ବଡ ଖବର ଓଡ଼ିଶା ମନୋରଞ୍ଜନ ଖେଳ ଖବର ଦେଶ- ବିଦେଶ ଜୀବନଚର୍ଯ୍ୟା ରାଶିଫଳ ବାଣିଜ୍ୟ ଫଟୋ ଗ୍ୟାଲେରୀ ଅପରାଧ ଟେକ୍ନୋଲୋଜି ବିଶେଷ ରାଜନୀତି ସ୍ଵାସ୍ଥ୍ୟ

ଓଡ଼ିଶାର ଅନ୍ୟତମ ପ୍ରସିଦ୍ଧ ଶୈବପୀଠ ଶ୍ରୀଲୋକନାଥ ମନ୍ଦିର

ଓଡ଼ିଶାର ଅନ୍ୟତମ ପ୍ରସିଦ୍ଧ ଶୈବପୀଠ ଶ୍ରୀଲୋକନାଥ ମନ୍ଦିର । ଶ୍ରୀଜଗନ୍ନାଥ ମନ୍ଦିରର ପଶ୍ଚିମରେ ପ୍ରାୟ ୨ କି.ମି ଦୂରତାରେ ଶ୍ରୀଲୋକନାଥଙ୍କ ପୀଠ ଅବସ୍ଥିତ । ଶ୍ରୀଲୋକନାଥ ପଞ୍ଚୁପାଣ୍ଡବଙ୍କ ମଧ୍ୟରେ ଭୀମ ରୂପରେ କଳ୍ପିତ । ମନ୍ଦିରଟି ପ୍ରାୟ ୧୦ ଏକର ପରିମିତ ଜମିରେ ପାଚେରି ଦ୍ବାରା ପରିବେଷ୍ଟିତ । ସମ୍ମୁଖରେ ପାର୍ବତୀ ସାଗର ନାମକ ଏକ ବୃହତ୍ ଜଳାଶୟ ରହିଛି । ଶ୍ରୀକ୍ଷେତ୍ରର ପ୍ରାଚୀନ ପୁଷ୍କରିଣୀ ମଧ୍ୟରୁ ଏହା ଅନ୍ୟତମ । କଥିତ ରହିଛି ତ୍ରେତୟା ଯୁଗରେ ଜନପଦୀୟ ଲୋକେ ଦେଇଥିବା ଏକ ଲାଉକୁ ଶ୍ରୀରାମଚନ୍ଦ୍ର ଏଠାରେ ଶିବଲିଙ୍ଗ ରୂପେ ପୂଜା କରିଥିଲେ । ପରବର୍ତ୍ତୀ କାଳରେ ଏହା ଲାଉକେଶ୍ବର ରୂପେ ପୂଜିତ ହେଲେ । ଲାଉକେଶ୍ବର ହିଁ ଜନମାନସରେ ଲୋକମାନଙ୍କ ନାଥ ଅର୍ଥ।ତ୍ ଲୋକନାଥ ମହାଦେବ ଭାବେ ପରିଚିତ ହୋଇଆସିଛନ୍ତି ।

ଭୌମକର ବଂଶୀୟ ରାଜାମାନଙ୍କ ଶାସନ କାଳରେ ଏବେର ପରିଦୃଶ୍ୟ ମନ୍ଦିର ନିର୍ମିତ ହୋଇଥିଲା । ବର୍ତ୍ତମାନ ମନ୍ଦିର ପରିଚାଳନା ଦାୟିତ୍ବ ଟ୍ରଷ୍ଟ ବୋର୍ଡ ଉପରେ ନ୍ୟସ୍ତ ରହିଛି । ପ୍ରଭୁ ଶ୍ରୀଲୋକନାଥ ଶ୍ରୀଜଗନ୍ନାଥଙ୍କ ଭଣ୍ଡାର ରକ୍ଷକ ଭାବେ ପରିଚିତ । ପୀଠରେ ଦୈନନ୍ଦିନ ଦ୍ବାରଫିଟା, ମଙ୍ଗଳ ଆଳତି, ବଲ୍ଲଭ, ସକାଳଧୂପ, ମଧ୍ୟାହ୍ନ ଧୂପ, ସନ୍ଧ୍ୟା ଧୂପ, ବଡ଼ସିଂହାର ନୀତି ସମ୍ପନ୍ନ ହୋଇଥାଏ । ପ୍ରତ୍ୟେକ ଦିନ ଶହ ଶହ ସଂଖ୍ୟାରେ ଭକ୍ତ ପ୍ରଭୁ ଲୋକନାଥଙ୍କ ଦର୍ଶନ ପାଇଁ ଆସିଥାନ୍ତି । ମନ୍ଦିର ପତ୍ତନଠାରୁ ପ୍ରାୟ ୧୦ ଫୁଟ ତଳେ ପୂଜା ପାଉଥିବା ଏହି ଶିବ ଲିଙ୍ଗ ବର୍ଷତମାମ୍ ଜଳମଗ୍ନ ହୋଇରହିଥାନ୍ତି । ଫାଲଗୁନ୍‌ କୃଷ୍ଣ ଏକାଦଶୀରେ ପଙ୍କୋଦ୍ଧାର ହୋଇଥାଏ । ବର୍ଷସାରା ପ୍ରଭୁଙ୍କ ଲିଙ୍ଗ ଉପରେ ଲାଗି କରାଯାଇଥିବା ଫୁଲ, ବେଲପତ୍ର, ଛାଚି, କଦଳୀ କ୍ଷୀର ଓ ଜମି ଯାଇଥିବା ପଙ୍କ ବାହାର କରାଯିବା ପରେ ଦିବ୍ୟ ଲିଙ୍ଗଙ୍କ ଦର୍ଶନ ମିଳେ । ଭକ୍ତମାନେ ବର୍ଷକରେ ଏହି ଗୋଟିଏ ଦିନ କିଛି ସମୟ ପାଇଁ ଶ୍ରୀଲିଙ୍ଗ ଦର୍ଶନ କରିବାର ସୌଭାଗ୍ୟ ପାଇଥାନ୍ତି ।

