‌ଡୋର ପ୍ଲାଣ୍ଟଗୁଡ଼ିକର ରକ୍ଷଣାବେକ୍ଷଣ କରାଯାଉଛି ।

ପଶ୍ଚିମବଙ୍ଗ ତୁଳନାରେ ଓଡ଼ିଶା ମାଟି ଭଲ
ପଶ୍ଚିମବଙ୍ଗ ତୁଳନାରେ ଓଡ଼ିଶାର ମାଟି ଯଥେଷ୍ଟ ଭଲ। ପଶ୍ଚିମବଙ୍ଗରେ ଅଧିକାଂଶ ସ୍ଥାନରେ ଚିକିଟା ମାଟି ଦେଖାଯାଉଥିବା ବେଳେ ଆନ୍ଧ୍ରପ୍ରଦେଶର ରାଜମହେନ୍ଦ୍ରୀ ଭଳି ଓଡ଼ିଶାରେ ସାଧାରଣତଃ ବାଲିଆ ମାଟି ଦେଖାଯାଏ। ଏହି ମାଟି ଚାରା ବଢ଼ିବା ପାଇଁ ବେଶ୍‌ ଉପଯୋଗୀ ହୋଇଥାଏ। ଯାହାର ପରିଣାମ ସ୍ୱରୂପ ରାଜମହେନ୍ଦ୍ରୀରେ ବିଭିନ୍ନ ପ୍ରକାର ଫୁଲ ଫଳର ଉତ୍ପାଦନ ଅଧିକ ହେଉଥବା ବେଳେ ଚାରା ଉତ୍ପାଦନ କ୍ଷେତ୍ରରେ ମଧ୍ୟ ବଡ଼ ଭୂମିକା ନିର୍ବାହ କରୁଛି। ଏହି କ୍ରମରେ ରାଜମହେନ୍ଦ୍ରୀ ଭଳି ଓଡ଼ିଶାରେ ମଧ୍ୟ ସମସ୍ତ ପ୍ରକାର ଚାରା ଉତ୍ପାଦନ ହୋଇପାରିବ।

ଲ୍ୟାଣ୍ଡ୍‌ସ୍କେପିଂ ପାଇଁ ଆସୁଛି ଘାସ
ବିଭିନ୍ନ ସ୍ଥାନର ସୌନ୍ଦର୍ଯ୍ୟକରଣ ପାଇଁ ଭୂମି ବିନ୍ୟାସ (ଲ୍ୟାଣ୍ଡସ୍କେପିଂ) କରାଯାଉଛି। ଲ୍ୟାଣ୍ଡସ୍କେପିଂରେ ବିଭିନ୍ନ କିସମର ଘାସର ବ୍ୟବହାର ହେଉଛି। ଜେବ୍ରା ଗ୍ରାସ୍, ଫେଦର ରିଡ୍ ଗ୍ରାସ୍, ପମ୍ପ୍ସ ଗ୍ରାସ୍, ଫାଉଣ୍ଟେନ୍ ଗ୍ରାସ୍ ପ୍ରମୁଖର ଏବେ ବହୁ ଚାହିଦା ରହିଛି। ଏଥିପାଇଁ ଅଧିକାଂଶ ନର୍ସରୀରେ ଏହି ଘାସ ପ୍ରସ୍ତୁତ କରାଯାଉଛି ଓ ପରବର୍ତ୍ତୀ ସମୟରେ ଏହାକୁ ବିକ୍ରି କରାଯାଉଛି। ହକି ବିଶ୍ୱକପ୍ ସମୟରେ ଭୁବନେଶ୍ୱରରେ ୨୫ କିଲୋମିଟର ଅଞ୍ଚଳ ଭୂମି ବିନ୍ୟାସ କରାଯାଇଛି। ଏହି ଭୂମି ବିନ୍ୟାସରେ ରାସ୍ତାକଡ଼ରେ ଘାସ ବିଛାଯିବା ସହିତ ମେଡିଆନ୍‌ଗୁଡ଼ିକରେ ଗଛ ଲଗାଯାଇଛି। ଆଗକୁ ଜି-୨୦ ବୈଠକ ପାଇଁ ରାଜ୍ୟକୁ ବିଭିନ୍ନ ଦେଶର ପ୍ରତିନିଧିମାନେ ଆସିବେ। ଏଥିପାଇଁ ଖଣ୍ଡଗିରି ଛକରୁ ରସୁଲଗଡ଼ ଛକ ପର୍ଯ୍ୟନ୍ତ ଜାତୀୟ ରାଜପଥ କଡ଼ରେ ଭୂମି ବିନ୍ୟାସ କରିବା ପାଇଁ ନିଷ୍ପତ୍ତି ହୋଇଛି। ତେବେ ରାଜଧାନୀରେ ହୋଇଥିବା ଏହି ଲ୍ୟାଣ୍ଡସ୍କେପିଂ ପାଇଁ ପଶ୍ଚିମବଙ୍ଗରୁ ଘାସ ଅଣାଯାଇଥିବା ଜଣାପଡ଼ିଛି।

