ବଡ ଖବର ଓଡ଼ିଶା ମନୋରଞ୍ଜନ ଖେଳ ଖବର ଦେଶ- ବିଦେଶ ଜୀବନଚର୍ଯ୍ୟା ରାଶିଫଳ ବାଣିଜ୍ୟ ଫଟୋ ଗ୍ୟାଲେରୀ ଅପରାଧ ଟେକ୍ନୋଲୋଜି ବିଶେଷ ରାଜନୀତି ସ୍ଵାସ୍ଥ୍ୟ

ବେଳକୁ ବେଳ ଅଧିକ ଉଗ୍ର ହେଉଛି ବାତ୍ଯା: ଜଳବାୟୁ ପରିବର୍ତ୍ତନ ପ୍ରଭାବକୁ ନେଇ ଚାଲିଛି ଅଙ୍କକଷା

ଭୁବନେଶ୍ବର: ପ୍ରତିବର୍ଷ ହାରାହାରି ଗୋଟିଏ ବଡ଼ ବାତ୍ୟା ରାଜ୍ୟର ମେରୁଦଣ୍ଡ ଉପରେ ପ୍ରଚଣ୍ଡ ଆଘାତ ଦେଉଛି। ବିପର୍ଯ୍ୟୟ କାଳରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ‘ଶୂନ୍ୟ ମୃତାହତ’ ସିଦ୍ଧାନ୍ତ ଆଧାରରେ ମୃତ୍ୟୁ ସଂଖ୍ୟା ନିୟନ୍ତ୍ରଣ କରିବାକୁ ରାଜ୍ୟ ପ୍ରଶାସନ ଯଦିଓ ସକ୍ଷମ ହୋଇଛି, ତଥାପି ଗତ ୩ ବର୍ଷ ମଧ୍ୟରେ ପାଖାପାଖି ଦେଢ଼ ଲକ୍ଷ ଘର ମାଟିରେ ମିଶିଛି। ୭ ଲକ୍ଷ ହେକ୍ଟର ଜମିର ଫସଲ ଉଜୁଡ଼ିଛି। ୫ ହଜାରରୁ ଊର୍ଦ୍ଧ୍ୱ ଗୋ ସମ୍ପଦ ନଷ୍ଟ ହୋଇଛନ୍ତି। ଏହି ଚିତ୍ରକୁ ଲକ୍ଷ୍ୟ ରଖି ପାଣିପାଗ ବିଜ୍ଞାନୀ ସଙ୍କେତ ଦେଲେଣି ଯେ ଓଡ଼ିଶା ଏବେ ବାତ୍ୟା ଦୃଷ୍ଟିରୁ ଅତି ହୋଇପଡ଼ିଛି ।

ସମ୍ବେଦନଶୀଳ ରାଜ୍ୟ ଯଦିଓ ବାତ୍ୟାର ସଂଖ୍ୟା କମିଛି, କିନ୍ତୁ ଲକ୍ଷ୍ୟ କରାଗଲାଣି ଯେ ଆସୁଥିବା ବାତ୍ୟାର ପ୍ରକୋପ ପୂର୍ବାପେକ୍ଷା ଅଧିକ ରହୁଛି। ଜଳବାୟୁ ପରିବର୍ତ୍ତନ ପ୍ରଭାବରେ ସମୁଦ୍ର ପୂର୍ବାପେକ୍ଷା ଅଧିକ ଉତ୍ତପ୍ତ ରହୁଥିବା କାରଣରୁ ଆଗକୁ ବାତ୍ୟାର ପ୍ରକୋପ ଅତି
ଭୀଷଣ ହେବ ଓ କ୍ଷତି ବହୁଗୁଣିତ କରିପାରେ। ବିପର୍ଯ୍ୟୟ ପ୍ରଶମନ କ୍ଷେତ୍ରରେ କେନ୍ଦ୍ରୀୟ ଅବହେଳା ବଢ଼ିଚାଲିଥିବା ପରିପ୍ରେକ୍ଷୀରେ ଏହି ପ୍ରସଙ୍ଗ ଏବେ ବଡ ବିତର୍କ ପାଇଁ ସୁଯୋଗ ରଖିଲେଣି। କେବଳ ସେତିକି ନୁହେଁ, ରାଜ୍ୟ ସରକାର କେନ୍ଦ୍ରକୁ ଅପେକ୍ଷା ନ କରି ନିଜ ଆଡୁ ପଦକ୍ଷେପ ନେବା ଉଚିତ୍ ବୋଲି ମତ ପ୍ରକାଶ ପାଉଛି ।

