ବଡ ଖବର ଓଡ଼ିଶା ମନୋରଞ୍ଜନ ଖେଳ ଖବର ଦେଶ- ବିଦେଶ ଜୀବନଚର୍ଯ୍ୟା ରାଶିଫଳ ବାଣିଜ୍ୟ ଫଟୋ ଗ୍ୟାଲେରୀ ଅପରାଧ ଟେକ୍ନୋଲୋଜି ବିଶେଷ ରାଜନୀତି ସ୍ଵାସ୍ଥ୍ୟ

ରାଜ୍ୟ କ୍ୟାବିନେଟ୍‌ରେ ୩୨ ଟି ଗୁରୁତ୍ବପୂର୍ଣ୍ଣ ପ୍ରସ୍ତାବକୁ ମଞ୍ଜୁରୀ, ଜାଣନ୍ତୁ କେଉଁ କେଉଁ ପ୍ରସ୍ତାବ ଉପରେ ଲାଗିଲା କ୍ୟାବିନେଟ ମୋହର

ଭୁବନେଶ୍ବର : ଆଜି ରାଜ୍ୟ ସରକାରଙ୍କ ପକ୍ଷରୁ ଏକ ଗୁରୁତ୍ୱପୂର୍ଣ୍ଣ ରାଜ୍ୟ କ୍ୟାବିନେଟ୍‍ ବୈଠକ ଅନୁଷ୍ଠିତ ହୋଇଛି। ଅପରାହ୍ଣ ସାଢ଼େ ୫ଟାରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଗୁରୁତ୍ୱପୂର୍ଣ୍ଣ କ୍ୟାବିନେଟ୍‍  ବୈଠକରେ ୩୨ପ୍ରସ୍ତାବକୁ ମଞ୍ଜୁରୀ ମିଳିଛି। ଆଜିର କ୍ୟାବିନେଟ୍‍ ବୈଠକରେ ପାନୀୟ ଜଳ ଯୋଗାଣକୁ ପ୍ରାଥମିକତା ଦିଆଯାଇଛି। ୨୦୨୪ ସୁଦ୍ଧା ରାଜ୍ୟର ପ୍ରତ୍ୟେକ ଘରକୁ ବିଶୁଦ୍ଧ ପାଇପ୍‌ ଜଳ ଯୋଗାଇବାକୁ ରାଜ୍ୟ ସରକାର ଏକ ପ୍ରକାର ପ୍ରତିଶ୍ରୁତିବଦ୍ଧ ରହିଛନ୍ତି। ଗୁରୁତ୍ୱପୂର୍ଣ୍ଣ କ୍ୟାବିନେଟ୍‍  ବୈଠକ ପରେ ମୁଖ୍ୟ ଶାସନ ସଚିବ ସୁରେଶ ଚନ୍ଦ୍ର ମହାପାତ୍ର ଗଣମାଧ୍ୟମକୁ ସମ୍ବୋଧିତ କରି କହିଛନ୍ତି ଯେ, ରାଜ୍ୟ ସରକାର ପାନୀୟ ପ୍ରକଳ୍ପକୁ ଗୁରୁତ୍ୱ ଦେଇଛନ୍ତି। ଏହାଦ୍ବାରା ପାଇପ ଯୋଗେ ଘରକୁ ଜଳ‌ଯୋଗାଣ ହୋଇପାରିବ।

