ବଡ ଖବର ଓଡ଼ିଶା ମନୋରଞ୍ଜନ ଖେଳ ଖବର ଦେଶ- ବିଦେଶ ଜୀବନଚର୍ଯ୍ୟା ରାଶିଫଳ ବାଣିଜ୍ୟ ଫଟୋ ଗ୍ୟାଲେରୀ ଅପରାଧ ଟେକ୍ନୋଲୋଜି ବିଶେଷ ରାଜନୀତି ସ୍ଵାସ୍ଥ୍ୟ

ମତଦାନ ହାର ହ୍ରାସ ଚିନ୍ତାଜନକ, ଭୋଟଦାନ କେନ୍ଦ୍ର ବ୍ୟବସ୍ଥାରେ ଉନ୍ନତି ଜରୁରୀ

ଚଳିତ ନିର୍ବାଚନରେ ମତଦାନ ହାର ୨୦୧୯ ତୁଳନାରେ ହ୍ରାସ ପାଇଥିବା ଆଲୋଚନା ହେଉଛି। ଗମନାଗମନ, ଯୋଗାଯୋଗ, ସୂଚନା ପ୍ରସାରଣ ବିଦ୍ୟାର ଦିନକୁ ଦିନ ଉନ୍ନତି ଘଟିବା ସତ୍ତ୍ବେ ମତଦାନ ହାର ହ୍ରାସ ପାଇବା ନିଶ୍ଚୟ ଚିନ୍ତାଜନକ। ମତଦାନ ହାର ହ୍ରାସ ପାଇବା ପଛର କାରଣ ଭାବେ ଭୋଟରମାନଙ୍କ ଆଳସ୍ୟପରାୟଣତା ଓ ଉଦାସୀନତାକୁ ଦାୟୀ କରାଯାଉଛି। ତେଣୁ ଭୋଟରମାନଙ୍କୁ ଉତ୍ସାହିତ କରିବା ପାଇଁ ଭାରତର ମୁଖ୍ୟ ନିର୍ବାଚନ ଆୟୋଗ ନାନାବିଧ ପଦକ୍ଷେପମାନ ନେଉଛନ୍ତି ଏବଂ ବିଭିନ୍ନ ମାନ୍ୟଗଣ୍ୟ ବ୍ୟକ୍ତିବିଶେଷ ଓ ତାରକାମାନଙ୍କ ଦ୍ୱାରା ଭୋଟରମାନଙ୍କୁ,ବିଶେଷକରି ପ୍ରଥମ ଥର ଭୋଟ ଅଧିକାର ପାଇଥିବା ଯୁବବର୍ଗଙ୍କୁ ପ୍ରେରିତ କରିବା ପାଇଁ ଉତ୍ସାହିତ କରୁଛନ୍ତି। ଗଣମାଧ୍ୟମର ବିଭିନ୍ନ ମଞ୍ଚରେ ବ୍ୟାପକ ବିଜ୍ଞାପନ ମଧ୍ୟ ବାହାରୁଛି। ଏହାସତ୍ତ୍ବେ ଭୋଟଦାନ ହାର ହ୍ରାସ ପାଇବା ପଛର କେତେକ ବାସ୍ତବବାଦୀ କାରଣ ଖୋଜି ବାହାର କରିବାର ବେଳ ଆସିଛି।

