ବଡ ଖବର ଓଡ଼ିଶା ମନୋରଞ୍ଜନ ଖେଳ ଖବର ଦେଶ- ବିଦେଶ ଜୀବନଚର୍ଯ୍ୟା ରାଶିଫଳ ବାଣିଜ୍ୟ ଫଟୋ ଗ୍ୟାଲେରୀ ଅପରାଧ ଟେକ୍ନୋଲୋଜି ବିଶେଷ ରାଜନୀତି ସ୍ଵାସ୍ଥ୍ୟ

ଧାମନଗର ଉପନିର୍ବାଚନ : ୨୫୨ବୁଥରେ ଚାଲିଛି ଭୋଟଗ୍ରହଣ, ସଂଧ୍ୟା ୬ଟା ଯାଏଁ ମତଦାନ କରିବେ ୨ଲକ୍ଷ ୪୦ହଜାର ଭୋଟର

ଭଦ୍ରକ : ନିଜର ନୂଆ ବିଧାୟକ ବାଛୁଛନ୍ତି ଧାମନଗରବାସୀ । ଉପନିର୍ବାଚନ ଫଳାଫଳ ରାଜ୍ୟ ରାଜନୀତି ଦୃଶ୍ୟପଟରେ ଅନେକ ନୂଆ କଥା ଲେଖିବାର ସମ୍ଭାବନା ଥିବାରୁ ସମଗ୍ର ରାଜ୍ୟର ଦୃଷ୍ଟି ଧାମନଗର ଉପରେ ନିବଦ୍ଧ ହୋଇଛି। ଗୋଟିଏ ପଟେ ରାଜ୍ୟ ସରକାରଙ୍କ ବିକାଶ ତଥା ମହିଳା ସଶକ୍ତିକରଣକୁ ପାଥେୟ କରି ବିଜେଡିର ଅବନ୍ତୀ ଦାସ ମଇଦାନକୁ ଓହ୍ଲାଇଥିବା ବେଳେ ଅନୁକମ୍ପା ତଥା ସ୍ୱାଧୀନ ପ୍ରାର୍ଥୀଙ୍କୁ ସମ୍ମୁଖରେ ରଖି ବିଜେପି କଷୁଛି ଭୋଟ ଗଣିତ। ଅନ୍ୟପକ୍ଷରେ କଂଗ୍ରେସ ନିଜର ଆତ୍ମସମ୍ମାନ ଫେରିପାଇବାକୁ ଚେଷ୍ଟାରେ ଥିବାବେଳେ ସ୍ୱାଧୀନ ପ୍ରାର୍ଥୀ ରାଜେନ୍ଦ୍ର ଦାସ ମଧ୍ୟ ନିର୍ବାଚନମଣ୍ଡଳୀରେ ନିଜର ସମ୍ମାନ ରକ୍ଷା ଲାଗି ଉଦ୍ୟମ କରୁଛନ୍ତି।

ଧାମନଗର ଉପନିର୍ବାଚନ ପାଇଁ  ସକାଳ ୭ଟାରୁ ସଂଧ୍ୟା ୬ଟା ଯାଏଁ ଭୋଟ୍ ଗ୍ରହଣ କରାଯିବ। ମୋଟ ୨୫୨ବୁଥରେ ମତଗ୍ରହଣ ପାଇଁ ବ୍ୟବସ୍ଥା କରାଯାଇଛି । ସକାଳ ସାଢେ ୫ଟାରେ ବିଭିନ୍ନ ବୁଥରେ ମକ ପୋଲିଂ କରାଯାଇଛି । ଏହା ପରେ ୭ଟା ରୁ ମତଦାନ ଆରମ୍ଭ ହୋଇଛି । ତେବେ ଧାମନଗର ଉପନିର୍ବାଚନରେ ମୋଟ ୨ ଲକ୍ଷ ୩୮ହଜାର ୪୧୭ ଭୋଟର ସେମାନଙ୍କ ମତ ସାବ୍ୟସ୍ତ କରିବେ । ସେମାନଙ୍କ ଭିତରୁ ପୁରୁଷ ଭୋଟରଙ୍କ ସଂଖ୍ୟା ୧ଲକ୍ଷ ୨୩ହଜାର ୩୮ ଥିବା ବେଳେ ମହିଳା ଭୋଟରଙ୍କ ସଂଖ୍ୟା ୧ଲକ୍ଷ ୧୫ ହଜାର ୩୪୬ । ସେହିଭଳି ୪ହଜାର ୯ଶହ ୫୬ ଦିବ୍ୟାଙ୍ଗ ଭୋଟର ଥିବା ବେଳେ ୮୦ ବର୍ଷରୁ ଅଧିକ ବୟସର ଭୋଟରଙ୍କ ସଂଖ୍ୟା ୭ହଜାର ୨୦୬ ରହିଛି । ୩୩ ଜଣ ଥାର୍ଡ଼ ଜେଣ୍ଡର ଭୋଟର ଅଛନ୍ତି । ଧାମନଗରରେ ୧୦୦୮ ପୋଲିଂ ପାର୍ଟି ନିୟୋଜିତ ହୋଇଛନ୍ତି । ୧୨୬ ବୁଥରେ ଓ୍ବେବକାଷ୍ଟିଂ ବ୍ୟବସ୍ଥା କରାଯାଇଛି । ସେଥି ମଧ୍ୟରୁ ୧୧୦ଟି ସମ୍ବେଦନଶୀଳ ବୁଥ ରହିଛି । ୧୫ଟି ଆଦର୍ଶ ବୁଥ୍ ସହ ୫ଟି ପିଙ୍କ୍ ବୁଥ କରାଯାଇଛି ।

