୨୦୩୦ ସୁଦ୍ଧା ୧୦ ହଜାର ମେଗାୱାଟ୍ ଉତ୍ପାଦନ ଲକ୍ଷ୍ୟ, ‘ଅକ୍ଷୟ ଶକ୍ତି’ ଆଗାମୀ ଓଡ଼ିଶାର ବିଜୁଳି ବିକଳ୍ପ
ଭୁବନେଶ୍ୱର : କ୍ରମବର୍ଦ୍ଧିଷ୍ଣୁ ବିଜୁଳି ଚାହିଦା ମେଣ୍ଟାଇବା ନେଇ ଅକ୍ଷୟଶକ୍ତି ଉତ୍ପାଦନ ଉପରେ ଗୁରୁତ୍ୱ ଦେଉଛନ୍ତି ରାଜ୍ୟ ସରକାର। ଆଗାମୀ ଦୁଇ ଦଶନ୍ଧି ମଧ୍ୟରେ ବିଜୁଳିସଂକଟର ମୁକାବିଲା ପାଇଁ ଅକ୍ଷୟଶକ୍ତି ହିଁ ବିକଳ୍ପ ପାଲଟିବ। ଏହାକୁ ଦୃଷ୍ଟିରେ ରଖି ତାପଜ ଓ ଜଳ ବିଦ୍ୟୁତ୍ ଉପରୁ ନିର୍ଭରଶୀଳତା କମାଇ ‘ନୂଆ ଶକ୍ତି ନୀତି’ରେ ଅକ୍ଷୟଶକ୍ତି କ୍ଷେତ୍ରରେ ପୁଞ୍ଜି ନିବେଶ ଓ ଏହାର ଭିତ୍ତିଭୂମି ବିକାଶକୁ ପ୍ରାଧାନ୍ୟ ଦିଆଯାଇଛି। ସମ୍ପ୍ରତି ରାଜ୍ୟର ଅକ୍ଷୟ ଶକ୍ତି କ୍ଷମତା ୬୨୭ ମେଗାୱାଟ୍ ହୋଇଥିବା ବେଳେ ୨୦୩୦ ବେଳକୁ ଏହାକୁ ୧୦ ହଜାର ମେଗାୱାଟ୍ରେ ପହଞ୍ଚାଇବା ପାଇଁ ରୋଡ୍ ମ୍ୟାପ୍ ପ୍ରସ୍ତୁତ ହୋଇଛି। ଏଥିପାଇଁ ରାଜ୍ୟ ସରକାର ନିବେଶ ଉପଯୋଗୀ ଶକ୍ତି ନୀତି ଆଣିବା ସହ ମେକ୍ ଇନ୍ ଓଡ଼ିଶାରେ ଶକ୍ତି କ୍ଷେତ୍ରକୁ କିଭଳି ପୁଞ୍ଜିନିବେଶ ବଢ଼଼଼଼ିବ ସେନେଇ ଧ୍ୟାନ ଦେଇଛନ୍ତି।
ଦେଶର ୨୫ ପ୍ରତିଶତ କୋଇଲା ଓଡ଼ିଶାରେ ରହିଛି। ରାଜ୍ୟର କୋଇଲା ଖଣିରୁ ବାର୍ଷିକ ୧୬୦ ନିୟୁତ ଟନ୍ର କୋଇଲା ଉତ୍ପାଦନ ହେଉଛି। ତନ୍ମଧ୍ୟରୁ ରାଜ୍ୟରେ ଥିବା ପାୱାର ପ୍ଲାଣ୍ଟ୍ରେ ୯୦ରୁ ୯୫ ମିଲିୟନ୍ ଟନ୍ କୋଇଲା ବ୍ୟବହୃତ ହେଉଛି। ଅର୍ଥାତ୍ ସମ୍ପ୍ରତି ତାପଜ ବିଦ୍ୟୁତ୍ ପାଇଁ ରାଜ୍ୟରେ ଉତ୍ପାଦିତ କୋଇଲାର ୬୦ ପ୍ରତିଶତ ବ୍ୟବହାର ହେଉଛି। ତାପଜ ଶକ୍ତି ଏକ ଅସରନ୍ତି ଶକ୍ତି ଉତ୍ସ ନୁହେଁ; ଏଣୁ ରାଜ୍ୟର ଅନେକ କୋଇଲା ବ୍ଲକରେ କୋଇଲାର ମାତ୍ରା କମୁଥିବା ଦେଖିବାକୁ ମିଳୁଛି। ସେହିଭଳି ଉତ୍ପାଦ କୋଇଲାର ଏକ ଭାଗ ଓଡ଼ିଶା ବ୍ୟବହାର କରୁଥିବା ଅବଶିଷ୍ଟ ଅଂଶ ଅନ୍ୟ ରାଜ୍ୟର ଚାହିଦା ମେଣ୍ଟାଇବା କ୍ଷେତ୍ରରେ ବ୍ୟବହୃତ ହେଉଛି। ଦେଶରେ ଅକ୍ଷୟ ଶକ୍ତି ଉତ୍ପାଦନ କ୍ଷେତ୍ରରେ ଓଡ଼ିଶା ଏକ ପଛୁଆ ରାଜ୍ୟ।
ମାତ୍ରାଧିକ ତାପଜ ଶକ୍ତି ଉତ୍ପାଦନର କ୍ଷମତା ରହିଥିବା ହେତୁ ଅକ୍ଷୟ ଶକ୍ତି ଦିଗରେ ବିଶେଷ ଧ୍ୟାନ ଦିଆଯାଇନାହିଁ। ମାତ୍ର ସମ୍ପ୍ରତି ରାଜ୍ୟ ସରକାର ଅକ୍ଷୟ ଶକ୍ତି ଉତ୍ପାଦନକୁ ବୃଦ୍ଧି କରିବାକୁ ଯୋଜନା କରୁଛନ୍ତି। ଏସିଏମ୍ଇ କ୍ଲିନ୍ ଏନର୍ଜି ପ୍ରାଇଭେଟ୍ ଲିମିଟେଡ୍ ରାଜ୍ୟରେ ୫୮ ହଜାର ୨୦୯ କୋଟି ଟଙ୍କାର ନିବେଶ କରିବ। ଜଗତସିଂହପୁର ଜିଲ୍ଲାରେ ୧.୧ ମିଲିୟନ୍ ମେଟ୍ରିକ୍ ଟନ୍ କ୍ଷମତା ବିଶିଷ୍ଟ ଏକ ଗ୍ରୀନ୍ ହାଇଡ୍ରୋଜେନ୍ ପ୍ଲାଣ୍ଟ୍ ଓ ଗ୍ରୀନ୍ ଆମୋନିଆ ପ୍ଲାଣ୍ଟ୍ ସ୍ଥାପନ ହେବ। ଏହା ସହ ୪ହଜାର ୫ଶହ ମେଗାୱାଟ୍ର ସୋଲାର୍ ପାୱାର ପ୍ଲାଣ୍ଟ୍ କୋରାପୁଟ ଓ କଳାହାଣ୍ଡି ଜିଲ୍ଲାରେ ସ୍ଥାପନା ହେବ। ସେହିଭଳି ଅଭାଦ ଗ୍ରୀନ୍ ଏଚ୍ ଟୁ ପ୍ରାଇଭେଟ୍ ଲିମିଟେଡ୍ ଗଞ୍ଜାମ ଜିଲ୍ଲାରେ ୨୩ ହଜାର ୫ଶହ କୋଟିର ପୁଞ୍ଜି ନିବେଶ କରିବ।