ଦେଶରେ ଷଷ୍ଠ ପର୍ଯ୍ୟାୟ ତଥା ଓଡ଼ିଶାରେ ତୃତୀୟ ପର୍ଯ୍ୟାୟ ମତଦାନ ପ୍ରକ୍ରିୟା ନିକଟରେ ସରିଛି। ଭୋଟଦାନ ବ୍ୟବସ୍ଥାରେ ଅନେକ ବିଭ୍ରାଟ ଥିବା ବିଶେଷକରି ବିଜ୍ଞାପନ ଓ ବାସ୍ତବତା ଭିତରେ ଅନେକ ପାର୍ଥକ୍ୟ ଥିବା ଅଭିଯୋଗମାନ ଆସୁଛି। ବିଡ଼ମ୍ବନାର ବିଷୟ ହେଉଛି, ଅନେକ ସହରରେ ଆଦର୍ଶ ବୁଥ୍‌ ଗଠନ କରାଯାଇଥÒବା ବେଳେ କେତେକ ସ୍ଥାନରେ ଭୋଟଦାନ କେନ୍ଦ୍ର ଅତ୍ୟନ୍ତ ଅସ୍ୱାସ୍ଥ୍ୟକର ପରିବେଶରେ କରାଯାଇଛି। ପୁଣି ଆଉ କେତେକ ଭୋଟଦାନ କେନ୍ଦ୍ରରେ ନିମ୍ନତମ ମୌଳିକ ସୁବିଧା ଯଥା ପିଇବା ପାଣି, ଶୌଚାଳୟ ଆଦି ନଥିବା ମଧ୍ୟ ଦେଖାଯାଇଛି। ବରିଷ୍ଠ ନାଗରିକ, ଭିନ୍ନକ୍ଷମ ଓ ରୋଗୀମାନଙ୍କ ପାଇଁ ସ୍ୱତନ୍ତ୍ର ବ୍ୟବସ୍ଥା କରାଯାଇଥିବା ନିର୍ବାଚନ ଆୟୋଗଙ୍କ ପକ୍ଷରୁ ଘୋଷଣା କରାଯାଇଥିଲେ ମଧ୍ୟ ପ୍ରଶାସନ ପକ୍ଷରୁ ଏ ସବୁ ପ୍ରତି ସେତେଟା ଯତ୍ନ ନିଆଯାଇ ପାରିନାହିଁ। ଅତିବରିଷ୍ଠ ଓ ଭିନ୍ନକ୍ଷମ ନାଗରିକଙ୍କ ପାଇଁ ଘରକୁ ଯାଇ ଭୋଟଗ୍ରହଣ କରିବାର ପ୍ରଶଂସନୀୟ ବ୍ୟବସ୍ଥା ନିର୍ବାଚନ ଆୟୋଗ କରିଛନ୍ତି, ଅଥଚ କେମିତି ଏହି ସୁବିଧା ହାସଲ କରାଯାଇପାରିବ ସେ ସମ୍ପର୍କରେ ଭୋଟରମାନେ ଅନେକାଂଶରେ ଅଜ୍ଞ। ବରିଷ୍ଠ ନାଗରିକଙ୍କ ପାଇଁ ସ୍ୱତନ୍ତ୍ର ଭୋଟଦାନ ବ୍ୟବସ୍ଥା ମଧ୍ୟ ଅଧିକାଂଶ ଭୋଟଦାନ କେନ୍ଦ୍ରରେ କାମ କରୁ ନ ଥିବା ଅଭିଯୋଗ ହୋଇଛି। କିନ୍ତୁ ଭୋଟଦାନ ପରି ସାମ୍ବିଧାନିକ ଅଧିକାର ସାବ୍ୟସ୍ତ କରିବା ପାଇଁ ସେମାନେ ଘଣ୍ଟା ଘଣ୍ଟା ଧରି ଖରାରେ ଠିଆ ହୋଇ ରହିଥିବା ଦେଖିବାକୁ ମିଳିଛି। ଅନେକେ ମଧ୍ୟ ଧୈର୍ଯ୍ୟଚ୍ୟୁତ ହୋଇ ଭୋଟ ନ ଦେଇ ଅଧାରୁ ଘରକୁ ଫେରି ଆସିଥିବା ଅଭିଯୋଗ କରିଛନ୍ତି। ବୁଦ୍ଧ଄ଜୀବୀ ଓ ସଚେତନ ନାଗରିକଙ୍କ ମତରେ ନିର୍ବାଚନ ପାଇଁ ଏତେ ଟଙ୍କା ଖର୍ଚ୍ଚ ହେଉଛି, ଅଥଚ ଭୋଟଦାନ କେନ୍ଦ୍ରମାନଙ୍କରେ ଦିନକ ପାଇଁ ସାମିଆନା/ଚାନ୍ଦୁଆ କିମ୍ବା ଛାୟା ବ୍ୟବସ୍ଥା କରାଯାଇପାରୁନାହିଁ। ଯେଉଁ ରାଜନୈତିକ ଦଳଗୁଡ଼ିକ ପାଇଁ ଭୋଟରମାନେ ଏତେ କଷ୍ଟ ମୁଣ୍ଡାଉଛନ୍ତି ସେମାନଙ୍କର ମଧ୍ୟ ଏହି ସମସ୍ୟା ପ୍ରତି କୌଣସି ଉତ୍ତରଦାୟିତ୍ୱ ଥିବା ପରି ଜଣାପଡ଼ୁନାହିଁ।

ଭୋଟଦାନ ଆଶାନୁରୂପ ନ ହେବା ପଛର ଆଉ ଏକ କାରଣ ହେଲା ଭୋଟର ତାଲିକାରେ ତ୍ରୁଟି। ଏହି ଅଭିଯୋଗ ବହୁ ପୁରୁଣା। ପୂର୍ବରୁ ପ୍ରାର୍ଥୀମାନଙ୍କ ତରଫରୁ ଘରକୁ ଘର ବୁଲି ଯେଉଁ ଚିରିକୁଟି ବଣ୍ଟାଯିବା କଥା ତାହା ଏଥର ଅଧିକାଂଶ ଅଞ୍ଚଳରେ ଦେଖିବାକୁ ମିଳିନାହିଁ। ଇଣ୍ଟରନେଟ୍‌‌ରୁ ଖୋଜି ଯେଉଁ ଭୋଟରମାନେ ଭୋଟଦାନ କେନ୍ଦ୍ରକୁ ଯାଇଥିଲେ ସେଠାରେ ସେମାନଙ୍କ ନାମ ଭୋଟର ତାଲିକାରେ ନଥିବାରୁ ନିରାଶ ହୋଇ ଫେରିଛନ୍ତି। ପୁଣି ଗୋଟିଏ ଘରୁ ସ୍ୱାମୀଙ୍କ ନାମ ଗୋଟିଏ ବୁଥ୍‌‌ରେ ଥିବା ବେଳେ ସ୍ତ୍ରୀଙ୍କ ନାମ ଓ ପିଲାମାନଙ୍କ ନାମ ଅନ୍ୟ କେନ୍ଦ୍ରରେ ରହିଥିବାର ଦେଖାଯାଇଛି। ତେଣୁ ଗୋଟିଏ କେନ୍ଦ୍ରରେ ସ୍ୱାମୀ ଭୋଟ ଦେଇ ସ୍ତ୍ରୀଙ୍କୁ ନେଇ ପୁଣି ଅନ୍ୟ ବୁଥ୍‌‌କୁ ଯିବା ବେଳକୁ ବେଳ ଗଡ଼ି ଯାଉଛି ଓ ଧାଡ଼ି ଲମ୍ବି ଯାଉଛି। ତେଣୁ ପୁଣି ଥରେ ଲମ୍ବା ଧାଡ଼ିରେ ଖରାରେ ଠିଆ ହେବାକୁ ଅଧିକାଂଶ ଭୋଟର ନାପସନ୍ଦ କରୁଛନ୍ତି। ଗୋଟିଏ ନିର୍ଦ୍ଦିଷ୍ଟ ଅଞ୍ଚଳ ବାସିନ୍ଦାଙ୍କୁ ସେହି ଅଞ୍ଚଳର ଭୋଟଦାନ କେନ୍ଦ୍ରରେ ଭୋଟ ଦେବାର ବ୍ୟବସ୍ଥା ନ କରି