ବଡ ଖବର ଓଡ଼ିଶା ମନୋରଞ୍ଜନ ଖେଳ ଖବର ଦେଶ- ବିଦେଶ ଜୀବନଚର୍ଯ୍ୟା ରାଶିଫଳ ବାଣିଜ୍ୟ ଫଟୋ ଗ୍ୟାଲେରୀ ଅପରାଧ ଟେକ୍ନୋଲୋଜି ବିଶେଷ ରାଜନୀତି ସ୍ଵାସ୍ଥ୍ୟ

ମୁଖ୍ୟମନ୍ତ୍ରୀଙ୍କ କଥା ରଖିଲା କେନ୍ଦ୍ର, ୨୦୨୨ ମସିହା ମାର୍ଚ୍ଚ ମାସ ପର୍ଯ୍ୟନ୍ତ ଗରିବଙ୍କୁ ମିଳିବ ମାଗଣା ରାସନ

ଭୁବନେଶ୍ବର : ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ କଥା ରଖିଲା କେନ୍ଦ୍ର । ପ୍ରଧାନମନ୍ତ୍ରୀ ଗରିବ କଲ୍ୟାଣ ଯୋଜନା ସମୟସୀମା ବୃଦ୍ଧି କରାଯାଇଛି । ଆସନ୍ତା ମାର୍ଚ୍ଚ ପର୍ଯ୍ୟନ୍ତ ଏହି ଯୋଜନା ବୃଦ୍ଧି କରିଛି କେନ୍ଦ୍ର । କୋରୋନା ସଂକ୍ରମଣ ଯୋଗୁଁ ସ୍ୱାଭାବିକ ସ୍ଥିତି ଆହୁରି ଫେରି ନ ଥିବାରୁ ଗରିବମାନଙ୍କୁ ପିଏମଜିକେଏୱାଇ ଅଧୀନରେ ଆଉ ୮ ମାସ ମାଗଣା ଚାଉଳ ଯୋଗାଣ ଯୋଗାଇବା ପାଇଁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କୁ ଚିଠି ଲେଖିଥିଲେ । ଚଳିତବର୍ଷ ମେ ମାସରୁ ନଭେମ୍ବର ମାସ ପର୍ୟ୍ୟନ୍ତ ରାସନ ସାମଗ୍ରୀ ଯୋଗାଇ ଦିଆଯାଉଥିଲା । ଯାହାକି ନଭେମ୍ବର ମାସରେ ଶେଷ ହେବାକୁ ଥିଲା । ହେଲେ ଏହା ପରେ ମଧ୍ୟ ଗରିବ ଲୋକଙ୍କୁ ରାସନ ସାମଗ୍ରୀ ଯୋଗାଇଦେବାକୁ ଅନୁରୋଧ କରିଥିଲେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ଏବେ କ୍ୟାବିନେଟରେ ଏହାକୁ ମଞ୍ଜୁରୀ ମିଳିବା ସହିତ ଆଉ ୪ ମାସ ପାଇଁ ପିଏମ୍ ଗରିବ କଲ୍ୟାଣ ଅନ୍ନ ଯୋଜନାକୁ ବୃଦ୍ଧି କରାଯାଇଛି ।

ଆସନ୍ତା ୨୦୨୨ ମସିହା ମାର୍ଚ୍ଚ ମାସ ପର୍ଯ୍ୟନ୍ତ ଗରିବ ଲୋକଙ୍କୁ ମାଗଣାରେ ମିଳିବ ରାସନ ସାମଗ୍ରୀ । ଏନେଇ ଆଜି କ୍ୟାବିନେଟ୍ ମଞ୍ଜୁରୀ ପରେ କେନ୍ଦ୍ରମନ୍ତ୍ରୀ ଅନୁରାଗ ଠାକୁର ପ୍ରେସମିଟ୍ କରି ସୂଚନା ଦେଇଛନ୍ତି । ଏହା ପୂର୍ବରୁ ମଧ୍ୟ କରୋନା କାରଣରୁ କେନ୍ଦ୍ର ସରକାର ନଭେମ୍ବର ମାସ ପର୍ଯ୍ୟନ୍ତ ଗରିବ ଲୋକଙ୍କୁ ମାଗଣାରେ ରାସନ ସାମଗ୍ରୀ ଦେଇଆସୁଥିଲେ । ଏବେ ଏହାକୁ ଆଉ ୪ ମାସ ପାଇଁ ବୃଦ୍ଧି କରାଯାଇଛି । ଅନ୍ୟପଟେ ଆଜି ତିନି କୃଷି ଆଇନ୍ ପ୍ରତ୍ୟାହାର ନେଇ କ୍ୟାବିନେଟ ମଞ୍ଜୁରୀ ମିଳିଛି । ସଂସଦର ଆଗାମୀ ଶୀତକାଳୀନ ଅଧିବେଶନରେ ଏନେଇ ସମସ୍ତ ପ୍ରକ୍ରିୟା ଶେଷ ହେବ । କ୍ୟାବିନେଟ୍ ମଞ୍ଜୁରୀ ମିଳିବା ପରେ ଏନେଇ କେନ୍ଦ୍ରମନ୍ତ୍ରୀ ଅନୁରାଗ ଠାକୁର ପ୍ରେସମିଟ୍ କରି ଗଣମାଧ୍ୟମକୁ ସୂଚନା ଦେଇଛନ୍ତି ।