ବ୍ରହ୍ମପୁର ବିଶ୍ବବିଦ୍ୟାଳୟର ସାମୁଦ୍ରିକ ବିଜ୍ଞାନୀ ପ୍ରଫେସର ପ୍ରତାପ କୁମାର ମହାନ୍ତି କହିଛନ୍ତି, ୧୮୯୧ରୁ ୨୦୨୧ ମସିହା ମଧ୍ୟରେ ଅର୍ଥାତ୍ ପ୍ରାୟ ୧୩୦ ବର୍ଷ ମଧ୍ୟରେ ବାତ୍ୟାକୁ ଲକ୍ଷ୍ୟ କଲେ ଦେଖାଯାଉଛି ଯେ ବାତ୍ୟା ସଂଖ୍ୟା ଧୀରେ ଧୀରେ କମିବାରେ ଲାଗିଛି। ଯେମିତିକି ୧୮୯୧ରୁ ୧୯୦୦ ମସିହା ମଧ୍ୟରେ ୨୦ଟି ବାତ୍ୟା ସୃଷ୍ଟି ହୋଇଥିବା ବେଳେ ପରବର୍ତ୍ତୀ ଦଶନ୍ଧିରେ ଏହି ସଂଖ୍ୟା ୯ ଥିଲା। ୧୯୧୧ର ୧୯୨୦ ମଧ୍ୟରେ ୧୨ଟି, ୧୯୪୧ରୁ ୧୯୫୦ମଧ୍ୟରେ ୧୦ଟି ବାତ୍ୟା ସାମ୍ନା କରିଛି ଓଡ଼ିଶା। ପ୍ରଫେସର ମହାନ୍ତି ଆହୁରି ତଥ୍ୟ ଦେଇଛନ୍ତି ଯେ, ଓଡ଼ିଶା ଉପକୂଳରେ ସର୍ବାଧୂକ ୨୮ଟି ବାତ୍ୟା (ୟସ୍‌କୁ ମିଶାଇ) ବାଲେଶ୍ବର ଉପକୂଳରେ ମାଡ ହୋଇଛି। ସେହିଭଳି ପୁରୀରେ ୨୦, ଜଗତସିଂହପୁରରେ ୧୫ଟି ବାତ୍ୟା ଉପକୂଳ ଛୁଇଁଥିବା ବେଳେ ଗଞ୍ଜାମରେ ୧୩ଟି, କେନ୍ଦ୍ରାପଡ଼ାରେ ୧୧ଟି, ଭଦ୍ରକରେ ୯ଟି ବାତ୍ୟା ମାଡ ହୋଇଛି।