ଦୂରରେ ଥିବା କେନ୍ଦ୍ରରେ କରିବା ପଛର କାରଣ ମଧ୍ୟ ବୁଝାପଡ଼ୁନାହିଁ ବୋଲି ଅନେକେ ମତ ଦେଉଛନ୍ତି। ବୁଥ୍‌‌ସ୍ତରୀୟ ଅଫିସ କାର୍ଯ୍ୟକର୍ତ୍ତାମାନେ ଅଧିକାଂଶ ସ୍ଥାନୀୟ କର୍ମଚାରୀ ବା ଶିକ୍ଷକ ହୋଇଥିବାରୁ ଭୋଟର ତାଲିକାରେ ଥିବା ଲୋକଙ୍କ ପାଇଁ କେଉଁ ବୁଥ୍‌‌ଟି ସବୁଠାରୁ ସହଜ ହେବ ତାହା ସେମାନେ ନ ଜାଣି ପାରିବା ସମ୍ପୂର୍ଣ୍ଣ ନିଷ୍କ୍ରିୟତା ଓ ଅବହେଳା ବୋଲି ଧରାଯିବ। ଏଭଳି ପରିସ୍ଥିତିତରେ ମତଦାତା ଜଣକ ଅଭିଯୋଗ କଲେ ମଧ୍ୟ ସଂଶୋଧନମୂଳକ କାର୍ଯ୍ୟକ୍ରମ ନେବା ପାଇଁ କୌଣସି ତାତ୍କାଳିକ ବ୍ୟବସ୍ଥା ନାହିଁ। ନିକଟରେ ଏଭଳି ଗୋଟିଏ ଘଟଣାରେ ରାଜ୍ୟରେ ଗୋଟିଏ ଜିଲ୍ଳା ସଦର ମହକୁମାରେ ଦେଖÒବାକୁ ମିଳିଛି। ସେ ସହରର ଜଣେ ଖ୍ୟାତନାମା ତଥା ଭିନ୍ନକ୍ଷମ ବୟସ୍କ ବ୍ୟକ୍ତି ସପରିବାରେ ତାଙ୍କ ଅଞ୍ଚଳର ପୁରୁଣା ଭୋଟକେନ୍ଦ୍ରକୁ ଯାଇ ଭୋଟର ତାଲିକାରେ ନାମ ନଥିବାର ଦେଖି ନିର୍ବାଚନ ଅଧିକାରୀ ଓ ଜିଲ୍ଲାପାଳ ଆଦିଙ୍କୁ ଅଭିଯୋଗ ପଠାଇଲେ। କେତେ ଘଣ୍ଟା ପରେ ଜିଲ୍ଲାର ଜଣେ ସହକାରୀ ନିର୍ବାଚନ ଅଧିକାରୀ ଫୋନ୍‌‌ ଦ୍ୱାରା ଜଣାଇଲେ ଯେ ସମ୍ପୃକ୍ତ ବ୍ୟକ୍ତିଙ୍କୁ ନିଜେ ଯାଇ ଆଖପାଖ ଭୋଟକେନ୍ଦ୍ରରେ ନାମ ଖୋଜିବାକୁ ପଡ଼ିବ। ସମ୍ପୃକ୍ତ ଅଧିକାରୀ ଜଣକ ନିଜେ ସେହି କାର୍ଯ୍ୟଟି କରି ବରିଷ୍ଠ ଖ୍ୟାତନାମା ବ୍ୟକ୍ତିଙ୍କୁ ସାହାଯ୍ୟ କରିପାରିଥା’ନ୍ତେ, ଯାହା ତାଙ୍କର କର୍ତ୍ତବ୍ୟ। କମ୍ପ୍ୟୁଟର ପ୍ରଯୁକ୍ତିବିଦ୍ୟା ବଳରେ ନିର୍ବାଚନ ଅଧିକାରୀ ଏହା ଅତି ସହଜରେ କରିପାରିଥା’ନ୍ତେ।

