ବଡ ଖବର ଓଡ଼ିଶା ମନୋରଞ୍ଜନ ଖେଳ ଖବର ଦେଶ- ବିଦେଶ ଜୀବନଚର୍ଯ୍ୟା ରାଶିଫଳ ବାଣିଜ୍ୟ ଫଟୋ ଗ୍ୟାଲେରୀ ଅପରାଧ ଟେକ୍ନୋଲୋଜି ବିଶେଷ ରାଜନୀତି ସ୍ଵାସ୍ଥ୍ୟ

କଠୋର ହେଲା ବିଏମ୍‌ସି : ଗାଈ-ଗୋରୁଙ୍କୁ ରାସ୍ତାରେ ଛାଡ଼ିଲେ ଉଠାଇନେବ, ମାଲିକଙ୍କ ବିରୋଧରେ ନିଆଯିବ କାର୍ଯ୍ୟାନୁଷ୍ଠାନ

ଭୁବନେଶ୍ୱର : ରାଜଧାନୀ ରାଜରାସ୍ତାରେ ଗୋଟିଏ ବି ବୁଲା ଗାଈଗୋରୁ ଦେଖାଯିବନି। ସହରରେ ଯଦି କୌଣସି ସ୍ଥାନରେ ଗାଈଗୋରୁ ଦେଖା ଯାଆନ୍ତି ତେବେ ସେମାନଙ୍କୁ ବିଏମ୍‍ସି କାବୁକରି ନେଇ ସହରର ଦୂରରେ ଥିବା ଗୋଶାଳାରେ ଛାଡ଼ିବ। ଗାଈ ମାଲିକ ସେମାନଙ୍କୁ ନେବାକୁ ଆସିଲେ କଡ଼ା ଜରିମାନା କରାଯିବ। ଏମିତି କିଛି କଡ଼ା ଆଭିମୁଖ୍ୟ ସହ ବିଏମ୍‍ସି ପକ୍ଷରୁ ନିର୍ଦ୍ଦେଶନାମା ଜାରି କରାଯାଇଛି।

୨୦୨୩ ଆରମ୍ଭରୁ ହକି ବିଶ୍ୱକପ୍‍ ମହାସମର ଚାଲିବ। ଏଥିପାଇଁ ରାଜଧାନୀରେ ପ୍ରସ୍ତୁତି ଆରମ୍ଭ ହୋଇଗଲାଣି। ରାସ୍ତାଘାଟରେ କେମିତି ଭିଡ଼ କମ୍‍ ରହିବ ସେଥିପାଇଁ ରାଜ୍ୟ ସରକାର ଗୁରୁତ୍ୱ ଦେଉଛନ୍ତି। ବିଶ୍ୱକପ୍‍ ଯୋଗୁଁ ଦେଶ ବିଦେଶରୁ ଖେଳାଳିଙ୍କ ସହିତ ଦର୍ଶକ ଓ ପର୍ଯ୍ୟଟକମାନେ ମଧ୍ୟ ଆସି ଡେରା ପକାଇବେ। ତେଣୁ ସେମାନଙ୍କ ଯାତାୟାତକୁ ଶୃଙ୍ଖଳିତ କରିବା ପାଇଁ ଗାଈଗୋରୁଙ୍କ ସହରରେ ଅବାଧ ପ୍ରବେଶ ରୋକିବା ଉପରେ ଗୁରୁତ୍ୱ ଦିଆଯାଇଛି। ଏଥିପାଇଁ ସହରରେ ଗାଈ ଗୋରୁ ଓ ବୁଲା ଷଣ୍ଢଙ୍କ ଉପରେ ରୋକ୍‍ ଲଗାଇବା ପାଇଁ ବ୍ୟାପକ ପଦକ୍ଷେପ ନିଆଯାଇଛି। ଗାଈ ଗୋରୁଙ୍କ ବିଚରଣ ଯୋଗୁଁ ଉଭୟ ଦିନ ଏବଂ ରାତିରେ ଦୁର୍ଘଟଣା ଘଟୁଛି। ଏହି ଦୁର୍ଘଟଣା ରୋକିବା ସହ ରାଜଧାନୀରେ ଲୋକଙ୍କ ଗମନାଗମନକୁ ଶୃଙ୍ଖଳିତ କରିବାକୁ ବିଏମ୍‍ସି ଏହି ନିଷ୍ପତ୍ତି ନେଇଛି।

