ଖୁବଶୀଘ୍ର ପ୍ରକାଶ ପାଇବ ୨୬୫୯ ଅଣଶିକ୍ଷକ ପଦ ପାଇଁ ବିଜ୍ଞପ୍ତି, ନିୟମିତ ହେବେ ୪ ହଜାର କମ୍ପ୍ୟୁଟର ଶିକ୍ଷକ

ଭୁବନେଶ୍ୱର : ‘୫-ଟି’ ରୂପାନ୍ତରଣ ପାଇଁ ଆହୁରି ସୁଦୃଢ଼ ହେବାରେ ଲାଗିଛି ରାଜ୍ୟର ଶିକ୍ଷା ଭିତ୍ତିଭୂମି। ଗୋଟିଏ ପଟେ ଶିକ୍ଷା ଭିତ୍ତିଭୂମି ଆକର୍ଷଣୀୟ ଓ ପ୍ରଭାବଶାଳୀ ହେଉଥିବା ବେଳେ ଅନ୍ୟ ପଟେ ଶିକ୍ଷକ ଓ କର୍ମଚାରୀ ନିଯୁକ୍ତିକୁ ମଧ୍ୟ ତ୍ୱରାନ୍ୱିତ କରିବାରେ ଲାଗିଛନ୍ତି ରାଜ୍ୟ ସରକାର। ଆଗକୁ ତୃତୀୟ ପର୍ଯ୍ୟାୟ ଶିକ୍ଷକ ନିଯୁକ୍ତି ଶେଷ ହେବା ପରେ ଆଉ ରାଜ୍ୟରେ ହାଇସ୍କୁଲ ଶିକ୍ଷକ ପଦବୀ ଖାଲି ରହିବ ନାହିଁ। ଶିକ୍ଷକମାନେ କେବଳ ପାଠ ପଢ଼ାଇବେ; ଅନ୍ୟ କାମରେ ନିୟୋଜିତ ହେବେ ନାହିଁ ବୋଲି ସରକାର ଯୋଜନା କରିଛନ୍ତି। ଓଏସଏସସି(ଓଡ଼ିଶା କର୍ମଚାରୀ ଚୟନ ଆୟୋଗ) ପକ୍ଷରୁ ୭ ହଜାର ୫୪୦ ଶିକ୍ଷକ ପଦ ପାଇଁ ବିଜ୍ଞପ୍ତି ପ୍ରକାଶ ପାଇଥିବାବେଳେ ୨ହଜାର ୨୫୯ ଅଣଶିକ୍ଷକ କର୍ମଚାରୀ ପାଇଁ ଖୁବଶିଘ୍ର ବିଜ୍ଞପ୍ତି ପ୍ରକାଶ ପାଇବ। ସେହିପରି ୪ ହଜାର କମ୍ପ୍ୟୁଟର ଶିକ୍ଷକ ମଧ୍ୟ ନିୟମିତ ଭାବେ ନିଯୁକ୍ତି ପାଇବେ।

ସେହିପରି ୪ ହଜାର କମ୍ପ୍ୟୁଟର ଶିକ୍ଷକ ପାଇଁ ମଧ୍ୟ ଖୁବଶୀଘ୍ର ବିଜ୍ଞପ୍ତି ପ୍ରକାଶ ପାଇବ। ରୂପାନ୍ତରିତ ବିଦ୍ୟାଳୟଗୁଡ଼ିକରେ ଏହି ଶିକ୍ଷକମାନେ ନିଯୁକ୍ତି ପାଇବେ। ଯଦିଓ ପୂର୍ବରୁ ତୃତୀୟ ପକ୍ଷ କିମ୍ବା ଆଉଟସୋର୍ସିଂ ସଂସ୍ଥା ଦ୍ୱାରା କମ୍ପ୍ୟୁଟର ଶିକ୍ଷକ ନିଯୁକ୍ତି ପାଇଁ ପଦକ୍ଷେପ ଗ୍ରହଣ କରାଯାଉଥିଲା, ସରକାର ଏବେ ନିୟମିତ କମ୍ପ୍ୟୁଟର ଶିକ୍ଷକ ନିଯୁକ୍ତି ପାଇଁ ନିଷ୍ପତ୍ତି ଗ୍ରହଣ କରିଛନ୍ତି। ଓଏସଏସସି କିମ୍ବା ଓଏସଏସଏସସି ଦ୍ୱାରା ଚୟନ ପ୍ରକ୍ରିୟା ତ୍ୱରାନ୍ୱିତ ହେବ। ଏନେଇ ଚୁଡ଼ାନ୍ତ ନିଷ୍ପତ୍ତି ହୋଇ ନ ଥିବାବେଳେ ଖୁବଶୀଘ୍ର ଏସମ୍ପର୍କରେ ବିଭାଗ ନିଷ୍ପତ୍ତି ଗ୍ରହଣ କରିବ।