ଆମ ଦେଶରେ ଭୋଟ ହାର ହ୍ରାସ ପାଇବା ପଛରେ ଆଉ ଯେଉଁ ବିଶେଷ କାରଣ ରହିଛି ତାହା ହେଉଛି ନିର୍ବାଚନ ସମୟର ପ୍ରତିକୂଳ ପାଣିପାଗ। ସାଧାରଣତଃ ଭୋଟ ଦାନ ପ୍ରକ୍ରିୟା ଏପ୍ରିଲ୍‌‌ ରୁ ଜୁନ୍‌‌ ମାସ ମଧ୍ୟରେ ସମ୍ପନ୍ନ ହେଉଛି, ଯାହା ପ୍ରଚଣ୍ଡ ରୌଦ୍ର ରୂପେ ବିଦିତ। ନିର୍ବାଚନ ପ୍ରକ୍ରିୟା ଯଦି ଫେବୃଆରୀ – ମାର୍ଚ୍ଚ ମାସ ମଧ୍ୟରେ ସମ୍ପନ୍ନ ହୁଅନ୍ତା ତେବେ ଦେଶର ସବୁ ଅଞ୍ଚଳର ଭୋଟରଙ୍କୁ ଏହା ସୁହାନ୍ତା। ତେବେ ସମ୍ପ୍ରତି ପ୍ରତ୍ୟେକ ବର୍ଷ କ୍ରମାଗତ ବିଭିନ୍ନ ସମୟରେ ରାଜ୍ୟ ବିଧାନ ମଣ୍ଡଳ ନିର୍ବାଚନ ହେଉଥିବାରୁ ଗୋଟିଏ ନିର୍ଦ୍ଦିଷ୍ଟ ଋତୁରେ ମତଦାନ ଧାର୍ଯ୍ୟ କରାଯାଇପାରୁନାହିଁ। ଆଗକୁ ହୁଏତ ‘ଏକ ଦେଶ ଏକ ନିର୍ବାଚନ’ ଆଇନ ପ୍ରବର୍ତ୍ତନ ହେଲେ ସରକାର ଏ ଦିଗରେ ସଚେତନ ହେବା ଆବଶ୍ୟକ।

ଏଥିସହିତ ପଢ଼ନ୍ତୁ

ଏତଦ୍‌‌ବ୍ୟତୀତ ବିଭିନ୍ନ ସରକାରୀ ବା ବେସରକାରୀ ଚାକିରି କରିଥିବା ବ୍ୟକ୍ତି, ବିଶେଷକରି ପାଠ ପଢ଼଼ିବା ପାଇଁ ରାଜ୍ୟ ବାହାରକୁ କିମ୍ବା ଦେଶ ବାହାରକୁ ଯାଉଥିବା ଯୁବଗୋଷ୍ଠୀଙ୍କ ପାଇଁ, ଭୋଟ ଦେବାକୁ ନିଜ ଗାଁ ଓ ସହରକୁ ଫେରିବା ସମସ୍ତଙ୍କ ପକ୍ଷେ ସମ୍ଭବ ହେଉନାର୍ହି। ତେଣୁ ଏକ ବୃହତ୍‌‌ ସଂଖ୍ୟାରେ ଭୋଟର ନିଜ ଭୋଟଦାନ ଅଧିକାରରୁ ବଞ୍ଚିତ ହେଉଛନ୍ତି। ବର୍ତ୍ତମାନର ପ୍ରଚଳିତ ପୋଷ୍ଟାଲ୍‌‌ ବାଲାଟ୍‌‌ ପ୍ରକ୍ରିୟା ଜଟିଳ ହୋଇଥିବାରୁ ସେମାନେ ତାହାର ସୁବିଧା ମଧ୍ୟ ନେଇପାରୁନାହାନ୍ତି। ଭବିଷ୍ୟତରେ ନିର୍ବାଚନ ପ୍ରକ୍ରିୟା ସଂସ୍କାର ପ୍ରସଙ୍ଗ ଉଠିବା ବେଳେ ଏ ସବୁ ଦିଗ ପ୍ରତି ମଧ୍ୟ ଦୃଷ୍ଟି ଦେବାକୁ ପଡ଼ିବ।