ଏଠାରେ କେତେକ ବିଶେଷ ପର୍ବପର୍ବାଣି ବେଶ୍ ଧୁମ୍‌ଧାମ୍‌ରେ ପାଳନ କରାଯାଏ । ସେଥିମଧ୍ୟରୁ ଜାଗରଯାତ୍ରା ଅନ୍ୟତମ ।ମହାଶିବରାତ୍ରୀ ଅବସରରେ ଏଠାରେ ଲକ୍ଷାଧିକ ଭକ୍ତଙ୍କ ସମାଗମ ହୋଇଥାଏ । ବିଳମ୍ବିତ ରାତି ପର୍ଯ୍ୟନ୍ତ ଉଜାଗର ରହିଛି ଭକ୍ତମାନେ ଜାଗର ଜାଳିଥାନ୍ତି । ରାଜ୍ୟ ତଥା ରାଜ୍ୟ ବାହାର ଶ୍ରଦ୍ଧାଳୁ ଏଥିରେ ଯୋଗଦିଅନ୍ତି । ସେହିପରି ବୈଶାଖ ମାସର ଶେଷ ସୋମବାର ଏଠାରେ ସରନ୍ତି ସୋମବାର ମେଳା ଅନୁଷ୍ଠିତ ହୁଏ । ଓଡ଼ିଶାର ଗ୍ରାମାଞ୍ଚଳରୁ ବହୁ ସଂଖ୍ୟକ ଭକ୍ତ ପୀଠରେ ପହଞ୍ଚତ୍ ନୂଆ ଧାନରେ ପ୍ରସ୍ତୁତ ଚୂଡ଼ାଘଷା ଠାକୁରଙ୍କୁ ଭୋଗ ଲଗାଇଥାନ୍ତି । ଶ୍ରାବଣ ମାସର ପ୍ରତି ସୋମବାର ଭାରତର ବିଭିନ୍ନ ପ୍ରାନ୍ତରୁ ପବିତ୍ର ନଦୀଜଳ ଧରି ପାଦରେ ଚାଲି ଚାଲି କାଉଡ଼ିଆମାନେ ଜଳାଭିଷେକ ନିମନ୍ତେ ପୀଠରେ ପହଞ୍ଚିଥାନ୍ତି ।

ବିଶେଷ ପର୍ବ ଭାବେ ଶ୍ରୀଲୋକନାଥ ମନ୍ଦିରରେ ଶମ୍ଭୁ ଏକାଦଶୀ ପାଳନ କରାଯାଏ । ସୋମବାର ଦିନ ଏକାଦଶୀ ପଡ଼ିଲେ ଶମ୍ଭୁ ଏକାଦଶୀ ହୁଏ । ଏହିଦିନ ଶ୍ରୀମନ୍ଦିରରେ ସମନ୍ବୟାତ୍ମକ ନୀତି ଅନୁଷ୍ଠିତ ହୁଏ । କିନ୍ତୁ ଦୀର୍ଘବର୍ଷ ହେବ ଶମ୍ଭୁ ଏକାଦଶୀ ହୋଇପାରୁ ନାହିଁ । ସେହିପରି ଶିବ ଚତୁର୍ଦ୍ଦଶୀ ଦିନ ଲୋକନାଥ ମନ୍ଦିରରେ ସମନ୍ବୟାତ୍ମକ ନୀତି ହୋଇଥାଏ । ଏହା ହରିହର ପୂଜା ଭାବେ ବିଦିତ । ଶ୍ରୀଲୋକନାଥ ଚନ୍ଦନ ଯାତ୍ରାରେ ସାମିଲ ହୋଇ ପବିତ୍ର ନରେନ୍ଦ୍ର ପୁଷ୍କରିଣୀରେ ମହାପ୍ରଭୁଙ୍କ ସହ ଜଳକ୍ରୀଡ଼ା କରିଥାନ୍ତି ।

Leave A Reply

Your email address will not be published.