ବଡ ଖବର ଓଡ଼ିଶା ମନୋରଞ୍ଜନ ଖେଳ ଖବର ଦେଶ- ବିଦେଶ ଜୀବନଚର୍ଯ୍ୟା ରାଶିଫଳ ବାଣିଜ୍ୟ ଫଟୋ ଗ୍ୟାଲେରୀ ଅପରାଧ ଟେକ୍ନୋଲୋଜି ବିଶେଷ ରାଜନୀତି ସ୍ଵାସ୍ଥ୍ୟ

କର୍ଣ୍ଣାଟକରେ ଜାତିଆଣ କ୍ଷମତା କନ୍ଦଳ

ସମ୍ପ୍ରତି କଂଗ୍ରେସ ଶାସିତ କର୍ଣ୍ଣାଟକ ରାଜନୈତିକ ଘଟଣାବଳୀ ଯେଉଁ ବେଗରେ ଆଗକୁ ବଢ଼଼ୁଛି, ସେଥିରୁ ପ୍ରତୀୟମାନ ହେଉଛି ଯେ ସେହି ରାଜ୍ୟରେ ଖୁବ୍‌‌ଶୀଘ୍ର ଜଣେ ନୂଆ ମୁଖ୍ୟମନ୍ତ୍ରୀ ଦାୟିତ୍ୱ ଗ୍ରହଣ କରିବେ ଏବଂ ସେଠାକାର ସ୍ଥିତି ଦଳର ହାଇକମାଣ୍ଡଙ୍କ ପାଇଁ ଆଉ ଏକ ପରୀକ୍ଷାର ସମୟ ଆଣିବ। ମୁଖ୍ୟମନ୍ତ୍ରୀ ସିଦ୍ଧରାମାୟାଙ୍କ ସୂଚନା ଅନୁସାରେ ସେ ଖୁବ୍‌‌ଶୀଘ୍ର ନିଜ ପଦରୁ ଇସ୍ତଫା ଦେଇପାରନ୍ତି। ଉପମୁଖ୍ୟମନ୍ତ୍ରୀ ଡି କେ ଶିବକୁମାରଙ୍କ ସହ ହାଇକମାଣ୍ଡ ଯେଉଁ ବୁଝାମଣା କରିଥିଲେ ସେଥିରେ ସିଦ୍ଧରାମାୟାଙ୍କୁ ପ୍ରଥମ ଅଢ଼େଇ ବର୍ଷ ଓ ଶିବକୁମାରଙ୍କୁ ଅବଶିଷ୍ଟ ଅଢ଼େଇ ବର୍ଷ ମୁଖ୍ୟମନ୍ତ୍ରୀ କରାଯିବାର ବ୍ୟବସ୍ଥା ହୋଇଥିଲା ବୋଲି କୁହାଯାଉଛି। ତେବେ ଅଢ଼େଇବର୍ଷ ନ ପୁରୁଣୁ ମୁଖ୍ୟମନ୍ତ୍ରୀଙ୍କୁ ବଦଳାଇବାକୁ ଦଳ ମଧ୍ୟରେ କେବଳ ଚାପ ବଢ଼଼ୁନାହିଁ, ଏଥିରେ ରାଜ୍ୟର ଅନ୍ୟତମ ସଂଖ୍ୟାଧିକ ବର୍ଗ ଭୋକ୍କାଲିଗା ସମୁଦାୟ ଓ ସମ୍ପୃକ୍ତ ପନ୍ଥର ଜଣେ ପ୍ରଭାବଶାଳୀ ମଠାଧୀଶ ସାଧାରଣ ସଭାରେ ସିଦ୍ଧରାମାୟଙ୍କ ବଦଳରେ ଶିବକୁମାରଙ୍କୁ ମୁଖ୍ୟମନ୍ତ୍ରୀ କରିବାକୁ ଖୋଲାଖୋଲି ଦାବି କରୁଛନ୍ତି। ଶିବକୁମାର ଭୋକ୍କାଲିଗା (ଚାଷୀ) ସମୁଦାୟର ପ୍ରତିନିଧିତ୍ୱ କରୁଛନ୍ତି। ଦକ୍ଷିଣ କର୍ଣ୍ଣାଟକ, ବିଶେଷକରି ପୁରୁଣା ମହୀଶୂର ଅଞ୍ଚଳରେ ଏହି ସମ୍ପ୍ରଦାୟର ଲୋକେ ଅଧିକ ବାସ କରନ୍ତି। ରାଜ୍ୟର ଅନ୍ୟତମ ପ୍ରମୁଖ ଜାତି ଲିଙ୍ଗାୟତମାନଙ୍କର ମଧ୍ୟ ରାଜ୍ୟ ରାଜନୀତିରେ ଅଖଣ୍ଡ ପ୍ରଭାବ ରହିଛି। ଏମାନେ ଏବେ ମୁଖ୍ୟତଃ ବିଜେପିର ସମର୍ଥକ। କର୍ଣ୍ଣାଟକ ରାଜନୀତିରେ କ୍ଷମତା ପାଇଁ ଲିଙ୍ଗାୟତ ଓ ଭୋକ୍କାଲିଗା ଗୋଷ୍ଠୀର ପ୍ରଭାବ ସର୍ବଦା ରହିଆସିଛି ଏବଂ ଅଧିକାଂଶ ମୁଖ୍ୟମନ୍ତ୍ରୀ ଏହି ଦୁଇ ସମ୍ପ୍ରଦାୟରୁ ହୋଇଥିଲେ ମଧ୍ୟ ଏଥିରେ ଲିଙ୍ଗାୟତଙ୍କ ସଂଖ୍ୟା ଅଧିକ। ତଥାପି ଜାତିଗତ ସମୀକରଣ ଆଧାରରେ ଦଳିତ, ବ୍ରାହ୍ମଣ, ଓବିସି, ଏପରିକି ସଂଖ୍ୟାଲଘୁ ଶିଖ ସମ୍ପ୍ରଦାୟରୁ ମଧ୍ୟ କେଇଜଣ ପୂର୍ବରୁ ଏହି ରାଜ୍ୟର ମୁଖ୍ୟମନ୍ତ୍ରୀ ହୋଇଛନ୍ତି। ସିଦ୍ଧରାମାୟା ଅତି ପଛୁଆବର୍ଗର ପ୍ରତିନିଧିତ୍ୱ କରୁଛନ୍ତି। ପୂର୍ବରୁ ସେ ଥରେ ରାଜ୍ୟର ମୁଖ୍ୟମନ୍ତ୍ରୀ ଥିଲେ। ଦଳିତ, ଶୋଷିତ, ଅତ୍ୟନ୍ତ ଅନଗ୍ରସର ଓ ସଂଖ୍ୟାଲଘୁଙ୍କ ସମର୍ଥନ ତାଙ୍କ ପଛରେ ଅଧିକ। ଏହାସତ୍ତ୍ବେ ତାଙ୍କୁ ତାଙ୍କ ଅଢ଼େଇବର୍ଷିଆ ମୁଖ୍ୟମନ୍ତ୍ରୀ ପାଳିରୁ ଆଗୁଆ ବିଦାୟ ନେବାକୁ ପଡ଼ିବା ପ୍ରାୟ ନିଶ୍ଚିତ ହେବା ପଛରେ ରହିଛି ଭୋକ୍କାଲିଗା ଓ ଅନ୍ୟ ଅନଗ୍ରସର ସମୁଦାୟର ଚାପ।

ଶିବକୁମାର ଜଣେ ଉତ୍ତମ ସଂଗଠକ, ଅତ୍ୟନ୍ତ ପରିଶ୍ରମୀ, ଅନୁଗତ, ବେଶ ଶକ୍ତିଶାଳୀ ଓ ଧନାଢ଼୍ୟ ନେତା। ସେ କର୍ଣ୍ଣାଟକରେ କଂଗ୍ରେସକୁ ବହୁ ସଂକଟରୁ ଉଦ୍ଧାର କରିଛନ୍ତି। ତେବେ ଏହି ନେତାଜଣଙ୍କୁ ଯେଭଳି ପୁରସ୍କୃତ କରାଯିବା କଥା କଂଗ୍ରେସ ତାହା କରିନାହିଁ। କର୍ଣ୍ଣାଟକ ରାଜନୀତିରେ ଏବେ ଜାତି ଓ ସମ୍ପ୍ରଦାୟର ପ୍ରଭାବ ଯଥେଷ୍ଟ ବଢ଼଼ିଯାଇଛି। ରାଜ୍ୟରେ କଂଗ୍ରେସ ସରକାର ଥିବା ସତ୍ତ୍ବେ ଲୋକସଭା ନିର୍ବାଚନରେ ବିଜେପି ଏବଂ ଏନ୍‌‌ଡିଏ ମେଣ୍ଟକୁ ଭଲ ସଫଳତା ମିଳିବାର କାରଣ ହେଲା ଲିଙ୍ଗାୟତ ଓ ଭୋକ୍କାଲିଗା ଦୁଇ ପ୍ରମୁଖ ସମ୍ପ୍ରଦାୟ ବିଜେପିକୁ ସମର୍ଥନ କରିଥିଲେ। କୁମାରସ୍ୱାମୀଙ୍କ ନିୟନ୍ତ୍ରଣରେ ରହିଥିବା ଜେଡିଏସ୍‌‌ ବସ୍ତୁତଃ ଏକ ଭୋକ୍କାଲିଗାଙ୍କ ଦଳ। ତେଣୁ କଂଗ୍ରେସର ଏବେ ଚେତା ପଶିଛି ଯେ ଭୋକ୍କାଲିଗା ସମ୍ପ୍ରଦାୟର ଜଣକୁ ମୁଖ୍ୟମନ୍ତ୍ରୀ କଲେ ସେଠାରେ ରାଜନୈତିକ ସମୀକରଣ ଠିକ୍‌‌ ରହିବ।

