ବଡ ଖବର ଓଡ଼ିଶା ମନୋରଞ୍ଜନ ଖେଳ ଖବର ଦେଶ- ବିଦେଶ ଜୀବନଚର୍ଯ୍ୟା ରାଶିଫଳ ବାଣିଜ୍ୟ ଫଟୋ ଗ୍ୟାଲେରୀ ଅପରାଧ ଟେକ୍ନୋଲୋଜି ବିଶେଷ ରାଜନୀତି ସ୍ଵାସ୍ଥ୍ୟ

ମଣିପୁର ଓ ହରିଆଣାରେ ସାମ୍ପ୍ରଦାୟିକ ହିଂସା, ରାଜନୈତିକ ଦୂରଦୃଷ୍ଟି ଓ ପ୍ରଶାସନିକ ତତ୍ପରତା ହିଁ ସମାଧାନ ସୂତ୍ର

ସତେଯେମିତି ହିଂସା ନାମକ ରାକ୍ଷସର କୁଦୃଷ୍ଟି ଏବେ ଭାରତ ଉପରେ ପଡ଼ିଛି। ସେପଟେ ମଣିପୁରରେ ଜାତିଆଣ ହିଂସା ଓ ଉତ୍ତେଜନା ତିନିମାସ ହେଲା ପ୍ରଶମିତ ହେବାର ନାଁ ଗନ୍ଧ ଧରୁନାହିଁ। ଏପଟେ ହରିୟାଣାରେ ସାମ୍ପ୍ରଦାୟିକ ଦଙ୍ଗା ଉଗ୍ର ରୂପ ନେଇଛି। ମଣିପୁରରେ ସଂରକ୍ଷଣ ବିବାଦକୁ ନେଇ ଅଣଆଦିବାସୀ ହିନ୍ଦୁ ଓ ଆଦିବାସୀ ଖ୍ରୀଷ୍ଟିଆନ୍‌‌ଙ୍କ ମଧ୍ୟରେ ଉତ୍ତେଜନା ଜାରି ରହିଥିବା ବେଳେ ହରିଆଣାରେ ବିଶ୍ୱ ହିନ୍ଦୁ ପରିଷଦ ଓ ବଜରଙ୍ଗ ଦଳ ଦ୍ୱାରା ପ୍ରାୟୋଜିତ ବ୍ରଜମଣ୍ଡଳ ଶୋଭାଯାତ୍ରାକୁ ନେଇ ହିଂସାତ୍ମକ ଘଟଣାମାନ ସୃଷ୍ଟି ହୋଇଛି, ଯେଉଁଥିରେ ଉଭୟ ହିନ୍ଦୁ ଓ ମୁସଲମାନଙ୍କ ସମ୍ପ୍ରଦାୟର ଶତାଧିକ ମୃତାହତ ହୋଇଛନ୍ତି। ମୋନୁ ମାନେସାର ନାମକ ଜଣେ କଟ୍ଟର ଦକ୍ଷିଣପନ୍ଥୀ ଯୁବକ ଜାରି କରିଥିବା ଏକ ଭିଡିଓ ଆଧାରରେ ହରିଆଣାର ନୁହ ଜିଲ୍ଲାରୁ ଆରମ୍ଭ ହୋଇଥିବା ଏହି ହିଂସା ଏବେ ଗୁରୁଗ୍ରାମ ଓ ସୋହନାକୁ ବ୍ୟାପିଛି। ଉଭୟ ମଣିପୁର ଓ ହରିଆଣା ଘଟଣା ଦୁର୍ଭାଗ୍ୟଜନକ ଏବଂ ଜି-୨୦ର ଅଧ୍ୟକ୍ଷତା କରୁଥିବା ଭାରତ ପାଇଁ ଲଜ୍ଜାଜନକ। ଦୀର୍ଘବର୍ଷର ରାଜନୈତିକ ଅବହେଳା, ମୂଳ ଭାରତ ଭୂଖଣ୍ଡରୁ ବିଚ୍ଛିନ୍ନାଞ୍ଚଳ ଭଳି ରହିବା, ସାମାଜିକ ବୈଷମ୍ୟ, ଆର୍ଥିକ ଅନଟନ ଏବଂ ସୀମାପାର ଉଗ୍ରବାଦୀଙ୍କ ପ୍ରାଦୁର୍ଭାବ, ଦୁଇ ମୂଳ ସମ୍ପ୍ରଦାୟ ମଧ୍ୟରେ ବିଦ୍ୱେଷ ଆଦି ପ୍ରଭାବରେ ମଣିପୁରରେ ହିଂସା ନୂଆ ନୁହେଁ। କିନ୍ତୁ ରାଜଧାନୀ ଦିଲ୍ଳୀର ଦୃଷ୍ଟିବଳୟ ଭିତରେ ସ୍ଥିତ ହରିଆଣାରେ ସୃଷ୍ଟ ବର୍ତ୍ତମାନର ହିଂସା ସମ୍ପୂର୍ଣ୍ଣ ଭାବେ ଉଦ୍ଦେଶ୍ୟ ପ୍ରଣୋଦିତ ଓ ପରିହାର୍ଯ୍ୟ ଶ୍ରେଣୀଭୁକ୍ତ ବୋଲି କୁହାଯାଇପାରେ।

