ବଡ ଖବର ଓଡ଼ିଶା ମନୋରଞ୍ଜନ ଖେଳ ଖବର ଦେଶ- ବିଦେଶ ଜୀବନଚର୍ଯ୍ୟା ରାଶିଫଳ ବାଣିଜ୍ୟ ଫଟୋ ଗ୍ୟାଲେରୀ ଅପରାଧ ଟେକ୍ନୋଲୋଜି ବିଶେଷ ରାଜନୀତି ସ୍ଵାସ୍ଥ୍ୟ

ବିଜେପିର ମୁଖା ଖୋଲିଲା ବିଜେଡି: ମମିତାଙ୍କୁ ନ୍ୟାୟ ନୁହେଁ ଅଭିଯୁକ୍ତକୁ ଖସାଇବା ଲାଗି ଷଡ଼ଯନ୍ତ୍ର କରୁଛି ବିଜେପି

ଭୁବନେଶ୍ୱର : ମମିତା ହତ୍ୟାକାଣ୍ଡକୁ ନେଇ ବିଧାନସଭା ହୁଲସ୍ତୁଲ କରୁଛି ବିଜେପି। ଗତ ୬ ଦିନ ହେଲା ବିଧାନସଭା ଗୃହରେ ନାନାଦି ଯାତ୍ରା ଚଳାଇଛି। କଳା ଗାମୁଛା ପକାଇ, ଘଣ୍ଟ ପିଟି ନାଟକ କରୁଛି। ମାତ୍ର ଅପରପକ୍ଷରେ ବିଜେପି ନେତାମାନେ ଗୋବିନ୍ଦକୁ ଜେଲରୁ ମୁକୁଳାଇବା ପାଇଁ ରୀତିମତ ଉଦ୍ୟମ କରୁଛନ୍ତି ବୋଲି ଅଭିଯୋଗ କରିଛି ବିଜେଡି। ଦଳର ଜଣେ ବରିଷ୍ଠ ସଦସ୍ୟ ତଥା ଆଇନଜୀବୀ ମୋହନଲାଲ ଶର୍ମାଙ୍କୁ ଗୋବିନ୍ଦ ମାମଲାରେ ଲଢ଼ିବା ପାଇଁ ବିଜେପି ନେତାମାନେ ଲଗାଇ ଦେଇଛନ୍ତି ବୋଲି ବିଜେଡି ନେତା ପ୍ରତାପ ଦେବ ଏକ ସାମ୍ବାଦିକ ସମ୍ମିଳନୀରେ ଅଭିଯୋଗ କରିଛନ୍ତି।

