ବଡ ଖବର ଓଡ଼ିଶା ମନୋରଞ୍ଜନ ଖେଳ ଖବର ଦେଶ- ବିଦେଶ ଜୀବନଚର୍ଯ୍ୟା ରାଶିଫଳ ବାଣିଜ୍ୟ ଫଟୋ ଗ୍ୟାଲେରୀ ଅପରାଧ ଟେକ୍ନୋଲୋଜି ବିଶେଷ ରାଜନୀତି ସ୍ଵାସ୍ଥ୍ୟ

ଜି-୭ ଶିଖର ସମ୍ମିଳନୀରେ ଭାରତ: ମୋଦୀଙ୍କ ଉପରେ ଦକ୍ଷିଣ-ବିଶ୍ୱର ଦୃଷ୍ଟି

ଜି-୭ର ୫୦ ତମ ବୈଶ୍ୱିକ (ଆଉଟ୍‌‌ରିଚ୍‌‌) ଶିଖର ସମ୍ମିଳନୀ ଇଟାଲିରେ ଅନୁଷ୍ଠିତ ହେଉଛି। ଏହି ଦୁଇଦିନିଆ ଶିଖର ବୈଠକରେ ଯୋଗ ଦେବାକୁ ଭାରତର ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ରୋମ୍‌‌ ଯାତ୍ରା କରିଛନ୍ତି। ଜି-୭ ମୂଳତଃ ଜି-୨୦ର ପ୍ରଥମ ଅବତାର। ଏହା ବିଶ୍ୱର ସାତଟି ବିକଶିତ ରାଷ୍ଟ୍ର ଆମେରିକା, ଫ୍ରାନ୍ସ, ଜର୍ମାନୀ, ବ୍ରିଟେନ୍‌‌, କାନାଡ଼ା, ଇଟାଲୀ ଓ ଜାପାନକୁ ନେଇ ଏକ ଅର୍ଥନୈତିକ ଓ ବାଣିଜ୍ୟିକ ସହଯୋଗ ଭାବେ ଗଠିତ ହୋଇଥିଲା। ଏଥିରେ ୟୁରୋପୀୟ ସଂଘକୁ ମଧ୍ୟ ଏକ ସଦସ୍ୟ ଭାବେ ମାନ୍ୟତା ଦେଇ ଗ୍ରହଣ କରାଯାଇଥିଲା। ଜି-୭ର ଅସ୍ତିତ୍ୱ ବାସ୍ତବବାଦୀ ଦୃଷ୍ଟିକୋଣରୁ ଏବେ ଆଉ ନାହିଁ। ଏଥିରେ ଭାରତ ଭଳି ବିଶ୍ୱର ଆଉ ୧୨ ପ୍ରମୁଖ ଅର୍ଥନୀତିକୁ ସାମିଲ କରାଯାଇ ଏହାକୁ ଜି-୨୦ରେ ପରିଣତ କରାଯାଇଛି। ସର୍ବୋପରି ଆଫ୍ରିକୀୟ ସଂଘ ମଧ୍ୟ ଏହାର ସଦସ୍ୟ ହୋଇଛି, ଯାହାର ସଦସ୍ୟ ସଂଖ୍ୟା ୫୫। ଅତଏବ ଜି-୭ ଏବେ ବିଶ୍ୱର ଏକ ବିରାଟ ଅର୍ଥନୈତିକ, ବାଣିଜ୍ୟିକ ଓ ରାଜନୈତିକ ଦ୍ରୁମ। ଏଥିରେ ରୁଷିଆ ଓ ଚୀନ୍‌‌ ଭଳି ଅର୍ଥନୀତି ମଧ୍ୟ ସାମିଲ ହୋଇଛି ଏବଂ ମିଳିତ ଜାତିସଂଘ, ଆସିଆନ ଓ ବିଶ୍ୱବ୍ୟାଙ୍କକୁ ମଧ୍ୟ ଅତିଥି ସଭ୍ୟ ଭାବେ ଗ୍ରହଣ କରାଯାଇଛି। ବିଶ୍ୱର ୮୦ ଭାଗ ଦେଶ ଏହାର ପରିସରକୁ ଏବେ ପ୍ରତ୍ୟକ୍ଷ ଓ ପରୋକ୍ଷ ଭାବେ ଆସିସାରିଛନ୍ତି। ଅର୍ଥନୈତିକ ସହଯୋଗ ଓ ସାମାଜିକ ବିକାଶ କ୍ଷେତ୍ରରେ ଏହା ବିଶ୍ୱର ସର୍ବବୃହତ୍‌‌ ସଂଗଠନ।

