ବଡ ଖବର ଓଡ଼ିଶା ମନୋରଞ୍ଜନ ଖେଳ ଖବର ଦେଶ- ବିଦେଶ ଜୀବନଚର୍ଯ୍ୟା ରାଶିଫଳ ବାଣିଜ୍ୟ ଫଟୋ ଗ୍ୟାଲେରୀ ଅପରାଧ ଟେକ୍ନୋଲୋଜି ବିଶେଷ ରାଜନୀତି ସ୍ଵାସ୍ଥ୍ୟ

ଗୋଶାଳାକୁ ସ୍ୱାବଲମ୍ବୀ କରାଇବ ଭର୍ମି କମ୍ପୋଷ୍ଟ, ୫୮ ଗୋଶାଳାକୁ ମିଳିଲା ଅନୁମତି

ଭୁବନେଶ୍ୱର : ଜିଆଖତ ଗୋଧନ କେନ୍ଦ୍ର ଗୋପାଳକମାନଙ୍କୁ ରୋଜଗାର ପ୍ରଦାନ କରିବ। ଏହା ସହ ବିଭିନ୍ନ ଗୋଶାଳାଗୁଡ଼ିକ ସ୍ୱୟଂସମ୍ପନ୍ନ ଓ ଆର୍ଥିକ ଦୃଷ୍ଟିରୁ ସ୍ୱାବଲମ୍ୱୀ କରିବା ଲକ୍ଷ୍ୟ ନେଇ ରାଜ୍ୟ ସରକାର ଗୋଶାଳା ଓ ଗୋପାଳକମାନଙ୍କୁ ଜିଆଖତ ଗୋଧନ କେନ୍ଦ୍ର ପ୍ରତିଷ୍ଠା ନିମନ୍ତେ ପ୍ରୋତ୍ସାହିତ କରିବା ସହିତ ଆର୍ଥିକ ସହାୟତା ଯୋଗାଇ ଦେଉଛନ୍ତି। ମତ୍ସ୍ୟ ଓ ପ୍ରାଣୀସମ୍ପଦ ବିକାଶ ବିଭାଗ ପକ୍ଷରୁ ରାଜ୍ୟର ଗୋଶାଳା ଓ ଗୋପାଳକମାନଙ୍କୁ ଜିଆଖତ ଗୋଧନ କେନ୍ଦ୍ର (ଭର୍ମିକମ୍ପୋଷ୍ଟ) ୟୁନିଟ୍‌‌ ପ୍ରତିଷ୍ଠା ପାଇଁ ଅନୁମତି ପତ୍ର (ଗୋ ଆହେଡ ଲେଟର) ପ୍ରଦାନ କରାଯାଇଛି। କୃଷି ଓ କୃଷକ ସଶକ୍ତିକରଣ, ମତ୍ସ୍ୟ ଓ ପ୍ରାଣୀସମ୍ପଦ ବିକାଶ ମନ୍ତ୍ରୀ ରଣେନ୍ଦ୍ର ପ୍ରତାପ ସ୍ୱାଇଁ ବୁଧବାର ରାଜ୍ୟର ୫୮ଗୋଶାଳାକୁ ଏହି ଅନୁମତି ପତ୍ର ପ୍ରଦାନ କରିଛନ୍ତି।

ଏହି ଅବସରରେ କୃଷି ଭବନଠାରେ ଆୟୋଜିତ କାର୍ଯ୍ୟକ୍ରମରେ ଯୋଗଦେଇ ମନ୍ତ୍ରୀ ଶ୍ରୀ ସ୍ୱାଇଁ କହିଛନ୍ତି ଯେ, ପ୍ରାଣୀକଲ୍ୟାଣ ଓ ଗୋପାଳକଙ୍କ ଉନ୍ନତି ପାଇଁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ପ୍ରତିବଦ୍ଧତା ସ୍ୱରୂପ ଗୋଶାଳାରେ ଜିଆଖତ ଗୋଧନ କେନ୍ଦ୍ର ସ୍ଥାପନ ରାଜ୍ୟ ସରକାରଙ୍କ ଏକ ଅଭିନବ ପଦକ୍ଷେପ। ଜିଆଖତ ଉତ୍ପାଦନ କରି ଗୋଶାଳାଗୁଡ଼ିକ ସ୍ୱାବଲମ୍ୱୀ ହୋଇପାରିବେ। ଗୋପାଳକମାନେ ସେମାନଙ୍କ ଆୟକୁ ଅନେକାଂଶରେ ବୃଦ୍ଧି କରିପାରିବେ। ଜିଆଖତ ରାଜ୍ୟର ଜୈବିକ କୃଷିକୁ ପ୍ରୋତ୍ସାହିତ କରିବ। ମୃତ୍ତିକାର ଉର୍ବରତା ଓ ସ୍ୱାସ୍ଥ୍ୟରକ୍ଷା ଦିଗରେ ଉପଯୋଗୀ ହୋଇପାରିବ। ଗୋବର ଓ ଗୋମୂତ୍ର ଆଦି ବର୍ଜ୍ୟବସ୍ତୁର ସୁପରିଚାଳନା କରି ସେଥିରୁ ଭର୍ମିକମ୍ପୋଷ୍ଟ ପ୍ରସ୍ତୁତ କରିବା ପାଇଁ ଗୋଶାଳା, ପ୍ରାଥମିକ ଦୁଗ୍ଧ ଉତ୍ପାଦକ ସମବାୟ ସମିତିର ସଦସ୍ୟ ଓ ଗୋପାଳକମାନଙ୍କ ଗୋଧନ ୟୁନିଟ୍‌‌ ପ୍ରତିଷ୍ଠା ପାଇଁ ୫୦ ପ୍ରତିଶତ ସହାୟତା ଓ ସର୍ବାଧିକ ୧୦ ଲକ୍ଷ ଟଙ୍କା ପର୍ଯ୍ୟନ୍ତ ରିହାତି ପ୍ରଦାନ କରାଯିବାର ବ୍ୟବସ୍ଥା ରହିଛି।