କର୍ଣ୍ଣାଟକରେ ଅନେକ ଲିଙ୍ଗାୟତ ଓ ଭୋକ୍କାଲିଗା ସମ୍ପ୍ରଦାୟର ମଠ ରହିଛି। ଏହି ଲୋକପ୍ରିୟ ମଠଗୁଡ଼ିକ ରାଜନୈତିକ ଦୃଷ୍ଟିରୁ ଅତ୍ୟନ୍ତ ସକ୍ରିୟ। ଏ ସବୁର ମଠାଧୀଶଙ୍କର ସମ୍ପୃକ୍ତ ସମୁଦାୟ ଉପରେ ପ୍ରଚଣ୍ଡ ପ୍ରଭାବ ରହିଛି। ନିଜ ସମ୍ପ୍ରଦାୟରୁ ଜଣକୁ ମୁଖ୍ୟମନ୍ତ୍ରୀ କରିବାକୁ ସମ୍ପୃକ୍ତ ମଠର ମଠାଧୀଶମାନେ ଖୋଲାଖୋଲି ସ୍ୱର ଉତ୍ତୋଳନ କରିଥା’ନ୍ତି। ଗତସପ୍ତାହରେ ଏକ ସଭାରେ ଭୋକ୍କାଲିଗା ମଠର ଜଣେ ସର୍ବମାନ୍ୟ ମଠାଧୀଶ କୁମାର ଚନ୍ଦ୍ରଶେଖର ସ୍ୱାମିଜୀ ମୁଖ୍ୟମନ୍ତ୍ରୀଙ୍କ ଉପସ୍ଥିତିରେ ସ୍ପଷ୍ଟଭାବେ ତାଙ୍କୁ ଇସ୍ତଫା ଦେବାକୁ କହି ଶିବକୁମାରଙ୍କ ପାଇଁ ପଥ ପରିଷ୍କାର କରିବାକୁ ପ୍ରସ୍ତାବ ଦେଇଥିଲେ। ସାଧୁସନ୍ଥଙ୍କ ଏଭଳି ସମ୍ପ୍ରଦାୟଭିତ୍ତିକ ରାଜନୀତି ମୁଖ୍ୟମନ୍ତ୍ରୀ ସିଦ୍ଧରାମାୟାଙ୍କ ପାଇଁ ଗ୍ରହଣୀୟ ହୋଇ ନଥିଲେ ମଧ୍ୟ ସଂବେଦନଶୀଳ ଜାତିଆଣ ପ୍ରସଙ୍ଗକୁ ସେ ନିରବରେ ହଜମ କରିବାକୁ ବାଧ୍ୟ ହୋଇଥିଲେ। ଚତୁର ଶିବକୁମାର ନିଜକୁ ବିବାଦରୁ ଦୂରେଇ ରଖିବାକୁ ସଫେଇ ଦେଇଥିଲେ ଯେ ନେତୃତ୍ୱ ପରିବର୍ତ୍ତନ ପାଇଁ ମୁକ୍ତମଞ୍ଚରେ ଏଭଳି ଦାବି ଓ ଆହ୍ୱାନ ଗ୍ରହଣୀୟ ନୁହେଁ। ତାଙ୍କ କଥାଟି କିନ୍ତୁ ‘ଲୁଚିଛି ନା ଗୋଡ଼ ଦୁଇଟି ଦିଶୁଛି’ ଭଳି ଜଣାପଡ଼େ। ସିଦ୍ଧରାମାୟା ଏଭଳି ଘଟଣା ପରେ କହିଛନ୍ତି ଯେ ହାଇକମାଣ୍ଡ ଯେଉଁ ନିଷ୍ପତ୍ତି ନେବେ ତାହାକୁ ସେ ମାନିନେବେ। ହେଲେ ଏହି ଚତୁର ରାଜନେତା ଶିବକୁମାରଙ୍କ ପାଇଁ ପଥ ପରିଷ୍କାର କରିନାହାନ୍ତି। ସେ କହିଛନ୍ତି ଯେ ରାଜ୍ୟରେ ସବୁ ପ୍ରମୁଖ ବର୍ଗଙ୍କୁ ସରକାରରେ ଉପଯୁକ୍ତ ପ୍ରତିନିଧିତ୍ୱ ଦେଇ ଏହାକୁ ସମାବେଶୀ କରାଯିବା ଉଚିତ। ତେଣୁ ଏସ୍‌‌ଟି, ଏସ୍‌‌ସି ଓ ସଂଖ୍ୟାଲଘୁ ବର୍ଗରୁ ଜଣେ ଲେଖାଏଁ ନେତାଙ୍କୁ ଉପମୁଖ୍ୟମନ୍ତ୍ରୀ କରିବାକୁ ସେ ପାଲଟା ପ୍ରସ୍ତାବ ଦେଇ ପଦ ଛାଡ଼ିବାକୁ ଆପାତତଃ ନିଷ୍ପତ୍ତି ନେଇଛନ୍ତି। ଏହାଫଳରେ ସମ୍ପୃକ୍ତ ତିନିବର୍ଗରେ ଉପମୁଖ୍ୟମନ୍ତ୍ରୀ ପଦ ପାଇବାକୁ ପ୍ରତିଯୋଗିତା ଆରମ୍ଭ ହୋଇଗଲାଣି ଏବଂ ଶିବକୁମାର ମଧ୍ୟ ଏକା ଶାସନ କରିବାର ସୁଯୋଗ ପାଇବା ଅନିଶ୍ଚିତ ହେଲାଣି।

ଯାହା ଜଣାପଡ଼ୁଛି ଚତୁର ସିଦ୍ଧରାମାୟାଙ୍କ ତିନି ଉପମୁଖ୍ୟମନ୍ତ୍ରୀ ପ୍ରସ୍ତାବ କଂଗ୍ରେସ ପାଇଁ ରାଜନୀତିର ଭାନୁମତୀ ପେଡ଼ି ଖୋଲିଛି। ବିଜେପି ପରି କଂଗ୍ରେସ ମଧ୍ୟ ଜାତି ଓ ବର୍ଗଙ୍କୁ ତୁଷ୍ଟ କରିବା ପାଇଁ ଏବେ ପୁନଶ୍ଚ ଏକାଧିକ ଉପମୁଖ୍ୟମନ୍ତ୍ରୀ ପଦ ସୃଷ୍ଟି କରିବାକୁ ବାଧ୍ୟ ହେବ। ଏହାର ପ୍ରଭାବ ଅନ୍ୟ କଂଗ୍ରେସଶାସିତ ରାଜ୍ୟ ଉପରେ ପଡ଼ିପାରେ। ଭାରତୀୟ ସାମ୍ବିଧାନିକ ବ୍ୟବସ୍ଥା ଓ ଗଣତନ୍ତ୍ରର ବିଚିତ୍ର ବିରୋଧାଭାଷ ହେଲା ଏଠାରେ ରାଜନୈତିକ ରଣକୌଶଳ ବିଧିବ୍ୟବସ୍ଥା ଅନୁସାରୀ ନୁହେଁ। ସମ୍ବିଧାନ ଜାତି, ସମ୍ପ୍ରଦାୟ, ଆଞ୍ଚଳିକତା ଆଦିର ବିରୋଧୀ ଏବଂ ଗଣତନ୍ତ୍ରରେ ଜାତିଧର୍ମର ପ୍ରଭାବକୁ ବିରୋଧ କରେ। ତେବେ ସେହି ସମ୍ବିଧାନରେ ଥିବା ଅସ୍ଥାୟୀ ସଂରକ୍ଷଣ ‘କୋଟା’ ବ୍ୟବସ୍ଥା ବାରମ୍ବାର ପରିବର୍ଦ୍ଧିତ ଓ ପ୍ରଲମ୍ବିତ ହୋଇ ଏକ ସ୍ଥାୟୀ ରୂପ ନେଲାଣି। ସମ୍ବିଧାନରେ ସଂଖ୍ୟାଗରିଷ୍ଠ ଜାତି, ବର୍ଗ ଓ ସମୁଦାୟଙ୍କ ପ୍ରଭାବ କ୍ଷୁଣ୍ଣ କରି ସମସ୍ତଙ୍କୁ ସମାନ ଭାବେ ଦେଖିବାର ବ୍ୟବସ୍ଥା ଥିବା ବେଳେ ବାସ୍ତବିକ ଗଣତନ୍ତ୍ରରେ ଜାତି, ସମ୍ପ୍ରଦାୟବାଦକୁ ପ୍ରୋତ୍ସାହିତ ଏବଂ ତୋଷ କରିବାର ପ୍ରୟାସ ହେଉଛି। ସଂଖ୍ୟା ଓ ଭୋଟ ବ୍ୟାଙ୍କ ରାଜନୀତିରେ ପ୍ରତିଭା ଓ ପ୍ରାକୃତିକ ନେତୃତ୍ୱ ବଳି ପଡୁଛି। ସତରେ ବିଚିତ୍ର ଆମ ଗଣତନ୍ତ୍ର!