ଅନ୍ୟ ଏକ ପରିସଂଖ୍ୟାନ କହୁଛି, ଏହି ସମୟ ମଧ୍ୟରେ ୭୩ଟି ସାମୁଦ୍ରିକ ଝଡ ହୋଇଥିବା ବେଳେ ୨୩ ଭୀଷଣ ସାମୁଦ୍ରିକ ଝଡ ବା ତତୋଧିକ ରୂପ ନେଇଥିଲା। ଏଠାରେ ଗୋଟିଏ ତଥ୍ୟ ପ୍ରଣିଧାନଯୋଗ୍ୟ ଯେ ୧୯୯୯ ମହାବାତ୍ୟା ପରେ ଦଶବର୍ଷ ଧରି ରାଜ୍ୟ ଆଦୌ ବାତ୍ୟା ସାମ୍ନା କରିନଥିଲା । ଅଥଚ ୨୦୧୧ରୁ ୨୦୨୦ ମଧ୍ୟରେ ୩ଟି ବଡ଼ ବାତ୍ୟା ସହ ୭ଟି ବାତ୍ୟା ଓଡ଼ିଶା ଉପକୂଳରେ ମାଡ଼ କରିଛି ବା ଘଷି ହୋଇ ଯାଇଛି। ନିକଟରେ ‘ୟସ’କୁ ମିଶାଇଲେ ଏହି ସଂଖ୍ୟା ଚାରି ହେବ। ତେବେ ଗତଦଶନ୍ଧିର ତିନିଟି ଯାକ ବାତ୍ୟା ଭୀଷଣ ବା ଅତି ଭୀଷଣ ରୂପ ନେଇ ଉପକୂଳରେ ମାଡ ହେଉଥିବା କାରଣରୁ ବ୍ୟାପକ କ୍ଷତି ଘଟାଇଛି। ଏଣୁ ବାତ୍ୟା ସଂଖ୍ୟା ହ୍ରାସ ପାଇଲେ ମଧ୍ୟ ପ୍ରକୋପ ବଢ଼ୁଥିବା କାରଣରୁ ରାଜ୍ୟର ଅର୍ଥନୀତି, ଜନସମାଜକୁ ଅତି ପରିମାଣରେ କ୍ଷତି ପହଞ୍ଚାଉଛି।

ଅନ୍ୟ ଏକ ଗବେଷଣା ରିପୋର୍ଟ କହୁଛି, ଭାରତବର୍ଷର ୯୬ଟି ଜିଲ୍ଲା ବାତ୍ୟା ପ୍ରବଣ। ସମୁଦ୍ର କୂଳରୁ ୧୦୦ କିଲୋମିଟର ଅଞ୍ଚଳକୁ ବିଚାରକୁ ନେଇ ଏହି ଜିଲ୍ଲାସଂଖ୍ୟା ନିର୍ଣ୍ଣୟ କରାଯାଇଛି। ପୂର୍ବ ଉପକୂଳରେ ଅନ୍ଧ୍ରପ୍ରଦେଶ, ତାମିଲନାଡୁ, ପଶ୍ଚିମବଙ୍ଗ, ପୁଡୁଚେରି ଓ ପଶ୍ଚିମ ଉପକୂଳରେ ଗୁଜୁରାଟକୁ ବାତ୍ୟା କ୍ଷେତ୍ରରେ ଅତି ସମ୍ବେଦନଶୀଳ ବୋଲି କୁହାଯାଉଛି। ଏ ମଧ୍ୟରେ ଗଞ୍ଜାମ, ପୁରୀ, ଜଗତସିଂହପୁର, କେନ୍ଦ୍ରାପଡ଼ା, ବାଲେଶ୍ବର, ଭଦ୍ରକ, ବାଲେଶ୍ବର, ଆନ୍ଧ୍ରର ମଛଲିପଟନ୍‌ ବା ଇଷ୍ଟ ଗୋଦାବରୀ ଆଦି ବାତ୍ୟା ଦୃଷ୍ଟିରୁ ଅତି ସମ୍ବେଦନଶୀଳ ବୋଲି କୁହାଯାଉଛି। ଓଡ଼ିଶାର ଏହି ସାତଟି ଜିଲ୍ଲା ପାଇଁ ଠୋସ୍ ବା ସ୍ଵତନ୍ତ୍ର ପଦକ୍ଷେପ ନେବାର ବେଳ ଏବେ ଆସିଯାଇଛି । ଅନ୍ୟଥା ଉପକୂଳବର୍ତ୍ତୀ ଏହି ଜିଲ୍ଲାରେ ସରକାର ହଜାର ହଜାର କୋଟି ଟଙ୍କାରେ ଭିତ୍ତିଭୂମି ସୃଷ୍ଟି କରିବେ, ଅଥଚ ଗୋଟିଏ ଗୋଟିଏ ବାତ୍ୟା ଏସବୁକୁ ଉଜାଡି ରାଜ୍ୟ ବିକାଶର ଡଙ୍କ ମୋଡିଦେବ।