ଆଗାମୀ ୫ ବର୍ଷ ମଧ୍ୟରେ ରାଜ୍ୟ ସରକାର ୧ ଲକ୍ଷ ଡିପ୍‌ ବୋର୍‌ ୱେଲ୍‌ ସ୍ଥାପନ ଲକ୍ଷ୍ୟ ରଖିଛନ୍ତି। ୨୬ ଜିଲ୍ଲା ଅନ୍ତର୍ଗତ ୨୫୬ଟି ବ୍ଲକରେ ଏହା କାର୍ଯ୍ୟକାରୀ ହେବ। ଏଥି ପାଇଁ ୪୧୯୮.୧୬ କୋଟି ଟଙ୍କା ଖର୍ଚ୍ଚ ହେବ।୫ଲକ୍ଷ ହେକ୍ଟର ଜମି ହେବ ଜଳସେଚିତ।୧ ଲକ୍ଷରୁ ଅଧିକ କୃଷକ ପରିବାର ଉପକୃତ ହେବେ। ବରଗଡ଼ ମୁଖ୍ୟ କେନାଲର ପୁନଃରୁଦ୍ଧାର ଓ ପୁନର୍ବିନ୍ୟାସ ହେବ। ଏଥି ପାଇଁ ୧୬୦,୩୩,୦୪୬୦୩ କୋଟି ଟଙ୍କା ଖର୍ଚ୍ଚ ହେବ। ସେହିପରି ଗଂଗାଧର ମେହେର ଉଠାଜଳସେଚନ ପ୍ରକଳ୍ପ କାର୍ଯ୍ୟକାରୀ ପ୍ରସ୍ତାବକୁ କ୍ୟାବିନେଟ ମଂଜୁରି ଦେଇଛି। ପ୍ରକଳ୍ପ କାର୍ଯ୍ୟକାରୀ ହେବା ଦ୍ୱାରା ୫୭୫୦ ହେକ୍ଟର ଜମି ଜଳସେଚନ ହୋଇପାରିବ।

୨୦୨୪ ସୁଦ୍ଧା ପ୍ରତ୍ୟେକ ଗାଁରେ ସବୁ ଘରକୁ ପାଇପ୍‌ ଯୋଗେ ବିଶୁଦ୍ଧ ଜଳ ଯୋଗାଇବା ପାଇଁ ଲକ୍ଷ୍ୟ ରଖିଛନ୍ତି। ଏହି ଲକ୍ଷ୍ୟରେ ସରକାର ଅନେକଗୁଡ଼ିଏ ଯୋଜନା ମାଧ୍ୟମରେ କାମ କରୁଛନ୍ତି। ଏହି କ୍ରମରେ ସରକାର ମୟୂରଭଂଜ ଜିଲ୍ଲାରେ ମେଗା ପ୍ରକଳ୍ପକୁ ମଂଜୁରୀ ଦେଇଛନ୍ତି। ଖୁଣ୍ଟା, ବଡ଼ସାହି, ଉଦଳା ଓ ଗୋପବନ୍ଧୁ ନଗର ବ୍ଲକର ୬୨ ଗ୍ରାମପଞ୍ଚାୟତ ଅନ୍ତର୍ଗତ ୪୮୪ଟି ଗାଁରେ ପାନୀୟ ଜଳ ଯୋଗାଇ ଦିଆଯିବ। ୩୭୭ କୋଟି ଟଙ୍କାର ଏହି ପ୍ରକଳ୍ପ ଦ୍ୱାରା ୩ ଲକ୍ଷ ୨୩ ହଜାରରୁ ଅଧିକ ଲୋକ ଉପକୃତ ହେବେ। ଆଗାମୀ ୨ ବର୍ଷ ମଧ୍ୟରେ ଏହି ପ୍ରକଳ୍ପର ନିର୍ମାଣ କାମ ଶେଷ କରାଯିବାକୁ ଲକ୍ଷ୍ୟ ରଖାଯାଇଛି। ଏତଦ୍‌ ବ୍ୟତୀତ ସରକାର ରାଜ୍ୟର ଅନ୍ୟ ଜିଲ୍ଲାଗୁଡ଼ିକରେ ମଧ୍ୟ ପାନୀୟ ଜଳ ସଂକଟ ଦୂର କରିବା ପାଇଁ ପ୍ରକଳ୍ପ ସ୍ଥାପନ କରି‌ବେ।

