ବଡ ଖବର ଓଡ଼ିଶା ମନୋରଞ୍ଜନ ଖେଳ ଖବର ଦେଶ- ବିଦେଶ ଜୀବନଚର୍ଯ୍ୟା ରାଶିଫଳ ବାଣିଜ୍ୟ ଫଟୋ ଗ୍ୟାଲେରୀ ଅପରାଧ ଟେକ୍ନୋଲୋଜି ବିଶେଷ ରାଜନୀତି ସ୍ଵାସ୍ଥ୍ୟ

ଦିଲ୍ଲୀ ଜଳାର୍ଣ୍ଣବରୁ ଶିଖିଲେ ହେଲା!

ଆଧୁନିକ ସଭ୍ୟତାର ମନ୍ତ୍ର ହେଉଛି ବିକାଶ। ବିଶ୍ୱ ଦରବାରରେ ଗୋଟିଏ ଦେଶର ମାନ, ମର୍ଯ୍ୟାଦା, ଗରିମାର ମାପଦଣ୍ଡ ତା’ର ବିକାଶରୁ ନିର୍ଣ୍ଣୟ କରାଯାଉଛି। କିନ୍ତୁ ଏହି ଅପରିମାଣଦର୍ଶୀ ବିକାଶର କୁପ୍ରଭାବ ଯେ ମାନବ ସଭ୍ୟତାକୁ ବିନାଶ ମୁହଁକୁ ଟାଣି ନେଉଛି ତାହାର ଉଦାହରଣ ସମୟେ ସମୟେ ଆମକୁ ପ୍ରକୃତି ଦେଖାଇ ଦେଉଛି। କିଛିଦିନ ତଳେ ବିଶ୍ୱର ଅନ୍ୟତମ ଅତ୍ୟାଧୁନିକ ଓ ଧନାଢ଼୍ୟ ଦେଶ ଦୁବାଇରେ ଅଭୂତପୂର୍ବ ଜଳାର୍ଣ୍ଣବ ସାରା ବିଶ୍ୱବାସୀଙ୍କୁ ସ୍ତବ୍ଧ କରିଦେଇଥିବା ବେଳେ ସଦ୍ୟତମ ଉଦାହରଣ ଦେଖିବାକୁ ମିଳିଛି ଭାରତର ରାଜଧାନୀ ଦିଲ୍ଳୀରେ। ଗତ ଚବିଶ ଘଣ୍ଟା ମଧ୍ୟରେ ସେଠାରେ ୨୮୮ ମିଲି ମିଟର ବର୍ଷା ହେବା ଫଳରେ ଜନଜୀବନ ବିପନ୍ନ ହୋଇପଡ଼ିଛି। ରାଜଧାନୀ ଏକ କୃତ୍ରିିମ ଜଳାଶୟର ଭ୍ରମ ସୃଷ୍ଟି କରୁଛି। ଜଳ ଓ ବିଦ୍ୟୁତ ତାର ସଂସ୍ପର୍ଶରେ ଆସି ଜଣଙ୍କର ମୃତ୍ୟୁ ଘଟିଥିବା ସରକାରୀ ଭାବେ କୁହାଯାଇଥିବା ବେଳେ ଅଧିକ ଅଘଟଣ ଟାଳିବା ପାଇଁ ରାଜଧାନୀରେ ବିଦ୍ୟୁତ ସରବରାହ ବନ୍ଦ କରି ଦିଆଯାଇଥିଲା। ବିଗତ ୮୮ ବର୍ଷ ମଧ୍ୟରେ ଏଭଳି ବର୍ଷା ଦିଲ୍ଲୀରେ ଦେଖିବାକୁ ମିଳି ନଥିବା କୁହାଯାଉଛି। ଆଇଏମ୍‌‌ଡିର ଆକଳନ ଅନୁଯାୟୀ ଦିଲ୍ଲୀରେ ଦକ୍ଷିଣ-ପଶ୍ଚିମ ମୌସୁମୀ ବାୟୁ ପହଞ୍ଚିବାକୁ ଆହୁରି ତିନିଚାରିଦିନ ଅଛି। ତା’ ପୂର୍ବରୁ ଯଦି ଏଭଳି ଅବସ୍ଥା ସୃଷ୍ଟି ହୋଇଛି ତେବେ ମୌସୁମୀ ଋତୁରେ ରାଜଧାନୀବାସୀ କିଭଳି ଅବସ୍ଥା ଭୋଗିବେ ତାହା ଅନୁମେୟ।

ସବୁଠାରୁ ଉଦ୍‌‌ବେଗଜନକ ହେଉଛି ଦିଲ୍ଲୀ ଆନ୍ତର୍ଜାତିକ ବିମାନ ବନ୍ଦରର ଟର୍ମିନାଲ୍‌‌ ୧ର ଏକ ଅଂଶ ଭାଙ୍ଗି ପଡ଼ି ଜଣଙ୍କ ଜୀବନ ଯାଇଥିବା ବେଳେ ହଜାର ହଜାର ସଂଖ୍ୟାରେ ଗାଡ଼ି ମୋଟର ରାସ୍ତାରେ ଅଟକି ରହିଛି। ଦିଲ୍ଲୀ ବିମାନବନ୍ଦରରେ ଘଟିଥିବା ଅଘଟଣର ପ୍ରଭାବ ସଂସଦରେ ପ୍ରତିଧ୍ୱନିତ ହୋଇଛି। ଏହି ଟର୍ମିନାଲ ନିକଟରେ ସମ୍ପ୍ରସାରିତ ହୋଇ ସର୍ବସାଧାରଣଙ୍କ ଉଦ୍ଦେଶ୍ୟରେ ସମର୍ପିତ ହୋଇଥିବାରୁ ନିର୍ମାଣର ଗୁଣବତ୍ତା ନେଇ ପ୍ରଶ୍ନ ଉଠିବା ସ୍ୱାଭାବିକ। ଏହି ଅଘଟଣ ଯୋଗୁଁ ପ୍ରାୟ ୯୦ ବିମାନର ଉଡ଼ାଣ ବାତିଲ୍‌‌ କରାଯାଇଛି। ଯାତ୍ରୀମାନେ ନାହିଁ ନ ଥିବା ଅସୁବିଧା ଭୋଗିଛନ୍ତି। ଏହା ମଧ୍ୟ କେବେ ସ୍ୱାଭାବିକ ହେବ ତାହା ନିଶ୍ଚିତ ହୋଇ ନଥିବାରୁ ଅନ୍ୟ ଟର୍ମିନାଲ୍‌‌ଗୁଡ଼ିକରେ ଯାତ୍ରୀ ଭିଡ଼ ଅଧିକ ହେବ ଏବଂ ବିମାନ ଚଳାଚଳର ସ୍ୱାଭାବିକ ସମୟ ନିର୍ଘଣ୍ଟ ବିଳମ୍ବିତ ହେବା ଏକପ୍ରକାର ନିଶ୍ଚିତ। ଏଠାରେ ଜାତୀୟ ଓ ଅନ୍ତର୍ଜାତୀୟ ସ୍ତରର ହଜାର ହଜାର ଲୋକ ଦୈନିକ ଯାତାୟାତ କରୁଥିବାରୁ ଭାରତର ନିମ୍ନମାନର ନିର୍ମାଣ ଶୈଳୀ, ଗୁଣ ଓ ମାନ ନିଶ୍ଚୟ ବିଶ୍ୱବାସୀଙ୍କ ଦୃଷ୍ଟି ଆକର୍ଷଣ କରିଥିବ।