ତେବେ ପିଲାଙ୍କୁ ରାଜ୍ୟ ସରକାର କେବଳ ବିଷୟ ଭିତ୍ତିକ ଶିକ୍ଷାରେ ସୀମିତ ରଖି ନାହାନ୍ତି। ଶାରୀରିକ ଓ ମାନସିକ ସୁସ୍ଥତା ପାଇଁ ସବୁ ବର୍ଗରେ ପ୍ରୟାସ ଜାରି ରଖିଛନ୍ତି। ସ୍କୁଲରେ କ୍ରୀଡ଼ାକୁ ଗୁରତ୍ୱ ଦିଆଯାଇଥିବାବେଳେ ଖେଳ ପଡ଼ିଆର ଉନ୍ନତିକରଣ ଓ ବିଭିନ୍ନ ସ୍ପୋର୍ଟ୍ସ କିଟ୍‍ ପ୍ରଦାନ କରାଯାଉଛି। ଶିକ୍ଷା କ୍ଷେତ୍ରରେ ଉର୍ତ୍କର୍ଷତା ସରକାରଙ୍କ ପ୍ରୟାସ ଜାରି ରହିଛି। କେବଳ ହାଇ ସ୍କୁଲ ନୁହଁ, ପ୍ରାଥମିକ ସ୍କୁଲ ମଧ୍ୟ ରୂପାନ୍ତରଣରେ ସାମିଲ୍‍ ହୋଇଛି। ଗୁଣାତ୍ମକ ଭିତ୍ତିଭୂମି ସରକାରୀ ସ୍କୁଲ ପିଲାଙ୍କୁ ଆକୃଷ୍ଟ କରିଛି। ବିଗତ କିଛି ବର୍ଷ ଅପେକ୍ଷା ରାଜ୍ୟର ସରକାରୀ ଓ ସରକାରୀ ଅନୁଦାନପ୍ରାପ୍ତ ସ୍କୁଲଗୁଡ଼ିକରେ ପିଲାଙ୍କ ନାମଲେଖା ହାର ବୃଦ୍ଧି ହୋଇଛି। ୟୁଡାଏସରେ ଛାତ୍ରଛାତ୍ରୀଙ୍କ ପଞ୍ଜୀକରଣ ତଥ୍ୟ ଅନୁଯାୟୀ ୧୦ରୁ ୧୨ ପ୍ରତିଶତ ଅଧିକ ଛାତ୍ରଛାତ୍ରୀ ଚଳିତ ବର୍ଷ ସରକାରୀ ସ୍କୁଲରେ ନାମଲେଖାଇଛନ୍ତି। ତେବେ ରାଜ୍ୟ ସରକାରଙ୍କ ଅଭିନବ ପଦକ୍ଷେପ ଓ ଉନ୍ନତ ଚିନ୍ତାଧାରା ରାଜ୍ୟର ଶିକ୍ଷା ଭିତ୍ତିଭୂମିକୁ ଏକ ନୂଆ ଦିଗନ୍ତ ପ୍ରଦାନ କରିଛି।

ହାଇସ୍କୁଲ ରୂପାନ୍ତରଣ ଯୋଜନା ଓଡ଼ିଶାର ଶିକ୍ଷା ବ୍ୟବସ୍ଥାରେ ଅଭୂତପୂର୍ବ ସଫଳତା ଆଣିଥିବା କେନ୍ଦ୍ର ଶିକ୍ଷା ମନ୍ତ୍ରଣାଳୟର ବିଭିନ୍ନ ସର୍ଭେ ତଥ୍ୟ ଦର୍ଶାଇଛି। ନାସ୍‍, ପିଜିଆଇ, ୟୁ-ଡାଏସ୍‍ ଆଦି ମନ୍ତ୍ରଣାଳୟର ସର୍ବେକ୍ଷଣ ତଥ୍ୟ ଏହାର ରିପୋର୍ଟରେ ପ୍ରକାଶ କରିଛି। ରୂପାନ୍ତରଣ ଯୋଜନାରେ ଭିତ୍ତିଭୂମିର ସୁଦୃଢ଼ୀକରଣ ପରେ ସରକାର ଶିକ୍ଷାଦାନ ପାଇଁ ଆନୁଷଙ୍ଗିକ ବ୍ୟବସ୍ଥାକୁ ସଶକ୍ତ କରୁଛନ୍ତି।

Leave a comment