ବିଶିଷ୍ଟ ପାଣିପାଗ ବିଜ୍ଞାନୀ କହୁଛନ୍ତି ଯେ, ୧୯୦୦ରୁ ୨୦୦୦ ମସିହା ଅର୍ଥାତ୍ ଏହି ୧୦୦ ବର୍ଷର ରିପୋର୍ଟକୁ ତର୍ଜମା କଲେ ଗୋଟିଏ କଥା ସୂଚନା ମିଳୁଛି ଯେ ସାଧାରଣତଃ ଦୁଇଟି ପର୍ଯ୍ୟାୟରେ ବାତ୍ୟା ଆସୁଛି । ଗୋଟିଏ ଏପ୍ରିଲ-ଜୁନ୍ ଓ ଦ୍ବିତୀୟଟି ଅକ୍ଟୋବରରୁ ଡିସେମ୍ବର। ତେବେ ନଭେମ୍ବର ଓ ମେ’ ମାସରେ ଅଧିକ ବାତ୍ୟା ହେଉଛି | ସଂଗଠିତ ହୋଇଥିବା ବାତ୍ୟା ମଧ୍ୟରୁ ୧୨୬ଟି ବାତ୍ୟା ନଭେମ୍ବରରେ ଓ ଅକ୍ଟୋବର ମାସରେ ୯୪ଟି ସୃଷ୍ଟି ହୋଇଛି। ‘ୟସ’କୁ ମିଶାଇ ମେ’ରେ ୬୪ ଓ ଡିସେମ୍ବର ମାସରେ ୫୨ଟି ବାତ୍ୟା ହୋଇଛି । ଏଣୁ ଏସବୁ ମାସରେ ବଙ୍ଗୋପସାଗରରେ ଲଘୁଚାପ ହେଲେ, ରାଜ୍ୟବାସୀ ବିଚଳିତ ହୋଇପଡୁଛନ୍ତି।

ଭାରତର ପାଣିପାଗ ବିଜ୍ଞାନ କେନ୍ଦ୍ରର ମହାନିର୍ଦେଶକ ଡ. ମୃତ୍ୟୁଞ୍ଜୟ ମହାପାତ୍ରଙ୍କର କହିବା କଥା ହେଉଛି, ଓଡ଼ିଶା ଗୋଟିଏ ଅତ୍ୟନ୍ତ ବାତ୍ୟା ପ୍ରବଣ ଅଞ୍ଚଳ ରାଜ୍ୟ ଭାବେ ପରିଗଣିତ। ପ୍ରତିବର୍ଷ ହାରାହାରି ପ୍ରାୟ ଗୋଟିଏ ବାତ୍ୟା ଓଡ଼ିଶା ଉପକୂଳ ଛୁଉଁଛି ବା ଘଷି ହୋଇଯାଉଛି। ଉଭୟ ଆରବ ସାଗର ଏବଂ ବଙ୍ଗୋପସାଗର ସମାନ ଅକ୍ଷାଂଶରେ ଅଛନ୍ତି ଓ ସୂର୍ଯ୍ୟଙ୍କ ଠାରୁ ସମାନ ପରିମାଣରର ବିକିରଣ ପାଉଛନ୍ତି। ହେଲେ ବଙ୍ଗୋପସାଗର କିନ୍ତୁ ଆରବ ସାଗର ତୁଳନାରେ ଅଧିକ ଉତ୍ତପ୍ତ । ଏହି ଉତ୍ତାପ ହଟାଇବା ପାଇଁ ବଙ୍ଗୋପସାଗର ସକ୍ଷମ ହୋଇପାରୁନାହିଁ। ସମୁଦ୍ରର ଏହି ଉତ୍ତାପ, ବାୟୁମଣ୍ଡଳର ସ୍ଥିତି, ଆର୍ଦ୍ରତା, ମାଡେନ୍‌-ଜୁଲିଆନ୍- ଓସିଲେସନ୍ (ନିୟମିତ ବ୍ୟବଧାନରେ ଅତ୍ୟଧିକ ବାଦଲ ସୃଷ୍ଟି) ଆଦି କାରଣରୁ ବିଷୁବ ରେଖା ନିକଟବର୍ତ୍ତୀ ତଥା ଆଣ୍ଡାମାନ ନିକୋବର ଅଞ୍ଚଳରେ ବାରମ୍ବାର ଲଘୁଚାପ ସୃଷ୍ଟି ହେଉଛି। ଏହା ଆଗକୁ ବଢ଼ିବା ବେଳେ ଯଥେଷ୍ଟ ବଳ ମିଳୁଛି, ଯାହା ଫଳରେ ବାରମ୍ବାର ବାତ୍ୟା ସଂଗଠିତ ହେଉଛି।

