ବଡ ଖବର ଓଡ଼ିଶା ମନୋରଞ୍ଜନ ଖେଳ ଖବର ଦେଶ- ବିଦେଶ ଜୀବନଚର୍ଯ୍ୟା ରାଶିଫଳ ବାଣିଜ୍ୟ ଫଟୋ ଗ୍ୟାଲେରୀ ଅପରାଧ ଟେକ୍ନୋଲୋଜି ବିଶେଷ ରାଜନୀତି ସ୍ଵାସ୍ଥ୍ୟ

ଜାନୁଆରୀ ୧୫ ସୁଦ୍ଧା ସରିବ କାମ, ଶେଷ ସପ୍ତାହରେ ଓଡ଼ିଆ ବିଶ୍ୱବିଦ୍ୟାଳୟ କ୍ୟାମ୍ପସ୍ ଉଦ୍‌ଘାଟନ କରିବେ ମୁଖ୍ୟମନ୍ତ୍ରୀ

ଭୁବନେଶ୍ବର/ ସୁଆଣ୍ଡୋ :  ସତ୍ୟବାଦୀ ଓଡ଼ିଆ ବିଶ୍ୱବିଦ୍ୟାଳୟକୁ ୨୦୨୪ ଜାନୁଆରୀ ଶେଷ ସପ୍ତାହରେ ଉଦ୍‌ଘାଟନ କରିବେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ। ଏହାପୂର୍ବରୁ ଆଜି ସତ୍ୟବାଦୀ ଗସ୍ତରେ ଯାଇ ୫ଟି ଓ ନବୀନ ଓଡ଼ିଶା ଅଧ୍ୟକ୍ଷ କାର୍ତ୍ତିକ ପାଣ୍ଡିଆନ ଚାଲିଥିବା କାର୍ଯ୍ୟର ଅଗ୍ରଗତି ନେଇ ସମୀକ୍ଷା କରିଛନ୍ତି। ରବିବାର ଅପରାହ୍ନ ୫ଟା ସମୟରେ ୫ଟି ଓ ନବୀନ ଓଡ଼ିଶା ଅଧ୍ୟକ୍ଷ କାର୍ତ୍ତିକ ପାଣ୍ଡିଆନ ସତ୍ୟବାଦୀ ଓଡ଼ିଆ ବିଶ୍ୱବିଦ୍ୟାଳୟରେ ପହଞ୍ଚି ନିର୍ମାଣାଧୀନ କୋଠା ପରିସରରେ ବୁଲି ସବୁ ଅନୁଧ୍ୟାନ କରିଥିଲେ । ବିଶ୍ୱବିଦ୍ୟାଳୟ କୋଠା ନିର୍ମାଣକୁ ଦେଖି ୫ଟି ଅଧ୍ୟକ୍ଷ ପ୍ରଶଂସା କରିଥିଲେ । ଆସନ୍ତା ୨୭ ତାରିଖରେ ୫ଟି ଅଧ୍ୟକ୍ଷଙ୍କ ସତ୍ୟବାଦୀ ଗସ୍ତ ଆଗରୁ ସ୍ଥିର ହୋଇଥିଲେ ମଧ୍ୟ ଅଚାନକ ଗସ୍ତ କରି କାମ ତୁରନ୍ତ ସାରିବା ପାଇଁ ନିର୍ଦ୍ଦେଶ ଦେବା ଘଟଣା ସମସ୍ତଙ୍କୁ ଚକିତ କରିଦେଇଛି ।

