ବଡ ଖବର ଓଡ଼ିଶା ମନୋରଞ୍ଜନ ଖେଳ ଖବର ଦେଶ- ବିଦେଶ ଜୀବନଚର୍ଯ୍ୟା ରାଶିଫଳ ବାଣିଜ୍ୟ ଫଟୋ ଗ୍ୟାଲେରୀ ଅପରାଧ ଟେକ୍ନୋଲୋଜି ବିଶେଷ ରାଜନୀତି ସ୍ଵାସ୍ଥ୍ୟ

ଅସହ୍ୟ ହେଲାଣି ତାତି : ୪୦ ଡିଗ୍ରୀ ଉପରେ ୧୨ ସହର, ବାରିପଦା ରାଜ୍ୟର ସବୁଠୁ ଉତ୍ତପ୍ତ ସହର

ଭୁବନେଶ୍ବର : ରାଜ୍ୟରେ ପ୍ରଚଣ୍ଡ ରୌଦ୍ରତାପ ଜାରି ରହିଛି। ଯଦିଓ କିଛି ସ୍ଥାନରେ ତାପମାତ୍ରା ସାମାନ୍ୟ ହ୍ରାସ ପାଇଛି, କିନ୍ତୁ ଏବେ ବି ତାତି ଅସହ୍ୟ ହେଉଛି। ସୂର୍ଯ୍ୟଙ୍କ ପ୍ରଖର କିରଣ ଯୋଗୁଁ ବର୍ତ୍ତମାନ ଅଧିକାଂଶ ସ୍ଥାନରେ ସ୍ୱାଭାବିକଠାରୁ ତାପମାତ୍ରା ଅଧିକ ରହିଛି। ସୋମବାର ରାଜ୍ୟର ବିଭିନ୍ନ ସ୍ଥାନରେ ପ୍ରବଳ ତାତି ଅନୁଭୂତ ହୋଇଛି। ତାପମାତ୍ରା ଉପରମୁହାଁ ହେବାରୁ ବିଭିନ୍ନ ସ୍ଥାନରେ ଜନଜୀବନ ଅସ୍ତବ୍ୟସ୍ତ ହୋଇପଡ଼ିଛି। ସୂର୍ଯ୍ୟଙ୍କ ପ୍ରଖର କିରଣ ସାଙ୍ଗକୁ ପ୍ରବଳ ଗରମ ପବନ ବହୁଛି। ଫଳରେ ଦିନ ୧୧ ଟାରୁ ଅପରାହ୍ଣ ୩ଟା ପର୍ଯ୍ୟନ୍ତ ବାହାରକୁ ବାହାରିବା କଷ୍ଟକର ହୋଇ ପଡ଼ିଛି। ବିଶେଷ କରି ଆଭ୍ୟନ୍ତରୀଣ ଓଡ଼ିଶାରେ ସ୍ଥିତି ଅଧିକ କଷ୍ଟକର ଥିବାରୁ ସେଠାକାର ଲୋକେ ଝାଞ୍ଜିମାଡ଼ରେ ଅସ୍ତବ୍ୟସ୍ତ ହେଉଛନ୍ତି।

ସୋମବାର ରାଜ୍ୟର ୧୨ ଟି ସ୍ଥାନରେ ତାପମାତ୍ରା ୪୦ ଡିଗ୍ରୀ ଉପରେ ରହିଛି। ଏଥି ସହ ବାରିପଦା ରାଜ୍ୟର ସବୁଠୁ ଉତ୍ତପ୍ତ ସହର ପାଲଟିଛି। ବାରିପଦାରେ ପାରଦ ୪୨.୬ ଡିଗ୍ରୀ ରେକର୍ଡ କରାଯାଇଛି। ବିଶେଷ କରି ପଶ୍ଚିମ ଓଡିଶାରେ ତତଲା କଡେଇରେ ପରିଣତ ହୋଇଛି। ଭୁବନେଶ୍ବର ଆଞ୍ଚଳିକ ପାଣିପାଗ ବିଭାଗ ଅନୁଯାୟୀ, ରାଜ୍ୟର ପଶ୍ଚିମାଞ୍ଚଳରେ ସର୍ବାଧିକ ତାପମାତ୍ରା ରେକର୍ଡ କରାଯାଇଛି। ବଲାଙ୍ଗିରରେ ତାପମାତ୍ରା ୪୨.୫ ଡିଗ୍ରୀ, ଝାରସୁଗୁଡାରେ ୪୨.୪, ସୋନପୁରରେ ୪୨.୧, ବୌଦ୍ଧରେ ୪୨, ଅନୁଗୁଳରେ ୪୧.୯, ଟିଟିଲାଗଡରେ ୪୧.୬, ସମ୍ବଲପୁରରେ ୪୧.୪ ଡିଗ୍ରୀ, ସୁନ୍ଦରଗଡରେ ୪୧, ହୀରାକୁଦରେ ୪୦.୯, ଭବାନୀପାଟଣାରେ ୪୦.୮ ଏବଂ ତାଳଚେରରେ ୪୦.୨ ଡିଗ୍ରୀ ରେକର୍ଡ କରାଯାଇଛି। ସେହିପରି ରାଜଧାନୀ ଭୁବନେଶ୍ଵରରେ ପାରଦ ୩୭ ଡିଗ୍ରୀ ଏବଂ କଟକରେ ତାପମାତ୍ରା ୩୬.୧ ଡିଗ୍ରୀ ରହିଛି।

