ପ୍ରାଚୁର୍ଯ୍ୟର ପାହାଡ଼ରେ ଲୁହର ଧାରା : କେବେ ପ୍ରଶାସନ ପହଞ୍ଚି ଶୁଣିବ ଦୁଃଖ

ଯାଜପୁର/ କାଳିଆପାଣି : ସୁକିନ୍ଦା ମାଟି ତଳେ ପୋତି ହୋଇ ରହିଛି ଅମାପ ଖଣିଜ ସମ୍ପଦ। ହେଲେ ପ୍ରାଚୁର୍ଯ୍ୟର ପାହାଡ ଉପରେ ଏମିତି ମଣିଷ ମାନେ ରହିଛନ୍ତି ଯେଉଁ ମାନଙ୍କ ଆଖୁରୁ ନିଜ ଭବିଷ୍ୟତକୁ ନେଇ ଅନବରତ ଲୁହ ବହୁଛି । ସରକାର ଗରିବଙ୍କ ପାଇଁ ବିଭିନ୍ନ ଯୋଜନା କରି ସେମାନଙ୍କୁ ପ୍ରଗତି ଧାରାରେ ସାମିଲ କରିବାକୁ ଅହରହ ଉଦ୍ୟମ କରୁଛନ୍ତି। ମାତ୍ର କେତେକ ପ୍ରଶାସନିକ ଅଧିକାରୀଙ୍କ ଅମନଯୋଗୀ ମନୋଭାବ ଅବହେଳା କାରଣରୁ ବହୁ ସାଧାରଣ ଲୋକ ନିଜ ହକ ପାଇବାରୁ ବଞ୍ଚିତ ହେଉଛନ୍ତି। ପେଟକୁ ଦାନା ମିଳୁନାହିଁ ତ ମାରାତ୍ମକ ରୋଗରେ ପୀଡିତ ହେଲେ ସେମାନଙ୍କୁ ଉପଯୁକ୍ତ ଔଷଧ ବି ମିଳୁନାହିଁ । ଖରା ବର୍ଷାରେ ରହିବାକୁ ଭଲ ଘରଖଣ୍ଡେ ବି ନାହିଁ ।
ଫଳରେ ରୋଗ ଯନ୍ତ୍ରଣାରେ ଛଟପଟ ହୋଇ ଭଙ୍ଗା ଦଦରା ଘର ଭିତରେ କିଏ ଆରପାରିକୁ ଚାଲି ଗଲାଣି ତ କିଏ ଟିକିଏ ବଞ୍ଚିବାକୁ ବିକଳ ହେଉଛି। ଘର କହିଲେ ପ୍ରାୟ ଛପର ନଥିବା ଓ କାନ୍ଥ ନଥିବା କୁଡିଆ ଟିଏ। ସୁକିନ୍ଦା ବ୍ଲକ ରାଁସୋଳ ପଞ୍ଚାୟତ ଅନ୍ତଗତ ମାଙ୍କେଡିଆ ବସ୍ତିର ଯକ୍ଷ୍ମା ପୀଡିତ ବାପା ପୁଅଙ୍କୁ ଦେଖିଲେ ଯେ କେହି ଜାଣିଯିବ ସରକାରୀ ସୁବିଧା ଏମାନଙ୍କ ନିକଟରେ କେମିତି ପହଞ୍ଚିଛି। କେମିତି ଏମାନେ ଉପକୃତ ହୋଇଛନ୍ତି। ସରକାରଙ୍କ ଯୋଜନାକୁ ଲୋକଙ୍କ ପାଖରେ ପହଞ୍ଚାଇବାକୁ ସରକାରୀ ବାବୁମାନେ କିଭଳି କାର୍ଯ୍ୟ କରିଛନ୍ତି । କେମିତି ପୀତି ଜିଲ୍ଲା ସ୍ବାସ୍ଥ୍ୟ ବ୍ୟବସ୍ଥା ପହଞ୍ଚିଛି ଗରିବ ଓ ଅବହେଳିତଙ୍କ ନିକଟରେ। ମାଙ୍କଡିଆ ବସ୍ତିର ରବି ଜାମୁଦା(୪୦) । ଦିନେ ପରିବାର କହିଲେ ପତ୍ନୀ, ୨ ପୁଅ ଓ ତାଙ୍କୁ ବୁଝାଉଥିଲା।