ଅଧିକ ପଢନ୍ତୁ

ତେବେ ଏଥିପାଇଁ କେବଳ ଅଦୂରଦର୍ଶୀ ବିକାଶ ଯୋଜନାକୁ ହିଁ ଦାୟୀ କରାଯାଇପାରେ। ଭାରତର ଅନ୍ୟତମ ଧନାଢ଼୍ୟ ମହାନଗରୀ ବାଣିଜ୍ୟ ରାଜଧାନୀ ମୁମ୍ବଇ, କୋଲକତା ଭଳି ସହର ବର୍ଷାରେ କିଭଳି ସ୍ଥିତିକୁ ଚାଲିଯାଏ ତାହା ଆମେ ସମସ୍ତେ ଦେଖିଆସୁଛୁ। ଆମ ରାଜଧାନୀ ଭୁବନେଶ୍ୱରରେ ମଧ୍ୟ ବର୍ଷା ଦିନେ କିପରି କୃତ୍ରିମ ହ୍ରଦମାନ ଓ ଖୋଲା ଡ୍ରେନ୍‌‌ମାନଙ୍କରେ ନଈବଢ଼଼ି ଭଳି ସ୍ଥିତି ସୃଷ୍ଟି ହୁଏ ଏବଂ ଏହାପଛର କାରଣ ମଧ୍ୟ ଅଜଣା ନୁହେଁ।

ସମୟ ସହିତ ଜନଜୀବନ ଅଧିକ ଚଳଚଞ୍ଚଳ ହୋଇପଡ଼ିଛି। ତା’ ସହିତ ତାଳ ଦେଇ ଟ୍ରାଫିକ୍‌‌ ମଧ୍ୟ ବ୍ୟସ୍ତବହୁଳ ହେବାରେ ଲାଗିଛି। ତେଣୁ ଓଭରବ୍ରିଜ୍‌‌, ଫ୍ଲାଏଓଭରମାନ ବର୍ତ୍ତମାନ ସମୟର ସହିରୀ ଗମନାଗମନ ଓ ପରିବହନ କ୍ଷେତ୍ରରେ ସବୁଠାରୁ ବଡ଼ ଆବଶ୍ୟକତା ପାଲଟି ଯାଇଛି। କିନ୍ତୁ ଏହିସବୁ ନିର୍ମାଣ ହିଁ ବର୍ଷା ଦିନେ ବର୍ଷାଜଳପ୍ରବାହର ସ୍ୱାଭାବିକତା ଦିଗରେ ପ୍ରତିବନ୍ଧକ ସୃଷ୍ଟି କରୁଛି। କେବଳ ସେତିକି ନୁହେଁ, ରାସ୍ତା ଉପରେ ଜଳପ୍ଲାବନ ଯୋଗୁଁ ଖାଲ ଢିପ ନ ଜାଣିପାରି ଅନେକ ଧନଜୀବନ ହାନି ଘଟୁଛି। ଗତ ସପ୍ତାହରେ ରାଜଧାନୀ ଭୁବନେଶ୍ୱରରେ ପୁଣି ଏଭଳି ଏକ ପରିସ୍ଥିତିରେ ନାଳରେ ଭାସି ଯାଇ ଜଣେ ଶିଶୁର ଜୀବନଦୀପ ଲିଭିଯାଇଛି ଏବଂ ଏଭଳି ଘଟଣାମାନ ପ୍ରାୟ ପ୍ରତିବର୍ଷ ଘଟୁଛି। ଗୋଟିଏ ପଟେ ଅଦୂରଦର୍ଶୀ ନିର୍ମାଣ ଓ ଜବରଦଖଲ ଏବଂ ଅନ୍ୟପକ୍ଷରେ ମୁକୁଳା ନାଳକୁ ବନ୍ଦ କରିବାରେ କର୍ତ୍ତୃପକ୍ଷଙ୍କ ଅବହେଳା କାରଣରୁ ସଭ୍ୟ ସମାଜରେ ଏଭଳି ଦୁଃଖଦ ଘଟଣାମାନ ଘଟିବାରେ ଲାଗିଛି।

