ଚାକିରୀ ନାରେ ଠକେଇର ଶିକାର ହେଲେ କେରଳର ୫୦୦ ନର୍ସ

କେରଳ, ଦୁବାଇରେ ଚାକିରୀ ଲୋଭର ବଶବର୍ତୀ ହୋଇ ଠକାମିର ଶିକାର ହୋଇଛନ୍ତି କେରଳର ୫୦୦ ନର୍ସ । ସଂଯୁକ୍ତ ଆରବ ଏମିରେଟ୍ସ (ୟୁଏଇ)ରେ ଏଜେଣ୍ଟମାନଙ୍କ ନାଁରେ ଆସିଛି ଏମିତି ଠକେଇ ଅଭିଯୋଗ । ସୂଚନା ଅନୁଯାୟୀ ସେଠାରେ ଫସି ରହିଥିବା କିଛି ନର୍ସ କେରଳ ମୁଖ୍ୟମନ୍ତ୍ରୀ ପିନାରାଇ ବିଜୟଙ୍କୁ ଏ ସଂପର୍କରେ ଚିଠି ଲେଖିଛନ୍ତି ।
ସୂଚନା ଅନୁଯାୟୀ ୩୦ ବର୍ଷୀୟ ରେନା ରାଜନ କହିଛନ୍ତି ଯେ ଖବରକାଗଜରେ ବିଜ୍ଞାପନ ଦେଖି ସେ ଏହି ଚାକିରୀ ପାଇଁ ଆବେଦନ କରିଥିଲେ । ଖବରକାଗଜର ବିଜ୍ଞାପନ ଅନୁଯାୟୀ, କରୋନା ମହାମାରୀର ପରିସ୍ଥିତିକୁ ଦୃଷ୍ଟିରେ ରଖି ୟୁଏଇ ଜରୁରୀକାଳୀନ ଭିତ୍ତିରେ ନର୍ସ ନିଯୁକ୍ତି କରୁଥିଲା । ରାଜନ କହିଛନ୍ତି, ତେବେ ଚାକିରୀ ଲୋଭ ଦେଖାଇ ଏଜେଣ୍ଟ ମୋପାଖରୁ ୨.୩୦ ଲକ୍ଷ ଟଙ୍କା ନେଇଛି ଏବଂ ୟୁଏଇରେ ପହଞ୍ଚିବା ପରେ ତାଙ୍କୁ ୱାର୍କ ଭିସା ଦିଆଯିବ ବୋଲି ଏଜେଣ୍ଟ ପ୍ରତିଶୃତି ଦେଇଥିଲେ ।
ୟୁଏଇରେ ପହଂଚିବାପରେ ମାସେ ପର୍ଯ୍ୟନ୍ତ ଏଠାରେ ଆମକୁ ରଖି ମଇଳା କୋଠରୀରେ କାମ କରାଯାଇଥିଲା । ତେବେ କିଛି ନର୍ସ ଯେତେବେଳେ ଜାଣିବାକୁ ପାଇଲେ ସେମାନେ ଠକାମୀର ଶିକାର ହୋଇଛନ୍ତି ସେମାନେ ସେଠାରୁ ଫେରିଆସିଥିଲେ । ଏବେ ସେଠାରେ ଆଉ କିଛି ନର୍ସ ଫସିରହିଛନ୍ତି। ଏ ଘଟଣା ନେଇ ପୋଲିସରେ କୌଣସି ମାମଲା ରୁଜୁ ହୋଇ ନାହିଁ।