ମତଦାତାମାଦେ ଭୋଟର ପରିଚୟ ପତ୍ର ଛଡ଼ା ୧୨ଟି ଅନ୍ୟ ଡକ୍ୟୁମେଣ୍ଟସ୍ ଦେଖାଇ ଭୋଟ୍ ଦେଇପାରିବେ।ସୁରକ୍ଷା ବ୍ୟବସ୍ଥାକୁ କଡ଼ାକଡ଼ି କରାଯାଇଥିବା ବେଳେ ୧ ହଜାରରୁ ଅଧିକ ପୁଲିସ କର୍ମଚାରୀ ନିୟୋଜିତ ହୋଇଛନ୍ତି । ଏହାବାଦ ୪ କଂପାନି କେନ୍ଦ୍ରୀୟ ଫୋର୍ସ, ୨୨ ପ୍ଲାଟୁନ୍ ଷ୍ଟେଟ୍ ଆର୍ମଡ ପୁଲିସ ଫୋର୍ସ ମୁତୟନ ହୋଇଛନ୍ତି । ଭୋଟ୍ ଗ୍ରହଣ ଶେଷ ପର୍ଯ୍ୟନ୍ତ ମଦ ବିକ୍ରି ବାରଣ କରାଯାଇଛି ।

ନିର୍ବାଚନ ରଣାଙ୍ଗନରେ ତିନି ପ୍ରମୁଖ ରାଜନୈତିକ ଦଳ ବିଜେପି, ବିଜେଡି, କଂଗ୍ରେସ ପ୍ରାର୍ଥୀଙ୍କ ସହ ଦୁଇ ଜଣ ସ୍ବାଧୀନ ପ୍ରାର୍ଥୀ ପ୍ରତିଦ୍ବନ୍ଦ୍ବିତା କରୁଛନ୍ତି। ବିଜେପି ପ୍ରାର୍ଥୀ ସୂର୍ଯ୍ୟବଂଶୀ ସୂରଜ, ବିଜେଡି ପ୍ରାର୍ଥୀ ଅବନ୍ତୀ ଦାସ, କଂଗ୍ରେସ ପ୍ରାର୍ଥୀ ବାବା ହରେକୃଷ୍ଣ ସେଠୀ, ସ୍ବାଧୀନ ପ୍ରାର୍ଥୀ ତଥା ପୂର୍ବତନ ବିଧାୟକ ରାଜେନ୍ଦ୍ର ଦାସ ଓ ପବିତ୍ର ମୋହନ ଦାସଙ୍କ ଭାଗ୍ୟ ଆଜି ନିର୍ଣ୍ଣୟ କରିବେ ଧାମନଗରର ଜନତା ଜନାର୍ଦ୍ଦନ। ଆସନ୍ତା ୬ ତାରିଖରେ ରେଜଲ୍ଟ ପ୍ରକାଶ ପାଇବ ।

