ବଡ ଖବର ଓଡ଼ିଶା ମନୋରଞ୍ଜନ ଖେଳ ଖବର ଦେଶ- ବିଦେଶ ଜୀବନଚର୍ଯ୍ୟା ରାଶିଫଳ ବାଣିଜ୍ୟ ଫଟୋ ଗ୍ୟାଲେରୀ ଅପରାଧ ଟେକ୍ନୋଲୋଜି ବିଶେଷ ରାଜନୀତି ସ୍ଵାସ୍ଥ୍ୟ

ରାଜ୍ୟ ସରକାରଙ୍କୁ ସିଏସ୍‌‌ଆଇଆର ମହାନିର୍ଦ୍ଦେଶକଙ୍କ ପ୍ରଶଂସା

ଭୁବନେଶ୍ୱର : ଓଡ଼ିଶା ସରକାରଙ୍କ ଷ୍ଟାର୍ଟଅପ୍‌‌, ଇନକ୍ୟୁବେସନ୍‌‌ ଓ ଏମ୍‌ଏସ୍‌ଏମ୍‌ଇ କ୍ଷେତ୍ରକୁ ଯେପରି ପ୍ରୋତ୍ସାହନ ଦେଉଛନ୍ତି ତାହା ପ୍ରଶଂସନୀୟ। ରାଜ୍ୟ ସରକାରଙ୍କର ପୂର୍ଣ୍ଣ ସହଯୋଗ ହେତୁ ଏସବୁ କ୍ଷେତ୍ରରେ ଓଡ଼ିଶା ଉଲ୍ଲେଖନୀୟ ଅଗ୍ରଗତି ହାସଲ କରିଛି। ଷ୍ଟାର୍ଟଅପ୍‌‌ ଏବଂ ଏମ୍‌‌ଏସ୍‌‌ଏମ୍‌‌ଇର ବିକାଶ କ୍ଷେତ୍ରରେ ଭୁବନେଶ୍ୱରର ଆଇଆଇଏମ୍‌‌ଟିର ମହତ୍ତ୍ବପୂର୍ଣ୍ଣ ଅବଦାନ ରହିଛି। ଆଇଏମ୍‌‌ଏମ୍‌‌ଟିରେ ଏବେ ୧୧ଟି ଇନ୍‌କ୍ୟୁବେଟର୍‌‌ ବିଭିନ୍ନ କ୍ଷେତ୍ରରେ କାର୍ଯ୍ୟ କରୁଛନ୍ତି। ଖଣି ସଂସ୍କାର ଓ ପରିଚାଳନା କ୍ଷେତ୍ରରେ ପୁଣି ପ୍ରଶଂସିତ ହୋଇଛି ଓଡ଼ିଶା। ତିନି ଦିନ ପୂର୍ବରୁ କେନ୍ଦ୍ର ଖଣି ସଚିବ ବିବେକ ଭରଦ୍ୱାଜ ଓଡ଼ିଶା ଗସ୍ତରେ ଆସିଥିବା ସମୟରେ ଖଣି ଓ ଖଣି କ୍ଷେତ୍ରରେ ସଂଘୀୟ ସହଭାଗିତାରେ ଓଡ଼ିଶା ସାରା ଦେଶରେ ଶ୍ରେଷ୍ଠ ବୋଲି ଉଲ୍ଲେଖ କରି ଭୁରିଭୁରି ପ୍ରଶଂସା କରିଥିଲେ।