ଏବେ ପ୍ରଶ୍ନ ହେଲା ଜି-୨୦ ପରେ ଜି-୭ର ଭୂମିକା ଆଉ କ’ଣ? ଏହା ଏବେ ମଧ୍ୟ ଜି-୨୦ର ମାତୃଭୂମିକା ନିର୍ବାହ କରୁଛି ଏବଂ ବିଶ୍ୱର ସାତଟି ଉନ୍ନତ ତଥା ଧନାଢ଼୍ୟ ଦେଶ ଏହାର ଗତିବିଧିକୁ ନିୟନ୍ତ୍ରଣ କରୁଛନ୍ତି। ଇଟାଲୀରେ ଅନୁଷ୍ଠିତ ଏହି ଶିଖର ସମ୍ମିଳନୀର କାର୍ଯ୍ୟସୂଚୀରେ ରହିଛି ଭାରତ-ପ୍ରଶାନ୍ତ କ୍ଷେତ୍ର (ଇଣ୍ଡୋ ପ୍ୟାସିଫିକ୍‌‌), ଆଫ୍ରିକା, ଜଳବାୟୁ ପରିବର୍ତ୍ତନ, ଆର୍ଟିଫିସିଆଲ୍‌‌ ଇଣ୍ଟେଲିଜେନ୍ସ (ଏଆଇ), ବିଶ୍ୱର ଅଳ୍ପ ବିକଶିତ ରାଷ୍ଟ୍ରର ପ୍ରତିନିଧି (ଗ୍ଲୋବାଲ୍‌‌ ସାଉଥ)ଙ୍କ ଅଂଶଗ୍ରହଣ ଏବଂ ୟୁରୋପୀୟ ସଂଘ ଓ ଆଫ୍ରିକୀୟ ସଂଘକୁ ଯଥାର୍ଥ ପ୍ରତିନିଧିତ୍ୱ ପ୍ରଦାନ। ଜି-୨୦କୁ ସଫଳ, ସକ୍ରିୟ, ବିଶ୍ୱବ୍ୟାପୀ ଓ ସମାବେଶୀ କରିବାରେ ଭାରତ, ବ୍ରାଜିଲ ଏବଂ ଦକ୍ଷିଣ ଆଫ୍ରିକାର ପ୍ରୟାସ ଅନସ୍ୱୀକାର୍ଯ୍ୟ। ଏହି ତ୍ରିମୂର୍ତ୍ତି ତଥା ବିଶ୍ୱର ଅନ୍ୟତମ ଉଦୀୟମାନ ଅର୍ଥନୀତି ଉଦ୍ୟମ କରି ନଥିଲେ ଜି-୨୦ ଆଜି ଏହି ସ୍ଥିତିରେ ପହଞ୍ଚି ନଥା’ନ୍ତା। ତେଣୁ ଜି-୭ ଏବେ ଯେଉଁ ପ୍ରସଙ୍ଗ ଉପରେ ଆଲୋଚନା ଚାହୁଁଛି, ତାହାକୁ ଅଧିକ ବାସ୍ତବ ଓ ବିଶ୍ୱମୁଖୀ କରିବାରେ ସମ୍ପୃକ୍ତ ତିନିରାଷ୍ଟ୍ରଙ୍କର ଭୂମିକା ଅଧିକ ରହିଛି। ୨୦୨୩ରେ ଭାରତ ଜି-୨୦ର ଅଧ୍ୟକ୍ଷ ଥିଲା ଏବଂ ଏହାକୁ ଏକ ନୂଆ ଶିଖରରେ ପହଞ୍ଚାଇବା ସହିତ ନୂଆଦିଲ୍ଲୀ ଘୋଷଣାନାମାରେ ଯେଉଁ ବୈଶ୍ୱିକ ପ୍ରସଙ୍ଗମାନ ଉପସ୍ଥାପିତ ହୋଇଥିଲା, ତାହାକୁ କାର୍ଯ୍ୟକାରୀ କରିବା ସବୁଠୁ ଗୁରୁତ୍ୱପୂର୍ଣ୍ଣ। ସୁଖର କଥା ଜି-୭ର କାର୍ଯ୍ୟସୂଚୀରେ ସେ ସବୁ ପ୍ରସଙ୍ଗ ମଧ୍ୟରୁ ଅନେକ ରହିଛି। ଏ ଦୃଷ୍ଟିରୁ ଏହି ଶିଖର ବୈଠକରେ ମୋଦୀଙ୍କ ଉପସ୍ଥିତି ଯଥାର୍ଥ ତଥା ଗୁରୁତ୍ୱପୂର୍ଣ୍ଣ ମନେହୁଏ।