ହରିଆଣା ହିଂସା ପଛରେ ଯେ ସମ୍ପୂର୍ଣ୍ଣ ରୂପେ ସୂଚନା ଜ୍ଞାନକୌଶଳର ଦୁରୁପଯୋଗ ହୋଇଛି ଏହା ସ୍ୱୀକାର କରିବାକୁ ପଡ଼ିବ। ପ୍ରଥମେ ଜାରି କରାଯାଇଥିବା ଜାତିଆଣ ଉତ୍ତେଜନା ସୃଷ୍ଟିକାରୀ ଭିଡିଓର ପାଲଟା ଜବାବ ରୂପେ ଜାରି କରାଯାଇଥିବା ଭିଡିଓ ଏବଂ ପରସ୍ପର ବିରୋଧରେ ଜାରି କରାଯାଇଥିବା ଏହିପରି ଏକାଧିକ ଭିଡିଓ-ଯୁଦ୍ଧ ଶେଷରେ ଅସ୍ତ୍ରଶସ୍ତ୍ର ଯୁଦ୍ଧର ରୂପ ନେଇଛି। ମାନେସାରଙ୍କ ଭିଡିଓ ବ୍ୟତୀତ ହିନ୍ଦୁବାଦୀ ବିବାଦୀୟ ନେତା ବିଟ୍ଟୁ ବଜରଙ୍ଗୀଙ୍କ ଏକ ଭିଡିଓ, ଗତ ଫେବୃଆରୀ ମାସରେ ମୁସଲିମ୍‌‌ ସମ୍ପ୍ରଦାୟର ଚାରିଜଣ ବ୍ୟକ୍ତିଙ୍କୁ ଆକ୍ରମଣ କରାଯାଇଥିବା ଚାରିଟି ଭିଡିଓ, ମୁସ୍‌‌ଲିମ୍‌‌ ସମ୍ପ୍ରଦାୟ ଦ୍ୱାରା ଏକ ହିନ୍ଦୁ ପରିବାରକୁ ଆକ୍ରମଣ କରାଯାଇଥିବା ଭିଡିଓ ସାମାଜିକ ଗଣମାଧ୍ୟମରେ ବ୍ୟାପକ ପ୍ରସାରିତ ହୋଇ ଚାପା ଉତ୍ତେଜନା ସୃଷ୍ଟି ହୋଇଥିଲା। ଏତଦ୍‌‌ବ୍ୟତୀତ ଆଉ ଏକ ଭିଡିଓରେ ଜଣେ ବ୍ୟକ୍ତି ନିର୍ଦ୍ଦିଷ୍ଟ ସମ୍ପ୍ରଦାୟର ବ୍ୟକ୍ତିଙ୍କ ହତ୍ୟାକାରୀଙ୍କୁ ୧ ଲକ୍ଷ ଟଙ୍କା ପୁରସ୍କାର ଦେବାକୁ ଘୋଷଣା କରୁଥିବା ଦେଖାଯାଇଥିଲା। ବ୍ରଜମଣ୍ଡଳ ଯାତ୍ରା ସମୟରେ ଦୀନେଶ ଭାରତୀ ଓ ଭାରତ ମାତା ବାହିନୀ ଦ୍ୱାରା ଆଉ ଏକ ଭିଡିଓ ଜାରି କରାଯାଇଥିଲା, ଯେଉଁଥିରେ ମୁସଲମାନ୍‌‌ ଉପାସନା ବିରୋଧୀ ସ୍ଲୋଗାନ୍‌‌ ରହିଥିଲା। ଏତଦ୍‌‌ବ୍ୟତୀତ ଉଭୟ ସମ୍ପ୍ରଦାୟର ମୌଳବାଦୀ ନେତାଙ୍କ ଦ୍ୱାରା ଜାରି କରାଯାଇଥିବା ପରସ୍ପର ବିରୋଧୀ ଭିଡିଓ ଏହି ହିଂସାକୁ ଉସକେଇ ଥିଲା।

