ରାସ୍ତାରେ ଦେହଜୀବୀଙ୍କ ହଙ୍ଗାମା

ଭୁବନେଶ୍ୱର : ଜଣେ ଦେହଜୀବୀଙ୍କ ସହ ଗ୍ରାହକଙ୍କ ଟଙ୍କା ମୂଲଚାଲକୁ ନେଇ ଶନିବାର ରାତିରେ ମାଷ୍ଟରକ୍ୟାଣ୍ଟିନ ଛକ ନିକଟରେ ଦେହଜୀବୀ ହଙ୍ଗାମା କରୁଥିବା ଦେଖିବାକୁ ମିଳିଥÒଲା। ଏପରିକି ରାସ୍ତା ମଝିରେ ଆସି ଦେହଜୀବୀ ଚିତ୍କାର କରିବା ସହ ତାଙ୍କୁ ଘରକୁ ଡାକି ନେଇଥିବା ଗ୍ରାହକଙ୍କୁ ଗାଳିଗୁଲଜ କରୁଥିବା ଏକ ଭିଡିଓ ଭାଇରାଲ ହୋଇଯାଇଛି। ଭିଡିଓରେ ଦେଖିବାକୁ ମିଳିଛି ଯେ, କେତେ ଜଣ ଦେହଜୀବୀ ରାତି ଅଧାରେ ମାଷ୍ଟରକ୍ୟାଣ୍ଟିନ ଛକ ନିକଟରେ ଛିଡ଼ା ହୋଇଛନ୍ତି। ତାଙ୍କ ନିକଟରେ ଏକାଧିକ ଯୁବକ ମଧ୍ୟ ଛିଡ଼ା ହୋଇଛନ୍ତି। ଦେହଜୀବୀ ଜଣଙ୍କ କହୁଛନ୍ତି ମା’ ରାଣ ମିଛ କହିବିନି। ଆମ ଦୁଇ ଜଣଙ୍କୁ ଡାକିକି ରୁମକୁ ନେଲା। ରାତିରେ ୨୫ଶହ ଟଙ୍କା ଦେବ ବୋଲି କହିଲା। ହେଲେ ୫ଶହ ଟଙ୍କା ଧରାଇ ଦେଲା। ତାକୁ ମୁଁ ଛାଡ଼ିବି ନାହିଁ ବୋଲି କହି ଦେହଜୀବୀ ଜଣଙ୍କ ହଙ୍ଗାମା କରୁଥିବା ଦେଖିବାକୁ ମିଳୁଛି। ଏହି ପାଟିତୁଣ୍ଡ ସମୟରେ ପିସିଆର ଭ୍ୟାନ୍‍ ମଧ୍ୟ ସେଠାରେ ପହଞ୍ଚିଲା।

ଦୁଇ ଜଣ ଦେହଜୀବୀ ପିସିଆର ଭ୍ୟାନ୍‍ ନିକଟକୁ ଯାଇ କ’ଣ କଥା ହୋଇଥିଲେ। ପରେ ପିସିଆର ଭ୍ୟାନ୍‍ର କର୍ମଚାରୀ ସେଠାରୁ ପଳାଇ ଯାଇଥିଲା। ଏନେଇ ସ୍ଥାନୀୟ କିଛି ଦୋକାନୀଙ୍କୁ ପଚାରିବାରୁ ଏହି ଦେହଜୀବୀଙ୍କ କାରନାମା ପଦାକୁ ଆସିଛି। ଲକ୍‍ଡାଉନ୍‍ ଯୋଗୁଁ ମାଳିସାହିରେ ଦେହ ବେପାର ହେଉ ନ ଥିବାରୁ ସେମାନେ ଏବେ ମାଷ୍ଟରକ୍ୟାଣ୍ଟିନ୍‍ ଛକକୁ ରାତିରେ ପଳାଇ ଆସୁଛନ୍ତି। ଅନ୍ୟପଟରେ ଦେଖିବାକୁ ଗଲେ କୋଭିଡ୍‍ର ଦ୍ୱିତୀୟ ଲହରରେ ଏଭଳି ଖୁଲମଖୁଲା ଦେହବ୍ୟବସାୟ ଘାତକ ହେବ ବୋଲି କୁହାଯାଉଛି। କାରଣ ଦେହଜୀବୀ ମାସ୍କ ପିନ୍ଧି ନ ଥିବା ବେଳେ ସେଠାରେ ଗ୍ରାହକଙ୍କ ଭିଡ଼ ଦେଖିବାକୁ ମିଳୁଛି। ଏନେଇ ପୁଲିସର ପଚାରିବାରୁ ପୁଲିସ କହୁଛି ଆମ ନିକଟକୁ ଖବର ଆସିଲେ ଆମେ କାର୍ଯ୍ୟାନୁଷ୍ଠାନ ନେବୁ। ସେଭଳି କିଛି ଅଭିଯୋଗ ଆମ ନିକଟକୁ ଆସିନାହିଁ ବୋଲି ପୁଲିସ କହିଛି।

Leave a comment