ବଡ ଖବର ଓଡ଼ିଶା ମନୋରଞ୍ଜନ ଖେଳ ଖବର ଦେଶ- ବିଦେଶ ଜୀବନଚର୍ଯ୍ୟା ରାଶିଫଳ ବାଣିଜ୍ୟ ଫଟୋ ଗ୍ୟାଲେରୀ ଅପରାଧ ଟେକ୍ନୋଲୋଜି ବିଶେଷ ରାଜନୀତି ସ୍ଵାସ୍ଥ୍ୟ

ବୁଦ୍ଧ କଥା, ଧୈର୍ଯ୍ୟରୁ ସଫଳତା ପ୍ରାପ୍ତି

ଗୌତମ ବୁଦ୍ଧଙ୍କ ମୂଲ୍ୟବାନ ବିଚାର, ଜ୍ଞାନ, ଉପଦେଶ ଓ ନୀତିବାଣୀ ଦ୍ବାରା ଲୋକଙ୍କ ଜୀବନ ବଦଳିଯାଏ। ସେଥିପାଇଁ ଜ୍ଞାନାଲୋକକୁ ଅଧିକ ଉଦ୍‌ଭାସିତ କରିବା ପାଇଁ ବୁଦ୍ଧଙ୍କ ବିଚାରଧାରା ଅବଶ୍ୟ ଆପଣାଇବା ଉଚିତ। ଏହି ପରିପ୍ରେକ୍ଷୀରେ ଧୈର୍ଯ୍ୟ ଧାରଣକୁ ନେଇ ବୁଦ୍ଧଙ୍କର ଏକ ସୁନ୍ଦର ଓ ଶିକ୍ଷଣୀୟ କଥା ନିମ୍ନରେ ପ୍ରଦତ୍ତ କରାଗଲା।

ଏକଦା ଗୌତମ ବୁଦ୍ଧଙ୍କୁ ଗୋଟିଏ ସଭାରେ ଉପଦେଶ ଦେବାର ଥିଲା। ସେହି ସଭାରେ ୧୦୦ରୁ ଅଧିକ ଲୋକ ଉପସ୍ଥିତ ଥିଲେ ଏବଂ ସେମାନେ ସମସ୍ତେ ଗୌତମ ବୁଦ୍ଧଙ୍କ ଅପେକ୍ଷାରେ ଥିଲେ। ବୁଦ୍ଧ ଆସିଲେ କିନ୍ତୁ କିଛି ନ କହି ଚାଲିଗଲେ। ବୁଦ୍ଧଙ୍କ ଏଭଳି ବ୍ୟବହାର ଦେଖୀ ସମସ୍ତେ ଆଶ୍ଚର୍ଯ୍ୟ ଯଦିଓ ହେଲେ, ତଥାପି କେହି ତାଙ୍କୁ କିଛି ପଚାରିଲେ ନାହିଁ। ପୁଣି ତା’ପରଦିନ ସଭା ହେଲା ଓ ଉପସ୍ଥିତ ଲୋକଙ୍କ ସଂଖ୍ୟା ୮୦ରେ ପହଞ୍ଚିଲା। ସେଦିନ ମଧ୍ୟ ପୂର୍ବଦିନ ଭଳି ବୁଦ୍ଧ ସଭାରେ କାହାକୁ କିଛି ନ କହି ଚାଲିଗଲେ। ପୁଣିଥରେ ବୁଦ୍ଧଙ୍କ ଏହି ବ୍ୟବହାର ଲୋକଙ୍କୁ ଦ୍ବନ୍ଦ୍ବରେ ପକାଇଥିବା ବେଳେ କେହି ତାଙ୍କୁ କିଛି ନ କହି ଚୁପ୍ ରହିଲେ। ତା’ପରଦିନ ପୁଣି ସଭାର ଆୟୋଜନ ହେଲା ଏବଂ ସେହି ସଭାରେ ମଧ୍ୟ ଲୋକଙ୍କ ସଂଖ୍ୟା ପୂର୍ବ ତୁଳନାରେ କମି ୫୦ରେ ପହଞ୍ଚିଲା। ପୁଣି ସଭାକୁ ବୁଦ୍ଧ ଆସି କିଛି ନ କହି ଚାଲିଗଲେ। ଏହାପରଦିନ ଆଉ ଥରେ ସଭା ଆୟୋଜନ ହେଲା ଏବଂ ସଭାରେ ଲୋକଙ୍କ ସଂଖ୍ୟା ଥିଲା ୩୦। ସେଦିନ ବି ବୁଦ୍ଧ କିଛି ନ କହି ହସି ଦେଇ ଚାଲିଗଲେ।