କରୋନା ସଂକଟ ଟଳିନଥିବାବେଳେ ଲୋକଙ୍କ ଆର୍ଥିକ ମେରୁଦଣ୍ଡ ଭାଙ୍ଗିଯାଇଛି । ତେଣୁ ଗରିବଙ୍କ ପେଟପାଟଣା କଥା ଚିନ୍ତା କରି ମୁଖ୍ୟମନ୍ତ୍ରୀ ମାଗଣା ରାସନ ଯୋଗାଇବାକୁ ପ୍ରସ୍ତାବ ଦେଇଥିଲେ । ଯାହାକୁ କଂଗ୍ରେସ ମଧ୍ୟ ସମର୍ଥନ କରିଥିଲା । ଗରିବ କଲ୍ୟାଣ ଯୋଜନାରେ ଜାତୀୟ ଖାଦ୍ୟ ସୁରକ୍ଷା ଆଇନ ଓ ରାଜ୍ୟ ଖାଦ୍ୟ ସୁରକ୍ଷା ଆଇନ ଜରିଆରେ ମୁଣ୍ଡ ପିଛା ୫କିଲୋ ଚାଉଳ ଓ ଏକ କିଲୋ ଡାଲି ମାଗଣାରେ ଦିଆଯାଉଛି ।

ପ୍ରଧାନମନ୍ତ୍ରୀଙ୍କୁ ଚିଠିରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଦର୍ଶାଇଥିଲେ  ଯେ ‘ପ୍ରଧାନମନ୍ତ୍ରୀ ଗରିବ କଲ୍ୟାଣ ଅନ୍ନ ଯୋଜନା’ରେ ହିତାଧିକାରୀଙ୍କୁ ଠିକ୍ ସମୟରେ ଚାଉଳ ଯୋଗାଇ ଦେବାକୁ ଓଡ଼ିଶା ସରକାର ପ୍ରାଥମିକତା ଦେଇଥିଲେ। ନଭେମ୍ବର ୫ ତାରିଖ ସୁଦ୍ଧା ୭ ମାସର ଚାଉଳ ବିତରଣ ଶେଷ ହୋଇଛି। ଏପରିକି ରାଜ୍ୟ ସରକାରଙ୍କ ନିଜସ୍ବ ଖାଦ୍ୟ ସୁରକ୍ଷା ଯୋଜନାର ହିତାଧିକାରୀଙ୍କୁ ମଧ୍ୟ ଏହି ସୁବିଧା ଦିଆଯାଇଛି। ତେବେ କୋଭିଡ୍‌ର ପ୍ରଭାବ ଏ ଯାଏ ସରିନାହିଁ। ଯଦିଓ ରାଜ୍ୟରେ ଟିକାକରଣ ଦ୍ରୁତ ଗତିରେ ଚାଲିଛି, ତେବେ ନୂଆ ସଂକ୍ରମଣ ବି ଜାରି ରହିଛି। ଅର୍ଥନୈତିକ କାରବାର ପ୍ରାକ୍-ମହାମାରୀ ସ୍ଥିତିକୁ ଫେରିନାହିଁ। ସ୍ବାଭାବିକ ଜୀବନକୁ ଫେରିବା ପାଇଁ ଲୋକମାନେ ସଂଘର୍ଷ ଜାରି ରଖିଛନ୍ତି। ବର୍ତ୍ତମାନ ପରିସ୍ଥିତି‌ରେ ଅସୁବିଧାରେ ଥିବା ଲୋକମାନଙ୍କୁ ସରକାର ସହାୟତାର ହାତ ବଢ଼ାଇବାର ଆବଶ୍ୟକତା ଅଧିକ ଅନୁଭୂତ ହେଉଛି।

Leave A Reply

Your email address will not be published.