ତେବେ ରାଜନୈତିକ ବାସ୍ତବତା ଅନେକ ରାଜ୍ୟରେ ଭିନ୍ନ। ପଶ୍ଚିମବଙ୍ଗ, ଓଡ଼ିଶା, କେରଳ, ମହାରାଷ୍ଟ୍ର, ରାଜସ୍ଥାନ ଓ ମଧ୍ୟପ୍ରଦେଶ ଆଦି ରାଜ୍ୟରେ, ଯେଉଁଠି ଜାତିଆଣ ରାଜନୀତି ପ୍ରାୟ ନଥିଲା, ସେଠାରେ ଏବେ ସେ ସଂସ୍କୃତି ଆରମ୍ଭ ହୋଇଛି। କେବଳ ପଶ୍ଚିମବଙ୍ଗ ଓ କେରଳ ଏ ଯାଏଁ ଏହି ବ୍ୟାଧିରୁ ଅନେକାଂଶରେ ମୁକ୍ତ ରହିଛି। ମହିଳା ସଂରକ୍ଷଣ ବିଲ ଲାଗୁ ହେବା ପରେ ଏହି ଲିଙ୍ଗ ଓ ଜାତିଗତ ରାଜନୀତି ନୂଆ ରୂପ ନେଇପାରେ। ମହିଳାଙ୍କୁ ଉପଯୁକ୍ତ ପ୍ରତିନିଧିତ୍ୱ ଦେଇ ସଶକ୍ତ କରିବା ଉଦ୍ଦେଶ୍ୟ ମନ୍ଦ ହୋଇନଥିଲେ ମଧ୍ୟ ଏହାର ପ୍ରୟୋଗ ଭିନ୍ନ ହୋଇପାରେ। ଜାତିବାଦ, ସମ୍ପ୍ରଦାୟବାଦ ଭଳି କୁସଂସ୍କାରଠାରୁ ଦୂରେଇବା ପାଇଁ ଆମେ ଯେତେ ଚେଷ୍ଟା କରୁଥିଲେ ମଧ୍ୟ ରାଜନୀତି ଓ କୋଟା ବ୍ୟବସ୍ଥା ତାହାକୁ କେବଳ ବଞ୍ଚାଇ ରଖୁନାହିଁ, ଶକ୍ତିଶାଳୀ ମଧ୍ୟ କରୁଛି। ଏହା ନିଶ୍ଚିତ ଗଣତନ୍ତ୍ର ପାଇଁ ଚିନ୍ତାର ବିଷୟ। ଏହି ପରିପ୍ରେକ୍ଷୀରେ କୁହାଯାଇପାରେ ଯେ ରାଜ୍ୟଗୁଡ଼ିକରେ ଏବେ ମୁଖ୍ୟମନ୍ତ୍ରୀ ମନୋନୟନ ଏକ ଜଟିଳ କସରତରେ ପରିଣତ ହୋଇଛି। ତୁଷ୍ଟୀକରଣ ଓ ଭାଗୁଆଳୀ ସରକାରର ବାଧ୍ୟବାଧକତା ଏହି ପ୍ରକ୍ରିୟାକୁ ଅଧିକ ଜଟିଳ କରିଛି। ନୂଆ ଭାରତର ଗଣତନ୍ତ୍ର ପାଇଁ ଏହା ଆଦୌ ଶୁଭଙ୍କର ନୁହେଁ। ଏଥିପାଇଁ ନିର୍ବାଚନ ବ୍ୟବସ୍ଥାରେ ମଧ୍ୟ ସଂସ୍କାର ଲୋଡ଼ା।

Leave A Reply

Your email address will not be published.