ଅନୁଗୁଳ ଠାରେ ଥିବା ମେଗା ଆଲୁମିନିୟମ ପାର୍କ ପାଇଁ ରାଜ୍ୟ ସରକାର ଅର୍ଥ ବ୍ୟୟ ବରାଦ କରିଛନ୍ତି । ଏହି ପାର୍କ ବିକାଶ କାମ ଇଡକୋ ମାଧ୍ୟମରେ କରାଯିବ ବୋଲି କୁହାଯାଇଛି ।ରାଜ୍ୟରେ ଏବେ ଶିଳ୍ପର ଉନ୍ନତିକୁ ନଜରରେ ରଖି ରାଜ୍ୟ ସରକାର ଏହି ପାର୍କ ପାଇଁ ବିକଶିତ ଜମି ଓ ଅର୍ଥ ଯୋଗାଇ ଦେବେ । ଏହା ଦ୍ୱାରା ଆଲୁମିନିୟମ ବ୍ୟବସାୟୀଙ୍କୁ ଆକର୍ଶିତ କରାଯାଇ ପାରିବ ବୋଲି କୁହାଯାଇଛି । ରାଜ୍ୟ ସରକାରଙ୍କ ସହଯୋଗରେ ଏହା ସମ୍ଭବ ବୋଲି କୁହାଯାଇଛି । ରାଜ୍ୟ ସରକାରଙ୍କ ତରଫରୁ କୁହାଯାଇଛି କି ଅନ୍ୟ ରାଜ୍ୟ ତୁଳନାରେ ଓଡିଶା ସରକାର ଶସ୍ତାରେ ଜମି ଯୋଗାଇ ଦେବେ । ଏନେଇ ରାଜ୍ୟ ସରକାର ୪୨୮.୯୫ କୋଟି ଟଙ୍କାର ବ୍ୟୟବରାଦ କରିଛନ୍ତି । ଏହି ପ୍ରକଳ୍ପ କାର୍ୟ୍ୟ ୫ ଟି ଅଧିନରେ ୨୦୨୫ ସୁଦ୍ଧା ଶେଷ କରିବାକୁ ଲକ୍ଷ୍ୟ ରଖାଯାଇଛି ।

ଏଥି ସହିତ ରାଜ୍ୟ କ୍ୟାବିନେଟ୍‍ ପୂର୍ବତନ ଛାତ୍ରଛାତ୍ରୀ ନେଉଥିବା ଶିକ୍ଷା ଋଣରେ ସୁଧ ହାର ପରିବର୍ତ୍ତନ କରିଛନ୍ତି। ନିଯୁକ୍ତି କିମ୍ବା ନିଯୁକ୍ତି ପାଇନଥିବା ବିଦ୍ୟାର୍ଥୀଙ୍କର ଋଣ ଉପରେ ୧୦ ପ୍ରତିଶତ ସୁଧ ଧାର୍ଯ୍ୟ କରାଯାଇଛି। ରାଜ୍ୟର ଗରିବ ଓ ମେଧାବୀ ଛାତ୍ରଛାତ୍ରୀଙ୍କୁ ଉଚ୍ଚଶିକ୍ଷା ବିଭାଗ ଓଡିଶା ଲୋନ ଷ୍ଟାଇପେଣ୍ଡ ଫଣ୍ଡରୁ ଋଣ ଦେଇଥାନ୍ତି । ତେବେ ଧାର୍ଯ୍ୟ ସମୟରେ ଋଣ ପରିଶୋଧ ନକଲେ ରାଜିନାମା ଅନୁଯାୟୀ ୧୦ ପ୍ରତିଶତ ସୁଧ, ନିଯୁକ୍ତି ପାଇନଥିବା ଋଣ ଖିଲାପକାରୀଙ୍କଠାରୁ ୧୫ ପ୍ରତିଶତ ସୁଧ ଆଦାୟ କରାଯିବ । ତେବେ ବିଦ୍ୟାର୍ଥୀଙ୍କ ଠାରୁ ବିଭିନ୍ନ ପ୍ରମାଣପତ୍ର ମଗାଯାଇ ଯାଞ୍ଚ କରାଯିବାର ଆବଶ୍ୟକତା ପଡିବ ନାହିଁ । ବିଭାଗ ଋଣ ଖିଲାପକାରୀଙ୍କ ଋଣ ଉପରେ ସୁଧର ପରିମାଣ ହିସାବ କରି ଏହାକୁ ୱେବସାଇଟରେ ଅପଲୋଡ କରିବ । ଏହା କରିବା ପରେ ଖିଲାପକାରୀ ତାଙ୍କର ସମଗ୍ର ପରିମାଣ ମୂଳଧନ ଓ ସୁଧ ଏକାଥରେ ଅନଲାଇନରେ ଦେବେ ଓ ସେମାନଙଅକ ଋଣ ପରିଶୋଧର ପ୍ରମାଣପତ୍ର ବି ସଙ୍ଗେ ସଙ୍ଗେ ନେଇପାରିବେ ।

