ବଡ ଖବର ଓଡ଼ିଶା ମନୋରଞ୍ଜନ ଖେଳ ଖବର ଦେଶ- ବିଦେଶ ଜୀବନଚର୍ଯ୍ୟା ରାଶିଫଳ ବାଣିଜ୍ୟ ଫଟୋ ଗ୍ୟାଲେରୀ ଅପରାଧ ଟେକ୍ନୋଲୋଜି ବିଶେଷ ରାଜନୀତି ସ୍ଵାସ୍ଥ୍ୟ

ବ୍ରଜରାଜନଗର ଫାଇଟ୍‌ ପୂର୍ବରୁ ବିରୋଧୀଙ୍କ ଅସ୍ତ୍ର ତ୍ୟାଗ, କହିଲେଣି ତୃଣମୂଳସ୍ତରେ ବିଜେଡି ସହ ଲଢିବା କଷ୍ଟ

ଭୁବନେଶ୍ୱର : ବ୍ରଜରାଜନଗର ଉପନିର୍ବାଚନ ଆହୁରି ପ୍ରାୟ ୧୦ ଦିନ ବାକି। ନିର୍ବାଚନରେ ରେକର୍ଡ଼ ବ୍ୟବଧାନରେ ବିଜୟୀ ହେବାକୁ ବିଜେଡି ରଣନୀତି ପ୍ରସ୍ତୁତ କରିଛି। ଦଳର ସାଙ୍ଗଠନିକ ସମ୍ପାଦକ ପ୍ରଣବ ପ୍ରକାଶ ଦାସ ଦଳବଳ ଧରି ବ୍ରଜରାଜନଗରରେ ଡେରା ପକାଇଛନ୍ତି। ଖରା ତାତି ସହ ତାଳ ଦେଇ ନିର୍ବାଚନ ପ୍ରଚାର ପାରଦ ଊର୍ଦ୍ଧ୍ବଗାମୀ ହୋଇଛି। ତିନି ଦଳ ନିଜନିଜ ତାରକା ପ୍ରଚାରକଙ୍କ ତାଲିକା ଘୋଷଣା କରିଛନ୍ତି। ଏହି ସ୍ଥିତିରେ ବ୍ରଜରାଜନଗର ଯୁଦ୍ଧରେ ବିଜେଡିର ପ୍ରମୁଖ ପ୍ରତିଦ୍ୱନ୍ଦ୍ୱୀ ବିଜେପି ଓ ଅନ୍ୟତମ ବିରୋଧୀ ଦଳ ଆତ୍ମସମର୍ପଣ ମୁଦ୍ରାରେ ଠିଆ ହୋଇଛନ୍ତି।

ଗତକାଲି ବିଜେପି ଦଳର ବରିଷ୍ଠ ନେତା ବିଷ୍ଣୁ ସେଠୀ ଗଣମାଧ୍ୟମକୁ ଯେଉଁ ମନ୍ତବ୍ୟ ଦେଇଥିଲେ, ସେଥିରେ ଯୁଦ୍ଧଂ ଦେହି ଡ଼ାକରା ଅପେକ୍ଷା ଆତ୍ମସମର୍ପଣର ଭାବ ବେଶୀ ପ୍ରକଟିତ ହୋଇଛି। ବିଷ୍ଣୁଙ୍କ ଏହି ବିବଶତା ବିଜେଡିକୁ କେବଳ ଉତ୍ସାହିତ କରିନାହିଁ, ପକ୍ଷାନ୍ତରେ ଦଳୀୟ ପ୍ରାର୍ଥୀ ଓ ସ୍ଥାନୀୟ ବିଜେପି ନେତାଙ୍କୁ ହତୋତ୍ସାହିତ କରିଛି। ବିଷ୍ଣୁ ସେଠୀ ହେଉଛନ୍ତି ରାଜ୍ୟ ବିଜେପିର ଛାମୁଆ ଚେହେରା। ବିଧାନସଭାରେ ଦଳର ଉପନେତା। ତେଣୁ ସେ କହିଥିବା କଥାକୁ ଉପେକ୍ଷା କରାଯାଇ ପାରିବ ନାହିଁ କିମ୍ବା ଏହାକୁ ଗୌଣ ମନେ କରାଯିବା ସମ୍ଭବ ନୁହେଁ। “ଓଡ଼ିଶାରେ ବିଜେଡି ସଶକ୍ତ ରହିଛି। ଏ କଥା ଆମକୁ ସ୍ୱୀକାର କରିବାକୁ ପଡ଼ିବ। ଓଡ଼ିଶାରେ ଆଞ୍ଚଳିକ ଦଳର ପ୍ରଭାବ ରହିଛି। ଏଥର ବି ଉପନିର୍ବାଚନରେ ବିଜେଡି ସଫଳତା ପାଇବାର ସମ୍ଭାବନା ଅଛି। କାରଣ ସେମାନେ ସଶକ୍ତ ଅଛନ୍ତି। ଆଜିଯାଏ ଲଢ଼େଇ ଭୂଇଁରେ ବିଜେପି ପହଞ୍ଚି ପାରିନାହିଁ। ଗ୍ରାଉଣ୍ଡରେ ବିଜେଡି ସହ ଲଢ଼ିବା କଷ୍ଟ” ବୋଲି ମନ୍ତବ୍ୟ ଦେଇ ବିଷ୍ଣୁ ନିର୍ବାଚନ ପୂର୍ବରୁ ପରୋକ୍ଷରେ ବ୍ରଜରାଜନଗର ପରାଜୟକୁ ସ୍ୱୀକାର କରିନେଇଛନ୍ତି।

