ଇପିଏଫଓ ସଦସ୍ୟଙ୍କ ପାଇଁ ଭଲ ଖବର, ବଢ଼ିବ କର୍ମଚାରୀଙ୍କ ମାସିକ ବେତନ ସୀମା

ନୂଆଦିଲ୍ଲୀ : କର୍ମଚାରୀ ଭବିଷ୍ୟନିଧି ପାଣ୍ଠି ସଂଗଠନ (ଇପିଏଫଓ)ର ସଦସ୍ୟମାନଙ୍କ ପାଇଁ ଭଲ ଖବର। ବଢ଼ିବ କର୍ମଚାରୀଙ୍କ ମାସିକ ବେତନ ସୀମା। କାରଣ ଇପିଏଫଓ କର୍ମଚାରୀଙ୍କ ବେତନ ସୀମାରେ ବୃଦ୍ଧି ଘଟାଇବାକୁ ଯୋଜନା କରୁଛି। ଏପରିକି ସଂଗଠନ କର୍ମଚାରୀଙ୍କ ମାସିକ ବେତନ ସୀମାକୁ ୨୧,୦୦୦ ଟଙ୍କାକୁ ବୃଦ୍ଧି କରିବାକୁ ବିଚାର ଚଳାଇଛି। ଏହି ସଂଶୋଧନ କର୍ମଚାରୀ ଏବଂ ନିଯୁକ୍ତିଦାତା ଉଭୟଙ୍କ ଆଡୁ ହେବାକୁ ଥିବା ଯୋଗଦାନ ଅର୍ଥ ବୃଦ୍ଧି ବାବଦରେ କରାଯିବ। ଫଳରେ ଜଣେ କର୍ମଚାରୀ ଅବସର ପରେ ଅଧିକ ଅର୍ଥ ପାଇପାରିବେ।

ବର୍ତ୍ତମାନ ଜଣେ ଇପିଏଫଓ ସଦସ୍ୟଙ୍କର ଇପିଏଫ୍‌ ଯୋଜନାରେ ମାସିକ ବେତନ ସୀମା ୧୫,୦୦୦ ଟଙ୍କା ରହିଛି। ୨୦୧୪ରେ କର୍ମଚାରୀଙ୍କ ମାସିକ ବେତନ ସୀମା ୬୫୦୦ ଟଙ୍କା ରହିଥିଲା। ପରବର୍ତ୍ତୀ ସମୟରେ ଏଥିରେ ସଂଶୋଧନ କରାଯାଇ ଏହାକୁ ୧୫,୦୦୦ ଟଙ୍କା କରାଯାଇଛି। ଇପିଏଫ୍‌ଓର ଅବସରକାଳୀନ ସଞ୍ଚୟ ଯୋଜନାରେ ସରକାର ଖୁବ୍‌ ଶୀଘ୍ର କର୍ମଚାରୀଙ୍କ ବେତନ ସୀମାରେ ସଂଶୋଧନ କରିପାରନ୍ତି।

ତେବେ ମିଳିଥିବା ସୂଚନା ମୁତାବକ, କର୍ମଚାରୀଙ୍କ ସର୍ବନିମ୍ନ ବେତନ ସୀମା ବୃଦ୍ଧି ନେଇ ବିଶେଷଜ୍ଞ କମିଟି ତରଫରୁ ନିଷ୍ପତ୍ତି ନିଆଯାଇପାରେ। କାରଣ ବେତନ ସୀମା ନିର୍ଦ୍ଧାରଣ କରିବା ଲାଗି ସରକାର ଏକ ବିଶେଷଜ୍ଞ କମିଟି ଗଠନ କରିବେ। ଯଦି କର୍ମଚାରୀଙ୍କ ମାସିକ ବେତନ ସୀମା ୨୧,୦୦୦ ଟଙ୍କାକୁ ବୃଦ୍ଧି କରାଯାଏ, ଏହାଦ୍ୱାରା କର୍ମଚାରୀ ଓ ନିଯୁକ୍ତିଦାତାଙ୍କ ତରଫରୁ ଜମା କରାଯାଉଥିବା ପିଏଫ୍‌ ଅର୍ଥ ରାଶିରେ ବୃଦ୍ଧି ଘଟିବା ସହ କର୍ମଚାରୀଙ୍କୁ ଅବସର ପାଇଁ ଅଧିକ ସଞ୍ଚୟ ପାଇବାରେ କରିବାରେ ସାହାଯ୍ୟ କରିବ। ବେତନ ସୀମା ବଢ଼ିବା ପରେ କର୍ମଚାରୀ ଏବଂ ନିଯୁକ୍ତିଦାତାଙ୍କ ପାଇଁ ବର୍ଦ୍ଧିତ ଯୋଗଦାନ ରାଶି ଦେବା ବାଧ୍ୟତାମୂଳକ ହେବ। ବର୍ତ୍ତମାନର ବେତନ ସୀମା ୧୫ ହଜାର ଟଙ୍କା ଉପରେ ୧୨ ପ୍ରତିଶତ ହିସାବରେ କର୍ମଚାରୀଙ୍କ ପିଏଫ୍‌ ଯୋଗଦାନ ୧୮୦୦ ଟଙ୍କା ରହିଥିବାବେଳେ ବେତନ ସୀମା ୨୧,୦୦୦ ଟଙ୍କା ଉପରେ ଏହା ୨୫୨୦ ଟଙ୍କା ହୋଇଯିବ। ଏଥିସହିତ ଭବିଷ୍ୟତରେ କର୍ମଚାରୀଙ୍କ ପେନସନ ପାଣ୍ଠିରେ ମଧ୍ୟ ଏହା ବୃଦ୍ଧି ଘଟାଇବ। ଆହୁରିମଧ୍ୟ ବେତନ ସୀମାରେ ଏହି ବୃଦ୍ଧି ଯୋଗୁ ଇପିଏଫଓ ସାମାଜିକ ସୁରକ୍ଷା ଅଧୀନକୁ ଅଧିକରୁ ଅଧିକ କର୍ମଚାରୀ ଆସିଯିବେ।

Leave a comment