ଦେଶର ପ୍ରଥମ ସାଧାରଣ ନିର୍ବାଚନଠାରୁ ଆଜି ପର୍ଯ୍ୟନ୍ତ ମୁକ୍ତ, ଅବାଧ ଓ ସ୍ୱଚ୍ଛ ନିର୍ବାଚନ ପାଇଁ ସବୁମତେ ଚେଷ୍ଟା ହୋଇ ଆସୁଥିଲେ ମଧ୍ୟ ଏବେ ନିର୍ବାଚନରେ ଧନବଳ ଓ ବାହୁବଳ ତଥା ଜାତି, ଧର୍ମ, ଆଞ୍ଚଳିକତା ଆଦି ଆଳରେ ଭୋଟରମାନଙ୍କୁ ଯେଉଁଭଳି ଚାପଗ୍ରସ୍ତ କରାଯାଉଛି ତାହା ସମସ୍ତେ ଦେଖି ନ ଦେଖିବା ପରି ରହୁଛନ୍ତି। ଏହାଛଡ଼ା ସହରୀ ଶିକ୍ଷିତ ତଥା ସମ୍ଭ୍ରାନ୍ତ ବର୍ଗର ଭୋଟରମାନେ ମତଦାନ ଅଧିକାର ସାବ୍ୟସ୍ତ କରିବା ପାଇଁ ଆଦୌ ଆଗଭର ହେଉନାହାନ୍ତି। ଆଗକୁ ଏ ସମ୍ପର୍କରେ ଇଣ୍ଟରନେଟ୍‌‌ ମାଧ୍ୟମରେ ଯଦି କୌଣସି ସୁରକ୍ଷିତ ଭୋଟଦାନ ପ୍ରଣାଳୀ ବିକଶିତ କରାଇପାରନ୍ତା ତେବେ ହୁଏତ ଏହିଭଳି ବର୍ଗର ମତଦାତାମାନେ ଭୋଟଦାନ କେନ୍ଦ୍ରରେ ଅସୁବିଧାକୁ ଏଡ଼ାଇ ଯାଇ ନିଜ ଘରୁ ଡିଜିଟାଲ୍‌‌ ଆପ୍‌‌ ମାଧ୍ୟମରେ ଓଟିପି ତଥା ଆଧାର ନମ୍ବର ଓ ଟିପ ଚିହ୍ନ ମାଧ୍ୟମରେ ପରିଚୟ ସାବ୍ୟସ୍ତ କରି ଭୋଟଦେଇପାରନ୍ତେ। ଏବେ ସମୟ ଆସିଛି ଯେ ମୋଟ ଭୋଟର ସଂଖ୍ୟାର ଏକ-ତୃତୀୟାଂଶରୁ ଅଧିକ ଅନୁପସ୍ଥିତ ଭୋଟରମାନଙ୍କୁ ଏହି ଗୁରୁତ୍ୱପୂର୍ଣ୍ଣ ଅଧିକାର ସାବ୍ୟସ୍ତ ପାଇଁ ସାମ୍ନାକୁ ଆଣିବା। ଏ ସବୁ ପରିବର୍ତ୍ତନ ଓ ସଂସ୍କାର ପାଇଁ ଭାରତର ନିର୍ବାଚନ କମିଶନ୍‌‌ ତୁରନ୍ତ ପଦକ୍ଷେପ ନେବା ଆବଶ୍ୟକ।

Leave A Reply

Your email address will not be published.