ବ୍ରଜରାଜନଗର ଉପନିର୍ବାଚନ ପୂର୍ବରୁ ବିରୋଧୀ ଦଳ ଉପନେତା ବିଷ୍ଣୁ ସେଠୀଙ୍କ ବିଜେଡିକୁ ନେଇ ଏପରି ବାସ୍ତବ ଚିତ୍ର ରଖିବା ରାଜ୍ୟ ରାଜନୀତିକୁ ଉଷ୍ମ କରି ରଖିଛି ।  ସେପେଟ ମୁଖ୍ୟ ବିରୋଧୀ ବିଜେପି ଉପନେତାଙ୍କ ବୟାନ ସଂପୂର୍ଣ୍ଣ ସତ ବୋଲି କହିଛନ୍ତି ବରିଷ୍ଠ କଂଗ୍ରେସ ବିଧାୟକ ସୁର ରାଉତରାୟ କଂଗ୍ରେସ । ଦରଦାମ ବୃଦ୍ଧି ଯୋଗଁ ବିଜେପି ଉପରେ ଲୋକ ଅସନ୍ତୁଷ୍ଟ ହୋଇଛନ୍ତି ତେଣୁ ବିଜେପି ଫଳରେ ତୃଣମୂଳ ସ୍ତରରେ ପହଞ୍ଚିପାରୁନାହିଁ ଦଳ। ବିଜେପି ଉପନେତା ଯାହା କହିଛନ୍ତି ତାହା ସତ ବୋଲି କହିଛନ୍ତି ସୁର ରାଉତରାୟ। ଅନ୍ୟପଟେ ଜାତୀୟ ଦଳ ଅପେକ୍ଷା ଆଞ୍ଚଳିକ ଦଳ ଶକ୍ତିଶାଳୀ ବୋଲି କଂଗ୍ରେସ ନେତାଏ ବି କହିଛନ୍ତି ।

ଅନ୍ୟପଟେ  ବିରୋଧୀ ଦଳ ନେତାମାନେ ବିଜେଡିକୁ ନେଇ ରଖୁଥିବା ଆଭିମୁଖ୍ୟ ନେଇ ରାଜନୈତିକ ସମୀକ୍ଷକମାନେ ମଧ୍ୟ ମତ ରଖିଛନ୍ତି । ବିଜେପି ଓ କଂଗ୍ରେସ ନେତାଙ୍କ ଏପରି ବୟାନ ମୁକାବିଲା ପୂର୍ବରୁ ମଇଦାନ ଛାଡ଼ିବା କଥା ପରି ବୋଲି ବରିଷ୍ଠ ରାଜନୈତିକ ସମୀକ୍ଷକ ପ୍ରସନ୍ନ ମହାନ୍ତି କହିଛନ୍ତି ।ପଞ୍ଚାୟତ ଓ ପୌର ନିର୍ବାଚନରେ ଦୁଇ ବିରୋଧୀ ବିଜେପି ଓ କଂଗ୍ରେସକୁ ପ୍ରତ୍ୟାଖାନ କରିଛନ୍ତି ଓଡ଼ିଶାବାସୀ ।ଏବେ ବ୍ରଜରାଜନଗର ଉପନିର୍ବାଚନ ପୂର୍ବରୁ ବିରୋଧୀ ଦଳ ଉପନେତାଙ୍କ ବୟାନ ବିରୋଧୀ ଶିବିରଙ୍କୁ ଚିନ୍ତାରେ ପକାଇ ଦେଇଛି ।