କହିବା ବାହୁଲ୍ୟ ଯେ ବିଶ୍ୱରେ ଏବେ ଏଆଇର ଦୁରୁପଯୋଗ ବଢ଼଼ୁଛି ଏବଂ ଏହା ଜନତା ଓ ଉଦ୍ୟୋଗ ପାଇଁ ବିପଦ ପାଲଟିଛି। ସେହିଭଳି ୟୁରୋପକୁ ଆଫ୍ରିକାରୁ ବେଆଇନ ଜନପଳାୟନ (ମାଏଗ୍ରେସନ୍‌‌) ଏକ ବିପଜ୍ଜନକ ସ୍ଥିତିରେ ପହଞ୍ଚିଛି ଏବଂ ଆଲଜେରିଆ, ଟ୍ୟୁନିସିଆ ଓ ଇଜିପ୍ଟ ଭଳି ଦେଶ, ଯାହା ଏହି ପଳାୟନର ଦ୍ୱାର ପାଲଟିଛି, ସେଠାରେ ଅସ୍ଥିରତା ଦେଖାଦେଇଛି। ଏହାଛଡ଼ା ଦୁଇଟି ଯୁଦ୍ଧ ଓ ତତ୍‌‌ଜନିତ ଉତ୍ତେଜନା ଯୋଗୁଁ ବିଶ୍ୱବାଣିଜ୍ୟ, ଯୋଗାଣ ବ୍ୟବସ୍ଥା ଓ ପୁଞ୍ଜି ନିବେଶ ଗୁରୁତର ଭାବେ ବ୍ୟାହତ ହେବା ସହିତ ବିଶ୍ୱର ଅର୍ଥନୀତି ମନ୍ଥର ହୋଇଯାଇଛି।