ରାଜ୍ୟରେ ୨୪ଟଇ ଘରୋଇ ଉଚ୍ଚପ୍ରାଥମିକ ସ୍କୁଲ୍‌କୁ ମିଳିବ ଅନୂଦାନ । ଜାନୁଆରୀ ପହିଲାରୁ ପିଛିଲା ଭାବେ ମିଳିବ । ୪୭ ଶିକ୍ଷକ ଉପକୃତ ହେବେ । ବର୍ଷକୁ ଏଥିପାଇଁ ୬୮ଲକ୍ଷ ଖର୍ଚ୍ଚ ହେବ। ଡ୍ରିମ୍ସକୁ ବିଶ୍ୱବିଦ୍ୟାଳୟରେ ରୂପାନ୍ତରିତ କରିବାକୁ ଆଇନ୍‌ ପ୍ରଣୟନ ପ୍ରସ୍ତାବ ଦିଆଯାଇଛି।

ରାଜ୍ୟ କ୍ୟାବିନେଟ୍‍ ଆଜି ମିଶନ ଶକ୍ତି ପାଇଁ ବଡ଼ ଘୋଷଣା କରିଛି। ରାଜ୍ୟରେ ଆହୁରି ଅଧିକ ସୁଦୃଢ଼ ହେବ ମହିଳା ସ୍ବୟଂ ସହାୟକ ଗୋଷ୍ଠୀ । ପ୍ରତି ଜିଲ୍ଲା, ବ୍ଳକ ଓ ପଞ୍ଚାୟତ ଓ ସହରୀ ୱାର୍ଡରେ ରହିବ ମିଶନ ଶକ୍ତି ଗୃହ। ସ୍ବୟଂ ସହାୟକ ଗୋଷ୍ଠୀଙ୍କୁ ମିଳିବ ୫୦ ହଜାର କୋଟି ଟଙ୍କାର ଋଣ । ସ୍ବୟଂ ସହାୟକ ଗୋଷ୍ଠୀଙ୍କୁ ମିଳିବ ୧୨ ଶହ କୋଟି ଟଙ୍କାର ସୁଧ ରିହାତି ବ୍ୟବସ୍ଥା । ସରକାରଙ୍କ ପକ୍ଷରୁ ୬ ହଜାର ୬ ଶହ କୋଟି ଟଙ୍କାର ବ୍ୟବସାୟ ଯୋଗାଇ ଦିଆଯିବ । ରାଜ୍ୟର ୫୦୦ଟି ସ୍ଥାନରେ ସ୍ଥାପନ ହେବ ମିଶନ ଶକ୍ତି ବଜାର ଓ ଆଉଟ୍‌ ଲେଟ୍।

ବାରଙ୍ଗରେ ହେବାକୁ ଥିବା ଟାଟା ପାୱାର ପ୍ଲାଣ୍ଟ ବାତିଲ୍ । ୮୭୧ ଏକର ଜମି ଟାଟାଠୁ ଫେରାଇ ଅଣାଯିବ। ଜିଲ୍ଲା ପରିଷଦରେ ବିଲୀନ ହେଲା ଡିଆରଡିଏ । ଭୁବନେଶ୍ୱର ସହରକୁ ପାନୀୟ ଜଳ ଯୋଗାଣ ପାଇଁ ଏକ ବ୍ୟାରେଜ୍ ନିର୍ମାଣ ହେବ। ଏହି ବ୍ୟାରେଜ ପାଣ୍ଡରା ନିକଟରେ ନିର୍ମାଣ ହେବ। ଏହି ପ୍ରକଳ୍ପରେ ୧୨୮ କୋଟି ଖର୍ଚ୍ଚ ହେବ। ରାଜ୍ୟ ସରକାର ଏହି ବ୍ୟାରେଜ୍ ନିର୍ମାଣ ପ୍ରସ୍ତାବକୁ ମଂଜୁରି‌ ଦେଇଛନ୍ତି। ଆସନ୍ତା ଦୁଇ ବର୍ଷରେ ଶେଷ ହେବ କାର୍ଯ୍ୟ ଭୁବନେଶ୍ବର ଓ ବାଲିଅନ୍ତା ତହସିଲର ଲୋକେ ହେବେ ଉପକୃତ ।