ତେବେ ଏହି ଗସ୍ତ ସମୟରେ ୫ଟି ଓ ନବୀନ ଓଡ଼ିଶା ଅଧ୍ୟକ୍ଷ କାର୍ତ୍ତିକ ପାଣ୍ଡିଆନ ଓଡ଼ିଆ ବିଶ୍ୱବିଦ୍ୟାଳୟ ନିର୍ମାଣ କରୁଥିବା ଓବିସିସି(ଓଡ଼ିଶା ବ୍ରିଜ୍‌‌ ଆଣ୍ଡ କନଷ୍ଟ୍ରକସନ୍ସ) ଲିମିଟେଡ୍‌‌ର ପରିଚାଳନା ନିର୍ଦ୍ଦେଶକ ଜୟକୃଷ୍ଣ ଦାସ ଓ ବରିଷ୍ଠ ମହାପ୍ରବନ୍ଧକ ପୂର୍ଣ୍ଣଚନ୍ଦ୍ର ମହାପାତ୍ରଙ୍କ ସହିତ ନିର୍ମାଣ କାମ ଶେଷ ହେବା ସଂପର୍କରେ ଆଲୋଚନା କରିଥିଲେ। ଉଚ୍ଚଶିକ୍ଷା ସଚିବ ଅରବିନ୍ଦ ଅଗ୍ରୱାଲ, ଅତିରିକ୍ତ ସଚିବ ରମାକାନ୍ତ ନାୟକ, ପୂର୍ତ୍ତସଚିବ ବୀରବିକ୍ରମ ଯାଦବ, ଓଡ଼ିଆ ବିଶ୍ୱବିଦ୍ୟାଳୟ କୁଳପତି ଡ ସବିତା ପ୍ରଧାନ, ଅତିରିକ୍ତ ଜିଲାପାଳ କୈଳାସ ଚନ୍ଦ୍ର ନାୟକ, ତହସିଲଦାର ଜୟନ୍ତ କୁମାର ଜୟସିଂହ ଓ ସେତୁ ନିର୍ମାଣ ନିଗମ ଅଧୀକ୍ଷଣ ଯନ୍ତ୍ରୀ ସୁନ୍ଦର ମାଧବ ପାଢ଼ୀ ପ୍ରମୁଖ  ଅଧିକାରୀ ମଧ୍ୟ ଏହି ସମୟରେ ଉପସ୍ଥିତ ରହିଥିଲେ।

ସୂଚନାଯୋଗ୍ୟ ଦେଶର ଷଷ୍ଠତମ ଶାସ୍ତ୍ରୀୟ ମାନ୍ୟତା ପାଇଥିବା ‘ଓଡ଼ିଆ’ ଭାଷାର ବିକାଶ ତଥା ସମୃଦ୍ଧି ଉଦ୍ଦେଶ୍ୟରେ ରାଜ୍ୟ ସରକାର ସତ୍ୟବାଦୀରେ ପ୍ରତିଷ୍ଠା କରିଛନ୍ତି ଓଡ଼ିଆ ବିଶ୍ୱବିଦ୍ୟାଳୟ। ପଞ୍ଚସଖାଙ୍କ ବକୁଳବନର ମନୋରମ ପରିବେଶରେ ଏହାକୁ ପ୍ରତିଷ୍ଠା କରାଯାଇଥିବାବେଳେ ଚଳିତ ବର୍ଷରୁ ପାଠ ପଢା ଆରମ୍ଭ ହୋଇଛି। ସତ୍ୟବାଦୀରେ ୨୫ ଏକର ଜମିରେ ଏହି ବିଶ୍ୱବିଦ୍ୟାଳୟ ନିର୍ମାଣ ହୋଇଥିବା ବେଳେ ଏଥି ପାଇଁ ୬୨ କୋଟିରୁ ଊର୍ଦ୍ଧ୍ବ ଟଙ୍କା ଖର୍ଚ୍ଚ କରାଯାଉଛି। ଓଡ଼ିଆ ଭାଷାର ବିଭିନ୍ନ ଦିଗ, ଏହାର ବୈଶିଷ୍ଟ୍ୟ ଓ ଇତିହାସ, ଭାଷା ଓ ଭାଷା ବିଜ୍ଞାନ, ଆଞ୍ଚଳିକ ଭାଷା ଅଧ୍ୟୟନ ଆଦି ସମ୍ପର୍କରେ ସ୍ନାତକୋତ୍ତର ବିଭାଗ ମଧ୍ୟ ଖୋଲାଯାଉଛି।

Leave A Reply

Your email address will not be published.