ବଡ ଖବର ଓଡ଼ିଶା ମନୋରଞ୍ଜନ ଖେଳ ଖବର ଦେଶ- ବିଦେଶ ଜୀବନଚର୍ଯ୍ୟା ରାଶିଫଳ ବାଣିଜ୍ୟ ଫଟୋ ଗ୍ୟାଲେରୀ ଅପରାଧ ଟେକ୍ନୋଲୋଜି ବିଶେଷ ରାଜନୀତି ସ୍ଵାସ୍ଥ୍ୟ

ଆସନ୍ତାକାଲିଠୁ ରାଜ୍ୟ ବଜେଟ ଅଧିବେଶନ : ଆଜି ବସିବ ସର୍ବଦଳୀୟ ବୈଠକ

ଭୁବନେଶ୍ୱର : ଷୋଡ଼ଶ ବିଧାନସଭାର ଦ୍ୱାଦଶ ଅଧିବେଶନ ତଥା ବଜେଟ ଅଧିବେଶନ ଆସନ୍ତା ୨୧ ତାରିଖରୁ ଆରମ୍ଭ ହୋଇ ଅପ୍ରେଲ ୬ ତାରିଖ ପର୍ଯ୍ୟନ୍ତ ଚାଲିବାକୁ ସ୍ଥିରୀକୃତ ହୋଇଛି। ଅଧିବେଶନ କିପରି ସୁରୁଖୁରୁରେ ଚାଲିବ ସେନେଇ ଆସନ୍ତାକାଲି ସର୍ବଦଳୀୟ ବୈଠକ ଅନୁଷ୍ଠିତ ହେବ। ଗୃହକାର୍ଯ୍ୟ ସୁପରିଚାଳନା, ପୂର୍ଣ୍ଣାଙ୍ଗ ବଜେଟ୍‌‌ ସହ ଜନସାଧାରଣଙ୍କ ସମସ୍ୟାଗୁଡ଼ିକର ସୁଚାରୁ ଉପସ୍ଥାପନା ନେଇ ସବୁଦଳର ନେତୃବୃନ୍ଦଙ୍କ ସହ ଏହି ବୈଠକରେ ଆଲୋଚନା କରାଯିବ ବୋଲି ବାଚସ୍ପତି ବିକ୍ରମ କେଶରୀ ଆରୁଖ ପ୍ରକାଶ କରିଛନ୍ତି। ସୂଚନା ଅନୁଯାୟୀ ବାଚସ୍ପତିଙ୍କ ଅଧ୍ୟକ୍ଷତାରେ ଏହି ବୈଠକ ବିଧାନସଭା ସଚିବାଳୟର ନୂତନ ସମ୍ମିଳନୀ କକ୍ଷରେ ପୂର୍ବାହ୍ନ ୧୧ଟା ୩୦ ମିନିଟରେ ଅନୁଷ୍ଠିତ ହେବ।

ଅନ୍ୟପକ୍ଷରେ ଶାସକ ବିଜେଡିର ବିଧାୟକ ଦଳ ବୈଠକ ଆସନ୍ତା ୨୧ ତାରିଖ ସକାଳ ୧୦ଟା ୩୦ ମିନିଟରେ ଅନୁଷ୍ଠିତ ହେବ। ମୁଖ୍ୟମନ୍ତ୍ରୀଙ୍କ ଅଧ୍ୟକ୍ଷତାରେ ଏହି ବୈଠକ ଅନୁଷ୍ଠିତ ହେବାକୁ ଥିବାବେଳେ ଏଥିରେ ଆଗାମୀ ଅଧିବେଶନ ନେଇ ରଣନୀତି ପ୍ରସ୍ତୁତ କରାଯିବ। ବିଶେଷକରି ବିରୋଧୀଙ୍କୁ ଜବାବ୍‌‌ ସହ ଗୃହରେ ଶାସକ ଦଳ କେଉଁ କେଉଁ ପ୍ରସଙ୍ଗ ଉତ୍ଥାପନ କରିବେ ସେନେଇ ମୁଖ୍ୟମନ୍ତ୍ରୀ ଦଳୀୟ ବିଧାୟକଙ୍କୁ ପରାମର୍ଶ ଦେବେ। ବିଭିନ୍ନ କେନ୍ଦ୍ରୀୟ ଅବହେଳା ସହ ରାଜ୍ୟ ସରକାରଙ୍କ ସଫଳତା ସମ୍ପର୍କରେ ଶାସକ ଦଳର ସଭ୍ୟମାନେ ଦୃଢ଼ ସ୍ୱର ଉତ୍ଥାପନ କରିବେ ବୋଲି ଜଣାପଡ଼ିଛି।

ସେହିପରି ମୁଖ୍ୟ ବିରୋଧୀ ଦଳ ବିଜେପିର ବିଧାୟକ ଦଳ ବୈଠକ ଆଜି ଦିନ ୩ଟା ୩୦ ମିନଟରେ ଦଳୀୟ ରାଜ୍ୟ କାର୍ଯ୍ୟାଳୟରେ ଅନୁଷ୍ଠିତ ହେବ। ସେହିପରି କଂଗ୍ରେସ ପକ୍ଷରୁ ଆସନ୍ତା ୨୧ ତାରିଖରେ ରାଜ୍ୟପାଳଙ୍କ ଅଭିଭାଷଣ ସମାପ୍ତ ପରେ ବିଧାୟକ ଦଳ ବୈଠକ ଅନୁଷ୍ଠିତ ହେବ ବୋଲି ଜଣାପଡ଼ିଛି। ଉଭୟ ବିରୋଧୀ ନିଜ ନିଜ ବିଧାୟକ ଦଳ ବୈଠକରେ ନିଜ ନିଜର ରଣନୀତି ପ୍ରସ୍ତୁତ କରିବେ।

Leave A Reply

Your email address will not be published.