ଅନ୍ୟପଟେ ନିର୍ବାଚନ ପ୍ରଚାରରେ ବିଜେଡି ପ୍ରାର୍ଥିନୀ ଅବନ୍ତୀ ଦାସ ସର୍ବାଗ୍ରେ ରହିଥିବା ବେଳେ ମହିଳା ଭାବରେ ତାଙ୍କର ପ୍ରାର୍ଥିତ୍ୱକୁ ନେଇ ପୁରା ନିର୍ବାଚନମଣ୍ଡଳୀ ଭୋଟର ଉତ୍ସାହିତ ଅଛନ୍ତି। ଗତ ଦଶନ୍ଧିରେ ଅପରାଜେୟ ବିଜେଡ଼ି ୨୦୧୯ ସାଧାରଣ ନିର୍ବାଚନ ପରେ ଅନୁଷ୍ଠିତ ସମସ୍ତ ୬ଟି ଯାକ ଉପନିର୍ବାଚନରେ ବିଜେଡି ବୃହତ୍‌‌ ବ୍ୟବଧାନରେ ବାଜିମାତ୍‌‌ କରିଛି। ଏଠାରେ ମଧ୍ୟ ସମାନ ପଳାଫଳର ପୁନରାବୃତ୍ତି ହେବ ଏବଂ ଦୀର୍ଘ ୫ ଦଶନ୍ଧି ପରେ ନିର୍ବାଚନମଣ୍ଡଳୀ ଜଣେ ମହିଳାଙ୍କୁ ବିଧାୟିକା ରୂପରେ ପାଇବ ବୋଲି ଦଳୀୟ ନେତାମାନେ ଦୃଢ଼ ଆଶାବାଦୀ।

ନିର୍ବାଚନୀ ତାରିଖ ଘୋଷଣାଠାରୁ ନାମାଙ୍କନ ପତ୍ର ଦାଖଲ ଏବଂ ପୂରା ପ୍ରଚାର ପ୍ରକ୍ରିୟା ମଧ୍ୟରେ ଧାମନଗରରେ ରାଜନୈତିକ ସମୀକରଣ ସମ୍ପୂର୍ଣ୍ଣ ପରିବର୍ତ୍ତିତ ହୋଇଛି। ବିଜେଡି ନିଜର ପ୍ରାର୍ଥୀଭାବେ ଜଣେ ମହିଳାଙ୍କ ଉପରେ ଭରଷିଥିବା ବେଳେ ଦଳର ଜଣେ ପୂର୍ବତନ ବିଧାୟକ ରାଜେନ୍ଦ୍ର ଦାସ ନାମାଙ୍କନ ପତ୍ର ଦାଖଲ କରିଛନ୍ତି। ତେବେ ରାଜେନ୍ଦ୍ରଙ୍କ ଏହି ନିଷ୍ପତ୍ତି ତାଙ୍କ ପାଇଁ ବୁମେରାଂ ହୋଇଥିବା ଚର୍ଚ୍ଚା ହେଉଛି। ତିହିଡି ବ୍ଲକର ୧୩ ପଞ୍ଚାୟତ ଏବଂ ଧାମନଗର ଅଞ୍ଚଳର ନିଜ ତଥାକଥିତ ସମର୍ଥକଙ୍କ ପ୍ରରୋଚନାରେ ରାଜେନ୍ଦ୍ର ଏପରି ନିଷ୍ପତ୍ତି ନେଇଥିବା ବେଳେ ଏହି ନିଷ୍ପତ୍ତି ତାଙ୍କ ରାଜନୈତିକ ଜୀବନକୁ ଦୋଛକିରେ ଠିଆ କରାଇ ଦେଇଛି। ସ୍ୱାଧୀନ ପ୍ରାର୍ଥୀ ଭାବରେ ନାମାଙ୍କନ ପରେ ତାଙ୍କର ସମର୍ଥକମାନେ ତାଙ୍କୁ ଆଉ ଧରାଛୁଆଁ ଦେଉ ନାହାନ୍ତି ଓ ନିର୍ବାଚନ ମଇଦାନରେ ସେ ସମ୍ପୂର୍ଣ୍ଣ ଏକା ହୋଇ ଯାଇଥିବା କୁହାଯାଉଛି।

