ବଡ ନୋଟ୍‌ରୁ ମହାତ୍ମା ଗାନ୍ଧୀଙ୍କ ଫଟୋ ହଟାଇବାକୁ ପ୍ରଧାନମନ୍ତ୍ରୀଙ୍କୁ କଂଗ୍ରେସ ବିଧାୟକଙ୍କ ଚିଠି

ନୂଆଦିଲ୍ଲୀ : ବଡ ନୋଟ୍‌ରୁ ହଟାଯାଉ ମହାତ୍ମା ଗାନ୍ଧୀଙ୍କ ଫଟୋ। ଏପରି ଅନୁରୋଧ କରି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କୁ ଚିଠି ଲେଖିଛନ୍ତି ରାଜସ୍ଥାନର ପୂର୍ବତନ ମନ୍ତ୍ରୀ ତଥା ବର୍ତ୍ତମାନ କଂଗ୍ରେସ ବିଧାୟକ ଭରତ ସିଂହ। ସେ ଚିଠିରେ ଲେଖିଛନ୍ତି ଯେ ମହାତ୍ମା ଗାନ୍ଧୀ ହେଉଛନ୍ତି ସତ୍ୟର ପ୍ରତୀକ ଏବଂ ୫୦୦, ୨୦୦୦ ନୋଟ୍‌ରେ ଗାନ୍ଧିଜୀଙ୍କ ଚିତ୍ର ରହିଛି। ଆଉ ଲାଞ୍ଚ କାରବାରରେ ସବୁଠୁ ଅଧିକ ସେହି ବଡ ନୋଟ୍‌ର ବ୍ୟବହାର କରାଯାଏ। ଏଣୁ ବଡ ନୋଟ୍ରୁ ମହାତ୍ମା ଗାନ୍ଧୀଙ୍କ ଫଟୋ ହଟାଯାଇ କେବଳ ତାଙ୍କ ଚଷମା କିମ୍ବା ଅଶୋକ ଚକ୍ର ଫଟୋ ଲଗାଯିବା ଉଚିତ ବୋଲି କଂଗ୍ରେସ ବିଧାୟକ ଭରତ ସିଂହ ପ୍ରଧାନମନ୍ତ୍ରୀଙ୍କୁ ପରାମର୍ଶ ଦେଇଛନ୍ତି।

ସେ କହିଛନ୍ତି ଯେ ପ୍ରାୟତ ସମସ୍ତ ବେଆଇନ୍‌ କାର୍ଯ୍ୟରେ ବଡ ନୋଟ୍‌(୫୦୦, ୨୦୦୦) ବ୍ୟବହାର ହେଉଛି। ଗାନ୍ଧିଜୀଙ୍କ ଛବି ଥିବା ବଡ ୫୦୦ ଏବଂ ୨୦୦୦ ଟଙ୍କିଆ ନୋଟ୍ ମଧ୍ୟ ମଦ ପାର୍ଟି, ବାର୍ ଏବଂ ଅନ୍ୟାନ୍ୟ ପାର୍ଟୀରେ ଅପବ୍ୟବହାର କରାଯାଇଥାଏ । ଯାହା ମହାତ୍ମା ଗାନ୍ଧୀଙ୍କ ପାଇଁ ଅପମାନ। ଆହୁରି ମଧ୍ୟ କହିଛନ୍ତି ଯେ ପ୍ରାୟ ଏକ ବର୍ଷ ମଧ୍ୟରେ ରାଜସ୍ଥାନରେ ପ୍ରାୟ ୬୧୬ ଟି ଲାଞ୍ଚ ମାମଲା ପଞ୍ଜିକୃତ ହୋଇଛି।  ପ୍ରତିଦିନ ପ୍ରାୟ ୨ଟି ଏପରି ଘଟଣା ଆସୁଛି ଆଉ ସେଥିରେ ସବୁଠି ନଗଦ ଆକାରରେ ବଡ ନୋଟ୍‌ ବ୍ୟବହାର ହେଉଛି। ଯେଉଁଥିରେ ଗାନ୍ଧିଜୀଙ୍କ ଫଟୋ ରହିଛି। ଏହିପରି ଭାବରେ ଆମେ ଗାନ୍ଧୀଙ୍କୁ ସମ୍ମାନିତ ହେବା ପରିବର୍ତ୍ତେ ଅପମାନିତ କରୁଛନ୍ତି।

ସେ ଆହୁରି ମଧ୍ୟ କହିଛନ୍ତି ବଡ ନୋଟ୍‌ରୁ ଗାନ୍ଧୀଙ୍କ ଫଟୋ ହଟାଯାଇ କେବଳ ଛୋଟ ନୋଟ୍‌ ଯେପରି ୫,୧୦,୨୦,୫୦,୧୦୦ ଓ ୨୦୦ ନୋଟ୍‌ରେ ମହାତ୍ମା ଗାନ୍ଧୀଙ୍କ ଫଟୋ ରହୁ। ଏହି ନୋଟ୍ ଗରିବଙ୍କ ପାଇଁ ଉପଯୋଗୀ। ଗାନ୍ଧିଜୀ ଗରିବ ଲୋକଙ୍କ ମଧ୍ୟରେ କାମ କରୁଥିଲେ ଏବଂ ଗରିବ ଲୋକଙ୍କ ଉନ୍ନତି ପାଇଁ ସର୍ବଦା ଚେଷ୍ଟିତ ଥିଲେ ବୋଲି ରାଜସ୍ଥାନର ପୂର୍ବତନ ମନ୍ତ୍ରୀ ତଥା ବର୍ତ୍ତମାନ କଂଗ୍ରେସ ବିଧାୟକ ଭରତ ସିଂହ କହିଛନ୍ତି।

Leave a comment