ବଡ ଖବର ଓଡ଼ିଶା ମନୋରଞ୍ଜନ ଖେଳ ଖବର ଦେଶ- ବିଦେଶ ଜୀବନଚର୍ଯ୍ୟା ରାଶିଫଳ ବାଣିଜ୍ୟ ଫଟୋ ଗ୍ୟାଲେରୀ ଅପରାଧ ଟେକ୍ନୋଲୋଜି ବିଶେଷ ରାଜନୀତି ସ୍ଵାସ୍ଥ୍ୟ

ଏନ୍‌ଜିଟିରେ କୋଇଲା ପରିବହନ ପାଇଁ ତାଳଚେର ସହର ପ୍ରଦୂଷଣ ମାମଲା, ୩ଜଣିଆ ଯାଞ୍ଚ କମିଟି ରିପୋର୍ଟ ଦେବାକୁ ନିର୍ଦ୍ଦେଶ

କଟକ : ଅନୁଗୁଳ ଜିଲ୍ଲା ତାଳଚେର ସହର ସମେତ ବିଭିନ୍ନ ଗ୍ରାମ ଦେଇ ଦୈନନ୍ଦିନ ୫ରୁ ୧୦ହଜାର କୋଇଲା ବୋଝେଇ ଟ୍ରକ ଚଳାଚଳ କରିବା ଦ୍ୱାରା ପ୍ରଦୂଷଣ ସ୍ଥିତି ଉଦବେଗଜନକ ରହିଛି। ଏପରିକି କୋଇଲା ପରିବହନ ବେଳେ ଟ୍ରକ ଗୁଡିକରୁ କୋଇଲା ଗୁଣ୍ଡ ଉଡି ଘର ଦ୍ୱାର ଚାରିଆଡେ ପଶୁଥିବା ବେଳେ ଏହାର ପ୍ରତିକାର ବ୍ୟବସ୍ଥା ଗ୍ରହଣ କରାଯାଉନଥିବା ଅଭିଯୋଗରେ ଦାୟର ଆବେଦନକୁ ଜାତୀୟ ଗ୍ରିନ ଟ୍ରିବ୍ୟୁନାଲ (ଏନଜିଟି) ଗୁରୁତ୍ୱର ସହ ଗ୍ରହଣ କରିଛନ୍ତି। ଅନୁଧ୍ୟାନ ନିମନ୍ତେ ଏକ ୩ଜଣିଆ ଯାଞ୍ଚ କମିଟି ଗଠନ ପାଇଁ ଏନଜିଟି ନିର୍ଦ୍ଦେଶ ଦେଇଛନ୍ତି। ଶ୍ରୀଧର ସାମଲଙ୍କ ଆବେଦନର ଶୁଣାଣି କରି ଏନଜିଟି ପୂର୍ବାଞ୍ଚଳ ବେଞ୍ଚର ବିଚାର ବିଭାଗୀୟ ସଦସ୍ୟ ଜଷ୍ଟିସ ବି.ଅମିତ ସ୍ଥାଲେକର ଓ ବିଶେଷଜ୍ଞ ସଦସ୍ୟ ଅରୁଣ କୁମାର ବର୍ମା ଏପରି ନିର୍ଦ୍ଦେଶ ଦେଇଛନ୍ତି।

ରାଜ୍ୟ ପ୍ରଦୂଷଣ ନିୟନ୍ତ୍ରଣ ବୋର୍ଡ (ଓଏସପିସିବି)ର ଜଣେ ବରିଷ୍ଠ ବୈଜ୍ଞାନିକ, କେନ୍ଦ୍ର ପ୍ରଦୂଷଣ ନିୟନ୍ତ୍ରଣ ବୋର୍ଡର ଜଣେ ବରିଷ୍ଠ ବୈଜ୍ଞାନିକ ଓ ଅନୁଗୁଳ ଜିଲ୍ଲାପାଳ ଅବା ଜଣେଏଡିଏମ୍‌‌ ପାହ୍ୟା ଅଧିକାରୀଙ୍କୁ ନେଇ କମିଟି ଗଠନ କରାଯିବ। କମିଟି ଘଟଣାସ୍ଥଳ ପରିଦର୍ଶନ କରି ୪ସପ୍ତାହ ଭିତରେ ରିପୋର୍ଟ ସହ ସତ୍ୟପାଠ ଦେବ। ଅନୁଗୁଳ ଜିଲ୍ଲାପାଳ ଏହି କମିଟିର ନୋଡାଲ ଅଧିକାରୀ ଭାବେ ରହିବେ ଓ କମିଟି ତରଫରୁ ଏହି ରିପୋର୍ଟକୁ ସେ ଦାଖଲ କରିବେ ବୋଲି ଏନଜିଟି କହିଛନ୍ତି। ମାମଲାରେ ପ୍ରତିପକ୍ଷ ଥିବା କେନ୍ଦ୍ର ପରିବେଶ, ଜଙ୍ଗଲ ଓ ଜଳବାୟୁ ପରିବର୍ତ୍ତନ ମନ୍ତ୍ରଣାଳୟ, ରାଜ୍ୟ ସରକାର, ମହାନଦୀ କୋଲଫିଲଡସ(ଏମସିଏଲ), ଅନୁଗୁଳ ଜିଲ୍ଲାପାଳ, ରାଜ୍ୟ ଓ କେନ୍ଦ୍ର ପ୍ରଦୂଷଣ ନିୟନ୍ତ୍ରଣ ବୋର୍ଡ ଓ ଅନ୍ୟ ମାନଙ୍କୁ ନୋଟିସ୍‌‌ ଜାରି ହୋଇଛି।

ସମସ୍ତ ପ୍ରତିପକ୍ଷ ଏହି ପ୍ରସଂଗରେ ଆସନ୍ତା ୪ ସପ୍ତାହ ଭିତରେ ଜବାବ ଦାଖଲ ପାଇଁ ଏନଜିଟି ନିର୍ଦ୍ଦେଶ ଦେଇଛନ୍ତି। ମାମଲାରୁ ପ୍ରକାଶ ଯେ ତାଳଚେର କୋଲଫିଲ୍ଡ ଅନ୍ତର୍ଗତ ଏମସିଏଲ ୩୮.୬୫ବିଲିଅନ ତଟନ କୋଇଲା ଗଛିତ ରଖିଛି। ଏହା ମହାରାଷ୍ଟ୍ର, ପଶ୍ଚିମବଂଗ ଓ ତାମିଲନାଡୁ ଆଦି ରାଜ୍ୟକୁ ଯାଉଛି। ତେବେ ତାଳଚେର ସହର ମଧ୍ୟ ଦେଇ ଏହା ଜାତୀୟ ରାଜପଥ ନଂ ୧୪୯ରେ ପହଞ୍ଚୁଛି। ତାଳଚେରର ବଲଧର, ଲିଙ୍ଗରାଜ, ନନ୍ଦିରା, ତେନ୍ତୁଲେଇ, ବଡଦାଣ୍ଡ ସାହି, ବାଘମରା, ଦିଅଝରଣା ଆଦି ଗ୍ରାମରେ କୋଇଲା ଖଣି ଉତ୍ତୋଳନ ଓ ପରିବହନ ପାଇଁ କଳା ଆସ୍ତରଣ ସୃଷ୍ଟି ହୋଇଛି। ତାଳଚେର ମ୍ୟୁନିସପାଲଟି ପକ୍ଷରୁ ଜାତୀୟ ସ୍ୱଛ ବାୟୁ କାର୍ଯ୍ୟକ୍ରମ ୨୦୨୧ରୁ ହାତକୁ ନିଆଯାଇଥିଲେ ମଧ୍ୟ ଏହା ପ୍ରଭାବୀ ହୋଇପାରୁନି। ଆବେଦନକାରୀଙ୍କ ପକ୍ଷରୁ ଆଇନଜୀବୀ ଆଫରାଜ ସୁହେଲ ମାମଲା ପରିଚାଳନା କରୁଛନ୍ତି। ଏପ୍ରିଲ୧୦ରେ ମାମଲାର ପରବର୍ତ୍ତୀ ଶୁଣାଣି ପାଇଁ ସମୟ ଧାର୍ଯ୍ୟ ହୋଇଛି।

Leave A Reply

Your email address will not be published.