ବଡ ଖବର ଓଡ଼ିଶା ମନୋରଞ୍ଜନ ଖେଳ ଖବର ଦେଶ- ବିଦେଶ ଜୀବନଚର୍ଯ୍ୟା ରାଶିଫଳ ବାଣିଜ୍ୟ ଫଟୋ ଗ୍ୟାଲେରୀ ଅପରାଧ ଟେକ୍ନୋଲୋଜି ବିଶେଷ ରାଜନୀତି ସ୍ଵାସ୍ଥ୍ୟ

ଆଜିଠୁ ବିଧାନସଭା ଅଧିବେଶନ, ପ୍ରଥମ ଦିନ ଆଗତ ହେବ ଅତିରିକ୍ତ ବଜେଟ

ଭୁବନେଶ୍ୱର: ଆଜି ଅର୍ଥାତ୍‌‌ ସେପ୍ଟେମ୍ବର ୨୨ ତାରିଖରୁ ଷୋଡ଼ଶ ବିଧାନସଭାର ତ୍ରୟୋଦଶ ଅଧିବେଶନ ଅର୍ଥାତ୍‌‌ ମୌସୁମୀ ଅଧିବେଶନ ଆରମ୍ଭ ହେବ। ଅକ୍ଟୋବର ୪ ତାରିଖ ଯାଏଁ ଚାଲିବାକୁ ଥିବା ଏହି ଅଧିବେଶନରେ ମୋଟ ୮ଟି କାର୍ଯ୍ୟଦିବସ ରହିଛି। ଅଧିବେଶନର ପ୍ରଥମ ଦିନରେ ରାଜ୍ୟ ଅର୍ଥମନ୍ତ୍ରୀ ବିକ୍ରମ କେଶରୀ ଆରୁଖ ଅତିରିକ୍ତ ବଜେଟ ଉପସ୍ଥାପନ କରିବେ। ଅତିରିକ୍ତ ବଜେଟର ଆକାର ପ୍ରାୟ ୨୧ ହଜାର କୋଟିରୁ ଅଧିକ ହେବ ବୋଲି ଜଣାପଡ଼ିଛି। ଆସନ୍ତା ଅକ୍ଟୋବର ୩ ତାରିଖରେ ବ୍ୟୟମଞ୍ଜୁରୀ ବିଧେୟକ ଆଗତ ସହ ପାରିତ ହେବ।

ମିଳିଥିବା ସୂଚନା ଅନୁଯାୟୀ, ଆସନ୍ତାକାଲି ପ୍ରଥମାର୍ଦ୍ଧରେ ଗୃହରେ ଦିବଂଗତ ସଦସ୍ୟଙ୍କ ଉଦ୍ଦେଶ୍ୟରେ ଶୋକ ପ୍ରସ୍ତାବ ଆଗତ ସହ ଶ୍ରଦ୍ଧାଞ୍ଜଳି ଜ୍ଞାପନ କରାଯିବ। ଏହାପରେ ଗୃହକୁ ଦ୍ୱିତୀୟାର୍ଦ୍ଧ ଯାଏଁ ମୁଲତବୀ ରଖାଯିବ। ଦ୍ୱିତୀୟାର୍ଦ୍ଧରେ ଅର୍ଥମନ୍ତ୍ରୀ ବିକ୍ରମ କେଶରୀ ଆରୁଖ ୨୦୨୩-୨୪ ଆର୍ଥିକ ବର୍ଷ ପାଇଁ ଗୃହରେ ଅତିରିକ୍ତ ବଜେଟ ଆଗତ କରିବେ। ଏହାପରେ ଗୃହକୁ ୨୫ ତାରିଖ ଯାଏଁ ମୁଲତବୀ ରଖାଯିବ। ଅତିରିକ୍ତ ବଜେଟରେ ଯେଉଁ କେତେକ ଦିଗରୁ ସର୍ବାଧିକ ପ୍ରାଧାନ୍ୟ ଦିଆଯାଇଛି, ତନ୍ମଧ୍ୟରେ ଭିତ୍ତିଭୂମି ନିର୍ମାଣ, ଶିକ୍ଷା, ସ୍ୱାସ୍ଥ୍ୟ, ପରିମଳ, ଗ୍ରାମୀଣ ଯୋଗାଯୋଗ, କୃଷି, ପାନୀୟ ଜଳ ଆଦି ଥିବା ନେଇ ବିଶ୍ୱସ୍ତ ସୂତ୍ରରୁ ଜଣାପଡ଼ିଛି। ଅନ୍ୟପକ୍ଷରେ କାର୍ଯ୍ୟଦିବସ ଦୃଷ୍ଟିରୁ ଅଧିବେଶନଟି ବେଶ୍‌‌ ସଂକ୍ଷିପ୍ତ ଥିଲେ ହେଁ ବିଭିନ୍ନ ପ୍ରସଙ୍ଗକୁ ନେଇ ଅଧିବେଶନ ବ୍ୟାପୀ ଗୃହ ସରଗରମ୍‌‌ ରହିବ ବୋଲି ଆଶା କରାଯାଉଛି।

ମୌସୁମୀ ଅଧିବେଶନ ପରିପ୍ରେକ୍ଷୀରେ ଆସନ୍ତାକାଲି ଶାସକ ବିଜେଡି ସହ ବିରୋଧୀ ବିଜେପି ଓ କଂଗ୍ରେସ ନିଜ ନିଜର ବିଧାୟକ ଦଳ ବୈଠକ କରିବେ। ମୁଖ୍ୟ ବିରୋଧୀ ଦଳ ବିଜେପି ମଧ୍ୟାହ୍ନ ୧୨ଟାରେ ନିଜ ବିଧାୟକ ଦଳ ବୈଠକ ଡାକିଥିବା ବେଳେ କଂଗ୍ରେସ ସନ୍ଧ୍ୟାରେ ବିଧାୟକ ଦଳ ବୈଠକ ଡାକିଛି। ସେପଟେ ବିଜେଡି ବିଧାୟକ ଦଳ ବୈଠକ ପୂର୍ବାହ୍ନ ୧୦ଟା ୩୦ ମିନିଟରେ ଦଳର ସଭାପତି ତଥା ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ହେବ। ସରକାରୀ ଦଳର ସଦସ୍ୟମାନେ ରାଜ୍ୟ ସରକାରଙ୍କ ବିଭିନ୍ନ ସଫଳତାକୁ ଗୃହରେ ଉପସ୍ଥାପନ କରିବେ ବୋଲି ବିଶ୍ୱସ୍ତ ସୂତ୍ରରୁ ଜଣାପଡ଼ିଛି।

Leave A Reply

Your email address will not be published.