ତେବେ ଏ କଥା ପଢ଼ି ଲାଗୁଥିବ ଯେ, ଯଦି ବୁଦ୍ଧଙ୍କର କିଛି କହିବାର ନଥିଲା, ତେବେ ବାରମ୍ବାର ସଭା ଆୟୋଜନ କାହିଁକି ହେଉଥିଲା ଏବଂ ସେ ସଭାକୁ ଆସୁଥିଲେ କ’ଣ ପାଇଁ? ଠିକ୍‌ସେହିପରି ସଭାରେ ଉପସ୍ଥିତ ଥିବା ଲୋକଙ୍କୁ ମଧ୍ୟ ନିତିଦିଦ ଏଭଳି ଦୃଶ୍ୟ ଦେଖୀ ବିରକ୍ତି ଲାଗୁଥିଲା କିନ୍ତୁ ସେମାନେ ବୁଦ୍ଧଙ୍କୁ କିଛି କହିପାରୁ ନଥିଲେ। ତେବେ ଉତ୍ତର ଜାଣିବା ପାଇଁ ଲୋକଙ୍କୁ ଧୈର୍ଯ୍ୟ ଧରିବାର ଆବଶ୍ୟକତା ଥିଲା। ପୁଣି ଆଉ ଥରେ ସଭା ଆୟୋଜନ ହେଲା ଏବଂ ଉପସ୍ଥିତ ଲୋକଙ୍କ ସଂଖ୍ୟା ଥିଲା ମାତ୍ର ୧୫। ଅବଶ୍ୟ ଆଜି କିନ୍ତୁ ଗୌତମ ବୁଦ୍ଧ ତାଙ୍କ ସ୍ଥାନ ଗ୍ରହଣ କରି ଲୋକଙ୍କୁ ଉପଦେଶ ଦେବା ପାଇଁ ବସିଲେ।

ବୁଦ୍ଧ ଯେଉଁ ୧୫ ଜଣଙ୍କୁ ଉପଦେଶ ଦେଲେ ସେମାନେ ବୁଦ୍ଧଙ୍କର ଶିଷ୍ୟ ପାଲଟିଗଲେ। ସେମାନେ ବୁଦ୍ଧଙ୍କ ଜ୍ଞାନକୁ ବିଭିନ୍ନ ସ୍ଥାନରେ ପ୍ରଚାର ପ୍ରସାର କଲେ। ଦିନେ ସେମାନେ ବୁଦ୍ଧଙ୍କୁ ପ୍ରଶ୍ନ କଲେ, ‘ସଭା ଆୟୋଜନ ହେବା ସତ୍ତ୍ବେ ଆପଣ କ’ଣ ପାଇଁ କିଛି ଦିନ ପର୍ଯ୍ୟନ୍ତ ପଦୁଟିଏ କଥା ନ କହି ଚାଲି ଯାଉଥିଲେ।’

ବୁଦ୍ଧ କହିଲେ, ‘‘ମୁଁ ସେହି ଲୋକମାନଙ୍କ ସନ୍ଧାନରେ ଥିଲି, ଯେଉଁମାନେ ମୋ ଉପଦେଶକୁ ଚାରିଆଡ଼େ ପ୍ରଚାର କରିବେ। ପ୍ରଥମ ଦିନରେ ଉପସ୍ଥିତ ଥିବା ୧୦୦ ଜଣ ଲୋକ କେବଳ ସଭାରେ କ’ଣ ହେଉଛି, ତାହା ଦେଖୀବାକୁ ଆସିଥିଲେ। କିନ୍ତୁ ମୁଁ ସେଭଳି ଲୋକଙ୍କୁ ଖୋଜୁ ନଥିଲି। ମୁଁ ଜଣିବାକୁ ଚାହୁଁଥିଲି, ସେମାନେ କିଏ ଯେଉଁମାନେ ମୋ ଉପଦେଶକୁ ଶୁଣିବାକୁ ଓ ଜାଣିବାକୁ ଚାହୁଁଛନ୍ତି। ଯେଉଁମାନଙ୍କ ପାଖରେ ଧୈର୍ଯ୍ୟ ଥିଲା ସେମାନଙ୍କୁ ମୁକ୍ତି ମାର୍ଗ ମିଳିଲା। ଯେଉଁମାନେ ବ୍ୟସ୍ତ ରହିଲେ, ସେମାନେ ଆଜି ଘରେ ବସିଲେ।’ ବୁଦ୍ଧ ପୁଣି କହିଲେ, ‘ଧୈର୍ଯ୍ୟ ନଥିବା ଲୋକେ କେବେ ବି ଜୀବନର ଲକ୍ଷ୍ୟସ୍ଥଳରେ ପହଞ୍ଚିପାରିବେ ନାହିଁ। ଧୈର୍ଯ୍ୟ ଧରିବାର କ୍ଷମତା ଯେଉଁମାନଙ୍କର ଅଛି, ସେମାନେ ଜୀବନରେ କିଛି ବି କରିବାକୁ ସକ୍ଷମ। ବିନା ଧୈର୍ଯ୍ୟରେ ସଫଳତା ପ୍ରାପ୍ତି ସମ୍ଭବ ନୁହେଁ।’

Leave A Reply

Your email address will not be published.