ଏକ ସାମ୍ବାଦିକ ସମ୍ମିଳନୀରେ ଶ୍ରୀ ଦେବ କହିଛନ୍ତି ଯେ ବିଜେପି ଏତେ ଦିନ ଧରି ମମିତା ମେହେର ମାମଲାକୁ ପ୍ରସଙ୍ଗ କରି ତୁମ୍ବିତୋଫାନ କରୁଛି। ଅପରାଧୀଙ୍କୁ କଠୋର ଦଣ୍ଡ ମିଳୁ ବୋଲି ଦାବି କରୁଛି। ସମ୍ବେଦନଶୀଳ ଘଟଣାକୁ ନେଇ ରାଜନୀତି କରୁଛି; କିନ୍ତୁ ଅନ୍ୟ ପଟେ ମମିତା ହତ୍ୟା ଘଟଣାର ମୁଖ୍ୟ ଅଭିଯୁକ୍ତ ଗୋବିନ୍ଦ ସାହୁଙ୍କୁ ଜେଲ୍‍ରୁ ମୁକୁଳାଇବା ପାଇଁ ଓକିଲ ନିଯୁକ୍ତ କରୁଛି। ଏ ନେଇ ଶ୍ରୀ ଶର୍ମାଙ୍କର ଓକିଲାତିନାମାକୁ ଆଜି ଶ୍ରୀ ଦେବ ସାମ୍ବାଦିକ ସମ୍ମିଳନୀରେ ଉପସ୍ଥାପନ କରି କହିଛନ୍ତି ଯେ ବିଜେପିର ସକ୍ରିୟ ସଦସ୍ୟ ତଥା ଜଣାଶୁଣା ଓକିଲ ମୋହନ ଲାଲ୍‍ ଶର୍ମାଙ୍କୁ ଅଦାଲତରେ ଲଢ଼ାଉଛି। ଗୋବିନ୍ଦ ସାହୁ କିପରି ଶୀଘ୍ର ଜାମିନ ପାଇ ବାହାରକୁ ଆସିବେ ସେଥିପାଇଁ ଶ୍ରୀ ଶର୍ମା ତାଙ୍କ ପାଇଁ କଣ୍ଟାବାଞ୍ଜି ଏଡିଜେ କୋର୍ଟରେ ଓକିଲାତି କରୁଛନ୍ତି। ଓଡ଼ିଶା ବିଜେପି ପ୍ରତ୍ୟେକ ପ୍ରସଙ୍ଗରେ ଦୋମୁହାଁ ନୀତି ଅବଲମ୍ବନ କରୁଛି ଓ ମମିତା ପ୍ରସଙ୍ଗରେ ମଧ୍ୟ ଅନୁରୂପ ପଦକ୍ଷେପ ନେଇଛି। ବିଜେପି କିପରି ହୀନ ରାଜନୈତିକ ସ୍ୱାର୍ଥ ସାଧନ ପାଇଁ କୁମ୍ଭୀର କାନ୍ଦଣା କାନ୍ଦୁଛି ଏହା ତାହାର ସ୍ପଷ୍ଟ ଉଦାହରଣ ବୋଲି ଶ୍ରୀ ଦେବ କହିଛନ୍ତି।

ମମିତା ହତ୍ୟା ମାମଲାରେ ମୁଖ୍ୟ ଅଭିଯୁକ୍ତ ଗୋବିନ୍ଦଙ୍କ ଓକିଲ ସାଜିଥିବା ମୋହନ ଲାଲ୍‍ ଶର୍ମା କଣ୍ଟାବାଞ୍ଜିରେ ବିଜେପିର ଜନସମ୍ପର୍କ ଯାତ୍ରାଠୁ ଆରମ୍ଭ କରି ବିଭିନ୍ନ ଦଳୀୟ କାର୍ଯ୍ୟକ୍ରମରେ ସକ୍ରିୟ ଅଂଶଗ୍ରହଣ କରିଥିବା ପ୍ରମାଣ ରହିଛି। ୨୦୧୯ ନିର୍ବାଚନରେ କଣ୍ଟାବାଞ୍ଜିରୁ ବିଜେପି ପ୍ରାର୍ଥୀ ହେବା ଲାଗି ମଧ୍ୟ ଆଶାୟୀ ରହିଥିଲେ। କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ, ରାଜ୍ୟ ବିଜେପିର ପୂର୍ବତନ ସଭାପତି ବସନ୍ତ ପଣ୍ଡା ଏବଂ ଦଳର ଅନ୍ୟ ବରିଷ୍ଠ ନେତାଙ୍କର ଘନିଷ୍ଠ ଭାବେ ସେ ବେଶ୍‍ ଜଣାଶୁଣ।। ଗୋବିନ୍ଦ ସାହୁଙ୍କ ଭଳି ଜଣେ ଜଘନ୍ୟ ଅଭିଯୁକ୍ତ ଗୋବିନ୍ଦ ସାହୁଙ୍କୁ ଆଇନ୍‍ ହାତରୁ ସୁରକ୍ଷା ଦେବା ପାଇଁ ଶ୍ରୀ ଶର୍ମାଙ୍କ ଭଳି ଦଳର ଜଣେ ସକ୍ରିୟ ନେତାଙ୍କୁ ବିଜେପିର ବରିଷ୍ଠ ନେତାମାନେ ନିୟୋଜିତ କରିବା ପଛରେ ଯେ ଏକ ବଡ଼ ଷଡଯନ୍ତ୍ର ରହିଛି, ତାହା ଜଳଜଳ ହୋଇ ଦିଶୁଥିବା ଶ୍ରୀ ଦେବ କହିଛନ୍ତି।

