ବଡ ଖବର ଓଡ଼ିଶା ମନୋରଞ୍ଜନ ଖେଳ ଖବର ଦେଶ- ବିଦେଶ ଜୀବନଚର୍ଯ୍ୟା ରାଶିଫଳ ବାଣିଜ୍ୟ ଫଟୋ ଗ୍ୟାଲେରୀ ଅପରାଧ ଟେକ୍ନୋଲୋଜି ବିଶେଷ ରାଜନୀତି ସ୍ଵାସ୍ଥ୍ୟ

ଭାଇ ଯେତେ ବାହା ହେଉଥିଲା ଭଉଣୀ ସେତେ ନଣନ୍ଦ ପୁଟୁଳି ନେଉଥିଲା, ଏବେ ବାନ୍ଧିଲା ପୁଲିସ

ଭୁବନେଶ୍ବର :  ବନ୍ଧା ହେଲେ ଠକ ନକଲି ଡାକ୍ତର ରମେଶ ସ୍ୱାଇଁଙ୍କ ଭଉଣୀ । ନକଲି ଡାକ୍ତର ରମେଶ ସ୍ୱାଇଁ ଠକେଇ ମାମଲାରେ ପୁଲିସ ସ୍କାନରରେ ରହିଥିଲେ ରମେଶଙ୍କ ପୂରା ପରିବାର । ରମେଶର ଠକେଇ ସିଣ୍ଡିକେଟରେ ଭାଇ, ଭଉଣୀ ଓ ଭିଣୋଇଙ୍କ ଭୂମିକା ଥିବା ସୂଚନା ମିଳିଥିଲା । ତେବେ ଏହି ମାମଲାରେ ଆଜି ପୁଲିସ ଠକ ରମେଶଙ୍କ ଭଉଣୀଙ୍କୁ ପଚରା ଉଚାରା କରିବା ପାଇଁ ଆଣିଥିଲା । ଉଭୟ ଭାଇ ଭଉଣୀଙ୍କୁ ଆଜି ମୁହାଁମୁହିଁ ଜେରା କରିଥିଲା ପୁଲିସ । କିଛି ସମୟ ଉଭୟଙ୍କୁ ମୁହାଁମୁହିଁ ଜେରା କରିବା ପରେ ରମେଶର ଭଉଣୀଙ୍କୁ ବାନ୍ଧିଥିଲା ପୁଲିସ । ରମେଶ ଭଉଣୀଙ୍କୁ ଗିରଫ କରିବା ପରେ ତାଙ୍କୁ ରିମାଣ୍ଡରେ ଆଣି ଅଧିକ ଖୋଳତାଡ଼ କରିବାକୁ କୋର୍ଟରେ ଆବେଦନ କରିବ ପୁଲିସ ।

ଏକାଧିକ ବିବାହରେ ସଂପୃକ୍ତି ଥିବା ଅଭିଯୋଗର ପ୍ରମାଣ ମିଳିବା ପରେ ରମେଶଙ୍କ ଭଉଣୀଙ୍କୁ ଗିରଫ କରାଯାଇଛି । ଏକାଧିକ ବିବାହ ଉତ୍ସବରେ ତାଙ୍କ ଭଉଣୀ ଉପସ୍ଥିତ ରହୁଥିଲେ । ଅଭିଯୋଗ କରିଥିବା ମହିଳାମାନେ ତାଙ୍କ ଭଉଣୀଙ୍କୁ ଚିହ୍ନିଛନ୍ତି । ରମେଶଙ୍କ ଉଉଣୀଙ୍କ ସହ ତାଙ୍କ ଭିଣୋଇ ବି ଏହି କାରବାରରେ ସଂପୃକ୍ତ ଥିବାର ପ୍ରମାଣ ମିଳିଛି । ତେବେ ଭିଣୋଇ ଫେରାର ଅଛନ୍ତି । ରମେଶଙ୍କ ଠକେଇ ସିଣ୍ଡିକେଟ୍‍ରେ ସାମିଲ ଥିଲେ ଭଉଣୀ-ଭିଣୋଇ ଯୋଡ଼ି। ରମେଶର ଭଉଣୀ ଥିଲା ମୁଖ୍ୟ କାର୍ପଟଦାର। ଭାଇ ବାହାଘରରେ ଭଉଣୀ ରହୁଥିଲା ସାକ୍ଷୀ। ଭାଇ ବିଭିନ୍ନ ରାଜ୍ୟ ଓ ଜିଲ୍ଲାରେ ବୁଲି ନୂଆନୂଆ ମହିଳାଙ୍କୁ ବିବାହ କରୁଥିଲା, ଭଉଣୀ ନେଉଥିଲେ ନଣନ୍ଦ ପୁଟୁଳି। କାହାଠାରୁ ସୁନା ହାର ତ ଆଉ କାହାଠାରୁ ହୀରାମୁଦି ନଣଦ ପୁଟୁଳିରେ ମିଳୁଥିଲା।

