ବଡ ଖବର ଓଡ଼ିଶା ମନୋରଞ୍ଜନ ଖେଳ ଖବର ଦେଶ- ବିଦେଶ ଜୀବନଚର୍ଯ୍ୟା ରାଶିଫଳ ବାଣିଜ୍ୟ ଫଟୋ ଗ୍ୟାଲେରୀ ଅପରାଧ ଟେକ୍ନୋଲୋଜି ବିଶେଷ ରାଜନୀତି ସ୍ଵାସ୍ଥ୍ୟ

ଅଷ୍ଟମ ମହାବିଦ୍ୟା ଦେବୀ ବଗଳାମୁଖୀ

ଦକ୍ଷ ପ୍ରଜାପତି ଏକ ମହାଯଜ୍ଞର ଆୟୋଜନ କଲେ। ଏହି ଯଜ୍ଞକୁ ଯିବା ନିମନ୍ତେ ଦେବୀ ସତୀ ନିମନ୍ତ୍ରଣ ପାଇ ନ ଥିଲେ। କିନ୍ତୁ ସେଠାକୁ ଯିବା ଲାଗି ଦେବୀ ଇଚ୍ଛା ପ୍ରକଟ କଲେ। ମାତ୍ର ଦେବ ଦେବ ମହାଦେବ ଦେବୀ ସତୀଙ୍କୁ ପିତ୍ରାଳାୟ ଯିବା ନିମନ୍ତେ ବାରଣ କଲେ।   ଶିବଙ୍କ ବାରଣ ସତ୍ତ୍ବେ ସତୀଙ୍କର ଜିଦ୍ ବଢ଼ିଲା। ସତୀ ଶିବଙ୍କୁ ପ୍ରଭାବିତ କରିବା ପାଇଁ ଶିବଙ୍କ ଚାରିପାଖେ ବୁଲି ବୁଲି ଦଶବିଧ ରୂପ ପ୍ରକଟିତ କଲେ। ସେଇ ଦଶରୂପ ପରବର୍ତ୍ତୀ କାଳରେ ଦଶମହାବିଦ୍ୟା ନାମରେ ନାମିତ ହେଲେ। ସେହି ଦଶମହାବିଦ୍ୟା ହେଉଛନ୍ତି କାଳୀ, ତାରା, ଷୋଡ଼ଶୀ, ଭୁବନେଶ୍ୱରୀ, ଭୈରବୀ, ଛିନ୍ନମସ୍ତା, ଧୂମାବତୀ, ବଗଳାମୁଖୀ, ମାତଙ୍ଗୀ ଏବଂ କମଳା। ଏହି କ୍ରମରେ ଦେବୀ ବଗଳାମୁଖୀ ହେଉଛନ୍ତି ଅଷ୍ଟମ ମହାବିଦ୍ୟା।

ଦେବୀ ବଗଳାମୁଖୀଙ୍କଠାରେ କାଳୀ, ତାରା, ଷୋଡ଼ଶୀଙ୍କ ଶକ୍ତି ଏକୀଭୂତ ହୋଇଛି । ମା’ ବଗଳାମୁଖୀ ବୈଶାଖ ଶୁକ୍ଳ ପକ୍ଷ ଅଷ୍ଟମ ତିଥି ଏବଂ ରବି ପୁଷ୍ୟ ଗ୍ରହ ଯୋଗରେ ଅବତାର ଗ୍ରହଣ କରିଥିଲେ। ଏହି ଯୋଗରେ ମାତାଙ୍କ ଆରାଧନା ବିଶେଷ ଫଳ ପ୍ରଦାନ କରିଥାଏ। ପୀତାମ୍ବରା, ବାବଳା, ବଗଳାମୁଖ, ବ୍ରହ୍ମାସ୍ତ୍ର ବିଦ୍ୟା ଆଦି ଦେବୀଙ୍କ ଅନ୍ୟନାମ। ଦେବୀ ବଗଳାମୁଖୀ ହେଉଛନ୍ତି ପୀତବର୍ଣ୍ଣ, ତ୍ରିନୟନା, କମଳ ଆସନରେ ଉପବିଷ୍ଟା। ଲଲାଟରେ ଅର୍ଦ୍ଧଚନ୍ଦ୍ର। ଦେବୀ ଗମ୍ଭୀରା, ତପ୍ତକାଞ୍ଚନ ଭଳି ତାଙ୍କର ବର୍ଣ୍ଣ। ଦେବୀଙ୍କ ଆରାଧନା ଦ୍ୱାରା ସକଳ କଷ୍ଟ ନିବାରଣ ହୋଇଥାଏ । ଦେବୀ ବଳଗାମୁଖୀଙ୍କ ସ୍ୱରୂପ ସର୍ବଦା ଅତି ସୌମ୍ୟତା ଓ ଶାନ୍ତି ରେ ପରିପୂର୍ଣ୍ଣ ରହିଥାଏ।

ଅଧିକ ପଢନ୍ତୁ

କୁବ୍‌ଜିକା ତନ୍ତ୍ର ଅନୁଯାୟୀ, ସତ୍ୟଯୁଗରେ ଏକ ପ୍ରଳୟଙ୍କରୀ ଝଡ଼ ସମଗ୍ର ସଂସାରକୁ ଧ୍ୱଂସ କରିବା ପାଇଁ ଆଗେଇ ଚାଲିଥିଲା । ଏହି ଝଡ଼ରେ ପ୍ରାଣୀଜଗତର ବିନାଶ ହେବାର ଆଶଙ୍କା ସୃଷ୍ଟି ହେଲେ। ସମସ୍ତ ପ୍ରାଣୀଜଗତର ସଙ୍କଟ ଦେଖୀ ଶ୍ରୀବିଷ୍ଣୁ ବିଚଳିତ ହୋଇ ଭଗବାନ ଶିବଙ୍କ ଆରାଧନା କଲେ। ଶିବ କହିଲେ, କେବଳ ଦେବୀ ଶକ୍ତି ହିଁ ଏଭଳି ପ୍ରଳୟରୁ ସଂସାରକୁ ରକ୍ଷା କରିପାରିବେ। ଭଗବାନ ବିଷ୍ଣୁ ତପସ୍ୟା କରି ‘ମହାତ୍ରିପୁରସୁନ୍ଦରୀ’ଙ୍କୁ ପ୍ରସନ୍ନ କଲେ । ଏହାପରେ ହରିଦ୍ରା ଜଳାଶୟ ନିକଟରେ ମାତା ବଗଳାମୁଖୀ ଅବତାର ଧାରଣ କଲେ । ଦେବୀ ନିଜର ଶକ୍ତିବଳରେ ଭୟଙ୍କର ଝଡ଼ର ସାମ୍ନା କରି ସୃଷ୍ଟିର ବିନାଶକୁ ଏଡ଼ାଇ ଦେଇଥିଲେ। ଆଦିଶକ୍ତି ବୈଶାଖ ଚତୁର୍ଦ୍ଦଶୀ ରାତ୍ରରେ ବଗଳାମୁଖୀ ରୂପରେ ଅବତରଣ ହୋଇଥିଲେ।

ବଗଳାମୁଖୀଙ୍କୁ ବୀରରତି ବୋଲି ମଧ୍ୟ କୁହାଯାଏ । କାରଣ ଦେବୀ ସ୍ୱୟଂ ବ୍ରହ୍ମଚାରିଣୀ ଅଟନ୍ତି। ବ୍ୟାଧି ରୂପରେ ଶତ୍ରୁଙ୍କ ସଂହାର କରିବାର ଇଚ୍ଛା ରଖୁଥିବା ଓ ସମଷ୍ଟି ରୂପରେ ପରମାତ୍ମାଙ୍କ ସଂହାର ରୂପ ହେଉଛନ୍ତି ମା’ ବଗଳାମୁଖୀ। ହରିଦ୍ରା ସରୋବାରୁ ଅବତରଣ ହୋଇଥିବାରୁ ମା’ ବଗଳାମୁଖୀଙ୍କ ବସ୍ତ୍ର ଏବଂ ପୂଜନ ସାମଗ୍ରୀ ସବୁ ହଳଦିଆ ରଙ୍ଗର ହୋଇଥାଏ। ବଗଳାମୁଖୀଙ୍କ ମନ୍ତ୍ର ଜପ କରିବା ପାଇଁ ମଧ୍ୟ ହଳଦୀ ମାଳା ଆବଶ୍ୟକ ହୋଇଥାଏ । ବଗଳାମୁଖୀଙ୍କ ତନ୍ତ୍ରସାଧନା ଗୁରୁଙ୍କ ନିର୍ଦ୍ଦେଶନରେ କରିବା ଆବଶ୍ୟକ। ପୀତାମ୍ବରା ନାମରେ ନାମିତ ମା’ ବଗଳାମୁଖୀଙ୍କ ସାଧନା ପ୍ରାୟତଃ ଶତ୍ରୁଭୟ ମୁକ୍ତି ଓ ବାକ୍‌ସିଦ୍ଧି ପାଇଁ କରାଯାଏ। ମା’ବଗଳାମୁଖୀଙ୍କ ସାଧନା ଦ୍ୱାରା ଇହଜନ୍ମ ଓ ପରଜନ୍ମ କୃତ ପାପ ନାଶ ହେଇଥାଏ।

Leave A Reply

Your email address will not be published.