ବିଶ୍ୱର ଏଭଳି ସ୍ଥିତିରେ ପୃଥିବୀର ସର୍ବବୃହତ୍‌‌ ଗଣତନ୍ତ୍ର ଓ ଦ୍ରୁତ ଅଭିବୃଦ୍ଧିଶୀଳ ଅର୍ଥନୀତିର ଏକ ବିଶେଷ ଭୂମିକା ରହିଛି। ଜି-୨୦ ରାଷ୍ଟ୍ରଙ୍କ ମଧ୍ୟରେ ଭାରତ ସବୁଠୁ ଅଧିକ ଜନବହୁଳ। ଇତିମଧ୍ୟରେ ଏହାର ଅର୍ଥନୀତିର ଆକାର ଜି-୭ର ସଦସ୍ୟ ବ୍ରିଟେନ୍‌‌, ଫ୍ରାନ୍ସ, ଇଟାଲୀ ଓ କାନାଡ଼ାକୁ ଅତିକ୍ରମ କରିସାରିଲାଣି। ଭାରତ ଏବେ ବିଶ୍ୱର ପଞ୍ଚମ ବୃହତ୍‌‌ ଅର୍ଥନୀତି ଏବଂ ଏହାର ଅର୍ଥନୈତିକ ଅଭିବୃଦ୍ଧି ଯେଉଁ ହାରରେ ବଢ଼଼ୁଛି, ସେଥିରୁ ସୂଚନା ମିଳୁଛି ଯେ ଏହା ଆଉ ଅଳ୍ପଦିନରେ ରୁଷିଆ, ଜର୍ମାନୀ ଓ ଜାପାନକୁ ଅତିକ୍ରମ କରି ଆମେରିକା ଓ ଚୀନ୍‌‌ ପରେ ବିଶ୍ୱର ତୃତୀୟ ସର୍ବବୃହତ୍‌‌ ଅର୍ଥନୀତିରେ ପରିଣତ ହେବ। ମୋଦୀ ତାଙ୍କ ଶାସନର ତୃତୀୟ ପାଳି ଆରମ୍ଭ କରିଥିବା ବେଳେ ଅର୍ଥନୀତିକ ଓ ଅଭିବୃଦ୍ଧି ଦୃଷ୍ଟିରୁ ତାଙ୍କ ପାଇଁ ଏକ ନୂଆ ସୁଯୋଗ ଆସିଛି। ଏଭଳି ସମୟରେ ଜି-୭ରେ ମୋଦୀଙ୍କ ଉପସ୍ଥିତି ଭାରତର ଗଣତାନ୍ତ୍ରିକ ପ୍ରତିଷ୍ଠାନ, ବ୍ୟବସ୍ଥା ଓ ନିର୍ବାଚନ ଫଳାଫଳକୁ ନେଇ ଯେଉଁମାନେ ଅପପ୍ରଚାର କରୁଥିଲେ, ସେମାନଙ୍କୁ ଚୁପ୍‌‌ କରିଦେବ। ଭାରତ ଯେ ଏକ ବନାନା ରିପବ୍ଲିକ୍‌‌ (ଛତରଖିଆ ଦେଶ) ନୁହେଁ, ଏହା ପ୍ରମାଣିତ ହୋଇଛି ଏବଂ ମୋଦୀ ବିଶ୍ୱନେତାଙ୍କ ଆଗରେ ନିଜ ଦେଶର ବିକାଶ କାହାଣୀ କହିବା ସହ ପୁଞ୍ଜି ନିବେଶକଙ୍କୁ ଆକୃଷ୍ଟ କରିବାର ଏକ ସୁଯୋଗ ପାଇବେ। ଆମ ଦେଶର ଅର୍ଥନୀତି, ଭିତ୍ତିଭୂମି କ୍ଷେତ୍ର, ସ୍ୱାସ୍ଥ୍ୟସେବା, ମାନବ ସମ୍ବଳ ବିକାଶ, ଆଇଟି କ୍ଷେତ୍ର, ଦକ୍ଷତା ବିକାଶ, ଶିକ୍ଷା, ସଂଯୋଗ ବ୍ୟବସ୍ଥା, ଶକ୍ତି, ପରିବେଶ ସୁରକ୍ଷା ଓ ପରିଚ୍ଛନ୍ନତା ବିଷୟରେ ସେ ବିଶ୍ୱ ନେତାମାନଙ୍କୁ ସଫଳତାର କାହାଣୀ ଆଉଥରେ କହି ସେମାନଙ୍କ ବିଶ୍ୱାସକୁ ପୁଣି ଜିତିବେ।