ରାଶି ଦେଖି କିଣୁଛନ୍ତି ଚାରା

ରାଶି, ନକ୍ଷତ୍ର ଓ ଗ୍ରହ ଅନୁଯାୟୀ ଚାରା ମିଳୁଛି । ବିଭିନ୍ନ ରାଶିର ଲୋକେ ଭିନ୍ନଭିନ୍ନ ଗଛ ଲଗାଇ ପୂଜାର୍ଚ୍ଚନା କଲେ ଶୁଭ ଫଳ ମିଳିଥାଏ ବୋଲି ବିଶ୍ବାସ ରହିଛି । ଏଥିପାଇଁ ରାଶି ଅନୁଯାୟୀ ଚାରା ବିକ୍ରୟ କରାଯାଉଛି । ପାତ୍ରପଡ଼ା ସ୍ଥିତ ଔଷଧୀୟ ଉଦ୍ୟାନରେ ଏହି ବ୍ୟବସ୍ଥା ରହିଛି । ଏଠାରେ ରାଶି, ନକ୍ଷତ୍ର ଆଧାରରେ ଲୋକେ କେଉଁ ଗଛ ଲଗାଇବା ଉଚିତ ତାହା ବୋର୍ଡ ମାଧ୍ୟମରେ ଦର୍ଶାଯାଇଛି । ଲୋକମାନେ ଗଛ କିଣିବା ପୂର୍ବରୁ ଏଠାକୁ ଯାଇ ନିଜ ରାଶିରେ କେଉଁ ଗଛ ଲଗାଇବା ଲାଭଦାୟକ, ତାହା ଦେଖୁଛନ୍ତି ଓ ପରେ ଏଠାରେ ଥିବା ସରକାରୀ ଉଦ୍ୟାନରୁ ଗଛ କ୍ରୟ କରୁଛନ୍ତି । ବାସ୍ତୁ ଶାସ୍ତ୍ରରେ ରାଶି ସହିତ ଗଛର ଏକ ଗୂଢ଼ ସମ୍ପର୍କ ଥିବା ବିଶ୍ୱାସ ରହିଛି । ଏହାଦ୍ୱାରା ଲୋକମାନଙ୍କ ମନକୁ ସନ୍ତୋଷ ମିଳିବା ସହିତ ଗଛ ଲଗାଇବା ପ୍ରତି ଆଗ୍ରହ ମଧ୍ୟ ବୃଦ୍ଧି ହେଉଛି ବୋଲି ଔଷଧୀୟ ଉଦ୍ୟାନର ଫରେଷ୍ଟର ସମୀର କୁମାର ବେହେରା କହିଛନ୍ତି ।