ଅନ୍ୟପଟେ ଗତକାଲି ରବିବାର ମଧ୍ୟ ସମାନ ସ୍ଥିତି ରହିଥିଲା । ରବିବାର ରାଜ୍ୟର ୧୧ ଟି ସ୍ଥାନରେ ତାପମାତ୍ରା ୪୦ ଡିଗ୍ରୀ କିମ୍ବା ଏହାଠାରୁ ଅଧିକ ରହିଥିବା ବେଳେ ୪ ଟି ସ୍ଥାନରେ ତାପମାତ୍ରା ୪୨ ଡିଗ୍ରୀ ଉପରେ ରହିଥିଲା । ୪୨.୩ ଡିଗ୍ରୀ ସହ ସୋନପୁର ରାଜ୍ୟର ଉତ୍ତପ୍ତ ସହରରେ ପରିଣତ ହୋଇଥିବା ବେଳେ ବଲାଙ୍ଗୀର ୪୨.୨, ଟିଟିଲାଗଡ଼଼ ଓ ବାରିପଦାରେ ତାପମାତ୍ରା ୪୨ ଡିଗ୍ରୀ ରେକର୍ଡ କରାଯାଇଥିଲା। ଉତ୍ତର ପଶ୍ଚିମ ତଥା କେନ୍ଦ୍ରୀୟ ଭାରତରେ ବର୍ତ୍ତମାନ ଶୁଷ୍କ ଓ ଉତ୍ତପ୍ତ ବାୟୁ ପ୍ରବାହିତ ହେଉଛି। ଏହାର ପ୍ରଭାବ ଓଡ଼ିଶାର ବିଭିନ୍ନ ସ୍ଥାନରେ ମଧ୍ୟ ଦେଖାଯାଉଛି। ଯାହାଦ୍ୱାରା ରାଜ୍ୟରେ ତାପମାତ୍ରା କ୍ରମାଗତ ଭାବେ ବୃଦ୍ଧି ପାଉଛି। ଆଗାମୀ ୫ ଦିନ ପର୍ଯ୍ୟନ୍ତ ତାପମାତ୍ରାରେ ବିଶେଷ ପରିବର୍ତ୍ତନ ହେବାର ନ ଥିବାରୁ ଏହି ସ୍ଥିତି ଜାରି ରହିବ ବୋଲି ଆଶଙ୍କା କରାଯାଉଛି। ତାପମାତ୍ରାରେ ପରିବର୍ତ୍ତନ ନ ହେବା ଯୋଗୁଁ ଆସନ୍ତା ୫ ଦିନ ପର୍ଯ୍ୟନ୍ତ ରାଜ୍ୟର ବିଭିନ୍ନ ଜିଲ୍ଲାରେ ତାପମାତ୍ରା ସ୍ୱାଭାବିକଠାରୁ ୨-୩ ଡିଗ୍ରୀ ପର୍ଯ୍ୟନ୍ତ ଅଧିକ ରହିବ ବୋଲି ପାଣିପାଗ କେନ୍ଦ୍ର ପକ୍ଷରୁ କୁହାଯାଇଛି।
ତାପମାତ୍ରା ବୃଦ୍ଧି ସହିତ ଅପରାହ୍ଣରେ କାଳବୈଶାଖୀର ପ୍ରଭାବ ମଧ୍ୟ ଜାରି ରହିଛି।

Leave A Reply

Your email address will not be published.