ଖଣିଜ ପଦାର୍ଥର ଉତ୍ପାଦନ ସହିତ ଖଣିଜ ଶିଳ୍ପରେ ପୁଞ୍ଜିନିବେଶ କ୍ଷେତ୍ରରେ ଓଡ଼ିଶା ଅନ୍ୟ ରାଜ୍ୟ ମଧ୍ୟରେ ଆଗୁଆ ରହିଛି ବୋଲି ଶ୍ରୀ ଭରଦ୍ୱାଜ ପ୍ରକାଶ କରିଥିଲେ। ଆଜି ସିଏସ୍‌‌ଆଇଆର ମହାନିର୍ଦ୍ଦେଶକ ପ୍ରଥମ ଥର ପାଇଁ ଓଡ଼ିଶା ଗସ୍ତରେ ଆସିଥିବା ବେଳେ ଖଣି ପରିଚାଳନାରେ ଓଡ଼ିଶା ସରକାରଙ୍କ ଉଦ୍ୟମକୁ ପ୍ରଶଂସାରେ ପୋତି ପକାଇଛନ୍ତି। ଓଡ଼ିଶାରେ ବିଭିନ୍ନ ପ୍ରକାର ମୂଲ୍ୟବାନ୍‌‌ ଖଣିଜ ସମ୍ପଦ ଭରି ରହିଛି। ଏହି ରାଜ୍ୟରେ ଦକ୍ଷ ମାନବସମ୍ବଳର ମଧ୍ୟ ଅଭାବ ନାହିଁ। ଦୁଇ ସମ୍ପଦକୁ ନେଇ ଯଦି ଆମେ କାମ କରିବା ତା ହେଲେ ଆମ ଦେଶକୁ ନୂଆ ଦିଗଦର୍ଶନ ମିଳିବ। ଆଉ ଏହି ଦିଗରେ ଓଡ଼ିଶା ସରକାରଙ୍କ ଉଦ୍ୟମ ଅନ୍ୟ ରାଜ୍ୟ ପାଇଁ ଉଦାହରଣ ସୃଷ୍ଟି କରିଛି ବୋଲି କହିଛନ୍ତି ସିଏସ୍‌‌ଆଇଆର ମହାନିର୍ଦ୍ଦେଶକ ତଥା ଡିଏସ୍‌‌ଆଇଆର ସଚିବ ଡକ୍ଟର ଏନ୍‌‌ କଲାଇସେଲ୍‌ଫଭି।

ଆଜି ଆଇଏମ୍‌‌ଏମ୍‌‌ଟି, ଭୁବନେଶ୍ୱରରେ ‘ୱାନ୍‌‌ ୱିକ୍‌‌, ୱାନ୍‌‌ ଲ୍ୟାବ୍‌‌’ କାର୍ଯ୍ୟକ୍ରମର ଶୁଭାରମ୍ଭ ଅବସରରେ ଆୟୋଜିତ ଆଲୋଚନାଚକ୍ରରେ ଯୋଗଦେବା ଅବସରରେ ସେ କହିଛନ୍ତି ଯେ ଦିନ ଥିଲା ଆମେ କେବଳ ଖଣି ଉତ୍ପାଦନ ଉପରେ ଦୃଷ୍ଟିନିବଦ୍ଧ କରିଥିଲୁ; କିନ୍ତୁ ଆଜି ଏଥିରେ ବହୁତ ପରିବର୍ତ୍ତନ ଆସିଛି। ଖଣିଜ ସମ୍ପଦର ସୁବିନିଯୋଗ ଦିଗରେ ଅନେକ ପ୍ରକାର ଗବେଷଣା କରାଯାଉଛି। ବିଜ୍ଞାନ ଓ କାରିଗରୀ କୌଶଳ ଆଜି ବହୁତ ଆଗକୁ ଯାଇଛି। ସମଗ୍ର ଦେଶରେ ସିଏସ୍‌‌ଆଇଆର ଅଧୀନରେ ୩୭ଟି ପରୀକ୍ଷାଗାର ଥିବା ବେଳେ ଭୁବନେଶ୍ୱର ଆଇଆଇଏମ୍‌‌ଟି ଉଲ୍ଲେଖନୀୟ ଅଭିବୃଦ୍ଧି ହାସଲ କରିଛି। ଆଜି ରାଜ୍ୟ ସରକାରଙ୍କର ଶିଳ୍ପ ବିଭାଗ ପ୍ରମୁଖ ସଚିବଙ୍କ ମଧ୍ୟ ଆଜି ଏନେଇ ବିସ୍ତୃତ ଆଲୋଚନା ହୋଇଛି।