ରାଜ୍ୟ ସରକାର ପ୍ରାଣୀସମ୍ପଦ ଓ ପ୍ରାଣୀଙ୍କ ସ୍ୱାସ୍ଥ୍ୟ ଓ ଚିକିତ୍ସା ସୁବିଧାକୁ ପ୍ରାଥମିକତା ପ୍ରଦାନ କରୁଛନ୍ତି। ଦୁଃସ୍ଥ ଓ ଅସହାୟ ବୁଲା ଷଣ୍ଢ, ବଳଦ ଇତ୍ୟାଦିଙ୍କ ଉପଯୁକ୍ତ ରକ୍ଷଣାବେକ୍ଷଣ ଓ ନିରାପଦ ଆଶ୍ରୟସ୍ଥଳ ହେଉଛି ଗୋଶାଳା। ବେସରକାରୀ ସ୍ତରରେ ସ୍ଥାପିତ ହୋଇଥିବା ଗୋଶାଳାଗୁଡ଼ିକରେ ଗାଈଗୋରୁଙ୍କ ରକ୍ଷଣାବେକ୍ଷଣ ଓ ନୂତନ ଗୋଶାଳା ପ୍ରତିଷ୍ଠା ଦିଗରେ ରାଜ୍ୟ ସରକାର ଆର୍ଥିକ ସହାୟତା ଯୋଗାଇ ଦେଉଛନ୍ତି। ଚଳିତ ବର୍ଷ ଏ ବାବଦରେ ପ୍ରାୟ ୯ କୋଟି ଟଙ୍କା ବଣ୍ଟନ କରାଯାଇଛି। ରାଜ୍ୟର ସମସ୍ତ ୩୧୪ଟି ବ୍ଲକରେ ମୁଖ୍ୟମନ୍ତ୍ରୀ ଭ୍ରାମ୍ୟମାଣ ପ୍ରାଣିସେବା ଯାନର ବ୍ୟବସ୍ଥା ହୋଇଛି ଏବଂ ସହରାଞ୍ଚଳରେ ତୁରନ୍ତ ପ୍ରାଣିଚିକିତ୍ସା ପାଇଁ ମଧ୍ୟ ଆମ୍ୱୁଲାନ୍ସ ଯୋଗାଇ ଦିଆଯାଇଛି ବୋଲି ମନ୍ତ୍ରୀ ଶ୍ରୀ ସ୍ୱାଇଁ କହିଛନ୍ତି।

କାର୍ଯ୍ୟକ୍ରମ ପ୍ରାରମ୍ଭରେ ପ୍ରାଣୀପାଳନ ଓ ପ୍ରାଣୀଚିକିତ୍ସା ନିର୍ଦ୍ଦେଶକ ଶ୍ରୀ ରାମାଶିଷ ହାଜରା ସ୍ୱାଗତ ଭାଷଣ ପ୍ରଦାନ କରି କହିଲେ ଭର୍ମିକମ୍ପୋଷ୍ଟ ଗୋଧନ କେନ୍ଦ୍ର ପ୍ରତିଷ୍ଠା ଦ୍ୱାରା ଗୋଶାଳାରୁ ଉତ୍ପାଦିତ ବର୍ଜ୍ୟବସ୍ତୁର ସୁପରିଚାଳନା ହେବା ସହିତ ଏଥିରୁ କୃଷି ଉପଯୋଗୀ ମୂଲ୍ୟବାନ ଜିଆଖତ ଉତ୍ପାଦନ ହୋଇପାରିବ। ଏହି ଅବସରରେ ବିଭାଗ ପକ୍ଷରୁ ଆୟୋଜିତ ପ୍ରଶିକ୍ଷଣ କର୍ମଶାଳାରେ ବିଭିନ୍ନ ଗୋଶାଳା ଓ ଗୋପାଳକମାନଙ୍କୁ ଜିଆଖତ ଗୋଧନ କେନ୍ଦ୍ର ସ୍ଥାପନ ଓ ପରିଚାଳନା ଏବଂ ଗୋବରୁ ଜିଆଖତର ଉତ୍ପାଦନର ବୈଷୟିକ ଦିଗ ସମ୍ପର୍କରେ ବିଶଦ ଭାବରେ ପ୍ରଶିକ୍ଷଣ ପ୍ରଦାନ କରାଯାଇଥିଲା। ଏହି କାର୍ଯ୍ୟକ୍ରମରେ ରାଜ୍ୟର ବିଭିନ୍ନ ଜିଲ୍ଲାରୁ ଆସିଥିବା ଗୋଶାଳାର କର୍ମକର୍ତ୍ତା, ଗୋପାଳକ ଓ ବିଭାଗୀୟ ଅଧିକାରୀ ଯୋଗଦେଇଥିଲେ।

Leave A Reply

Your email address will not be published.