ମଣିପୁର ଏବଂ ହରିଆଣାର ହିଂସା ପଛରେ ଯେଉଁ ସାମଞ୍ଜସ୍ୟ ରହିଛି, ସେଥିମଧ୍ୟରୁ ଗୋଟିଏ ହେଉଛି ଅଶିକ୍ଷା, ଦାରିଦ୍ର୍ୟ, ଅସେଚତନତା ଓ ବିକାଶରେ ଅବହେଳା। ହରିଆଣାରେ ବର୍ତ୍ତମାନର ହିଂସା ଜନ୍ମ ନେଇଥିôବା ନୁହ ଜିଲ୍ଲା ଉତ୍ତର ଭାରତର ସବୁଠାରୁ ପଛୁଆ ଜିଲ୍ଲା ଭାବେ କୁଖ୍ୟାତି ଅର୍ଜନ କରିଛି। ଏଠାରେ ନିରକ୍ଷର, ନିଯୁକ୍ତି, ରୋଜଗାର, ବାଲ୍ୟବିବାହ, ଅପୁଷ୍ଟି, ସ୍ୱାସ୍ଥ୍ୟଗତ ଆଦି ସମସ୍ୟା ଉଦ୍‌‌ବେଗଜନକ। କୋଭିଡ୍‌‌ ମହାମାରୀରେ ହରିଆଣାରେ ଯେତିକି ଲୋକଙ୍କ ମୃତ୍ୟୁ ଘଟିଥିଲା ତାହାର ଏକ-ଚତୁର୍ଥାଂଶ ଥିଲା ନୁହ ଜିଲ୍ଲାର। ଏହି ଜିଲ୍ଲାରେ ରାଜ୍ୟର ସର୍ବାଧିକ ମୁସଲିମ୍‌‌ ବସବାସ କରନ୍ତି। ହରିଆଣାର ସବୁଠାରୁ ଅଧିକ ଅପରାଧପ୍ରବଣ ଜିଲ୍ଲା ଭାବେ ମଧ୍ୟ ନୁହ ଅପଖ୍ୟାତି ଅର୍ଜିିଛି। ହରିଆଣାରେ ହେଉଥିବା ଗୋଚାଲାଣର ଦୁଇ-ତୃତୀୟାଂଶ ନୁହ ଜିଲ୍ଲାରେ ସଂଘଟିତ ହୁଏ। ଅପରପକ୍ଷରେ ଗୋରକ୍ଷକ ବାହିନୀର ଆପତ୍ତିଜନକ କାର୍ଯ୍ୟକଳାପ ମଧ୍ୟ ଏଠାରେ ଅଧିକ ଦେଖିବାକୁ ମିଳେ। ଏତଦ୍‌‌ବ୍ୟତୀତ ବିଗତ କିଛିବର୍ଷ ଧରି ନୁହ ସାଇବର ଅପରାଧର ପେଣ୍ଠ ସ୍ଥଳ ମଧ୍ୟ ହୋଇଆସିଥିବା ପୁଲିସ ଓ ଜାତୀୟ ଅପରାଧ ରେକର୍ଡ ବ୍ୟୁରୋରୁ ସୂଚନା ମିଳିଛି।