ରାଜ୍ୟରେ ପୂର୍ବରୁ ବିଜେଡି ସହ ମେଣ୍ଟ କରି ୯ ବର୍ଷ କାଳ କ୍ଷମତା ଉପଭୋଗ କରିବା ସତ୍ତ୍ବେ ବିଜେପି ନିଜ ସ୍ଥିତି ରକ୍ଷା କରିବାରେ ଏଯାଏ ସମର୍ଥ ହୋଇନାହିଁ। ୨୦୧୭ ଜିଲ୍ଲା ପରିଷଦ ନିର୍ବାଚନରେ ଦଳ ହାସଲ କରିଥିବା ସଫଳତା ୨୦୨୨ରେ ଦୋହରାଇବାରେ କେବଳ ବିଫଳ ହୋଇନାହିଁ; ୮୦% ଜିଲ୍ଲା ପରିଷଦ ଆସନ ଓ ୮ ଜିଲ୍ଲା ପରିଷଦ ସଭାପତି ପଦ ହରାଇଛି। ଗତ ୨୦୧୯ ନିର୍ବାଚନରେ ଦଳ ୨୩ଟି ବିଧାନସଭା ଆସନରେ ବିଜୟୀ ହୋଇଥିଲେ ହେଁ ପଞ୍ଚାୟତ ନିର୍ବାଚନରେ ସେହି ସ୍ଥାନଗୁଡ଼ିକରେ ବାଜିମାତ୍‍ କରିଛି ବିଜେଡି। ନିଜ ତ୍ରୁଟିବିଚ୍ୟୁତିକୁ ସଂଶୋଧନ କରି ବିଜେଡି ଲକ୍ଷ୍ୟ ହାସଲ ଦିଗରେ ଅଗ୍ରସର ହେଉଥିବାବେଳେ ଏହାକୁ ପ୍ରତିରୋଧ କରିବାକୁ ବିଜେପି ଶକ୍ତି ଗୋଟାଇବାରେ ଅସମର୍ଥ ହୋଇଛି। ବିଷ୍ଣୁ ସେଠୀ ଗଣମାଧ୍ୟମକୁ ଦେଇଥିବା ମନ୍ତବ୍ୟରେ ଏହି ସବୁ ଅସହାୟତା ପ୍ରତିଫଳିତ ହୋଇଛି।

ବିଜେଡି ସହ ନିର୍ବାଚନ ଲଢ଼ିବା କଷ୍ଟ ବୋଲି ବିଷ୍ଣୁଙ୍କ ମନ୍ତବ୍ୟରେ ଯେ ଅତିଶୟୋକ୍ତି ନାହିଁ ଏହା ଅତୀତରେ ସବୁ ନିର୍ବାଚନରେ ପ୍ରମାଣିତ ହୋଇ ସାରିଛି। କେବଳ ଲୋକସଭା ବା ବିଧାନସଭା ନିର୍ବାଚନ ନୁହେଁ; ଉପ ନିର୍ବାଚନ, ପଞ୍ଚାୟତ ଓ ପୌର ନିର୍ବାଚନରେ ଏହା ପ୍ରତିଫଳିତ ହୋଇଛି। ବିଜେଡିର ନିର୍ବାଚନୀ ରଣନୀତି ନିକଟରେ ବିରୋଧୀ ସବୁବେଳେ ଆତ୍ମସମର୍ପଣ କରିଛନ୍ତି। ଅନେକ ଚେଷ୍ଟା ସତ୍ତ୍ବେ ମଧ୍ୟ ଉପନିର୍ବାଚନଗୁଡ଼ିକରେ ବିଜେଡିର ଅପରାଜେୟ ରେକର୍ଡ଼ ଭାଙ୍ଗିବାରେ ବିରୋଧୀମାନେ ସଫଳ ହୋଇପାରି ନାହାନ୍ତି। ଏପରିକି ଉପନିର୍ବାଚନରେ ବିଜେପିର ଆସନ ବିଜେଡି ଛଡ଼ାଇ ନେବାରେ ସମର୍ଥ ହୋଇଛି।