ଅନ୍ୟପକ୍ଷରେ ପ୍ରତିଦିନ ଖୋଲୁଛି ଠକ ନକଲି ଡାକ୍ତର ରମେଶ ସ୍ବାଇଁର ଗୁମର । ରମେଶଙ୍କଠାରୁ ଠକେଇର ସତ ଓଗାରୁଛି ପୁଲିସ । ତେବେ ଏବେ ବି ଭିଣୋଇ ଗଣେଶ ଓ ଡ୍ରାଇଭର ରମେଶ ଫେରାର ଅଛନ୍ତି । ସେପଟେ ଆଜି ସରୁଛି ରମେଶଙ୍କ ରିମାଣ୍ଡ ଅବଧି । ତେଣୁ ଅଧିକ ପଚରା ଉଚରା ପାଇଁ ରମେଶଙ୍କୁ ପୁଣି ଥରେ ରିମାଣ୍ଡରେ ଆଣିବାକୁ କୋର୍ଟରେ ଆବେଦନ କରିବ ପୁଲିସ ।ଅନ୍ୟପଟେ ଠକ ରମେଶର ଖୁଣ୍ଟୁଣି ଅଞ୍ଚଳରେ ଏକ ଫାର୍ମ ହାଉସରେ ରେଡ୍ କରିଛି ପୋଲିସ । ଫାର୍ମ ହାଉସରେ କ’ଣ ରହିଛି ତାହା ଜାଣିବା ପାଇଁ ଖୁଣ୍ଟୁଣି ଫାର୍ମ ହାଉସରେ ରେଡ୍ କରିଛି ସ୍ପେଶାଲ ଟିମ୍ । ଫାର୍ମ ହାଉସର କର୍ମଚାରୀଙ୍କୁ ପୁଲିସ ପଚରାଉଚରା କରୁଛି । ଆନ୍ଧ୍ର ବ୍ୟବସାୟୀଙ୍କ ଠାରୁ ଆଣିଥିବା ଚାରା ଫାର୍ମ ହାଉସରେ ଲଗାଇଥିଲେ । ଆଉ ଏବେ ୩୦ ଏକରରୁ ଅଧିକ ଜମିରେ ଥିବା ଫାର୍ମ ହାଉସକୁ ସିଲ୍ କରିବ ପୁଲିସ ।

ଅନ୍ୟପଟେ ଆଜି ନକଲି ଡାକ୍ତର ରମେଶ ସ୍ବାଇଁ ନାମରେ ଆଉ ଏକ ସଙ୍ଗିନ ଅଭିଯୋଗ ଆସିଛି। ବହୁ ଚର୍ଚ୍ଚିତ ନକଲି ଡାକ୍ତର ରମେଶ ସ୍ୱାଇଁ  କିଡ୍ନୀ ଚୋରିର ଅଭିଯୋଗ ଆସିଛି। କାମାକ୍ଷାନଗରର ନିଜ ଘରେ ଥିବା ଏକ ଅଣ୍ଡର ଗ୍ରାଉଣ୍ଡ  ଘରେ କରୁଥିଲେ ଏ ସବୁ ର କଳାକାରନାମା। ରମେଶ ସ୍ୱାଇଁ ୧୯୯୦ ରୁ ୨୦୧୦ ଯାଏ କାମାକ୍ଷାନଗରରେ କ୍ଲିନିକ କରି ଚଳାଇଥିଲେ ରାଜୁତି। ୧୯୯୦ ମସିହାରେ କେନ୍ଦ୍ରାପଡା ରୁ କାମାକ୍ଷାନଗରକୁ ଆସି ଭଡାରେ ରହି ଏକ ବେଆଇନ କ୍ଲିନିକ୍ କରି ଚିକିତ୍ସା କରି ସାଧାରଣ ଲୋକଙ୍କୁ ଲୁଟୁଥିଲେ । ଚିକିତ୍ସା ସମୟରେ ଏକାଧିକ ଲୋକଙ୍କ ମୃତ୍ୟୁ ହୋଇଛି। ମୁଖ୍ୟତ ପେଟ ଜନିତ ରୋଗର ଚିକିତ୍ସା କରୁଥିଲେ ନକଲି ଡାକ୍ତର ରମେଶ ସ୍ବାଇଁ। କାମାକ୍ଷାନଗର ଅନନ୍ତପୁର ଠାରେ ୧୯୯୫ ମସିହାରେ ଜାଗା କିଣି ଘର କରିଥିଲେ। ଏଠାରେ ସ୍ତ୍ରୀ ଓ ୩ ପିଲା ସହ କ୍ଲିନିକ୍ ଏକ୍ସେରେ ଅପରେଟର ମଧ୍ୟ ରହୁଥିଲେ। ଏବେ ଏହି ଘରେ କେବଳ ଏକ୍ସେରେ କର୍ମଚାରି ଛଡା ପରିବାରର ଅନ୍ୟ କୌଣସି ସଦସ୍ୟ ରହୁ ନାହାଁନ୍ତି।

ସେହିପରି ରମେଶ ବିରୋଧରେ ପ୍ରତିଦିନ ନୂଆ ନୂଆ ମାମଲା ରୁଜୁ ହେଉଛି । ନକଲି ରସିକ ଡାକ୍ତରଙ୍କ ଘରେ କମିଶନରେଟ୍ ପୁଲିସ ଚଢାଉ କରିଛି । ମଙ୍ଗଳବାର ରାତିରେ କେନ୍ଦ୍ରାପଡା ଜିଲ୍ଲା ଡେରାବିଶ ବ୍ଲକ୍ ରେ ଥିବା ରମେଶଙ୍କ ଘରୁ ୧୫ଟି ବ୍ୟାଙ୍କର ପାସବୁକ୍ ସ୍ଵତନ୍ତ୍ର ଟିମ୍ ଜବତ କରିଛି । ଏଥିସହିତ କଲିକତାରୁ ଠକେଇ କରି ଆଣିଥିବା ୬ଟି ଅଣ୍ଡାରୁ ଛୁଆ ବାହାରୁଥିବା ମେସିନ ଜବତ କରାଯାଇଛି । ସ୍ଵତନ୍ତ୍ର ଟିମ୍ ରମେଶର ଭିଣୋଇ ଗଣେଶଙ୍କ ଘରେ ମଧ୍ୟ ଚଢାଉ କରିଥିଲା । ହେଲେ ପୋଲିସକୁ ଖାଲି ହାତରେ ଫେରିବାକୁ ପଡିଛି ।

Leave A Reply

Your email address will not be published.