ମଣିପୁର ଓ ନୁହ ଜିଲ୍ଲା ଦଙ୍ଗା ପଛରେ ଥିବା ଅନ୍ୟତମ ସାମଞ୍ଜସ୍ୟ ହେଉଛି ପୁଲିସ ପ୍ରଶାସନର ଗତାନୁଗତିକ ଅବହେଳା। ଜିଲ୍ଲାରେ ଏତେ ପରିମାଣର ଅପରାଧ ଘଟୁଥିବାବେଳେ ପୁଲିସର ନିଷ୍କ୍ରିୟତା ଅପରାଧୀମାନଙ୍କୁ ଅଧିକ ଉତ୍ସାହିତ କରୁଛି। ବିଶେଷକରି ନୁହ ଦଙ୍ଗାରେ ଅତ୍ୟାଧୁନିକ ରାଇଫଲ୍‌‌ ଓ ମାରଣାସ୍ତ୍ରର ବ୍ୟବହାର ପ୍ରଶାସନକୁ ଚକିତ କରିଛି। ଏକେ ୪୭ ଭଳି ମାରଣାସ୍ତ୍ରକୁ ବ୍ୟବହାର କରିବା ପାଇଁ ଯେଉଁଭଳି ପ୍ରଶିକ୍ଷଣ ଓ ପୁଞ୍ଜିର ଆବଶ୍ୟକତା ହୁଏ ତାହା ଯେ ସଂଗଠିତ ଭାବରେ ସେଠାରେ ଚାଲିଥିଲା, ତାହା ଏକ ଚମକ୍‌‌ପ୍ରଦ ତଥ୍ୟ। ପୁଲିସ ପ୍ରଶାସନର କହିବା ଅନୁସାରେ ରାଜସ୍ଥାନ-ହରିଆଣା ସୀମା ଦେଇ ଏସବୁ ଅସ୍ତ୍ରଶସ୍ତ୍ର ନୁହକୁ ଚାଲାଣ ହୋଇଛି ବୋଲି ଅଭିଯୋଗ କରିବା ହାସ୍ୟାସ୍ପଦ ମନେ ହୁଏ। ପୁଲିସ ଓ ଗୁଇନ୍ଦା ବିଭାଗର ଯେ ଏହାକୁ ନ ରୋକି ପାରିବା ଏକ ବିରାଟ ବିଫଳତା ଏହା ଅନସ୍ୱୀକାର୍ଯ୍ୟ। ଦୀର୍ଘଦିନ ଧରି ସାମ୍ପ୍ରଦାୟିକ ଉତ୍ତେଜନା ସୃଷ୍ଟିକାରୀ ଏକାଧିକ ଭିଡିଓ ଭାଇରାଲ୍‌‌ ହେଉଥିଲେ ମଧ୍ୟ କୌଣସି ହିଂସାର ପୂର୍ବାନୁମାନ କରିବାରେ ରାଜ୍ୟ ଗୁଇନ୍ଦା ବାହିନୀ ସମ୍ପୂର୍ଣ୍ଣ ବିଫଳ ହୋଇଛି। କିନ୍ତୁ ବିଡ଼ମ୍ବନାର ବିଷୟ ଏହି ଯେ ନୁହ ସାମ୍ପ୍ରଦାୟିକ ହିଂସାକାଣ୍ଡର ପରବର୍ତ୍ତୀ ସମୟରେ ସ୍ଥାନୀୟ ପ୍ରଶାସନ ନିଜର ମାତ୍ରାଧିକ ପ୍ରତିକ୍ରିୟାରେ ବୁଲ୍‌‌ଡୋଜରକୁ ବ୍ରହ୍ମାସ୍ତ୍ର ରୂପେ ବ୍ୟବହାର କରିଛନ୍ତି! ବିଶେଷକରି ଗୋଟିଏ ତିନିମହଲା ଉଚ୍ଚା କୋଠାଘର ଛାତ ଉପରୁ ଯେଉଁଭଳି ପଥର ଓ ଗୁଳିଗୋଳା ବ୍ରଜମଣ୍ଡଳ ଶୋଭାଯାତ୍ରା ଉପରେ ଆକ୍ରମଣ କରାଗଲା, ସେହି କୋଠାବାଡ଼ି ଯେ ବେଆଇନ ଭାବେ ନିର୍ମିତ ଏବଂ ଏହା ଆଖାପାଖରେ ଅନେକ ରୋହିଙ୍ଗ୍ୟା ଅନୁପ୍ରବେଶକାରୀମାନଙ୍କ ଜବରଦଖଲ ଥିଲା ଏହା କ’ଣ ଜିଲ୍ଲା ପ୍ରଶାସନ ଏ ପର୍ଯ୍ୟନ୍ତ ଜାଣି ପାରି ନଥିଲା? ହିଂସା ଘଟଣା ପରେ ବୁଲ୍‌‌ଡୋଜର ଚଳାଇ କୋଠାବାଡ଼ି ଘରଦ୍ୱାର ଭାଙ୍ଗିବା କେତେ ନ୍ୟାୟସଙ୍ଗତ ତାହା ଅଦାଲତ ସିନା ନିର୍ଦ୍ଧାରଣ କରେ; କିନ୍ତୁ ପୁଲିସ ଓ ପ୍ରଶାସନ ପକ୍ଷରୁ ସିଧାସଳଖ ଦଣ୍ଡବିଧାନ ଏବେ ଭାରତରେ ଏକ ନୂତନ ଅଗଣତାନ୍ତ୍ରିକ ପରମ୍ପରା ସୃଷ୍ଟି କରୁଛି।