ଗାଈଗୋରୁଙ୍କ ରାସ୍ତାରେ ବୁଲିବା ବାରଣ କରିବା ସହ ଏହାକୁ ବେଆଇନ ଘୋଷଣା କରାଯାଇଛି। ଏଥିପାଇଁ ଗାଈଗୋରୁଙ୍କୁ ରାସ୍ତାକୁ ନ ଛାଡ଼ିବାକୁ ବିଏମ୍‍ସି କହିଛି। ଯଦି ଏହା ସତ୍ତ୍ବେ କୌଣସି ଲୋକ ରାସ୍ତାକୁ ଗାଈ ଛାଡ଼ନ୍ତି ତେବେ ଏହି ଗାଈମାନଙ୍କୁ ବିଏମ୍‍ସି କାବୁ କରିବା ସହ ଜାମୁକୋଳି ଗୋମଙ୍ଗଳ କେନ୍ଦ୍ର, ଜଟଣୀ ମୁନିସିପାଲଟିର ଗୋମଙ୍ଗଳ କେନ୍ଦ୍ର କିମ୍ବା ପୁରୀରେ ଥିବା ଗୋବିନ୍ଦ ଗୋସେବା କେନ୍ଦ୍ରରେ ଛାଡ଼ିଦିଆଯିବ ବୋଲି କୁହାଯାଇଛି। ପୂର୍ବରୁ ବିଏମ୍‍ସି ପକ୍ଷରୁ ବୁଲା ଗାଈଗୋରୁଙ୍କୁ ଧରିବା ସହ ଜାମୁକୋଳିରେ ନେଇ ଜିମା ଦିଆଯାଉଥିଲା। ହେଲେ ରାଜଧାନୀରେ ପ୍ରାୟ ୨ ହଜାର ବୁଲା ଗାଈଗୋରୁ ଥିବା ନେଇ ତଥ୍ୟ ସଂଗ୍ରହ ହେବା ପରେ ଏହି କାର୍ଯ୍ୟ ପାଇଁ ଅଲଗା ଅଲଗା ସଂସ୍ଥାକୁ ଦାୟିତ୍ୱ ଦେବା ଉପରେ ବିଏମ୍‍ସି ଗୁରୁତ୍ୱ ଦେଇଛି।

ବର୍ତ୍ତମାନ ବିଏମ୍‍ସି ପାଖରେ ପର୍ଯ୍ୟାପ୍ତ ସ୍ଥାନ ନ ଥିବାରୁ ଜଟଣୀ ସମେତ ପୁରୀ ଗୋଶାଳାକୁ ଗାଈ ପଠାଇବାକୁ ବିଏମ୍‍ସି ନିଷ୍ପତ୍ତି ନେଇଛି। ଗୋଶାଳାରେ ଗାଈଗୋରୁଙ୍କ ରହିବା ପାଇଁ ସୁବିଧା କରାଯାଇଥିବା ବେଳେ ପିଇବା ପାଇଁ ପାଣି ଓ ଖାଦ୍ୟ ଦିଆଯାଯିବ। ଏଠାରେ ବିଦ୍ୟୁତ୍‍ ବ୍ୟବସ୍ଥା ମଧ୍ୟ କରାଯାଇଛି। ତେବେ ଯେତେ ଦିନ ପର୍ଯ୍ୟନ୍ତ ଗାଈ ଏଠାରେ ରହିବେ ପ୍ରତି ଦିନ ହିସାବରେ ମାଲିକଙ୍କୁ ଅର୍ଥ ଦଣ୍ଡ କରାଯିବ। ଜାମୁକୋଳିରେ ୮ ଏକର ଜାଗାରେ ନିର୍ମିତ ଏହି କେନ୍ଦ୍ରରେ ପାଖାପାଖି ୨୪୦ ଟି ବୁଲା ଗାଈଗୋରୁ ରହିବାର ବ୍ୟବସ୍ଥା ଥିବା ବେଳେ ଏହାକୁ ଏବେ ବୃଦ୍ଧି କରାଯାଉଛି। ବର୍ତ୍ତମାନ ଜାମୁକୋଳିରେ ୩ଟି ନୂଆ ସେଡ୍‍ ନିର୍ମାଣ କରାଯାଇଛି। ଏଠାରେ ଆଉ ୨୫୦ ଗାଈ ରହିବା ପାଇଁ ବ୍ୟବସ୍ଥା ହେଉଛି।

Leave A Reply

Your email address will not be published.