ବିଶେଷଜ୍ଞଙ୍କର କହିବା କଥା ହେଉଛି, ବାତ୍ୟାର ଗତି ନିର୍ଣ୍ଣୟ ପଛର ବଡ କାରଣ ହେଉଛି, ପୃଥ୍ବୀର ଘୂର୍ଣ୍ଣନ ଓ ପବନର ଗତି । ପୃଥିବୀ ପଶ୍ଚିମରୁ ପୂର୍ବକୁ ସେ ଗତି କରୁଛି । ଅନ୍ୟପକ୍ଷରେ ବାତ୍ୟା ସାଧାରଣତଃ ଉତ୍ତର-ପଶ୍ଚିମ ଦିଗରେ ଗତି କରିଥାଏ। ଯେହେତୁ ଅଧିକାଂଶ ବାତ୍ୟା ଦକ୍ଷିଣ ବଙ୍ଗୋପସାଗରରେ ସୃଷ୍ଟି ହେଉଛି, ଏଣୁ ସ୍ଵାଭାବିକ ଭାବେ ଏହା ଉତ୍ତର ପଶ୍ଚିମ ଦିଗକୁ ଢଳୁଛି ଏବଂ ଓଡ଼ିଶା ଉପକୂରେ ସ୍ଥଳଭାଗ ଛୁଉଁଛି ବା ସମଗ୍ର ସ୍ଥିତିକୁ ଦେଖି ପଶ୍ଚିମବଙ୍ଗ ଓ ବାଲାଦେଶ ଆଡକୁ ଯାଉଛି। ମୌସୁମୀ ସମୟରେ ମଧ୍ୟ ଦେଖାଯାଉଛି ଯେ ଦକ୍ଷିଣ ଚୀନ ସାଗରରେ ସୃଷ୍ଟି ହେଉଥିବା ବାତ୍ୟା ପୂରାପୂରି ଦୁର୍ବଳ ହୋଇପାରୁନାହିଁ। ଏହା ଥାଇଲାଣ୍ଡ ଓ ଭିଏତନାମ ଦେଇ ଆଗକୁ ବଢ଼ିବା ବେଳେ ବଙ୍ଗୋପସାଗରରେ ଅବପାତ ବା ଲଘୁଚାପ ସ୍ଥିତିରେ ପହଞ୍ଚିଛି। ସେଠାରେ ବଳ ପାଇ ଏହା ଅଧିକ ଶକ୍ତିଶାଳୀ ହେଉଛି ଏବଂ ଉତ୍ତର ପଶ୍ଚିମ ଦିଗରେ ଗତି କରି ଓଡ଼ିଶା ଉପକୂଳରେ ମାଡ ହେଉଛି। ମୌସୁମୀ ସମୟରେ ସୃଷ୍ଟି ହେଉଥିବା ଲଘୁଚାପ ମଧ୍ୟରୁ ପାଖାପାଖୁ ୭୫ ପ୍ରତିଶତ ଓଡ଼ିଶା ଉପକୂଳକୁ ଛୁଉଁଛି । ଏଥିରୁ ଅନେକ ବନ୍ୟା ହେବାର ସାହାଯ୍ୟ କରି ବିପର୍ଯ୍ୟୟ ଘଟାଉଛି ବୋଲି ପାଣିପାଗ ବିଜ୍ଞାନୀ ମତ ରଖୁଛନ୍ତି।