ଏଥିସହିତ ପଢ଼ନ୍ତୁ

ଏବେ ବୁଦ୍ଧିଜୀବୀ ଓ ସାଧାରଣ ନାଗରିକଙ୍କୁ ଯେଉଁ ବିଷୟ ସବୁଠାରୁ ଅଧିକ ଉଦ୍‌‌ବେଳିତ କରୁଛି, ତାହା ହେଉଛି ମଣିପୁର କିମ୍ବା ନୁହରେ ଘଟିଥିବା ସାମ୍ପ୍ରଦାୟିକ ଅସ୍ଥିରତା ଦେଶର ଅନ୍ୟ ଅଞ୍ଚଳକୁ ସମ୍ପ୍ରସାରିତ ନ ହେଉ। ଉଲ୍ଲେଖ ନିଷ୍ପ୍ରୟୋଜନ ଯେ ଉଭୟ ରାଜ୍ୟରେ ବିଜେପି ଶାସନ ଚାଲିଛି। ନୁହ ଉପରେ ଉଭୟ ବିଜେପି ଓ କଂଗ୍ରେସ ମଧ୍ୟ ତୀକ୍ଷ୍ନ ଦୃଷ୍ଟି ରଖିଛନ୍ତି। ତେଣୁ ଏହି ସାମ୍ପ୍ରଦାୟିକ ହିଂସା ଯଦି ରାଜନୈତିକ ରୂପ ନିଏ ତେବେ ପରିସ୍ଥିତି ଆହୁରି ବିଗିଡ଼ି ଯିବ।

ଏବେ ସମୟ ବଦଳୁଛି। ସଚେତନ ଲୋକେ ଜାତି ଓ ସମ୍ପ୍ରଦାୟକୁ ନେଇ ହିଂସା ଓ ଉତ୍ତେଜନା ବଦଳରେ ଜୀବନଶୈଳୀକୁ ଉନ୍ନତ କରିବା ପାଇଁ ପ୍ରତିଯୋଗିତାକୁ ଓହ୍ଲାଇଛନ୍ତି। କେବଳ ପଛୁଆ ଓ ଅନୁନ୍ନତ ଅଞ୍ଚଳରେ ହିଁ ହିଂସା ଓ ଦଙ୍ଗା ତା’ର କାୟା ବିସ୍ତାର କରୁଛି। ଏକଦା ଏଭଳି ଅନ୍ଧାରୀମୁଲକ ହିଁ ନକ୍ସଲ୍‌‌ମାନଙ୍କର ଚରାଭୂଇଁ ଥିଲା। ସାମାଜିକ ଓ ଅର୍ଥନୈତିକ ବିକାଶ ଯେତେ ବିସ୍ତାରିତ ଓ ସମାବେଶୀ ହେବ ହିଂସା ଓ ଅପରାଧ ପ୍ରବଣତା ସେତିକି ହ୍ରାସ ପାଇ ଚାଲିବ। ଉଭୟ ଶାସନ ଓ ପ୍ରଶାସନକୁ ସାଧାରଣ ଜନତା ଏହା ବୁଝାଇବା ଆବଶ୍ୟକ ନୁହେଁ। ହିଂସାର ସ୍ୱରୂପ ସାମ୍ପ୍ରଦାୟିକ ହେଉ ବା ପ୍ରଶାସନିକ ଅତିକ୍ରିୟା ହେଉ ଏହା କଦାଚିତ ଗଣତନ୍ତ୍ରରେ ସ୍ପୃହଣୀୟ ନୁହେଁ। ଏହାବ୍ୟତୀତ ଡିଜିଟାଲ୍‌‌ ଓ ସାମାଜିକ ଗଣମାଧ୍ୟମର ଭୂମିକାକୁ ଏଭଳି ସ୍ଥିତିରେ ନିୟନ୍ତ୍ରଣ କରିବା ଦିନକୁ ଦିନ ଅନିବାର୍ଯ୍ୟ ହୋଇପଡ଼ୁଛି। ଯଥାଶୀଘ୍ର ଏହାର ପ୍ରତିକାର ବିଧେୟ।

Leave A Reply

Your email address will not be published.