ବଡ ଖବର ଓଡ଼ିଶା ମନୋରଞ୍ଜନ ଖେଳ ଖବର ଦେଶ- ବିଦେଶ ଜୀବନଚର୍ଯ୍ୟା ରାଶିଫଳ ବାଣିଜ୍ୟ ଫଟୋ ଗ୍ୟାଲେରୀ ଅପରାଧ ଟେକ୍ନୋଲୋଜି ବିଶେଷ ରାଜନୀତି ସ୍ଵାସ୍ଥ୍ୟ

ଦୁର୍ଘଟଣା ଦେଇଛି ସ୍ୱାବଲମ୍ୱୀ ପ୍ରେରଣା, ଜୈବିକ ଉପାୟରେ ତରଭୁଜ ଚାଷ

ରାଜକନିକା (ସୁକାନ୍ତ କୁମାର ଦାଶ):  ଇଚ୍ଛା ଥିଲା କମ୍ପାନୀର ମେସିନ ଅପରେଟର ହେବାକୁ। ବାହାର ରାଜ୍ୟରେ କାମ କରି ଦି ପଇସା ରୋଜଗାର ପାଇଁ ହାଇଦ୍ରାବାଦ ଗଲେ। ସେଠାରେ କମ୍ପାନୀରେ ଜଏନ କରିବାକୁ ଯିବା ବାଟରେ ହେଲା ସଡ଼କ ଦୁର୍ଘଟଣା। ଗୁରୁତର ଅବସ୍ଥାରେ ଭୁବନେଶ୍ୱରକୁ ଫ୍ଲାଇଟରେ ଆସି ଚିକିତ୍ସା ହେବା ପରେ ଆଉ ବାହାରକୁ ଯିବାକୁ ମନ ବଳିଲାନି। ଗାଁରେ ରହି ଦୁଇ ପଇସା ରୋଜଗାର କରିବାର ଉଦ୍ୟମ ଆରମ୍ଭ ହେଲା। ନୂଆ କୌଶଳରେ ତରଭୁଜ ଚାଷ କରି ରାଜକନିକା ବ୍ଲକ କାଟଣାବଣିଆ ପଞ୍ଚାୟତର ସିଙ୍ଗିରି ଗାଁ ମାନସ ରଞ୍ଜନ ଦାସ ଜଣେ ସଫଳ ଚାଷୀ ଭାବେ ବେଶ ପରିଚିତ ହୋଇପାରିଛନ୍ତି।

୨୦୧୯ ମେ ମାସ ୨୨ ତାରିଖରେ ଘରୁ ହାଇଦ୍ରାବାଦ ଯାଇ ସେଠାରୁ କମ୍ପାନୀ ଯିବା ବାଟରେ ୨୪ ତାରିଖ ଦୁର୍ଘଟଣା ଘଟିବା ଓ ଚିକିତ୍ସା ସରିବା ବେଳକୁ କରୋନା ମାଡି ଆସିଲା, ତା ପରଠୁ ମାନସ ଆରମ୍ଭ କଲେ ନୂଆ କୌଶଳରେ ତରଭୁଜ ଚାଷ। ସେହିଦିନଠୁ ଆଉ କେବେ ବି ପଛକୁ ଫେରି ନାହାନ୍ତି ଯୁବ ଚାଷୀ ମାନସ ରଞ୍ଜନ ଦାସ। ବାପା ମା ଙ୍କର ଏକମାତ୍ର ପୁଅ ଭାବରେ ମାନସ ଯୁକ୍ତ ଦୁଇ ପରେ ଆଇଟିଆଇ ଓ ପରେ ଇଫୋସିଟିରେ ସାର୍ଟିଫିକେଟ ଇନ ଆଡ଼ଭାନ୍ସ ମେସିନିଙ୍ଗରେ କୋର୍ସ କରି ହାଇଦ୍ରାବାଦରେ ଏକ କମ୍ପାନୀରେ ଅପରେଟର ଭାବରେ ଯୋଗ ଦେବାକୁ ଯାଇ ଦୁର୍ଘଟଣାର ସମ୍ମୁଖୀନ ହେବା ପରେ ନିଜ ନିଷ୍ପତ୍ତି ବଦଳାଇ ଚାଷରେ ମନ ଦେଇ ଆଜି ଜଣେ ସଫଳ ଚାଷୀ ଭାବରେ ଉଚ୍ଚ ପ୍ରଶଂସିତ ହୋଇଛନ୍ତି। ବାପାଙ୍କ ପନିପରିବା ଚାଷକୁ ଏତେ ଗୁରୁତ୍ୱ ନଦେଇ ନଦୀ ଅବବାହିକାର ଜୟକୁଣ୍ଡା, ପତରପୁର ମୌଜାର ପାରମ୍ପରିକ ତରଭୁଜ ଚାଷ ଅଞ୍ଚଳ ଛାଡି ନିଜ ସିଙ୍ଗିରି ମୌଜାର ନିଜ ଜମିରେ ପ୍ରଥମ ବର୍ଷ ମାତ୍ର ୧୨ ଗୁଣ୍ଠ ଜମିରେ ଆରମ୍ଭ କଲେ ଜୈବିକ ଉପାୟରେ ତରଭୁଜ ଚାଷ।

ପ୍ରଥମ ବର୍ଷ ବେଶ ଭଲ ଫସଲ ହେବା ପରେ ୨ୟ ବର୍ଷ ଫସଲରେ ବର୍ଷା ବାଧକ ସାଜିଲା। ପରେ ୩ୟ ବର୍ଷ ୩ ଏକର ଆଉ ଚଳିତ ବର୍ଷ ୪ ଏକର ଜମିରେ ତରଭୁଜ ଚାଷ କରି ସମସ୍ତଙ୍କୁ ଚକିତ କରିଦେଇଛନ୍ତି ମାନସ। ନଦୀ ପଠାରେ କେବଳ ଯେ ତରଭୁଜ ଚାଷ ହୋଇ ପାରିବ ଏ ଧାରଣାକୁ ଭୁଲ ପ୍ରମାଣିତ କରି ମାନସ ନିଜ ଚାଷରେ ବେଶ ଲାଭବାନ ହେବା ସହ ସ୍ଥାନୀୟ ଅଞ୍ଚଳ ଚାଷୀଙ୍କୁ ପ୍ରେରଣା ଦେଇଛନ୍ତି। ଜୈବିକ ପଦ୍ଧତିରେ ଚାଷ କରିବା ସହ ନିଜ ଅମଳ ତରଭୁଜର ମଞ୍ଜିକୁ ସାଇତି ପୂଣି ସେଇ ମଞ୍ଜିରୁ ତରଭୁଜ ଚାଷ କରିବାର ନିଆରା କୌଶଳ ଆପଣାଇ ମାନସ ଏବେ ଜଣେ ସଫଳ କୃଷି ଉଦ୍ୟୋଗୀ ହୋଇପାରିଛନ୍ତି। ଏବେ ଜୀବନର ଏକ ଦୁର୍ଘଟଣାରୁ ଚାଷ ପ୍ରତି ଆକୃଷ୍ଟ ହୋଇ ମାଟି ସହ ଲଢ଼ି ନିଜେ ରୋଜଗାରକ୍ଷମ ହେବା ସହ ଅନ୍ୟମାନଙ୍କୁ ରୋଜଗାର ଦେଇ ଉଭୟ ବାପା ଓ ପୁଅ ବେଶ ସନ୍ତୁଷ୍ଟ ଥିବା କହିଛନ୍ତି।

Leave A Reply

Your email address will not be published.