ଏଭଳି ଏକ ମଞ୍ଚରେ ଭାରତର ପ୍ରଧାନମନ୍ତ୍ରୀଙ୍କ ଉପସ୍ଥିତି ଅତ୍ୟନ୍ତ ଗୁରୁତ୍ୱପୂର୍ଣ୍ଣ। ସେ କେବଳ ଭାରତର ବିକାଶ କାହାଣୀ ଓ ଅର୍ଥନୈତିକ ଅଭିବୃଦ୍ଧି କଥା କହିବେ ନାହିଁ, ସେ ମଧ୍ୟ ସ୍ଥିର ଶାସନ, ନିରନ୍ତର ବିକାଶ, ଗରିବ ରାଷ୍ଟ୍ରଙ୍କୁ ସହାୟତା, ପୁଞ୍ଜି ନିବେଶର ବିକଳ୍ପ ମାର୍ଗ ଓ କ୍ଷେତ୍ର ଆଦି ବିଷୟରେ ବିଶ୍ୱକୁ ଜ୍ଞାନ ଦେବେ। ଚୀନ୍‌‌ ଏବେ ପୁନର୍ବାର ତାହାର ଅର୍ଥନୈତିକ ବିସ୍ତାରବାଦୀ ଓ ସାମ୍ରାଜ୍ୟବାଦୀ ନୀତିକୁ ଗୁରୁତ୍ୱ ଦେଇଛି। ଏଭଳି ସ୍ଥିତିରେ ସମଗ୍ର ବିଶ୍ୱର ଗଣତନ୍ତ୍ର ପ୍ରେମୀ ରାଷ୍ଟ୍ର ସମୂହ କିପରି ଚୀନ୍‌‌ର ଋଣ ଯନ୍ତାରୁ ମୁକ୍ତି ପାଇବେ ଏବଂ ନିବେଶକମାନେ କିପରି ତା’ଠାରୁ ମୁହଁ ଫେରାଇ ଅନ୍ୟାନ୍ୟ ଦେଶକୁ ଯିବେ, ତାହାର ବିକଳ୍ପ ମାର୍ଗ ସମ୍ପର୍କରେ ମଧ୍ୟ ମୋଦୀ ବିଶ୍ୱ ନେତାଙ୍କୁ ଅବଗତ କରାଇବେ।

ଜି-୭ ହେଉ ଅଥବା ଜି-୨୦ ଏହି ଅନୁଷ୍ଠାନର ମୁଖ୍ୟ ଲକ୍ଷ୍ୟ ହେଲା ସମଗ୍ର ବିଶ୍ୱର ସମତୁଲ ବିକାଶ ଏବଂ ଅର୍ଥନୈତିକ ସୁରକ୍ଷାବାଦର ଅବସାନ। ଭାରତ ଏହାକୁ ସମର୍ଥନ କରିବା ସହ ବିଶ୍ୱର ଗରିବ ରାଷ୍ଟ୍ରଙ୍କ ଉତ୍‌‌ଥାନ ପାଇଁ ଗ୍ରହଣଯୋଗ୍ୟ ଅର୍ଥନୈତିକ ସହଯୋଗ ଜି-୨୦, ବିଶେଷକରି ଧନାଢ଼୍ୟ ରାଷ୍ଟ୍ରମାନଙ୍କଠାରୁ ଚାହୁଁଛି। ଭାରତ ଏବେ ବିଶ୍ୱର ବିକାଶଶୀଳ ଦେଶମାନଙ୍କର ମୁଖପାତ୍ର ହୋଇଥିବାରୁ ଜି-୭ ଶିଖର ବାର୍ତ୍ତାରେ ଏହାର ଉପସ୍ଥିତିକୁ ସମସ୍ତେ ଆଗ୍ରହର ସହିତ ଅପେକ୍ଷା କରିବେ। ଏହି ସମ୍ମିଳନୀ କେବଳ ଜି-୭ର ନେତାଙ୍କ ମଧ୍ୟରେ ସୀମିତ ନୁହେଁ। ଏଥିରେ ବିଶ୍ୱର ଉତ୍ତର-ଦକ୍ଷିଣ (ଧନୀ-ଦରିଦ୍ର)ର ଶତାଧିକ ରାଷ୍ଟ୍ରର ନେତାମାନେ ଯୋଗ ଦେଉଛନ୍ତି। ତେଣୁ ଭାରତକୁ ଏଭଳି ଏକ ବୈଶ୍ୱିକ ମଞ୍ଚରେ ଏକ ବଡ଼ ଦାୟିତ୍ୱ ନିର୍ବାହ କରିବାକୁ ପଡ଼ିବ।

Leave A Reply

Your email address will not be published.