ବିନା ବିସ୍ଥାପନରେ ସୀମିତ ନଦୀ ଗର୍ଭରେ ବୃହତ ଜଳାଶୟ ସୃଷ୍ଟି ପାଇଁ ରାଜ୍ୟ ସରକାର ୨୦୧୯-୨୦ ମସିହାରେ ୧୧୭୦୦ କୋଟି ଟଙ୍କା ବ୍ୟୟରେ “ନଦୀ ଗର୍ଭ ସୀମିତ ଜଳ ସଂରକ୍ଷଣ ଆନିକଟ ନିର୍ମାଣ ପ୍ରକଳ୍ପର ଯୋଜନା କରିଛନ୍ତି । ଏହି ପ୍ରକଳ୍ପ ମାଧ୍ୟମରେ ଏକ ନଦୀ ଗର୍ଭ ସୀମିତ ଜଳ ସଂରକ୍ଷଣ ନିମନ୍ତେ ଖୋର୍ଦ୍ଧା ଜିଲ୍ଲାର ପାଣ୍ଡରା ଗ୍ରାମ ନିକଟରେ ଏକ ଆନିକଟ ନିର୍ମାଣ ହେବାର ପ୍ରସ୍ତାବ ଦିଆଯାଇଛି । ଉକ୍ତ ପ୍ରକଳ୍ପରେ ଜଳ ଗର୍ଭସ୍ଥ ଯାନ୍ତ୍ରିକ କାର୍ୟ୍ୟ, ଶକ୍ତି ସଂଯୋଗୀକରଣ, ରାସ୍ତା ସଂଯୋଗୀକରଣ ଓ କର୍ମଚାରୀ ନିବାସ ନିର୍ମାଣ ଆଦି କାର୍ୟ୍ୟ ମଧ୍ୟ ଅନ୍ତର୍ଭୁକ୍ତ ।ଏହି ପ୍ରକଳ୍ପ ପାଇଁ ୧୨୮ କୋଟି ୭ ଲକ୍ଷ ଅନୁମୋଦନ ପ୍ରଦାନ କରାଯାଇଛି । ପ୍ରକଳ୍ପକୁ ୨ ବର୍ଷ ମଧ୍ୟରେ ସମ୍ପୂର୍ଣ୍ଣ କରିବାର ଲକ୍ଷ୍ୟ ରଖାଯାଇଛି । ଉକ୍ତ ପ୍ରକଳ୍ପଟି ଭୁବନେଶ୍ବର ମହାନଗର ନିଗମ ଓ ବାଲିଅନ୍ତା ତହସିଲର ଲୋକମାନଙ୍କର ପାନୀୟ ଜଳ ଓ ଘରୋଇ ବ୍ୟବହାର ପାଇଁ ପର୍ଯ୍ୟାପ୍ତ ଜଳ ଉପଲବ୍ଧ କରାଇବ । ସେହିପରି ସ୍ଥାନୀୟ ଅଧିବାସୀଙ୍କ ଚାଷ କାର୍ଯ୍ୟ, ଶିଳ୍ପ, ସାମାଜିକ ଓ ଆର୍ଥିକ ଉନ୍ନତି ଦିଗରେ ସାହାଯ୍ୟ କରିବା ସହିତ ୧୬୧,୭୯ ହେକ୍ଟର ପରିମିତ ଅଞ୍ଚଳର ମାଛ ଚାଷ ପାଇଁ ସହାୟକ ହେବ।

 

Leave A Reply

Your email address will not be published.