ଆଗକୁ ମଧ୍ୟ ରାଜ୍ୟ ସରକାର ଏବଂ ସିଏସ୍‌‌ଆଇଆର-ଆଇଏମ୍‌‌ଏମ୍‌‌ଟି ମିଳିତ ଭାବେ କାର୍ଯ୍ୟ କରିବେ। ଏଠାରୁ ଗବେଷଣାଲବ୍ଧ ବିଷୟବସ୍ତ ସମଗ୍ର ଦେଶ ପାଇଁ ଆଲୋକବର୍ତ୍ତିକା ସାବ୍ୟସ୍ତ ହେବ ବୋଲି ଡକ୍ଟର କଲାଇସେଲ୍‌ଫଭି କହିଛନ୍ତି। ସମ୍ପ୍ରତି ‘ଗୋଟିଏ ସପ୍ତାହ, ଗୋଟିଏ ଲ୍ୟାବ୍‌‌’ କାର୍ଯ୍ୟକ୍ରମ ଆରମ୍ଭ କରାଯାଉଛି। ସିଏସ୍‌‌ଆଇଆରର ପ୍ରତ୍ୟେକ ଅନୁଷ୍ଠାନ ଗୋଟିଏ ସପ୍ତାହ ନିଜର ଉପଲବ୍ଧି ପ୍ରଦର୍ଶନ କରିବେ। ଏହା ଆମର ଛାତ୍ରଛାତ୍ରୀ, ଶିଳ୍ପ ଅନୁଷ୍ଠାନ, ଏମ୍‌‌ଏସ୍‌‌ଏମ୍‌‌ଇ, ଛାତ୍ରଛାତ୍ରୀ ତଥା ଗବେଷକଙ୍କ ପାଇଁ ଶିକ୍ଷଣୀୟ ହେବ ଓ ପ୍ରେରଣା ଦେବ ବୋଲି ସେ କହିଛନ୍ତି। କାର୍ଯ୍ୟକ୍ରମରେ ସମ୍ମାନିତ ଅତିଥି ଭାବେ ଯୋଗଦେଇ ଶିଳ୍ପ ବିଭାଗର ପ୍ରମୁଖ ସଚିବ ହେମନ୍ତ ଶର୍ମା କହିଥିଲେ ଯେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ସର୍ବଦା ଅଭିନବ ଉଦ୍ଭାବନକୁ ଗୁରୁତ୍ୱ ଦେଇ ଆସିଛନ୍ତି। ମୁଖ୍ୟମନ୍ତ୍ରୀଙ୍କ ନିର୍ଦ୍ଦେଶ ଅନୁସାରେ ରାଜ୍ୟ ସରକାରଙ୍କର ବିଭିନ୍ନ ବିଭାଗ ଏଥିପାଇଁ ପ୍ରୋତ୍ସାହନ ଦେଇ ଆସୁଛନ୍ତି।

ଓଡ଼ିଶାର ଖଣି ସଂସ୍କାର କ୍ଷେତ୍ରରେ ଓଡ଼ିଶା ସମଗ୍ର ଦେଶରେ ଉଦାହରଣ ସୃଷ୍ଟି କରିଛି। ତେବେ ଏହି ଉପଲବ୍ଧିକୁ ଆଧାର କରି ଆହୁରି କିପରି ଆମେ ଆଗକୁ ଯିବା ତାହା ଉପରେ ଆମେ ଦୃଷ୍ଟିନିବଦ୍ଧ କରୁଛୁ। ଓଡ଼ିଶା ସରକାରଙ୍କ ଖଣିଜ ପଦାର୍ଥ ସମ୍ପର୍କିତ ବିଭିନ୍ନ ଉନ୍ନୟନମୂଳକ କାର୍ଯ୍ୟରେ ସିଏସ୍‌‌ଆଇଆର-ଆଇଏମ୍‌‌ଏମ୍‌‌ଟି ଭୁବନେଶ୍ୱର ଅଙ୍ଗାଙ୍ଗୀ ଭାବେ ଜଡ଼ିତ। ଗବେଷଣା, ନୂଆ ଉଦ୍ଭାବନ, ଭିତ୍ତିଭୂମି ନିର୍ମାଣ ଆଦି କ୍ଷେତ୍ରରେ ରାଜ୍ୟ ସରକାର ଏବଂ ଆଇଏମ୍‌‌ଏମ୍‌‌ଟି ମିଳିତ ଭାବେ କାର୍ଯ୍ୟ କରି ଆସୁଛନ୍ତି ଏବଂ ପ୍ରତି ବର୍ଷ ଏହି ସମ୍ପର୍କ ନିବିଡ଼ ହେଉଛି ବୋଲି ଶ୍ରୀ ଶର୍ମା କହିଥିଲେ। ଭୁବନେଶ୍ୱର ଆଇଏମ୍‌‌ଏମ୍‌‌ଟି ନିର୍ଦ୍ଦେଶକ ପ୍ରଫେସର ସୁଧାସତ୍ତ୍ୱ ବାସୁଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଏହି କାର୍ଯ୍ୟକ୍ରମରେ ଆଇଏମ୍‌‌ଏମ୍‌‌ଟି, ଭୁବନେଶ୍ୱର ଓ ଆନ୍ଧ୍ର ପ୍ରଦେଶର ଏପିଏମ୍‌‌ଜି ତଥା ଡିସିଏମ୍‌‌ଡି ମଧ୍ୟରେ ଏକ ବୁଝାମଣାପତ୍ର ସ୍ୱାକ୍ଷରିତ ହୋଇଥିଲା।

Leave A Reply

Your email address will not be published.