ସେମାନଙ୍କ ମତରେ ୧୯୫୧ରୁ ୨୦୧୮ ମଧ୍ୟରେ କରାଯାଇଥିବା ଏକ ଅନୁଧ୍ୟାନ କହୁଛି ଯେ ମୌସୁମୀ ପରବର୍ତ୍ତୀ ସମୟରେ ଅଧିକ ବାତ୍ୟା ଆସୁଛି। ଯଦିଓ ପୂର୍ବାପେକ୍ଷା ବଙ୍ଗୋପସାଗରରେ କମ୍ ବାତ୍ୟା ସଂଗଠିତ ହେଉଛି, ତଥାପି ବାତ୍ୟାର ପ୍ରକୋପ ବଢୁଥିବା ପରିପ୍ରେକ୍ଷୀରେ ଏହା ଅଧିକ ଘାତକ ସାବ୍ୟସ୍ତ ହେଉଛି। ବିପର୍ଯ୍ୟୟ ମୁକାବିଲା କ୍ଷେତ୍ରରେ ରାଜ୍ୟ ସରକାରଙ୍କର କୌଣସି ପ୍ରସ୍ତାବକୁ କେନ୍ଦ୍ର ସରକାର ଗୁରୁତ୍ଵ ଦେଉନାହାନ୍ତି। ‘ୟସ୍’ ବାତ୍ୟା ପରେ ରାଜ୍ୟ ସରକାର ଦୀର୍ଘମିଆଦୀ ପ୍ରସ୍ତୁତି ପାଇଁ ଦେଇଥିବା ୧୫ ହଜାର ୫୦ କୋଟି ଟଙ୍କାର ପ୍ରସ୍ତାବ ଉପରେ କେନ୍ଦ୍ର ଚୁପ| ପଞ୍ଚଦଶ ଅର୍ଥ କମିସନ ପ୍ରଶମନ ବାବଦରେ ଯେଉଁ ୮୦୦କୋଟିର ସ୍ଵତନ୍ତ୍ର ପ୍ୟାକେଜ ସୁପାରିସ କରିଛନ୍ତି, ତାହାକୁ ବି କେନ୍ଦ୍ର ଝୁଲାଇ ରଖୁଛି | ଏଇ ଗୋଟିଏ ଦୁଇଟି ନୁହେଁ, ଗତ ପାଞ୍ଚ ବର୍ଷ ଭିତରେ ରାଜ୍ୟ ସରକାରଙ୍କ ବିପର୍ଯ୍ୟୟ ମୁକାବିଲା ଦିଗରେ ଯାଇଥିବା କୌଣସି ପ୍ରସ୍ତାବ ଉପରେ କେନ୍ଦ୍ର ସରକାର ଠୋସ୍ ପଦକ୍ଷେପ ନେଇନାହାନ୍ତି। ରାଜ୍ୟ ସରକାର ଏବେ ଏହାକୁ ମୂଳ ପ୍ରସଙ୍ଗ ଭାବେ ନେଇ ଆଗକୁ ବଢ଼ିବା ଦରକାର ବୋଲି ବିଶେଷଜ୍ଞ ମତ ରଖୁଛନ୍ତି ।

Leave A Reply

Your email address will not be published.