ଚାଷୀଙ୍କୁ ଟାଣୁଛି ଏକାମ୍ର ଉଦ୍ୟାନ

ekamra
ଲୋକଙ୍କ ଚାହିଦାକୁୁ ଦୃଷ୍ଟିରେ ରଖି ସରକାରୀ ନର୍ସରୀଗୁଡ଼ିକରେ ଚାରା ପ୍ରସ୍ତୁତି କରାଯାଉଛି। ଅଧିକାଂଶ ସରକାରୀ ନର୍ସରୀ ଆମ୍ବ, ନଡ଼ିଆ, ପଣସ, ବରକୋଳି, ପିଜୁଳି, ଅମୃତଭଣ୍ଡା ଭଳି ଚାରା ପ୍ରସ୍ତୁତ କରି ବିକ୍ରି କରୁଛନ୍ତି । ନୂଆପଲ୍ଲୀ ସ୍ଥିତ ଏକାମ୍ର ଉଦ୍ୟାନରେ ଏଥିପ୍ରତି ଅଧ଄କ ଗୁରୁତ୍ୱ ଦିଆଯାଉଛି। ଉଦ୍ୟାନକୃଷି ନିର୍ଦ୍ଦେଶାଳୟର ଅଧୀନରେ ଥିବା ଏହି କେନ୍ଦ୍ର ସମେତ, ଖଣ୍ଡଗିରି ସରକାରୀ ନର୍ସରୀ, ଡେରାସ ହର୍ଟିକଲଚର ଫାର୍ମ, ୟୁନିଟ୍‌-୧ କିଚେନ୍‌ ଗାର୍ଡେନ୍‌ ଆଦି ରହିଛି । ଏହି ସବୁ ସ୍ଥାନରେ ରାଜ୍ୟ ସରକାରଙ୍କ କୃଷି ବିଭାଗ ପକ୍ଷରୁ ଉନ୍ନତ ପ୍ରଣାଳୀର ଚାରା ପ୍ରସ୍ତୁତ କରାଯାଉଛି। ଆଗକୁ ଏଠାରେ ବରକୋଳି ଓ ଭିଏନ୍‌ଆର୍‌ ପିଜୁଳି ଚାରା ପ୍ରସ୍ତୁତ କରାଯାଇ ଚାଷୀମାନଙ୍କୁ ପ୍ରଦାନ କରାଯିବ ବୋଲି କହିଛନ୍ତି ସହକାରୀ ଉଦ୍ୟାନକୃଷି ନିର୍ଦ୍ଦେଶକ ଚିତ୍ତରଞ୍ଜନ ସାହୁ ।

ମିଳୁଛି ମଲ୍‌ଟି ଭିଟାମିନ୍‌, ଇନ୍‌ସୁଲିନ୍‌ ଗଛ


ଇନ୍‌ସୁଲିନ, ବ୍ରାହ୍ମି, ମଲ୍‌ଟି ଭିଟାମିନ୍‌ ଭଳି ଗଛ ମିଳୁଛି। ବନ ବିଭାଗ ପକ୍ଷରୁ ପାତ୍ରପଡ଼ାରେ ଥିବା ଔଷଧୀୟ ଉଦ୍ୟାନରେ ଏଭଳି ଚାରା ମିଳୁଥିବା ବେଳେ ଲୋକଙ୍କର ମଧ୍ୟ ଏଥିପ୍ରତି ଆଗ୍ରହ ରହୁଛି । ଏହା ବ୍ୟତୀତ ବହୁ ଦୁର୍ମୂଲ୍ୟ ଗଛକୁ ଏଠାରେ ସଂରକ୍ଷିତ ରଖାଯାଇ ଏଠାରୁ ଚାରା ପ୍ରସ୍ତୁତ କରାଯାଉଛି। ରୁକୁଣା ହାତପୋଛା, କର୍ପୂର ତୁଳସୀ, ବାସଙ୍ଗ, ଦୟଣା, ରକ୍ତଖାଇ, ଲେମନ ଗ୍ରାସ, ଭୃଙ୍ଗରାଜ ଭଳି ଚାରା ଏଠାରେ ମିଳୁଛି । ବରିଷ୍ଠ ନାଗରିକମାନେ ଏହି ଗଛ ପ୍ରତି ଅଧିକ ଆକୃଷ୍ଟ ହେଉଥିବା ବେଳେ ଛୋଟ ପିଲମାନଙ୍କୁ ଏହି ଗଛ ସମ୍ପର୍କରେ ସୂଚନା ଓ ସଚେତନତା କରାଯାଉଛି।

Leave A Reply

Your email address will not be published.