ଅନ୍ୟପକ୍ଷରେ ରାଜ୍ୟ ବିଜେପି ଏବେ ବହୁଧା ବିଭକ୍ତ। ନେତାମାନଙ୍କ ମଧ୍ୟରେ ସମନ୍ୱୟ ଓ ସଂଯୋଜନା ଅଭାବ ଦଳକୁ ଗୋଷ୍ଠୀବାଦରେ ବିଭାଜିତ କରିଛି। ବିଶୃଙ୍ଖଳିତ ସାଂସଦ ଓ ବିଧାୟକଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ ନ କରାଯିବା ତଥାକଥିତ ‘ଦୁର୍ବଳ ନେତୃତ୍ୱ’ ଆକ୍ଷେପକୁ ସତ୍ୟ ବୋଲି ପ୍ରମାଣିତ କରିଛି। ରାଜ୍ୟର କିଛି ବଡ଼ବଡ଼ ନେତା ଦଳୀୟ ସଙ୍ଗଠନ ଅପେକ୍ଷା ନିଜର ବ୍ୟକ୍ତିଗତ ପତିଆରା, ବ୍ୟକ୍ତିଗତ ସଙ୍ଗଠନକୁ ସୁଦୃଢ଼ କରିବାକୁ ଲାଗିପଡ଼ିଛନ୍ତି ଓ ନିଜକୁ ସମାନ୍ତରାଳ ନେତା ଭାବରେ ପ୍ରମାଣିତ କରିବାକୁ ଉଦ୍ୟମ କରୁଛନ୍ତି। ଏହି ପରିପ୍ରେକ୍ଷୀରେ ସାଂସଦ ଅପରାଜିତା ଷଡ଼ଙ୍ଗୀ ତାରାତାରିଣୀ ଗସ୍ତ ସମୟରେ ‘ବିଜେପି ନିଜ ସହ ପ୍ରତିଯୋଗିତା କରୁଛି’ ବୋଲି ମନ୍ତବ୍ୟ ଦେଇ ଦଳର ବାସ୍ତବ ସ୍ଥିତିକୁ ସ୍ପଷ୍ଟ କରି ଦେଇଛନ୍ତି। ଏହା ସହ ‘ମିଶିକି କାମ କରିବାର ଆବଶ୍ୟକତା ରହିଛି’ ବୋଲି ତାଙ୍କର ଟିପ୍ପଣୀକୁ ବ୍ୟାଖ୍ୟା କଲେ ଦଳରେ ଏ ପର୍ଯ୍ୟନ୍ତ ଏକାଠି କାମ କରିବାର ଧାରା ଆରମ୍ଭ ହୋଇନାହିଁ ବୋଲି ରାଜନୈତିକ ସମୀକ୍ଷକମାନେ ମନେ କରୁଛନ୍ତି।

ବାସ୍ତବିକତା ଦେଖିଲେ ଏବେ ବି ରାଜ୍ୟ ବିଜେପି ସଙ୍ଗଠନ କେନ୍ଦ୍ରୀୟ ନେତୃତ୍ୱ ଓ ପ୍ରଧାନମନ୍ତ୍ରୀ ମୋଦୀଙ୍କ ଉପରେ ହିଁ ନିର୍ଭରଶୀଳ ହୋଇ ରହିଛି। ରାଜ୍ୟରେ ଦଳର ସର୍ବସମ୍ମତ ନେତାଙ୍କ ଅଭାବ ଦଳକୁ ଅସଙ୍ଗଠିତ କରି ରଖିଛି। ଦଳୀୟ ନେତାଙ୍କ ମଧ୍ୟରେ ଅସୁରକ୍ଷା ଭାବ ଦିନକୁ ଦିନ ବଢ଼଼଼ୁଛି। ବିଜେପିର ପ୍ରାର୍ଥୀ ହୋଇ ବିଧାୟକ ନିର୍ବାଚିତ ହେବା ସହଜ ନୁହେଁ ବୋଲି ଦଳୀୟ ନେତାମାନେ ମନେ କରୁଛନ୍ତି। ସମ୍ଭବତଃ ସେଇଥିପାଇଁ ଆଗାମୀ ଦିନରେ ବିଷ୍ଣୁ ସେଠୀଙ୍କ ପରି ନେତାମାନେ ବିଧାୟକ ପଦ ଅପେକ୍ଷା ସାଂସଦ ପଦ ଲାଗି ଲଢ଼ିବାକୁ ଆଗ୍ରହ ପ୍ରକାଶ କରିଛନ୍ତି। ଏ କଥା ମଧ୍ୟ ସେ ସ୍ପଷ୍ଟ ଭାବରେ କହିଛନ୍ତି। ଦୁଇଥର ବିଧାୟକ ଭାବରେ ସେ ଲଢ଼ିଥିବା ଉଲ୍ଲେଖ କରି ଆଉ ଏମ୍‍ଏଲ୍‍ଏ ପଦରେ ଘାଣ୍ଟି ହେବାକୁ ଚାହୁଁ ନାହିଁ ବୋଲି କହିଛନ୍ତି। ସାଂସଦ ପଦରୁ ଲଢ଼ିବାକୁ ଇଚ୍ଛା ବ୍ୟକ୍ତ କରିବା ସହ ଏ ସଂକ୍ରାନ୍ତ ନିଷ୍ପତ୍ତି ସେ ଦଳ ଉପରେ ଛାଡ଼ି ଦେଇଛନ୍ତି।

Leave A Reply

Your email address will not be published.