ଏଥିସହିତ ପଢ଼ନ୍ତୁ

ପରିତାପର ବିଷୟ ହେଉଛି ଥରେ ଏଭଳି ଘଟଣା ଘଟିଲେ ଗତାନୁଗତିକ ଢଙ୍ଗରେ ଉଦ୍‌‌ବେଗ ପ୍ରକାଶ ପାଉଛି, ନାମକୁ ମାତ୍ର ସମୀକ୍ଷା ହେଉଛି ଏବଂ ଲୋକ ଦେଖାଣିଆ ତାଗିଦମାନ ଗଣମାଧ୍ୟମରେ ପ୍ରକାଶ ପାଉଛି। କିନ୍ତୁ ସ୍ଥିତିରେ ତ କିଛି ପରିବର୍ତ୍ତନ ହେଉ ନାହିଁ ବରଂ ଅଧିକରୁ ଅଧିକ ବିଗିଡ଼ିବାରେ ଲାଗିଛି। ଅଘଟଣ ପାଇଁ ଯଦି ସମ୍ପୃକ୍ତ ଅଧିକାରୀଙ୍କ ବିରୋଧରେ ଦୃଷ୍ଟାନ୍ତମୂଳକ କାର୍ଯ୍ୟାନୁଷ୍ଠାନ ହୁଅନ୍ତା ତେବେ ବୋଧହୁଏ ସମସ୍ୟାର କିଛି ପରିମାଣରେ ସମାଧାନ ହୋଇପାରନ୍ତା ଏବଂ ସ୍ଥିତିରେ ସୁଧାର ଆସିପାରନ୍ତା। ବିଶେଷକରି ସହରମାନଙ୍କରେ ବର୍ଷା ଜଳ ନିଷ୍କାସନର ମୁଖ୍ୟ ରାସ୍ତା ବଡ଼ ବଡ଼ ଡ୍ରେନ୍‌‌ଗୁଡ଼ିକର ଉଭୟ ପାର୍ଶ୍ବରେ ହଜାର ହଜାର ସଂଖ୍ୟାରେ ବସ୍ତି ଆଉ ଝୁମ୍ପୁଡ଼ି ମାଡ଼ି ବସିଥିବାର ଲକ୍ଷ୍ୟ କରାଯାଏ। ଏଥିରେ ସ୍ଥାନୀୟ କୁଜି ନେତା ତଥା ବାହୁବଳୀମାନଙ୍କର ଖୋଲାଖୋଲି ପ୍ରଭାବ ରହୁଛି। ଫଳରେ ନଳା ନର୍ଦ୍ଦମାଗୁଡ଼ିକ ବର୍ଷା ଜଳରେ ଉଛୁଳିବାରୁ ଜନଜୀବନ ହାନିର ଆଶଙ୍କା ବଢ଼଼ି ଯାଉଛି। ରାଜଧାନୀ ଭୁବନେଶ୍ୱରର ପ୍ରାୟ ସମସ୍ତ କେନାଲ୍‌‌ ଓ ଖୋଲା ଡ୍ରେନ୍‌‌ ବର୍ତ୍ତମାନ ବେଆଇନ ଭାବେ ଗଢ଼ି ଉଠିଥିବା ବସ୍ତି ଓ ବାଂଲାଦେଶୀ ଅନୁପ୍ରବେଶକାରୀଙ୍କ କବ୍‌‌ଜାରେ ରହିଛି। ଦୀର୍ଘବର୍ଷ ଧରି ଏହି ସ୍ଥିତି ଲାଗି ରହିଛି। ଏହାସହିତ ଜଳବାୟୁ ବିପର୍ଯ୍ୟୟ ଓ ବର୍ଷା ବିତ୍ପାତ ଯୋଗୁଁ ଜଳବନ୍ଦୀ ପରିସ୍ଥିତି ବହୁ ଜାଗାରେ ସୃଷ୍ଟି ହେଉଛି। ଏମ୍‌‌ଏଲ୍‌‌ଏ, ଏମ୍‌‌ପି ଓ ମ୍ୟୁନିସିପାଲିଟି ୱାର୍ଡ ମେମ୍ବରମାନଙ୍କର ଉଭୟ ଅବହେଳା ଓ ସଂରକ୍ଷଣ ଏକ ଅଭାବନୀୟ ପରିସ୍ଥିତି ସୃଷ୍ଟି କରିଛି।