ମମିତା ହତ୍ୟା ମାମଲାରେ ମନ୍ତ୍ରୀ ଦିବ୍ୟଶଙ୍କର ମିଶ୍ରଙ୍କ ସମ୍ପୃକ୍ତି ରହିଛି ବୋଲି ବିଜେପି କେବଳ ଚିତ୍କାର କରୁଛି। ମାତ୍ର ଆମର ବାରମ୍ବାର ଆହ୍ୱାନ ସତ୍ତ୍ବେ ଏ ନେଇ କୌଣସି ପ୍ରମାଣ ଉପସ୍ଥାପନ କରିପାରୁ ନାହିଁ। ଓଲଟି ଗୋବିନ୍ଦକୁ ଫାଶୀଦଣ୍ଡରୁ ରକ୍ଷା କରିବାକୁ ପ୍ରମାଣ ଯୋଗାଡ଼ କରି ତଦନ୍ତକୁ ଦିଗହରା କରିବାକୁ ବିଜେପି ଅପଚେଷ୍ଟା କରୁଛି। ପୂର୍ବରୁ ନୟାଗଡ଼଼ ପରୀ ହତ୍ୟା ମାମଲାରେ ମଧ୍ୟ ବିଜେପି ନେତାମାନେ ଏହିଭଳି ହୀନ ରାଜନୀତି କରିଥିଲେ। ଏସ୍‍ଆଇଟି ତଦନ୍ତରୁ ଅଭିଯୁକ୍ତ ଧରା ପଡ଼ିଯିବା ପରେ ହାଇକୋର୍ଟ ତଦନ୍ତରେ ଅସନ୍ତୋଷ ପ୍ରକାଶ କରିଥିଲେ। ମାତ୍ର ରାଜନୈତିକ ସ୍ୱାର୍ଥ ଲାଗି ଅଭିଯୁକ୍ତକୁ ବଞ୍ଚାଇବାକୁ ସେତେବେଳେ କୋର୍ଟରେ ବଡ଼ ଓକିଲଙ୍କୁ କିଏ ନିଯୁକ୍ତ କରିଥିଲା ବୋଲି ଶ୍ରୀ ଦେବ ପ୍ରଶ୍ନ କରିଛନ୍ତି। ବାରମ୍ବାର ଏମିତି ଶବ ଉପରେ ବିଜେପି ରାଜନୀତି କରୁଥିଲା ବୋଲି ସମସ୍ତେ ଜାଣିଥିଲେ। ମାତ୍ର ଏବେ ଅଭିଯୁକ୍ତକୁ ଖସାଇବାକୁ ଷଡ଼ଯନ୍ତ୍ର କରୁଥିବା କଥା ପଦାରେ ପଡ଼ିଯିବା ପରେ ବିଜେପି ନେତାଙ୍କ ମୁଖା ଖୋଲିଯାଇଛି। ଏହା ଅତ୍ୟନ୍ତ ଲଜ୍ଜାଜନକ ଓ ନିନ୍ଦନୀୟ ଏବଂ ବିଜେପି ଏ ପାପ କେଉଁଠି ଧୋଇବ ତାହା ଏବେ ରାଜ୍ୟବାସୀ ପ୍ରଶ୍ନ କରୁଛନ୍ତି ବୋଲି କହିଛନ୍ତି ପ୍ରତାପ ଦେବ।

Leave A Reply

Your email address will not be published.