ଜଙ୍ଗଲରୁ କାଠ କାଟି ବିକ୍ରି କରି ଯାହା ଅର୍ଥ ରୋଜଗାର କରନ୍ତି ସେଥ୍ରେ ପରିବାର ଚଳେ। ସରକାରଙ୍କ ଚାଉଳ ଗଣ୍ଡାକ ଥିଲା ଭୋକର ଜ୍ଵାଳା ଲିଭାଇବାର ଏକ ମାତ୍ର ମାଧ୍ୟମ । ଝାଟିମାଟି ଘରେ ଦୁଃଖ କଷ୍ଟରେ ଚଳୁଥିବା ପରିବାର ଉପରେ ଅଚାନକ ଦୁଃଖର ପାହାଡ ମାଡିଆସେ । ପତ୍ନୀ ଯକ୍ଷ୍ମା ପୀଡିତ ହୁଅନ୍ତି। ଚିକିତ୍ସା ଅଭାବରୁ ରୋଗ ଭଲ ନହେବାରୁ ଆରପାରିକୁ ଚାଲିଗଲେ । ରହିଗଲେ ବାପ ଓ ଦୁଇ ପୁଅ ରବି ଏବେ ଯକ୍ଷ୍ମା ପୀଡିତ ହୋଇ ଆଉ ଚାଲିବା ଅବସ୍ଥାରେ ନାହାନ୍ତି। ଦେହରୁ କପଡ଼ା ଖଣ୍ଡକ କାଢିଦେଲେ ଦେହ ଯାକର ହାଡ ଦେଖାଯାଉଛି। ତାଙ୍କ ବଡପୁଅ ପାଣ୍ଡୁ ଜାମୁଦା(୧୭) ବି ଯକ୍ଷ୍ମା ପୀଡିତ। ରୋଗରୁ ବର୍ତ୍ତି ଯାଇଛି ସାନପୁଅ ସୁରେଶ ଜାମୁଦା(୧୪)। ବାପ ପୁଅକୁ ଚାହିଁ ଲୁହ ଗଡ଼ାଉଛି ତ ପୁଅ ବାପକୁ ଚାହିଁ।
ଉଭୟ ଯେମିତି ମୃତ୍ୟୁକୁ ଅପେକ୍ଷା କରିଛନ୍ତି। ପେଟ ପୋଷିବା ପାଇଁ ପାଖରେ ପଇସା ନଥିଲାବେଳେ ଚିକିତ୍ସା ପାଇଁ କେଉଁଠୁ ଟଙ୍କା ଆଣିବେ ସେଇ ଚିନ୍ତା । ବର୍ଷା ହେଲେ ଘର ଭିତରେ ପାଣି ଜମୁଛି। ତାରି ଭିତରେ ବାପା ପୁଅ ଭାଗ୍ୟକୁ ଆଦରି ପଡ଼ିଛନ୍ତି । ନିଜ କଥା କହିଲା ବେଳେ କୋହ ସମ୍ବରଣ କରି ପାରୁନଥିଲେ ରବି । ଭୋଭୋ ହୋଇ କାନ୍ଦି ପକାଇଲା ବେଳେ କହୁଥିଲେ ଭୋକ ଆଉ ରୋଗର ଜ୍ବାଳା ସହିବା କଷ୍ଟ ହେଉଛି। ଆମେ ଗରିବ ଆମକୁ ପଚାରିବ କିଏ । କେହି ଟିକେ ପଚାରିଲେ ମୁଁ ନହେଲେ ନାହିଁ ମୋ ପୁଅଟାତ ବଞ୍ଚି ଯାଆନ୍ତା। ଭୋକ ଆଉ ଦୁଃଖର ପାହାଡ ଉପରେ ବସି ଲୁହ ଗଡ଼ାଉଥିବା ବାପ ପୁଅଙ୍କ ପାଖରେ ପହଞ୍ଚି ପ୍ରଶାସନ ସେମାନଙ୍କୁ ସହାୟତାର ହାତ ବଢ଼ାଇବ। ସେମାନଙ୍କୁ ଭଲ ଗଣ୍ଡେ ଖାଇବାର ବ୍ୟବସ୍ଥା କରିବ। ସେମାନଙ୍କୁ କଣ ଚିକିତ୍ସିତ କରି ଭଲ କରିବ । ତାହା ପ୍ରଶାସନକୁ ହିଁ ଜଣା।