ସେହିଭଳି ୨୦ ହଜାର କୋଟି ବିନିମୟରେ ରିନ୍ୟୁ ଇଫୁଏଲ୍ସ ପ୍ରାଇଭେଟ୍ ଲିମିଟେଡ୍ ଓ ଓକିଓର୍ ଏନର୍ଜି ପ୍ରାଇଫେଟ୍ ଲିମିଟେଡ୍ ୭ ହଜାର ୨ଶହ କୋଟି ଟଙ୍କା ବିନିମୟରେ କୋଟିଏ ଲେଖାଏଁ ଗ୍ରୀନ ଏନର୍ଜି ପ୍ରୋଜେକ୍ଟ ନିର୍ମାଣ କରିବେ। ଏହି ସବୁ ପ୍ରକଳ୍ପକୁ ରାଜ୍ୟର ଉଚ୍ଚସ୍ତରୀୟ ଅନୁମୋଦନ କର୍ତ୍ତୃପକ୍ଷଙ୍କ ମଞ୍ଜୁରି ପାଇସାରିଛି। ଅନୁରୂପ ଭାବରେ ମେକ୍ ଇନ୍ ଓଡ଼ିଶା କନକ୍ଲେଭ୍ ରେ ଓଡ଼ିଶା ସରକାରଙ୍କୁ ଗ୍ରୀନ୍ ଏନର୍ଜି ସେକ୍ଟରରେ ଅନେକ ପୁଞ୍ଜିନିବେଶ ନେଇ ପ୍ରତିଶ୍ରୁତି ମିଳିଛି। ତେବେ ରାଜ୍ୟ ସରକାରଙ୍କ ନୂଆ ଶକ୍ତି ନୀତିକୁ ନେଇ ନିବେଶକମାନେ ଓଡ଼ିଶା ପ୍ରତି ଆକର୍ଷିତ ହେଉଛନ୍ତି। ସିଙ୍ଗିଲ୍ ୱିଣ୍ଡୋ ବ୍ୟବସ୍ଥା, ପ୍ରଶାସନିକ ଖର୍ଚ୍ଚ କାଟ୍, ସରଳ ଜମି ଅଧିଗ୍ରହଣ ପ୍ରକ୍ରିୟାକୁ ନୂଆ ନୀତିରେ ସରଳ କରାଯାଇଛି।
ସେହିଭଳି ନିର୍ଦ୍ଦିଷ୍ଟ ସମୟ ସୀମା ମଧ୍ୟରେ ପ୍ରକଳ୍ପର ପ୍ରକ୍ରିୟା ଆରମ୍ଭ ପାଇଁ ପ୍ରୋଜେକ୍ଟ ସ୍କ୍ରିନିଂ କମିଟିକୁ ମଧ୍ୟ ସମୟସୀମା ଧାର୍ଯ୍ୟ ହୋଇଛି। ଅକ୍ଷୟ ଶକ୍ତି ପ୍ରକଳ୍ପ ପାଇଁ ଆଗ୍ରହୀ କମ୍ପାନୀକୁ ଲ୍ୟାଣ୍ଡ ବ୍ୟାଙ୍କ ସ୍କିମ୍ ଅନୁଯାୟୀ ଜମି ଯୋଗାଇ ଦିଆଯାଉଛି। ସେହିଭଳି ପ୍ରକଳ୍ପ ପାଇଁ ଜମି ଯୋଗାଡ଼ ବ୍ୟବସ୍ଥାରେ ଉଦ୍ୟୋଗପତିମାନଙ୍କୁ କୌଣସି ପ୍ରକାର ଚାପ ଦିଆଯାଉନାହିଁ। ପ୍ରଶାସନ ଜମି ଅଧିଗ୍ରହଣ ପ୍ରକ୍ରିୟା ସାରି ଜମି ଯୋଗାଇ ଦେଉଛନ୍ତି। ସେହିଭଳି କୃଷି ଜମିକୁ ଅଣ କୃଷି ଜମିରେ ପରିଣତ କରିବା ପାଇଁ କୌଣସି ଅର୍ଥ ଉଦ୍ୟୋଗ ନିର୍ମାତାଙ୍କୁ ଦେବାକୁ ପଡ଼ୁନାହିଁ। ସୌର ଶକ୍ତି ଉତ୍ପାଦନ କ୍ଷେତ୍ରରେ ରାଜ୍ୟ ପାଖରେ ଯଥେଷ୍ଟ କ୍ଷମତା ରହିଛି। ଯେଉଁ ଭଳି ଭାବେ ଗୁଜରାଟ ସାମୁଦ୍ରିକ ଜୁଆର ଓ ତାମିଲନାଡ଼ୁ ପବନରୁ ଶକ୍ତି ଉତ୍ପାଦନ କରିପାରୁଛି, ଓଡ଼ିଶା ସୌରଶକ୍ତି ଉତ୍ପାଦନରେ ଉଲ୍ଲେଖନୀୟ ପ୍ରଦର୍ଶନ କରିବାର କ୍ଷମତା ରଖିଛି ବୋଲି ଶକ୍ତି ବିଭାଗର ଜନୈକ ଅଧିକାରୀ କହିଛନ୍ତି।
ପରିବେଶବିତ୍ ତଥା ଆଇନଜୀବୀ ଚିନ୍ମୟ ଦାସ କହିଛନ୍ତି ଯେ ରାଜ୍ୟର ଅଧିକାଂଶ ସ୍ଥାନରେ ସରକାରୀ ଜମି ବିବାଦ ମଧ୍ୟରେ ରହିଛି। ବିଶେଷ କରି ଆଦିବାସୀ ବହୁଳ ଅଞ୍ଚଳରେ ଥିବା ଜମିକୁ ଉଦ୍ୟୋଗ ଉଦ୍ଦେଶ୍ୟରେ ବ୍ୟବହାର କରିବା ବେଳେ ସମସ୍ୟା ହୋଇଥାଏ। ମାତ୍ର ସରକାରଙ୍କ ନୂଆ ନୀତିରେ ଜମି ଅଧିଗ୍ରହଣ ପ୍ରକ୍ରିୟାକୁ ସରଳ କରିଥିବା ଦେଖାଯାଉଛି। ସେହିଭଳି ରାଜ୍ୟ ପ୍ରଦୂଷଣ ନିୟନ୍ତ୍ରଣ ବୋର୍ଡ ପକ୍ଷରୁ ଗ୍ରୀନ ଏନର୍ଜି ପ୍ରୋଜେକ୍ଟକୁ ଅନୁମୋଦନ ମିଳିବା ମଧ୍ୟ ଅପେକ୍ଷାକୃତ ସହଜ ହୋଇଛି। ଆଇ ଫରେଷ୍ଟର ମୁଖ୍ୟ କାର୍ଯ୍ୟନିର୍ବାହୀ ଅଧିକାରୀ ଚନ୍ଦ୍ରଭୂଷଣ କହିଛନ୍ତି ଯେ ଓଡ଼ିଶା ଭଳି ରାଜ୍ୟ ନିକଟରେ ଅକ୍ଷୟ ଶକ୍ତି ଉତ୍ପାଦନର ଯଥେଷ୍ଟ କ୍ଷମତା ରହିଛି। ନ୍ୟାସନାଲ୍ ନବୀକୃତ ଶକ୍ତି ନୀତିରେ ଓଡ଼ିଶାକୁ ଅନ୍ୟ ରାଜ୍ୟ ତୁଳନାରେ କମ୍ ଗୁରୁତ୍ୱ ମିଳିଛି। ଏଣୁ ଅକ୍ଷୟ ଶକ୍ତି ଉତ୍ପାଦନ କ୍ଷେତ୍ରରେ ତଳେ ରହିଥିବା ରାଜ୍ୟଗୁଡ଼ିକର କ୍ଷମତା ବୃଦ୍ଧି ଉପରେ ଧ୍ୟାନ ଦିଆଯିବା ଦରକାର।