ଅନ୍ୟପକ୍ଷରେ ଅନୁକମ୍ପା ଭୋଟକୁ ପାଥେୟ କରି ନିର୍ବାଚନ ଲଢ଼ୁଥିବା ବିଜେପି ପ୍ରାର୍ଥୀ ସୂର୍ଯ୍ୟବଂଶୀ ସୂରଜ ମଧ୍ୟ ଅସହଜ ସ୍ଥିତିରେ ଥିବା ଚର୍ଚ୍ଚା ହେଉଛି। ଗତ ପଞ୍ଚାୟତ ଏବଂ ପୌର ନିର୍ବାଚନରେ ଏଠାରେ ବିଜେଡି ବିପୁଳ ବିଜୟ ଲାଭ କରିଥିଲା ଓ ବିଜେପିଠାରୁ ୨୮ ହଜାର ଅଧିକ ଭୋଟ ପାଇଥିଲା। ତେଣୁ ସାଂଗଠନିକ ଦୃଷ୍ଟିରୁ ଏଠାରେ ବିଜେଡି ସ୍ୱାଭାବିକ ଭାବରେ ଶକ୍ତିଶାଳୀ ରହିଛି। ଅନ୍ୟପକ୍ଷରେ ବାଲେଶ୍ୱରରେ ଅନୁକମ୍ପା ରାଜନୀତି ପରୀକ୍ଷାରେ ବିଜେପି ଅସଫଳ ହୋଇଥିବାବେଳେ ଧାମନଗରରେ ମଧ୍ୟ ଅନୁରୂପ ସ୍ଥିତି ଉପୁଜି ପାରେ ବୋଲି ରାଜନୈତିକ ସମୀକ୍ଷକମାନେ ମନେ କରୁଛନ୍ତି। ସବୁ ଦୃଷ୍ଟିରୁ ବିଚାର କଲେ ନିର୍ବାଚନ ନିକିତିରେ ସୂରଜଙ୍କଠାରୁ ଅବନ୍ତୀ ବିଭିନ୍ନ ପ୍ରସଙ୍ଗରେ ଆଗୁଆ ଥିବା କୁହାଯାଉଛି।

ଅନ୍ୟପକ୍ଷରେ କଂଗ୍ରେସ ଗତ ସାଧାରଣ ନିର୍ବାଚନରେ ମାତ୍ର ୪.୪୨ ପ୍ରତିଶତ ଭୋଟ ପାଇଥିବା ବେଳେ ପଞ୍ଚାୟତ ଏବଂ ପୌର ନିର୍ବାଚନରେ ମଧ୍ୟ ପୂରାପୂରି ଫେଲ୍‌‌ ମାରିଥିଲା। ଅତଏବ କଂଗ୍ରେସ ପକ୍ଷରୁ ସେପରି କିଛି ବଡ଼ ଧରଣର ଓଲଟପାଲଟର ସମ୍ଭାବନା ଆଦୌ ନ ଥିବା ବେଳେ ଅମାନତ ରଖି ପାରିଲେ ଦଳ ପାଇଁ ବଡ଼ ଉପଲବ୍ଧି ହେବବୋଲି ଦଳୀୟ ନେତାମାନେ ମନେ କରୁଛନ୍ତି। ପୂର୍ବରୁ ବିଭିନ୍ନ ଉପନିର୍ବାଚନରେ ଅଧିକାଂଶ ସ୍ଥାନରେ କଂଗ୍ରେସ ପ୍ରାର୍ଥୀମାନେ ଅମାନତ ରାଶି ସୁରକ୍ଷିତ ରଖିବାରେ ବିଫଳ ହୋଇଥିବାରୁ ଧାମନଗର ସେମାନଙ୍କ ପାଇଁ ଏକ ବଡ଼ ସୁଯୋଗ ସୃଷ୍ଟି କରିଛି। ଏ ସବୁ ମଧ୍ୟରେ ମହିଳା ପ୍ରାର୍ଥୀଙ୍କୁ ନେଇ ପୂରା ନିର୍ବାଚନମଣ୍ଡଳୀ ଭୋଟର ସକରାତ୍ମକ ଦୃଷ୍ଟିରେ ଦେଖୁଥିବା ବେଳେ ମୁଖ୍ୟମନ୍ତ୍ରୀଙ୍କ ପ୍ରତିଶ୍ରୁତି ବିଜେଡିକୁ ବିରୋଧୀଙ୍କଠାରୁ ଚାରିପାଦ ଆଗରେ ରଖିଛି। ନିର୍ବାଚନମଣ୍ଡଳୀର ବିକାଶ ଦାୟିତ୍ୱ ବହନ କରିବା ଓ ଆଗାମୀ ୧୮ ମାସ ମଧ୍ୟରେ ୫ ବର୍ଷର କାମ ଶେଷ କରିବାକୁ ମୁଖ୍ୟମନ୍ତ୍ରୀଙ୍କ ଘୋଷଣା ବିଜେଡି ପାଇଁ ଆଶୀର୍ବାଦ ହୋଇଥିବା ଭୋଟରମାନେ ମତ ପ୍ରକାଶ କରିଛନ୍ତି।

Leave A Reply

Your email address will not be published.