ପ୍ରତିବର୍ଷ ମୌସୁମୀ ପୂର୍ବରୁ ରାଜଧାନୀରେ ନାଳନର୍ଦ୍ଦମା ସଫା ପାଇଁ କର୍ତ୍ତୃପକ୍ଷ ଉଚ୍ଚସ୍ତରୀୟ ବୈଠକ ଆୟୋଜନ କରନ୍ତି ଏବଂ ତଦନୁଯାୟୀ ନିର୍ଦ୍ଦେଶ ମଧ୍ୟ ଦିଅନ୍ତି। କିନ୍ତୁ ସେହି ନିର୍ଦ୍ଦେଶର କେତେ ଅନୁପାଳନ ହେଉଛି ତାହା ତଦାରଖ ହେଉ ନଥିବାରୁ ଧର୍ମକୁ ଆଖିଠାର ଭଳି କାଁ ଭାଁ ନାଳ ସଫେଇ ହୁଏ ଏବଂ ସବୁ କାମ କାଗଜପତ୍ରରେ ସମ୍ପୂର୍ଣ୍ଣ ହୁଏ। ଅନେକ ସ୍ଥାନରେ ନାଳରୁ ବାହାର କରାଯାଉଥିବା ମାଟି ଗୋଡ଼ି ଆବର୍ଜନା ଇତ୍ୟାଦି ସ୍ଥାନାନ୍ତର ନ ହୋଇ ସେହି ପାଖରେ ପଡ଼ି ରହୁଥିବାରୁ ବର୍ଷାରେ ଧୋଇ ହୋଇଯାଇ ପୁଣି ସେହି ନାଳକୁ ହିଁ ପୋତି ପକାଏ। ଏହି ପ୍ରହସନର ପରମ୍ପରା ବହୁ ପୁରୁଣା। ଏହା କେବଳ ରାଜଧାନୀ ନୁହେଁ, ବରଂ ରାଜ୍ୟର ସବୁ ବଡ଼ ସହରରେ ଦେଖିବାକୁ ମିଳେ। ଏହାଛଡ଼ା ଏବେ ପ୍ଲାଷ୍ଟିକ୍‌‌ ବୋତଲ, ଜରି ମୁଣା ଆଦିର ଗଦା ଗଦା ଆବର୍ଜନା ପାଣି ନିଷ୍କାସନ ଦିଗରେ ବଡ଼ ଅନ୍ତରାୟ ସୃଷ୍ଟି କରିଛି। ପଲିଥିନ ନିଷେଧ କେବଳ କାଗଜକଲମରେ ସୀମିତ ଥିôବାରୁ ସହରାଞ୍ଚଳରେ ଏସବୁର ସଂଖ୍ୟା ଦିନକୁ ଦିନ ଉଦ୍‌‌ବେଗଜନକ ଭାବେ ବଢ଼଼ିବାରେ ଲାଗିଛି। ଏହା ମଧ୍ୟ ବର୍ଷା ଦିନେ ପରିବେଶ ପ୍ରଦୂଷଣକୁ ଆହୁରି ଉତ୍କଟ କରୁଛି। ତେଣୁ ସହରକୁ ସ୍ୱଚ୍ଛ, ସୁନ୍ଦର କରିବା ପାଇଁ ସମାବେଶୀ ଦୂରଦୃଷ୍ଟିପୂର୍ଣ୍ଣ ବିକାଶ ଯୋଜନା ସହିତ ଏକ ପଲିଥିନ ମୁକ୍ତ ପରିବେଶର ପରିକଳ୍ପନା ନିହାତି ଜରୁରୀ।

Leave A Reply

Your email address will not be published.