ପବ୍‌ଜି ଖେଳ ଜିଦ୍‌ରେ ଘର ଛାଡ଼ିଦେଲା ନାବାଳକ

ରୂପସା : ଜଣେ ନାବାଳକକୁ ପବ୍‌ଜି ଖେଳିବାକୁ ତା’ର ମାଆ ବାରଣ କରିବାରୁ ସେ ଘର ଛାଡ଼ି ପଳେଇ ଆସି ପାଗଳ ଭଳି ବୁଲୁଥିବା ବେଳେ ବାଲେଶ୍ବର ଜିଲ୍ଲା ରୂପସା ଥାନାଞ୍ଚଳରୁ କେତେକ ଲୋକ ଉଦ୍ଧାର କରି ତାଙ୍କ ମାଆଙ୍କୁ ହସ୍ତାନ୍ତର କରିଛନ୍ତି। ତେବେ ତାଙ୍କ ମାଆ ଜଣେ ପୁଲିସ କର୍ମଚାରୀ ବୋଲି ଜଣାପଡ଼ିଛି।ବାଲେଶ୍ବର ଜିଲ୍ଲା ରୂପସା ଥାନା ଅନ୍ତର୍ଗତ ରୂପସା ଗେଟ୍ ବଜାରରେ ଏକ ଅଚିହ୍ନା ନାବାଳକ ପାଗଳ ଭଳି ବ୍ୟବହାର କରୁଥିବା ଦେଖିବାକୁ ମିଳିଥିଲା। ଦେହରେ ପୋଷାକ ଓ ଢଙ୍ଗରୁ ଭଲ ପରିବାରର ପିଲା ଭଳି ଜଣା ପଡୁଥିବାବେଳେ ରାସ୍ତାରେ ଯାଉଥିବା ଗାଡ଼ି ମୋଟର ଆଗକୁ କୁଦା ମାରୁଥିଲା । ତେବେ ଗେଟ୍ ବଜାରରେ ଦୋକାନୀମାନେ ପିଲାଟିକୁ ଅଟକ ରଖ୍ ପଚରାଉଚରା କରିଥିଲେ ।

ତେବେ ପିଲାଟି ଆଖାପାଖର ନୁହେଁ ଜାଣିବା ପରେ ସ୍ଥାନୀୟ ଲୋକ ରୂପସା ପୁଲିସ ଓ ବସ୍ତା ଏସ୍‌ଡିପିଓ ଜଳନ୍ଧର ଜାଲିଙ୍କୁ ଖବର ଦେଇଥିଲେ। ପିଲାଟିର ବିକୃତ ମାନସିକ ଭଳି ବ୍ୟବହାର ସତ୍ତ୍ଵେ ସେ ବାରିପଦା, ତୁଳସୀ ଚଉରାର ରେଳଲାଇନ୍ ପାଖରେ ଘର ବୋଲି କହୁଥିଲା। ପିଲାଟିର କହିବା ଅନୁଯାୟୀ ତାଙ୍କ ମାଆ ପବ୍‌ଜି ଖେଳିବାକୁ ନ ଦେବାରୁ ଆତ୍ମହତ୍ୟା ଉଦ୍ୟମ କରୁଥିଲା। ସ୍ଥାନୀୟ ଲୋକେ ପିଲାଟିକୁ ରୂପସା ପୁଲିସକୁ ହସ୍ତାନ୍ତର କରିଥିଲେ । ତେବେ ପିଲାଟି ମଙ୍ଗଳବାର ରୂପସା ଥାନାରେ ରହିଥିବାବେଳେ ବାରିପଦା ସ୍ଥିତ ତାଙ୍କ ମାଆଙ୍କୁ ଡାକି ରୂପସା ପୁଲିସ ପଚରାଉଚରା କରି ତଦନ୍ତ ଆରମ୍ଭ କରିଛି।

Leave a comment